ମହିଳା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ, ଫୋକସ୍‌ରେ ମହିଳା ଭୋଟର୍‌
Khabar Odisha:Politics-woman-odisha-bhubaneswar-mahila-congress-executive-meeting-today
ଭୁବନେଶ୍ୱର, ଜାନୁଆରୀ ୧୧ (ଖବର ଓଡ଼ିଶା):

ଆଗାମୀ ସାଧାରଣ ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରାଣ ମୂର୍ଚ୍ଛା ପରିଶ୍ରମ କରୁଛନ୍ତି । ଚାଷୀ ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିବାବେଳେ ସବୁ ଦଳ ପାଇଁ ମହିଳା ମତଦାତା ମଧ୍ୟ ଏକ ବଡ଼ ଭୋଟ୍‌ ବ୍ୟାଙ୍କ । ବିଜେଡ଼ି ମିଶନ ଶକ୍ତି କାର୍ଯ୍ୟକ୍ରମରେ ଅଧିକ ନିକଟତର ହୋଇଥିବା ଏଥିରୁ ବାଦ ପଡ଼ିନି ପ୍ରଦେଶ କଂଗ୍ରେସ । ମହିଳା ମତଦାତାଙ୍କୁ କିଭଳି ଦଳ ପ୍ରତି ଅଧିକ ଆକୃଷ୍ଟ କରିହେବ ସେଥିପାଇଁ କସରତ ଆରମ୍ଭ କରିଛି କଂଗ୍ରେସ । ସେଥିଲାଗି ଆଜି ମହିଳା କଂଗ୍ରେସର ବସିବ କାର୍ଯ୍ୟକାରିଣୀ ବୈଠକ । ଏଥିରେ ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୁସ୍ମିତା ଦେବ । 

ଗତକାଲିଠାରୁ ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରୀୟ କଂଗ୍ରେସ ଅଧ୍ୟକ୍ଷା ସୁସ୍ମିତା ଦେବ ଆଜି ମହିଳା କଂଗ୍ରେସର କାର୍ଯ୍ୟକାରିଣୀରେ ଯୋଗ ଦେବେ । ଚନ୍ଦ୍ରଶେଖରପୁରରେ ଆୟୋଜିତ ହୋଇଛି ବୈଠକ । ଏଥିରେ ମହିଳା ଭୋଟରଙ୍କୁ ହାତେଇବାକୁ ରଣନୀତି ପ୍ରସ୍ତୁତ କରାଯିବ । ଏ ନେଇ ମହିଳା କର୍ମୀଙ୍କୁ  ଗୁରୁମନ୍ତ୍ର ପ୍ରଦାନ କରିବେ ଶ୍ରୀମତି ଦେବ । କାର୍ଯ୍ୟକାରିଣୀ ପରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ନୂଆଦିଲ୍ଲୀ ଗସ୍ତ କରିବେ । 

ଗତକାଲି ଭୁବନେଶ୍ୱରରେ ପହଂଚିବା ପରେ ଅପରାହ୍ନରେ ଶ୍ରୀମତୀ ଦେବ ପିପିଲି ଗଣଦୁଷ୍କର୍ମ ପୀଡିତାଙ୍କ ଗାଁ ଅର୍ଜ୍ଜୁନପଦାକୁ ଯାଇ ତାଙ୍କ ପରିବାରକୁ ଭେଟିଥିଲେ । ତଦନ୍ତରେ ତ୍ରୁଟି ଯୋଗୁଁ ଅଭିଯୁକ୍ତ ମାନେ ଖଲାସ ହୋଇଥିବା ପ୍ରକାଶ କରିବା ସହ ମାମଲାର ତଦନ୍ତକୁ ପୁଣି ଥରେ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ । ତୁରନ୍ତ ଏହି ମାମଲାର ଫଇସଲା ନ ହେଲେ ମହିଳା କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ନେଇ ସେ ଚେତାବନୀ ଦେଇଥିଲେ ।

Subscribe

National International State Sports Entertainment