ଦୁଷ୍କର୍ମ ମାମଲା ରଖିଲାନି ପୋଲିସ, ଆତ୍ମହତ୍ୟା ଉଦ୍ୟମ ପରେ ୭ ଗିରଫ
Khabar Odisha:Police-arrested-7-rapist-in-malkangiri
ମାଲକାନଗିରି, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା):

ଦୁଷ୍କର୍ମର ଶୀକାର ହୋଇଥିବା ମହିଳାଙ୍କୁ ବାରମ୍ବାର କରାଯାଉଥିଲା ବ୍ଲାକ୍‌ମେଲ । ନିର୍ଯ୍ୟାତନା ଅସହ୍ୟ ହେବାରୁ ପୋଲିସ ନିକଟରେ ଫେରାଦ ହୋଇଥିଲେ । ସେଠି ବି ନିରାଶ ହେବାକୁ ପଡ଼ିଥିଲା । ନ୍ୟାୟ ନ ମିଳିବାରୁ ଶେଷରେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମାମଲାରେ ଜଡ଼ିତ ଥିବା ୭ ଜଣ ଅଭିଯୁକ୍ତଙ୍କୁ ଏକକାଳିନ ଗିରଫ କରାଯାଇଛି । ଘଟଣାଟି ଘଟିଛି ମାଲକାନଗିରି ସଦର ଥାନା ଅଂଚଳରେ  ।

ଗତ ତିନି ଚାରି ତଳେ ମହିଳା ଜଣଙ୍କ ଏକାକୀ ଥିବା ବେଳେ ୭ ରୁ ୮ ଜଣ ଦୁର୍ବୃତ୍ତ ତାଙ୍କୁ ବଳାତ୍କାର କରିଥିଲେ । ତାଙ୍କ ଚାରି ବର୍ଷର ପୁଅ ବେକରେ ଛୁରୀ ଲଗାଇ ମା’କୁ ଦୁଷ୍କର୍ମ କରିଥିଲେ ଏବଂ ସେହି ସମୟର ଦୃଶ୍ୟକୁ ରେକର୍ଡିଂ କରିଥିଲେ । ସେହି ଭିଡ଼ିଓକୁ ନେଇ ପରବର୍ତ୍ତୀ ସମୟରେ ମହିଳାଙ୍କୁ ବ୍ଲାକ୍‌ମେଲ ମଧ୍ୟ କରିଥିଲେ । ନିର୍ଯ୍ୟାତନା ଦିନକୁ ବଢ଼ିଥିଲା । ଶେଷରେ ଏହି ନିର୍ଯ୍ୟାତନା ଅସହ୍ୟ ହେବାରୁ ମହିଳା ଜଣକ ସ୍ୱାମୀଙ୍କୁ ସବୁକଥା ଜଣାଇଥିଲେ । ଏ ନେଇ ତିନି ଦିନ ତଳେ ସେ ସଦର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଦୋଷୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଏତଲା ଗ୍ରହଣ କରି ନ ଥିଲା ଏବଂ ଟଙ୍କାର ପ୍ରଲୋଭନ ଦେଖାଇଥିଲା । 

ଶେଷରେ ମହିଳା ଜଣକ ନିରାଶ ହୋଇ ହାତ କାଟି ଦେଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯିବା ପରେ ପୋଲିସର ନିଦ ଭାଙ୍ଗିଛି । ଏହି ମାମଲାରେ ଜଡ଼ିତ ଥିବା ରାଜା ମଣ୍ଡଳ, ରାଜକିରଣ ଗୁପ୍ତା, ଟି ସାଗର, ଭୀମସେନ ସଗରିଆ, ଏ ରାଜା, ମାଣିକ ବାଛଡା ଓ ପ୍ରମୋଦ ଦୋରାଙ୍କୁ ଗିରଫ କରିଛି ।  

ଅନ୍ୟପକ୍ଷରେ ମା’ ଘର ସଦସ୍ୟା ଶାନ୍ତିଲତା ବିଶୋୟୀ କହିଛନ୍ତି ଯେ ଯଦି ଦୋଷୀଙ୍କୁ ଉଚିତ ଦଣ୍ଡ ନ ମିଳେ ତାହା ହେଲେ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯିବ । 

  • Tags:

Subscribe

National International State Sports Entertainment