ବିଜେଡ଼ି ମହିଳା ସଭାନେତ୍ରୀ ପଦରୁ ହଟିଲେ ପ୍ରମିଳା, ମିନତୀଙ୍କୁ ମିଳିଲା ଦାୟିତ୍ୱ
Khabar Odisha:Minati-behera-appoints-as-president-of-Biju-mahila-janata-dal
ଭୁବନେଶ୍ୱର, ନଭେମ୍ବର ୧୧ (ଖବର ଓଡ଼ିଶା):

ଯାହା ଅନୁମାନ କରାଯାଉଥିଲା ତାହା ଏବେ ବାସ୍ତବରେ ପରିଣତ ହୋଇଛି । ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଓ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫାର କାରଣ ସ୍ପଷ୍ଟ ହୋଇଯାଇଛି । ଡାକ୍ତର ଲୋପାମୁଦ୍ରା ବକ୍ସିପାତ୍ର ଓ ମିନତୀ ବେହେରାଙ୍କୁ ବିଜୁ ମହିଳା ଜନତା ଦଳରେ ସ୍ଥାନ ମିଳିଛି । ଦଳର ସଭାନେତ୍ରୀ ପଦରୁ ବରିଷ୍ଟ ନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ମିନତୀ ବେହେରାଙ୍କୁ ନୂତନ ନିଯୁକ୍ତି ଦିଆଯାଇଛି । ସେହିପରି ପ୍ରମିଳା ମଲ୍ଲିକଙ୍କୁ ଦଳ ଶାଖାର ଉପଦେଷ୍ଟା ଭାବରେ ନୂତନ ଦାୟିତ୍ୱ ମିଳିଥିବା ସୂଚନା ମିଳିଛି । 

ଆଗକୁ ଆସୁଥିବା ସାଧାରଣ ନିର୍ବାଚନରେ ରାଜ୍ୟ ରାଜନୈତିକ ଦଳଗୁଡ଼ିକ ମହିଳା ସଙ୍ଗଠନ ଉପରେ ଅଧିକ ଫୋକସ୍‌ କରିଛନ୍ତି । ସଙ୍ଗଠନକୁ ସୁଦୃଢ଼ କରିବାକୁ ଶତଚେଷ୍ଟା ଜାରି ରଖିଛନ୍ତି । ପ୍ରଥମେ କଂଗ୍ରେସ ଏ ଦିଗରେ କିଛି ଦିନ ତଳେ ପଦକ୍ଷେପ ନେଇଥିବା ବେଳେ ବିଜେଡ଼ି ମଧ୍ୟ ପାଦେ ଆଗେଇଛି । ବିଜୁ ମହିଳା ଜନତା ଦଳର ସାଙ୍ଗଠନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେବାର ମାତ୍ର କେଇ ଘଣ୍ଟା ପରେ ମିନତୀ ବେହେରାଙ୍କୁ ତୁରନ୍ତ ନୂତନ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ତାଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ପଦରେ ନିଯୁକ୍ତ କରିଛନ୍ତି । ସେହିପରି ଶ୍ରୀମୟୀ ମିଶ୍ର, ଡାକ୍ତର ଲୋପାମୁଦ୍ରା ବକ୍ସିପାତ୍ର, ବିଜେଡ଼ି ମୁଖପାତ୍ର ସୁଲୋଚନା ଦାସ, ଗୀତାଞ୍ଜଳୀ ବସ୍ତିଆଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ଦାୟିତ୍ୱ ଦେଇଛନ୍ତି ସୁପ୍ରିମୋ । ପ୍ରମିଳା ମଲ୍ଲିକ ବିଜେଡ଼ିର ଉପସଭାପତି ସହିତ ବିଜୁ ମହିଳା ଜନତା ଦଳ ଶାଖାର ଉପଦେଷ୍ଟା କାର୍ଯ୍ୟଭାର ସମ୍ଭାଳିବେ । ଏହା ସହ ଜ୍ୟୋତି ପାଣିଗ୍ରାହୀ, କସ୍ତୁରୀ ମହାପାତ୍ର ହେଲେ ରାଜ୍ୟ ବିଜେଡ଼ି ମହିଳା ଶାଖାର ସହ ଉପଦେଷ୍ଟା । ଅନ୍ୟପକ୍ଷରେ ଏଲିନା ଦାଶ ସମ୍ପାଦିକା ଓ ସୁଲତା ଦେଓ ସାଧାରଣ ସମ୍ପାଦିକା ଦାୟିତ୍ୱ ନେଇଛନ୍ତି । 

ଏଠାରେ ଉଲ୍ଲେଖ ଯୋଗ୍ୟ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦରୁ ଡାକ୍ତର ଲୋପାମୁଦ୍ରା ବକ୍ସିପାତ୍ର ଓ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ପଦରୁ ମିନତୀ ବେହେରା ଆଜି ଇସ୍ତଫା ଦେଇଥିଲେ । ସେମାନେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଥିଲେ । 

Subscribe

National International State Sports Entertainment