ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
Khabar Odisha:Similipal-opened-today
ମୟୁରଭଞ୍ଜ, ନଭେମ୍ବର ୧ (ଖବର ଓଡ଼ିଶା):

ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି । ଆଜିଠାରୁ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ବଣଭୋଜି କରି ମଧ୍ୟ ଆନନ୍ଦ ଉଠାଇପାରିବେ । ପିଠାବଟା ଓ କାଳିଆଣି ଫାଟକ ଦେଇ ପର୍ଯ୍ୟଟକମାନେ ପ୍ରବେଶ କରୁଛନ୍ତି । 

ବର୍ଷା ଋତୁ ପାଇଁ ଜୁନ୍‌ ମାସରୁ ବନ୍ଦ ରହିଥିବା ଅଭୟାରଣ୍ୟ ଆଜି ଖୋଲିଛି । ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବାକୁ ଟିକେଟ୍‌ କରିବାକୁ ପଡ଼ୁଛି । ପ୍ରବେଶ ଅନୁମତି ପତ୍ର କେବଳ ପିଠାବଟା ଓ ଯଶିପୁର ବୁକିଂ କାଉଣ୍ଟରରୁ ସକାଳ ୬ଟାରୁ ଦିନ ୯ଟା ପର୍ଯ୍ୟନ୍ତ ମିଳୁଛି । ଦୈନିକ ସର୍ବାଧିକ ୩୫ଟି ଚାରିଚକିଆ ଯାନ କାଳିଆଣି ଫାଟକ ଓ ୨୫ଟି ଚାରି ଚକିଆ ଯାନ ପିଠାବଟା ଫାଟକ ଦେଇ ଅଭୟାରଣ୍ୟ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଅଭୟାରଣ୍ୟକୁ ପ୍ରବେଶ କରିବା ପୂର୍ବରୁ ପର୍ଯ୍ୟଟକମାନେ ପ୍ରଚଳିତ ନିୟମାବଳୀମାନ ପାଳନ ନିମନ୍ତେ ଏକ ଲିଖିତନାମା ଦେବେ । ପର୍ଯ୍ୟଟକମାନେ ବୁଲାବୁଲି କରି ସାରିବା ପରେ ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ଅପରାହ୍ନ ୪ଟା ପୂର୍ବରୁ ଚହଲା ଛାଡିବାକୁ ପଡିବ ବୋଲି ନିୟମ ହୋଇଛି । ତେବେ ଯେଉଁମାନେ ରାତ୍ରୀଯାପନ କରିବେ ସେମାନେ ପୂର୍ବରୁ ଅନ୍‌ଲାଇନ୍‌ରେ ଆବେଦନ କରିବା ଜରୁରୀ ।  

Subscribe

National International State Sports Entertainment