ହକି ବିଶ୍ୱକପରେ ମଦ ପରସାକୁ ବିରୋଧ, ବନ୍ଦ ନହେଲେ ଷ୍ଟାଡିୟମ୍ ସମ୍ମୁଖରେ ଧାରଣା ଦେବ ନିଶା ନିବାରଣ ଅଭିଯାନ
Khabar Odisha:No-Serves-alcohol-in-Hockey-World-cup
ଭୁବନେଶ୍ୱର, ୧୦ ଅଗଷ୍ଟ (ଖବର ଓଡ଼ିଶା):

ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ଯୋଗ ଦେଇଛନ୍ତି । ଓଡ଼ିଶା ତଥା ଭାରତକୁ ନିଶାମୁକ୍ତ କରିବାର ଲକ୍ଷ୍ୟ ନେଇ ଏହି ସମ୍ମିଳନୀରେ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା । ଆଗକୁ ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱ କପରେ ମଦ ପାନୀୟ ପରସା ଯିବା ବ୍ୟବସ୍ଥାକୁ ମୋନା ତୀବ୍ର ବିରୋଧ କରିବା ସହିତ, ଯଦି ଏହାକୁ ବନ୍ଦକରା ନ ଯାଏ ତେବେ ପ୍ରତିଯୋଗିତା ଦିନ ଷ୍ଟାଡିଅମ୍ ସମ୍ମୁଖରେ ସହସ୍ରାଧିକ ମହିଳାଙ୍କ ସହ ଧାରଣାରେ ବସିବାକୁ ସଂଗଠନ ଦୃଢ଼ ଚେତାବନୀ ଦେଇଛି ।

ଗାନ୍ଧୀଜୀଙ୍କ ଆହ୍ୱାନକୁ କାର୍ଯ୍ୟକାରୀ କରି ନିଶାମୁକ୍ତ ଭାରତ ଗଠନ ଲକ୍ଷ୍ୟକୁ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଗାଁରୁ ଆରମ୍ଭ କରିଥିଲା । ଏଥିରେ ପ୍ରଭାବିତ ହୋଇ ଅନେକ ଲୋକ ସେମାନଙ୍କ ଗ୍ରାମକୁ ନିଶାମୁକ୍ତ କରିବାରେ ସଫଳ ହୋଇଛନ୍ତି। ଆଗାମୀ ଅକ୍ଟୋବର ୨ରୁ ଗାନ୍ଧିଜୀଙ୍କ ୧୫୦ ବର୍ଷର ଜୟନ୍ତୀ ପୂର୍ଣ୍ଣ ହେବାକୁ ଆଉ ୨ ବର୍ଷ ଥିବାବେଳେ, ଏହି ସମୟ ସୀମା ମଧ୍ୟରେ ମଦ ମୁକ୍ତ ଭାରତ ଅଭିଯାନକୁ ଲକ୍ଷ୍ୟ ସ୍ଥଳୀରେ ପହଞ୍ଚାଇବା ପାଇଁ ମୋନା ପକ୍ଷରୁ ସେପ୍ଟେମ୍ବର ଶେଷ ସପ୍ତାହରେ ଦିଲ୍ଲୀଠାରେ ଏକ ସର୍ବଭାରତୀୟ ନିଶା ନିବାରଣ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ସମ୍ମିଳନୀରେ, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଭାପତି, ପଦ୍ମଚରଣ ନାୟକ ପ୍ରକାଶ କରିଛନ୍ତି ଯେ, “ସମାଜରେ ଘଟୁଥିବା ଅପରାଧଗୁଡ଼ିକ ପାଇଁ ମଦ ହିଁ ଅନେକ ପରିମାଣରେ ଦାୟୀ । କର୍କଟ, ବୃକ୍କ ସଂକ୍ରମଣ, ହୃତଘାତ ଯୋଗୁଁ ଅନେକ ପ୍ରାଣ ହରାଉଥିବାବେଳେ କ୍ରୀଡ଼ାବିତ୍ମାନଙ୍କ ପାଇଁ କରାଯାଇଥିବା ମଦ୍ୟପାନର ବ୍ୟବସ୍ଥା ଆଦୌ ଗ୍ରହଣୀୟ ନୁହେଁ । ଗାନ୍ଧିଜୀଙ୍କ ୧୫୦ ବର୍ଷର ଜୟନ୍ତୀ ପାଳନ କରିବାକୁ ଯାଉଥିବା ରାଜ୍ୟ ସରକାର ଏଭଳି ଉଦ୍ୟମରୁ ବିରତ ରୁହନ୍ତୁ, ନଚେତ ବିଶ୍ୱ ହକି ପ୍ରତିଯୋଗିତା ଆରମ୍ଭରୁ ଷ୍ଟାଡିୟମ୍ ଗେଟ ସମ୍ମୁଖରେ ରଜ୍ୟର ହଜାର ହଜାର ମହିଳା ସତ୍ୟାଗ୍ରହ କରିବେ ।” ଅନ୍ୟମାନଙ୍କ ମଧ୍ୟରେ ଏଠାରେ ବିଜୟ କୁମାର ସ୍ୱାଇଁ, ଶୈଳେନ୍ଦ୍ର ରବି, କ୍ରିଷ୍ଣା ମହାନ୍ତି, ଅପର୍ଣ୍ଣା ନାୟକ, ଅଦ୍ୱୈତ ପାତ୍ର ପ୍ରମୂଖ ଉପସ୍ଥିତ ଥିଲେ ।

ମୋନା ପକ୍ଷରୁ ଆଗାମୀ ଗାନ୍ଧୀ ଜୟନ୍ତୀକୁ ପାରମ୍ପାରିକ ଭାବରେ ପାଳନ ନକରି ସେପ୍ଟେମ୍ବର ୨ଠାରୁ ମାସବ୍ୟାପି ଗାଁ ଗାଁରେ ନିଶା ବିରୋଧି ଶୋଭାଯାତ୍ରା, ଆଲୋଚନାଚକ୍ର ତଥା ସମାବେଶ ଅନୁଷ୍ଠିତ ହେବ । ଏହା ସହ ଏହି ଦାବିକୁ ସରକାରୀସ୍ତରରେ କାର୍ଯ୍ୟକାରୀକରିବା ପାଇଁ ସ୍ଥ୍ାନୀୟ ବିଧାୟକଙ୍କ ଉଦ୍ଦେଶ୍ୟରେ ପ୍ରତି ଗାଁରୁ ଦସ୍ତଖତ ସଂଗ୍ରହ ହେବ । ଅକ୍ଟୋବର ୨ ତାରିଖଦିନ ଗାନ୍ଧୀ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଦେବାସହ ସଂଗୃହିତ ଦସ୍ତଖତ ଗୁଡିକୁ ସ୍ଥାନୀୟ ବିଧାୟକଙ୍କୁ ଦିଆଯିବ ।

  • Tags:

Subscribe

National International State Sports Entertainment