ଭୁବନେଶ୍ୱର , ସେପ୍ଟେମ୍ବର ୧୪ (ଖବର ଓଡ଼ିଶା):
‘ମୋମୋ’ ଗେମ୍ ବା ମୃତ୍ୟୁର ଖେଳ ପରେ ଏବେ ‘ଅଲିଭିଆ’କୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ‘ଅଲଭିଆ’ ନାଁରେ ସୋସିଆଲ ଆପ୍ ହ୍ୱାଟ୍ସ ଆପରେ ମେସେଜ ଆସୁଥିବା ସଙ୍କେତ ମିଳିଥିବା ବେଳେ ଏ ନେଇ ଛୋଟ ପିଲାଙ୍କ ପାଇଁ ସତର୍କ ଜାରି କରିଛି ଓଡିଶା କ୍ରାଇମବ୍ରାଞ୍ଚ । ଏଥିରୁ ଦୂରେଇ ରହିବାକୁ କ୍ରାଇମବ୍ରାଞ୍ଚ ପରାମର୍ଶ ଦେଇଛି ।
କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ, ହ୍ୱାଟସଆପ ମାଧ୍ୟମରେ ‘ଅଲଭିଆ’ ଛୋଟ ପିଲାଙ୍କୁ ଟାର୍ଗେଟ୍ କରୁଛି। ତେଣୁ ଅଭିଭାବକମାନେ ପିଲାମାନଙ୍କ ଅନଲାଇନ କାରବାର ପ୍ରତି ଧ୍ୟାନ ଦିଅନ୍ତୁ। ଅଚିହ୍ନା ଓ ସନ୍ଦେହଜନକ ମେସେଜ ବା ନମ୍ବର ଆସିଲେ ତାହାକୁ ଗ୍ରହଣ କରନ୍ତୁ ନାହିଁ।
ପ୍ରକାଶ ଥାଉ କି, ୱାଟସ ଆପ ମାଧ୍ୟମରେ ‘ଓଲିଭିଆ’ର ଏକ ସ୍ପାମ ମେସେଜ୍ ଆସୁଥିବାର ଅଭିଯୋଗ ହୋଇଛି। ଯେଉଁଥିରେ ପର୍ଣ୍ଣ ସାଇଟ୍ ବା ପର୍ଣ୍ଣ ସମ୍ବୋଧିତ ମେସେଜ୍ ପଠାଇ ଛୋଟ ପିଲାଙ୍କ ମାଇଣ୍ଡକୁ ଅସନ୍ତୁଳିତ ବା ଡାଇଭର୍ଟ କରାଯାଏ। ଏହି ଅଭିଯୋଗ ଆସିବା ପରେ ଓଡ଼ିଶା ପୋଲିସ ପକ୍ଷରୁ ସତର୍କ ପଦକ୍ଷେପ ଗ୍ରହଣ କରାଯାଇଛି।