ଟେଷ୍ଟରେ ଏକ ନମ୍ବର ମାନ୍ୟତା ବଜାୟ ରଖିଲେ କୋହଲି
Khabar Odisha:virat-kohli-hold-number-one-spot-in-icc-test-ranking-after-england-series
ଦୁବାଇ,ସେପ୍ଟେମ୍ବର୧୨(ଖବର ଓଡ଼ିଶା):

 ଆଇସିସିର ସଦ୍ୟତମ ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲି ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ନିକଟରେ  ଶେଷ ହୋଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ କୋହଲି ୫୯.୩୦ ହାରରେ ୫୯୩ ରନ କରିଛନ୍ତି। ମାତ୍ର ଭାରତ ସିରିଜରେ ୪-୧ରେ ପରାଜିତ ହୋଇଛି। ସିରିଜ୍ ଆରମ୍ଭ ହେବା ପୂର୍ବରୁ କୋହଲି ଅଷ୍ଟ୍ରେଲିଆ ଖେଳାଳି ଷ୍ଟିଭ ସ୍ମିଥଙ୍କଠୁ ୨୭ ପଏଣ୍ଟ ପଛରେ ଥିଲେ ମାତ୍ର ଏବେ ସେ ସ୍ମିଥଙ୍କଠୁ ଏକ ପଏଣ୍ଟ ଆଗରେ ରହିଛନ୍ତି। 

ଏବେ  କୋହଲି ଅକ୍ଟୋବର ୪ରୁ ଆରମ୍ଭ ହେଉଥିବା ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ଘରୋଇ ସିରିଜରେ ନିଜର ଏହି ସ୍ଥାନକୁ ଅଧିକ ମଜଭୁତ କରିବାକୁ ଚେଷ୍ଟା କରିବେ। ଭାରତର ଲୋକେଶ ରାହୁଲ ଓ ଋଷଭ ପନ୍ତ ପଞ୍ଚମ ଟେଷ୍ଟ ମ୍ୟାଚର ଦ୍ଵିତୀୟ ପାଳିରେ କ୍ରମଶଃ ୧୪୯ ଓ ୧୧୪ ରନର ଦମଦାର ପାଳି ବଳରେ ମାନ୍ୟତାରେ ବହୁ ଉନ୍ନତି କରିଛନ୍ତି। ଲୋକେଶ ମାନ୍ୟତାରେ ଏବେ ୧୯ମ ସ୍ଥାନରେ ଏବଂ ପନ୍ତ ୬୩ଟି ସ୍ଥାନ ଉପରକୁ ଉଠୀ ୧୧୧ମ ସ୍ଥାନରେ ପହଞ୍ଚିଛନ୍ତି। ରବୀନ୍ଦ୍ର  ଜାଡେଜା ପ୍ରଥମ ପାଳିରେ ୮୬ ରନ କରିଥିଲେ, ଯାହା ବଳରେ ସେ  ମାନ୍ୟତାରେ ୧୨ ସ୍ଥାନ ଉପରକୁ ଉଠି ୫୮ମ ସ୍ଥାନରେ ପହଞ୍ଚିଛନ୍ତି। ଅଲରାଉଣ୍ଡର ତାଲିକାରେ ସେ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ଵିତୀୟ ସ୍ଥାନରେ ପହଞ୍ଚିଛନ୍ତି। 

ଇଂଲଣ୍ଡର ଓପନିଂ ବ୍ୟାଟସମ୍ୟାନ ଆଲିଷ୍ଟର କୁକ୍ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଦମଦାର ଷ୍ଟାଇଲରେ ବିଦାୟ ନେଇଛନ୍ତି।  ଓଭାଲ ଟେଷ୍ଟର ମ୍ୟାନ ଅଫ ଦ ମ୍ୟାଚ୍ କୁକ ମାନ୍ୟତାର ଶୀର୍ଷ ୧୦ରେ ରହି କ୍ରିକେଟକୁ ଅଲବିଦା କହିଛନ୍ତି। ସେ ଏହି ମ୍ୟାଚର ପ୍ରଥମ ପାଳିରେ ୭୧ ଓ ଦ୍ଵିତୀୟ ପାଳିରେ ୧୪୭ ରନ କରି ଦଳକୁ ୧୧୮ ରନରେ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଏହି ସ୍ମରଣୀ ପାଳି ଦମରେ ୧୧ଟି ସ୍ଥାନ ଉପରକୁ ଉଠି ଶୀର୍ଷ ୧୦ରେ ରହି କ୍ୟାରିୟରର ଅନ୍ତ କରିଛନ୍ତି। ଇଂଲଣ୍ଡର ବ୍ୟାଟସମ୍ୟାନ ଜୋସ ବଟଲର  ୯ଟି ସ୍ଥାନ ଉପରକୁ ଉଠି ୨୩ ମ ଓ ମୋଇନ ଅଲୀ ୫ଟି ସ୍ଥାନ ଉପରକୁ ଉଠି ୪୩ମ ସ୍ଥାନରେ ପହଞ୍ଚିଛନ୍ତି। 

  • Tags:

Subscribe

National International State Sports Entertainment