୧୯ ବର୍ଷରୁ କମ ଏସିଆ କପରେ ଭାରତ ଚମ୍ପିଆନ, ଫାଇନାଲରେ ଶ୍ରୀଲଙ୍କାକୁ ଦେଲା ମାତ୍
Khabar Odisha:under-19-asia-cup-final-india-vs-sri-lanka-match-report-and-highlights
ମୀରପୁର,ଅକ୍ଟୋବର୦୭(ଖବର ଓଡ଼ିଶା):

୧୯ ବର୍ଷରୁ କମ ଭାରତୀୟ ଦଳ ଏସିଆ କପ ଚମ୍ପିଆନ ହୋଇଛି। ରବିବାର ବାଂଲାଦେଶର ମୀରପୁରରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଭାରତ ଶ୍ରୀଲଙ୍କାଙ୍କୁ ୧୪୪ ରନରେ ପରାସ୍ତ କରି  ଷଷ୍ଠ ଥର ୧୯ ବର୍ଷରୁ କମ ଏସିଆ କପ୍ ବିଜେତା ହୋଇଛି। ଏହା ପୂର୍ବରୁ ୧୯ ବର୍ଷରୁ କମ ଭାରତୀୟ ଦଳ ୨୦୧୬, ୨୦୧୪, ୨୦୧୨, ୨୦୦୩, ଓ ୧୯୮୯ରେ ଚମ୍ପିଆନ ହୋଇଥିଲା। ଏହା ପୂର୍ବରୁ କିଛି ଦିନ ତଳେ ରାେହିତ ଶର୍ମାଙ୍କ ଅଧିନାୟକତ୍ଵରେ ଭାରତ ସପ୍ତମ ଥର ଏସିଅା କପ ବିଜେତା ହୋଇଥିଲା।

ମୀରପୁରର ସେର-ଏ-ବାଂଲା ନ୍ୟାସନାଲ ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୩ ଓ୍ଵିକେଟ୍ ହରାଇ ୩୦୪ ରନର ବିଶାଳ ରନ ସ୍କୋର ଛିଡା କରିଥିଲା। ଜବାବରେ ଶ୍ରୀଲଙ୍କା ୩୮.୪ ଓଭରରେ ୧୬୦ ରନରେ ଅଲଆଉଟ୍ ହୋଇଛି।  ଶ୍ରୀଲଙ୍କା ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଦଳ ପକ୍ଷରୁ ମୁଦୁସଖା ଫର୍ଣ୍ଣାଡୋ ୪୯ ରନର ପାଳି ଖେଳିଛନ୍ତି। ଭାରତ ପକ୍ଷରୁ ସ୍ପିନର ହର୍ଷ ତ୍ୟାଗୀ ୩୮ ରନ ଦେଇ ସର୍ବାଧିକ ୬ ସଫଳତା ପାଇଥିବା ବେଳେ ସିଦ୍ଧାର୍ଥ ଦେଶାଇ ୨ ଟି ସଫଳତା ପାଇଛନ୍ତି।

ଭାରତୀୟ ଦଳ ପକ୍ଷରୁ ୫ ଜଣ ବ୍ୟାଟସମ୍ୟାନ ଅର୍ଦ୍ଧଶତକ ହାସଲ କରିଛନ୍ତି। ଓପନିଂ ବ୍ୟାଟସମ୍ୟାନ ଜଶସ୍ଵୀ ଜୟସ୍ଵାଲ(୮୫), ଅନୁଜ ରାଓ୍ଵତ(୫୭)ଙ୍କ ବ୍ୟତୀତ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ତଥା ଅଧିନାୟକ ସିମରନ ସିଂହ(ଅପରାଜିତ ୬୫) ଓ ଆୟୁଷ ବଦୋନୀ(ଅପରାଜିତ ୫୨)ର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। 

ଭାରତୀୟ ଦଳ ଏକଦା ଗୋଟିଏ ସମୟରେ ୪୫ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୫ ରନ କରିଥିଲା। ମାତ୍ର  ଶେଷ ୫ ଓଭରରେ ସିମରନ ସିଂହ ଓ ଆୟୁଷ ବଦୋନୀ ବିସ୍ଫୋରକ ବ୍ୟାଟିଂ କରି ଚତୁର୍ଥ ଓ୍ଵିକେଟରେ ୭୯ ରନ ଯୋଡି ଦଳର ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ସିମରନ ୩୭ଟି ବଲରୁ ୪ ଛକା ଓ ବଦୋନୀ ୨୮ଟି ବଲରୁ ୫ଟି ବିଶାଳ ଛକା ମାରିଥିଲେ। 

ଏହା ପୂର୍ବରୁ ଓପନିଂ ବ୍ୟାଟସମ୍ୟାନ ଯଶସ୍ଵୀ ଓ ଅନୁଜ ପ୍ରଥମ ଓ୍ଵିକେଟରେ ୧୨୧ ରନ ଯୋଡ଼ି ଭାରତକୁ ଦମଦାର ଆରମ୍ଭ ଦେଇଥିଲେ।  ଏହା ପୂର୍ବରୁ ଭାରତ ସେମି ଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଏସିଆ କପ ଫାଇନାଲରେ ପ୍ରବେଶ କରିଥିଲା।

Subscribe

National International State Sports Entertainment