ବର୍ତ୍ତମାନର ଚୟନ ସମିତି ଅନୁଭବହୀନ, ଶାସ୍ତ୍ରୀ-କୋହଲିଙ୍କୁ ଚ୍ୟାଲେଞ୍ଜ ଦେଇ ପାରିବେ ନାହିଁ
Khabar Odisha:syed-kirmani-said-current-selection-panel-low-in-experience-they-cannot-challenge-ravi-shastri-and-virat-kohli
ନୂଆଦିଲ୍ଲୀ, ଅକ୍ଟୋବର୦୮(ଖବର ଓଡ଼ିଶା):

 ମୁଖ୍ୟକୋଚ୍ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲିଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ ସମିତି ପାଖରେ ପର୍ଯ୍ୟାପ୍ତ ଅନୁଭବ ନାହିଁ। ସୋମବାର ଏହା କହିଛନ୍ତି ପୂର୍ବତନ ଜାତୀୟ ଚୟନକର୍ତ୍ତା ସୈୟଦ କିରମାନୀ। କରୁଣ ନାୟର ଓ ମୁରଲୀ ବିଜୟଙ୍କୁ ଟେଷ୍ଟ ଦଳରୁ ବାହାର କରିବା ସଂଦର୍ଭରେ ପୂର୍ବତନ ଓ୍ଵିକେଟ୍ କିପର କିରମାନୀ ଏହି ଟିପ୍ପଣୀ କରିଛନ୍ତି। ନାୟର ଓ ବିଜୟ ଉଭୟ ଦୃଢତାର ସହ କହିଛନ୍ତି ଯେ ଦଳରୁ ବାହାର କରିବା ନେଇ ଚୟନସମିତି ତାଙ୍କ ସହ କଦାପି କଥା ହୋଇ ନାହାନ୍ତି। ମାତ୍ର ନାୟର ଓ ବିଜୟଙ୍କ ଏହି ବୟାନକୁ ପ୍ରସାଦ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଉଭୟ ବ୍ୟାଟସମ୍ୟାନଙ୍କୁ ଏହାର ସୂଚନା ଦିଆଯାଇଛି।

ଖେଳାଳିଙ୍କ ଚୟନ ବିବାଦକୁ ନେଇ ପଚରାଯାଇଥିବା ପ୍ରଶ୍ନ ଉପରେ କିରମାନି କହିଛନ୍ତି ଯେ ଯଦି ଏହି ପ୍ରଶ୍ନ ମୋ ପାଇଁ ଉଦ୍ଧିଷ୍ଟ ତେବେ  ଉତ୍ତରରେ ମୁଁ କହିବି ଯେ ରବି ଶାସ୍ତ୍ରୀ କୋଚ ହେବା ସହିତ ଚୟନକର୍ତ୍ତା ମଧ୍ୟ। ଶାସ୍ତ୍ରୀ ଓ ଅଧିନାୟକ କୋହଲି ତଥା ଅନ୍ୟ ବରିଷ୍ଠ ଖେଳାଳି ମିଶି ଆଲୋଚନା କରିବା ପରେ ସେମାନେ ଯାହାକୁ ଚାହାନ୍ତି ସେହି ଖେଳାଳିଙ୍କ ବିଷୟରେ ଚୟନସମିତିଙ୍କୁ ଅବଗତ କରାଇ ଦିଅନ୍ତି। ବର୍ତ୍ତମାନର ଚୟନସମିତି ଶାସ୍ତ୍ରୀ ଓ କୋହଲିଙ୍କ ସାମ୍ନାରେ ଅନୁଭବହୀନ। ସେଥିପାଇଁ ଦଳ ପ୍ରବନ୍ଧନ ଯାହା ଚାହୁଁଛନ୍ତି ସେଥିରେ ହଁ ଭରିବାରେ ସେମାନେ ଶ୍ରେୟସ୍କର ମଣୁଛନ୍ତି କାରଣ କୋହଲି ଓ ଶାସ୍ତ୍ରୀଙ୍କ ସହିତ ସେମାନେ ବିତର୍କ କରି ପାରିବେ ନାହିଁ। କାରଣ ସେମାନଙ୍କ ପାଖରେ ଅନୁଭବ ହିଁ ନାହିଁ।

ଅନ୍ତରାଷ୍ଟ୍ରୀୟସ୍ତରରେ ମ୍ୟାଚ୍ ଖେଳିବାର ଅନୁଭବ ପାଞ୍ଚ ସଦସ୍ୟ ବିଶିଷ୍ଟ ଚୟନ ସମିତି ପାଖରେ ସେତେଟା ନାହିଁ। ମୁଖ୍ୟ ଚୟନକର୍ତ୍ତା ପ୍ରସାଦ ୬ଟି ଟେଷ୍ଟ ଓ ୧୭ଟି ଦିନିକିଆ ଖେଳିଛନ୍ତି। ଅନ୍ୟ ୪ ଚୟନକର୍ତ୍ତା ଶରଣଦୀପ ସିଂହ ୨ ଟେଷ୍ଟ, ୫ ଦିନିକିଆ, ଦେବାଙ୍ଗ ଗାନ୍ଧୀ ୪ ଟେଷ୍ଟ, ୩ ଦିନିକିଆ, ଜତିନ ପରାଞ୍ଜପେ ୪ ଦିନିକିଆ, ଗଗନ ଖୋଡ଼ା ୨ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଅର୍ଥାତ ଏହି ସବୁ ବ୍ୟକ୍ତିଙ୍କ ପାଖରେ ଅନ୍ତରାଷ୍ଟ୍ରୀୟସ୍ତରରେ ବିଶେଷ ଖାସ୍ ଅନୁଭବ ନାହିଁ। 

କିରମାନି କହିଛନ୍ତି କି,  ଖେଳାଳିଙ୍କ ଚୟନରେ ମଧ୍ୟ ଭାଗ୍ୟ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଯେମିତି ମୋର ଉଦାହରଣ ଦେଖିନିଅନ୍ତୁ। ଯେବେ ମୁଁ ନିଜ କ୍ୟାରିୟରର ଶୀର୍ଷରେ ଥିଲି ସେହି ସମୟରେ ମୋତେ ଦଳରୁ ବାହାର କରି ଦିଆଯାଇଥିଲା। କିରମାନି ଭାରତ ପକ୍ଷରୁ ୮୮ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ସେ ନିଜର ଶେଷ ଟେଷ୍ଟ ମ୍ୟାଚ୍ ୧୯୮୬ରେ ଖେଳିଥିଲେ। ଭାରତର ସର୍ବଶ୍ରେଷ୍ଠ ଓ୍ଵିକେଟ୍ କିପର ମଧ୍ୟରୁ ଜଣେ  କିରମାନି ଋଷଭ ପନ୍ତଙ୍କ ବିଷୟରେ କହିଥିଲେ ଯେ ଏବେ ତାଙ୍କୁ ଓ୍ଵିକେଟ୍ କିପିଂର ସାଧାରଣ ଜ୍ଞାନ ଶିଖିବାକୁ ପଡ଼ିବ।

ଓ୍ଵିକେଟ୍ କିପିଂରେ ଏବେ ଋଷଭ ପ୍ରଥମ ଶ୍ରେଣୀରେ ପଢୁଛନ୍ତି।  ସେ ଅନ୍ତରାଷ୍ଟ୍ରୀୟ କ୍ୟାରିୟର ଏବେ ଆରମ୍ଭ କରିଛନ୍ତି। ଦୁର୍ଭାଗ୍ୟର କଥା ଏହା ଯେ ଏବେ କୌଣସି କୋଚ୍ ଖେଳାଳିର ଶୈଳୀ ଓ ଟେକନିକ୍ ବିଷୟରେ ଆଲୋଚନା କରୁନାହାନ୍ତି। ପ୍ରଦର୍ଶନର ବହୁତ ମହତ୍ଵ ରହିଥାଏ ଯାହାକୁ ମହେନ୍ଦ୍ର ସିଂହ ଧୋନୀ ସାବ୍ୟସ୍ତ କରିଛନ୍ତି। ଯୁବ ଖେଳାଳି ବ୍ୟାଟିଂ ଓ ଓ୍ଵିକେଟ୍ କିପିଂରେ ଧୋନୀଙ୍କ ଅନୁସରଣ କରୁଛନ୍ତି। 

Subscribe

National International State Sports Entertainment