ରୋହିତଙ୍କ ଶତକ ବେକାର, ୩୪ ରନରେ ପରାସ୍ତ ହେଲା ଭାରତ
Khabar Odisha:sports-odisha-india-austrellia
ସିଡନୀ, ଜାନୁଆରୀ ୧୨(ଖବର ଓଡିଶା):

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ କଙ୍ଗାରୁ ଠାରୁ ୩୪ ରନରେ ପରାଜୟ ବରଣ କରିଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିବା ଭାରତୀୟ ଦଳ ରୋହିତ ଶର୍ମାଙ୍କ ଲଢୁଆ ଶତକ ସତ୍ୱେ ପରାସ୍ତ ହୋଇଛି । କଙ୍ଗାରୁ ଦଳ ଦେଇଥିବା ୨୮୯ ରନର ବିଜୟ ଲକ୍ଷ୍ୟକୁ ଭାରତ ପିଛା କରି ନିର୍ଧାରିତ ଓଭରରେ ୨୫୯ ରନ କରି ପାରିଥିଲା । 

ଟସ ଜିତି ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଧାରିତ ୫୦ ଓଭରରେ ପିଟର ହାଣ୍ଡସକମ୍ବଙ୍କ ଦ୍ରୁଢ ବ୍ୟାଟିଂ ବଳରେ ୫  ୱିକେଟ ହରାଇ ୨୮୮ ରନ ସଂଗ୍ରହ କରିଥିଲା । ପ୍ରଥମେ କଙ୍ଗାରୁ ଓପନର ଯୋଡି ଫେଲ ମାରିଥିଲେ । ଯାହା ଦଳକୁ ବ୍ୟାକଫୁଟରେ ରଖିଥିଲା । ଆରୋନ ଫିଂଚ ଏବଂ ଆଲେକ୍ସ କାରୀ ସଅଳ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ପରେ ଉସମାନ ଖ୍ୱାଜା ଏବଂ ସନ ମାର୍ସ ପାଳି ସମ୍ଭାଳିଥିଲେ । ବ୍ୟାଟସମ୍ୟାନ ପିଟର ହାଣ୍ଡସକମ୍ବ ସର୍ବାଧିକ ୭୩ ରନ କରିଥିବା ବେଳେ ସନ ମାର୍ସ ୫୪, ଉସମାନ ଖ୍ୱାଜା ୫୯ ରନ କରିଥିଲେ । ସେହିଭଳି ଭାରତ ପକ୍ଷରୁ କୁଲଦୀପ ଯାଦବ ଏବଂ ଭୁବନେଶ୍ୱର କୁମାର ଦୁଇଟି ଲେଖାଏଁ  ୱିକେଟ ଅକ୍ତିଆର କରିଥିଲେ । 

ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ଭାରତ ଶ୍ରୀଘ୍ର ୱିକେଟ ପତନର ଶିକାର ହୋଇଥିଲା । ଶିଖର ଧାବନ ଏବଂ ବିରାଟ କୋହଲି ମାତ୍ର ୦ ଏବଂ ୩ ରନ କରି ଆଉଟ ହୋଇ ଯାଇଥିଲେ । ଯାହା ଦଳକୁ ବଡ ଝଟକା ଦେଇଥିଲା । ଏହାପରେ କ୍ରିଜକୁ ଆସିଥିବା ଅମ୍ବତି ରାୟଡୁ ମଧ୍ୟ କିଛି ରନ ନ କରି ପାରି ପାଭିଲିୟନ ଫେରିଥିଲେ । କିନ୍ତୁ ହିଟମ୍ୟାନ ରୋହିତ ଶର୍ମା ଧୋନୀଙ୍କ ସହ ମିଶି ଦଳର ସ୍ଥିତି ସୁଧାରି ଥିଲେ । ଧୋନୀ ବ୍ୟକ୍ତିଗତ ଭାବେ ୫୧ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଦିନେଶ କାର୍ତିକ ବେଶି ସମୟ କ୍ରିଜରେ ତିଷ୍ଠି ପାରିନଥିଲେ ।  ରୋହିତ ସର୍ବାଧିକ ୧୩୩ ରନ କରିଥିଲେ । 

କଙ୍ଗାରୁ ଦଳ ପକ୍ଷରୁ ଝାଏ ରିଚାର୍ଡସନ ସର୍ବାଧିକ ୪ଟି ୱିକେଟ ହାସଲ କରିଥିବା ବେଳେ ଜାସନ ଭେରେନଡ୍ରପ ଦୁଇଟି ୱିକେଟ ନେଇଛନ୍ତି ।

Subscribe

National International State Sports Entertainment