ରୋହିତଙ୍କ ଦମଦାର ଶତକ, ଇଂଲଣ୍ଡ ୭ ଓ୍ଵିକେଟରେ ପରାସ୍ତ, ଭାରତର ସିରିଜ୍ ବିଜୟ
Khabar Odisha:india-vs-england-3rd-t20-international-live-telcast
ବ୍ରିଷ୍ଟଲ,ଜୁଲାଇ୦୮(ଖବର ଓଡ଼ିଶା):

 ହିଟ୍ ମ୍ୟାନ୍ ତଥା ଭାରତୀୟ  ଓପନର ରୋହିତ ଶର୍ମାଙ୍କ ତୃତୀୟ ଟି ୨୦ ଅନ୍ତରାଷ୍ଟ୍ରୀୟ ଶତକ ଦମରେ ଭାରତ ଏଠାରେ ଖେଳାଯାଇଥିବା ତିନି ଟିକିଆ ଟ୍ଵେଣ୍ଟି ୨୦ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚରେ ଘରୋଇ ଇଂଲଣ୍ଡକୁ ୭ ଓ୍ଵିକେଟରେ ପରାସ୍ତ କରିଛି। ଏଥି ସହିତ ଇଂଲଣ୍ଡ ମାଟିରେ  ପ୍ରଥମ ଦ୍ଵିପାକ୍ଷିକ ଟି- ୨୦ ସିରିଜ୍ ଜିତିବାରେ ସଫଳ ହୋଇଛି ଭାରତୀୟ ଦଳ। ଟି ୨୦ ଅନ୍ତରାଷ୍ଟ୍ରୀୟରେ ଏହା ଭାରତର କ୍ରମାଗତ ଷଷ୍ଠ ସିରିଜ ବଜୟ। ଇଂଲଣ୍ଡ ଦ୍ଵାରା ଧାର୍ୟ୍ୟ ୧୯୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ରୋହିତଙ୍କ ୧୦୦ ଓ ଅଧିନାୟକ କୋହଲିଙ୍କ ୪୩ ରନ ବଳରେ ୧୮.୪ ଓଭରରେ  ୩ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଛି। ଏହା ବାଦ୍ ହାର୍ଦ୍ଦିକ ପାଣ୍ଡ୍ୟା ୧୪ଟି ବଲରୁ ୩୩ ରନ ବିସ୍ଫୋରକ ପାଳି ଖେଳି ଦଳର ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି।  ଏହା ପୂର୍ବରୁ ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। 

୧୯୯ ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳକୁ ୨୧ ରନରେ ପ୍ରଥମ ଝଟକା ଶିଖର(୫)ଙ୍କ ରୂପେ ଲାଗିଥିଲା। ଏହା ପରେ କ୍ରିଜକୁ ଆସିଥିଲେ ପ୍ରଥମ ମ୍ୟାଚରେ ଧୂଆଁଧାର ପାଳି ଖେଳିଥିବା ଲୋକେଶ ରାହୁଲ। ଉଭୟ ବ୍ୟାଟସମ୍ୟାନ ପାଓ୍ଵାର ପ୍ଲେ ମଧ୍ୟରେ ଇଂଲଣ୍ଡ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ବିଶେଷ କରି ରୋହିତ ଶର୍ମା ଧୂଆଧାର ବ୍ୟାଟିଂ କରିଥିଲେ। ରୋହିତ ଓ ଲୋକେଶ ଦ୍ଵିତୀୟ ଓ୍ଵିକେଟରେ ୪୧ ରନ ଯୋଡିଥିଲେ। ଭାରତ ୫.୨ ଓଭରରେ ୬୨ ରନ ସ୍କୋରରେ ଲୋକେଶଙ୍କ ଓ୍ଵିକେଟ୍ ହରାଇଥିଲା। ଲୋକେଶ ୧୦ ବଲରୁ ୧୯ ରନ କରି ପାଭିଲିୟନ ଫେରିଥିଲେ। 

ଲୋକେଶଙ୍କ ପରେ କ୍ରିଜକୁ ଆସିଥିଲେ ଅଧିନାୟକ ବିରାଟ କୋହଲି। ଗୋଟିଏ ପଟେ ରୋହିତ ବିସ୍ଫୋରକ ବ୍ୟାଟିଂ  ଜାରି ରଖିଥିବା ବେଳେ ଅନ୍ୟ ପଟେ କୋହଲି ନିଜର ଚିରାଚରିତ ଶୈଳୀରେ  ବ୍ୟାଟିଂ କରି ଦଳର ସ୍କୋରକୁ ଆଗେଇ ନେଇଥିଲେ। ଉଭୟ ବ୍ୟାଟସମ୍ୟାନ ଘରୋଇ ବୋଲରଙ୍କ ଉପରେ ଭାରି ପଡ଼ିଥିଲେ।  ଦୁଇ ବ୍ୟାଟସମ୍ୟାନ ଦ୍ରୁତ ବ୍ୟାଟିଂ କରିବା ସହିତ ଆକର୍ଷକ ସଟ୍ ଖେଳି ଦଳକୁ ବିଜୟ ଆଡ଼କୁ ଅଗ୍ରସର କରାଇଥିଲେ। 

ଏହି କ୍ରମରେ ୧୪.୫ ଓଭରରେ ୧୫୧ ସ୍କୋରରେ ଭାରତକୁ ତୃତୀୟ ଝଟକା ଅଧିନାୟକ କୋହଲିଙ୍କ ରୂପେ ଲାଗିଥିଲା। କୋହଲି ୨୯ ବଲରୁ ୨ ଚୌକା  ୨ ଛକା ବଳରେ ଆକର୍ଷଣୀୟ ୪୩ ରନ କରି ପାଭିଲିୟନ ଫେରିଥିଲେ। ମାତ୍ର ଆଉଟ୍ ହେବା ପୂର୍ବରୁ  ସେ ରୋହିଙ୍କ ସହ ତୃତୀୟ ଓ୍ଵିକେଟରେ ୮୯ ରନ ଯୋଡ଼ି ଦଳର ବିଜୟ ପାଇଁ ମୂଳଦୁଆ ପକାଇଥିଲେ। କୋହଲିଙ୍କ ପରେ କ୍ରିଜକୁ ଆସିଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପାଣ୍ଡ୍ୟା ଓ ରୋହିତ ଅବିଭାଜିତ ଚତୁର୍ଥ ଓ୍ଵିକେଟରେ ୫୦ ରନ ଯୋଡି ଭାରତକୁ ୭ ଓ୍ଵିକେଟରେ ବିଜୟୀ କରାଇଥିଲେ। ପାଣ୍ଡ୍ୟା ମାତ୍ର ୧୪ଟି ବଲରୁ ଧୂଆଁଧାର ୩୩ ରନର ପାଳି  ଖେଳିଥିଲେ। ଏଥିରେ ୪ ଚୌକା ଓ ୨ ଛକା ସାମିଲ।

ରୋହିତଙ୍କ ଶତକ

ଏହି ମ୍ୟାଚରେ ରୋହିତଙ୍କ ଶତକ ଦମରେ ଭାରତ ଇଂଲଣ୍ଡ ବିପକ୍ଷ ଟି ୨୦ ସିରିଜକୁ ଜିତିବାରେ ସଫଳ ହୋଇଛି। ଟି ୨୦ରେ ରୋହିତଙ୍କ ଏହା ହେଉଛି ତୃତୀୟ ଶତକ। ସେ ୫୬ଟି ବଲରୁ ୧୧ ଚୌକା ଓ ୫ ଛକା ବଳରେ ଶତକ ଅର୍ଜନ କରିଛନ୍ତି। 

ଇଂଲଣ୍ଡ ପାଳି

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଇଂଲଣ୍ଡର ୯ ଓ୍ଵିକେଟ୍ ହରାଇ ୧୯୯ ରନ କରିଥିଲା। ଓପନ ଜାସନ ରୟ ଓ ଜୋସ ବଟଲର ଇଂଲଣ୍ଡକୁ ମଜଭୁତ ଆରମ୍ଭ ଦେଇଥିଲେ। ଉଭୟ ବ୍ୟାଟସମ୍ୟାନ ପ୍ରଥମରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତୀୟ ବୋଲିଂ ଲାଇନ ଉପରେ ଭାରି ପଡିଥିଲେ। ଉଭୟ ୭.୫ ଓଭରରେ ୯୪ ରନ ଯୋଡି ଇଂଲଣ୍ଡକୁ ବଡ଼ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ଏହି କ୍ରମରେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଥିବା ଏହି ଯୋଡିକୁ ଭାଙ୍ଗିଥିଲେ ସିଦ୍ଧାର୍ଥ କୌଲ। ବଟଲରଙ୍କୁ ବୋଲ୍ଡ କରି ସେ ଭାରତକୁ ପ୍ରଥମ ସଫଳତା  ଦେଇଥିଲେ। ବଟଲର ୨୧ଟି ବଲରୁ ୭ ଚୌକା ଜରିଆରେ ୩୪ ରନର ଦ୍ରୁତ ପାଳି ଖେଳିଥିଲେ। 

ବଟଲରଙ୍କ ଆଉଟ୍ ପରେ ୧୦୩ ରନ ସ୍କୋରରେ ଜାସନ ରୟ  ଦୀପକ ଚହରଙ୍କ ଶିକାର ହୋଇ ପାଭିଲିୟନ ଫେରିଥିଲେ। ଏହି ଦୁଇ ବ୍ୟାଟସମ୍ୟାନଙ୍କ ଆଉଟ୍ ପରେ ଭାରତୀୟ ବୋଲର ଆଶ୍ଵସ୍ତ ହୋଇଥିଲେ। ଏହା ପରେ ଇଂଲଣ୍ଡ ପକ୍ଷରୁ  ହେଲ୍ସ(୩୦) ଓ ବେନ ଷ୍ଟୋକ(୩୪) ରନର ପାଳି ଖେଳିଥିଲେ। 

ଏହା ପରେ ଇଂଲଣ୍ଡ ପାଳିରେ ବଡ଼ ଭାଗିଦାରୀ ଦେଖିବାକୁ ମିଳିନଥିଲେ ମଧ୍ୟ ମଧ୍ୟ କ୍ରମରେ ବ୍ୟାଟସମ୍ୟାନ ଦ୍ରୁତ ବ୍ୟାଟିଂ ଜାରି ରଖିଥିଲେ। ଇଂଲଣ୍ଡର ବ୍ୟାଟିଂ ଦେଖି ଲାଗୁଥିଲା ଦଳ ୨୦୦ରୁ ଉର୍ଦ୍ଧ୍ଵ ରନ କରିବ। ମାତ୍ର ଭାରତୀୟ ବୋଲର ଅନ୍ତିମ ଭାଗରେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଖାସ୍ କରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇଂଲଣ୍ଡର ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କୁ ପାଭିଲିୟନ ପଠାଇ ଇଂଲଣ୍ଡକୁ ୨୦୦ ଭିତରେ ସୀମିତ ରଖିଥିଲେ। ଶେଷ ଆଡକୁ ଇଂଲଣ୍ଡ ୯ ଓ୍ଵିକେଟ୍ ହରାଇ ୧୯୯ ରନ କରିବାକୁ ସକ୍ଷମ ହୋଇଥିଲା। 

  • Tags:

Subscribe

National International State Sports Entertainment