ଇଂଲଣ୍ଡ ବନାମ ଭାରତ: ଏହି ୩ଟି ରେକର୍ଡ ଉପରେ ରହିବ ଧୋନୀଙ୍କ ନଜର
Khabar Odisha:ind-vs-eng-ms-dhoni-can-make-these-three-records-in-one-day-series
ନୂଆଦିଲ୍ଲୀ,ଜୁଲାଇ୧୦(ଖବର ଓଡ଼ିଶା):

ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନଜର ଇଂଲଣ୍ଡ ବିପକ୍ଷରେ ଗୁରୁବାର  ଆରମ୍ଭ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ କିଛି ନୂତନ ରେକର୍ଡ ସ୍ଥାପନ କରିବା ଉପରେ ରହିବ। ଦିନିକିଆ କ୍ରିକେଟରେ ୧୦ ହଜାର ରନ ପୂରଣ କରି ୧୨ ତମ ବ୍ୟାଟସମ୍ୟାନ ଭାବେ ଏହି କ୍ଲବରେ ସାମିଲ ହେବା ଉପରେ ଧୋନୀଙ୍କ ନଜର ରହିବ। ଧୋନୀ ଏ ପର୍ୟ୍ୟନ୍ତ ୩୧୮ ଦିନିକିଆ ମ୍ୟାଚରୁ ୯୯୬୭ ରନ କରିଛନ୍ତି ଏବଂ ୧୦ ହଜାର ରନର ବିଶିଷ୍ଟ କ୍ଲବରେ ସାମିଲ ହେବା ପାଇଁ ତାଙ୍କୁ ଆଉ କେବଳ ୩୩ ରନ ଦରକାର। 

ଯଦି ଗୁରୁବାର ଧୋନୀଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳେ ତେବେ ସେ ଟ୍ରେଣ୍ଟବିଜରେ ଏହି ଉପଲବ୍ଧି ହାସଲ କରି ପାରନ୍ତି। ଭାରତର ଏ ପର୍ୟ୍ୟନ୍ତ ତିନି ଜଣ ବ୍ୟାଟସମ୍ୟାନ ସଚିତ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ଼ ଦିନିକିଆରେ ୧୦,୦୦୦ ରନ ପୂରଣ କରିଛନ୍ତି। ଧୋନୀ ଭାରତ ପକ୍ଷରୁ ୯୭୯୩ ରନ ଏବଂ ଏସିଆ ଏକାଦଶ ପକ୍ଷରୁ ୧୭୪ ରନ କରିଛନ୍ତି। 

ଅନ୍ୟ ପଟେ ଧୋନୀ ୧୦ ହଜାର ରନ ପୂରଣ କରିବା ବ୍ୟତୀତ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ କରିବା ବ୍ୟାଟସମ୍ୟାନ ମଧ୍ୟ ହୋଇ ପାରନ୍ତି, ଏଥିପାଇଁ ଧୋନୀଙ୍କୁ ୯୮ ରନ ଦରକାର।  ଏହି ଦୁଇ ଦେଶ ମଧ୍ୟରେ ଦିନିକିଆରେ ସର୍ବାଧିକ ରନ କରିବାର ରେକର୍ଡ ଏବେ ଯୁବରାଜ ସିଂହ(୧୫୨୩)ଙ୍କ ନାମରେ ରହିଛି। ଧୋନୀ ୧୪୨୫ ରନ କରି ତୃତୀୟ ସ୍ଥାନରେ ଅଛନ୍ତି।  ତେନ୍ଦୁଲକର ୧୪୫୫ ରନ କରିଥିବା ବେଳେ ବିରାଟ କୋହଲି ୯୨୧ ରନ କରିଛନ୍ତି। 

ଓ୍ଵିକେଟ୍ କିପିଂରେ ମଧ୍ୟ ଧୋନୀ ନୂତନ ଉପଲବ୍ଧି ହାସଲ କରି ପାରନ୍ତି। ତାଙ୍କୁ ଓ୍ଵିକେଟ୍ ପଛରେ ୩୦୦ କ୍ୟାଚ୍ ପୂରଣ କରିବା ପାଇଁ କେବଳ ୩ଟି କ୍ୟାଚ୍ ଦରକାର। ସେ ଏ ପର୍ୟ୍ୟନ୍ତ ଦିନିକିଆରେ ୨୯୭ଟି କ୍ୟାଚ୍ ନେଇ ସାରିଛନ୍ତି। ବିଶ୍ଵ କ୍ରିକେଟରେ ଦିନିକିଆରେ ଏ ପର୍ୟ୍ୟନ୍ତ କେବଳ ଆଡାମ ଗିଲକ୍ରୀଷ୍ଟ(୪୧୭), ମାର୍କ ବାଉଚର(୪୦୨) ଓ କୁମାର ସାଙ୍ଗାକାରା(୩୮୩) ହିଁ ୩୦୦ରୁ ଅଧିକ କ୍ୟାଚ୍ ଧରିଛନ୍ତି। ଧୋନୀ ଦିନିକିଆରେ ସର୍ବାଧିକ ୧୦୭ଟି ଷ୍ଟମ୍ପିଂ କରିଛନ୍ତି ଏବଂ ଏହି ପରି ତାଙ୍କ ନାମରେ ୪୦୪ ଶିକାର କରିବାର ରେକର୍ଡ ରହିଛି। 

କୋହଲି ମଧ୍ୟ ଦୂରରେ ନାହାନ୍ତି

ଧୋନୀଙ୍କ ବ୍ୟତୀତ ଏହି କ୍ଲବରେ ଅଧିନାୟକ ବିରାଟ କୋହଲି ମଧ୍ୟ ଶୀଘ୍ର ସାମିଲ ହୋଇ ପାରନ୍ତି। କୋହଲିଙ୍କ ନାମରେ ଏବେ ୨୦୮ଟି ମ୍ୟାଚରୁ ୯୫୮୮ ରନ ରହିଛି ଏବଂ ତାଙ୍କୁ ୧୦,୦୦୦ କ୍ଲବରେ ସାମିଲ ହେବା ପାଇଁ ୪୧୨ ରନ ଦରକାର। ମାତ୍ର ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ସମୟରେ ଏହି କ୍ଲବରେ ସାମିଲ ହେବା କୋହଲିଙ୍କ ପକ୍ଷେ ମୁସ୍କିଲ। 

  • Tags:

Subscribe

National International State Sports Entertainment