ଅନ୍ତରାଷ୍ଟ୍ରୀୟ ହକିରୁ ଅବସର ନେଲେ ଭାରତର ଯାଦୁକରୀ ଅଧିନାୟକ ସର୍ଦ୍ଦାର ସିଂହ
Khabar Odisha:ex-indian-captain-sardar-singh-announced-his-retirement-from-international-hockey
ନୂଆଦିଲ୍ଲୀ,ସେପ୍ଟେମ୍ବର୧୨(ଖବର ଓଡ଼ିଶା):

ପୂର୍ବତନ ଭାରତୀୟ ଅଧିନାୟକ ସର୍ଦ୍ଦାର ସିଂହ ବୁଧବାର ନିଜର ଚମକଦାର କ୍ୟାରିୟରକୁ ଅଲବିଦା କହିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ସେ କହିଛନ୍ତି ଯେ ୧୨ ବର୍ଷରେ ସେ ବହୁତ ହକି  ଖେଳି ସାରିଛନ୍ତି ଏବଂ ଏବେ ଯୁବ ଖେଳାଳିଙ୍କୁ ଦଳର ଦାୟିତ୍ଵ ନେବାର ସମୟ ଆସି ଯାଇଛି।  ସର୍ଦ୍ଦାର କହିଛନ୍ତି ଯେ  ସେ ଏସୀୟ କ୍ରୀଡାରେ  ନିରାଶଜନକ ପ୍ରଦର୍ଶନ ପରେ ହକିରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ।  ଏସୀୟ କ୍ରୀଡାରେ ଭାରତ ନିଜର ଟାଇଟଲ ବଜାୟ ରଖିବାରେ ବିଫଳ ହୋଇ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ଅନ୍ୟ ପଟେ ସର୍ଦ୍ଦାରଙ୍କ ବୟସ ମଧ୍ୟ ବଢି ଚାଲିଥିଲା ଏବଂ ତାଙ୍କ ଖେଳରେ ପୂର୍ବ ପରି ଚମକ ଆଉ ଦେଖିବାକୁ ମିଳିନଥିଲା।  ଏସୀୟ କ୍ରୀଡ଼ାରେ ତାଙ୍କ ପ୍ରଦର୍ଶନକୁ ନେଇ ବହୁତ ସମାଲୋଚନା କରାଯାଇଥିଲା। 

ସର୍ଦ୍ଦାର ଭାରତ ପକ୍ଷରୁ ୨୦୦୬ରେ ପାକିସ୍ତାନ ବିପକ୍ଷରେ ନିଜର ପଦାର୍ପଣ ମ୍ୟାଚ୍ ଖେଳିଥିଲେ। ଏହା ପରେ ସେ ଦଳର ମଧ୍ୟଭାଗର ଏକ ମହତ୍ଵପୂର୍ଣ୍ଣ ଖେଳାଳି ହୋଇ ପାରିଥିଲେ।  ୩୨ ବର୍ଷୀୟ ଏହି ଖେଳାଳି  ଦେଶ ପାଇଁ ୩୫୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିଛନ୍ତି। ୨୦୦୮ରୁ ନେଇ ୨୦୧୬ ପର‌୍ୟ୍ୟନ୍ତ ସେ ଭାରତୀୟ ହକି ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ। ଏହା ପରେ ଦଳର ଅଧିନାୟକ ପଦ  ପି ଆର ଶ୍ରୀଜେଶଙ୍କୁ ପ୍ରଦାନ କରାଯାଇଥିଲା। ୨୦୦୮ରେ ସୁଲତାନ  ଅଜଲାନ ସାହା କପରେ ଦଳର ନେତୃତ୍ଵ ନେବାରେ ସେ ଭାରତୀୟ ଦଳର ସବୁଠୁ ଯୁବ ଅଧିନାୟକ ହେବାର ଉପଲବ୍ଧି ହାସଲ କରିଥିଲେ। ସେ ୨୦୧୨ରେ ଅର୍ଜୁନ ପୁରସ୍କାର ଓ ୨୦୧୫ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ନାନିତ ହୋଇଥିଲେ। ସେ ଦୁଇଟି ଅଲିମ୍ପିକରେ ଦଳର ପ୍ରତିନିଧିତ୍ଵ କରିଥିଲେ। ଗୋଲ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାରୁ ତାଙ୍କୁ ଦଳରୁ ବାହାର କରାଯିବା ପରେ ସେ ନିଜର ଫିଟନେସକୁ ନେଇ ବହୁତ ପରିଶ୍ରମ କରିଥିଲେ ଏବଂ ଚମ୍ପିଆନ୍ସ ଟ୍ରଫିରେ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଟୂର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ରୌପ୍ୟ  ପଦକ ଜିତିଥିଲେ। 

ବୟସ ବଢିବା ସହିତ ତାଙ୍କ ଖେଳରେ କିଛିଟା ମନ୍ଥର ଆସିଥିଲା ମାତ୍ର ସର୍ଦ୍ଦାର ଏବେ ମଧ୍ୟ ଭାରତୀୟ ଦଳର ସବୁଠୁ ଫିଟ୍ ଖେଳାଳିଙ୍କ ମଧ୍ୟରୁ ଏକ।  ସେ କହିଛନ୍ତି ଯେ ଅବସର ନିଷ୍ପତ୍ତି ନେବା ପଛରେ ଫିଟନେସ କାରଣ ନାହିଁ। ମୁଁ ଆଉ କିଛି ବର୍ଷ ଖେଳିବାକୁ ମଧ୍ୟ ଫିଟ୍ ଅଛି। ମାତ୍ର ପ୍ରତ୍ୟେକ ଜିନିଷର ସମୟ ଥାଏ ଏବଂ ମୋତେ ଲାଗୁଛି ଯେ ଏବେ ମୋଗେ ଆଗକୁ ଯିବାର ସମୟ ଆସି ଯାଇଛି। 

  • Tags:

Subscribe

National International State Sports Entertainment