ପିସିବି ଦେବ ନାହିଁ ସହାୟତା, ବିଶ୍ଵ କପ ଖେଳିବାକୁ ଭୁବନେଶ୍ଵର ଆସିବ ନାହିଁ ପାକିସ୍ତାନ ?
Khabar Odisha:cash-strapped-pakistans-hockey-world-cup-participation-in-doubt-know-why
କରାଚି,ନଭେମ୍ବର୦୮(ଖବର ଓଡ଼ିଶା):

 ବିଶ୍ଵ କପ ହକିରେ ଭାଗ ନେବାକୁ ଆଶା ରଖିଥିବା ପାକିସ୍ତାନ ହକି ଦଳକୁ ଲାଗିଛି ଜୋରଦାର ଝଟକା। ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଭାରତରେ ନଭେମ୍ବର ୨୮ରେ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ନିଜ ଦେଶର ରାଷ୍ଟ୍ରୀୟ ହକି ଦଳକୁ ଆର୍ଥିକ ସହାୟତା ଦେବାକୁ ମନା କରି ଦେଇଛି। ପାକିସ୍ତାନ ହକି ମହାସଙ୍ଘ(ପିଏଚଏଫ) ନିଜର ଦଳକୁ ଭୁବନେଶ୍ଵର ପଠାଇବା ଓ ଖେଳାଳିଙ୍କୁ ବକେୟା ପାଉଣା ଦେବା ପାଇଁ ପିସିବିକୁ ଋଣ ଦେବାକୁ ଅପିଲ କରିଥିଲା। ଏବେ ପିସିବି ହାତ ଟେକିଦେବାରୁ ପାକିସ୍ତାନ ହକି ଦଳ  ଭୁବନେଶ୍ଵରରେ ଆୟୋଜିତ ହେବାକୁ ଥିବା ବିଶ୍ଵ କପରେ ଭାଗ ନେବା  ନେଇ ଆଶଙ୍କା ଦେଖା ଦେଇଛି।

ପାକିସ୍ତାନର ନୂତନ ହକି କୋଚ୍ ତାକିର ଦାର ଓ ମ୍ୟାନେଜର ହସନ ସର୍ଦ୍ଦାର ସୂଚନା ଦେଇ କହିଛନ୍ତି ଯେ ପିସିବିର ପ୍ରମୁଖ ଏହସାନ ମନିଙ୍କ ସହ ଆଲୋଚନା କରି ବିଶ୍ଵ କପର ଖର୍ଚ୍ଚ ପାଇଁ ଋଣ ଦେବାକୁ ଅନୁରୋଧ କରିଥିଲେ। ମାତ୍ର ମନି ସ୍ପଷ୍ଟ କରି ଦେଇଛନ୍ତି ଯେ ପିସିବି ପିଏଚଏଫକୁ କୌଣସି ଅଗ୍ରୀମ ଋଣ ଦେଇ ପାରିବ ନାହିଁ।  କାରଣ ବୋର୍ଡ ଲେଫ୍ଟନାଣ୍ଟ ଜେନେରାଲ ତୌକିର ଜିଆଙ୍କ କାର୍ଯ୍ୟକାଳ ସମୟରେ ହକି ମହାସଙ୍ଘକୁ ଯେଉଁ ଋଣ ଦିଆଯାଇଥିଲା ତାହା ଏ ପର୍ଯ୍ୟନ୍ତ ପରିଶୋଧ ହୋଇ ନାହିଁ।

ଦାର କହିଛନ୍ତି ଯେ ପିସିବି ପ୍ରମୁଖ ମନି ସ୍ପଷ୍ଟ ଶବ୍ଦରେ କହି ଦେଇଛନ୍ତି ଯେ ପୁରୁଣା ଋଣ ଥିବା କାରଣରୁ ବୋର୍ଡ ପାଇଁ ନୂତନ ଋଣ ଦେବା ସମ୍ଭବ ନୁହେଁ। କାରଣ ସେମାନଙ୍କୁ ନିଜର ଆର୍ଥିକ ପରାମର୍ଶଦାତା ଓ ଲେଖା ପରୀକ୍ଷକଙ୍କୁ ଜବାବ ଦେବାର ଅଛି। ମନି ଆଶ୍ଵାସନା ଦେଇଛନ୍ତି ଯେ ପିଏଚଏଫକୁ ଆର୍ଥିକ ସଂକଟରୁ ବାହାର କରିବା ପାଇଁ ସେ ସରକାର ଓ ପ୍ରାୟୋଜକଙ୍କ ସହିତ ଆଲୋଚନା କରିବେ। 

ପିସିବି ସଚିବ ଶାହବାଜ ଅହମ୍ମଦ ମଧ୍ୟ କହିଛନ୍ତି ଯେ ରାଷ୍ଟ୍ରୀୟ ହକି ଦଳ  ବିଶ୍ଵ କପରେ ଭାଗ ନେବାର ସମ୍ଭାବନା ହ୍ରାସ ପାଇ ଚାଲିଛି, କାରଣ ସରକାର ୮୦ ଲକ୍ଷ  ଟଙ୍କାର ଅନୁଦାନ ଦେବା ପାଇଁ  ପିଏଚଏଫ ଆବେଦନର ଏ ପର୍ଯ୍ୟନ୍ତ  ଜବାବ ଦେଇ ନାହାନ୍ତି।  ଏକ ସପ୍ତାହ ଭିତରେ ଅନୁଦାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ସଚିବାଳୟକୁ ପତ୍ର ଲେଖାଯାଇଛି। ଯଦି ଅନୁଦାନ ନମିଳେ ତେବେ ପାକିସ୍ତାନ ହକି ଦଳକୁ ହକି ବିଶ୍ଵ କପ ପାଇଁ ଭୁବନେଶ୍ଵର ପଠାଇବା ମୁସ୍କିଲ ହେବ। 

ସୂଚନାଯୋଗ୍ୟ ଭୁବନେଶ୍ଵରରେ ନଭେମ୍ବର ୨୮ ରୁ ଡିସେମ୍ବର ୧୬ ମଧ୍ୟରେ ହକି ବିଶ୍ଵ କପ ଖେଳାଯିବ। ଶାହବାଜ କହିଛନ୍ତି ଯେ ଯଦି ଆମେ ଆମର ହକି ଦଳକୁ ପଠାଇ ପାରିବା ନାହିଁ ତେବେ ହକି ଜଗତରେ କେବଳ ଆମର ଛବି ମଳିନ ପଡ଼ିବ ନାହିଁ ବରଂ ଆମକୁ ଜୋରିମାନା ମଧ୍ୟ ଦେବାକୁ ପଡ଼ିବ। 

Subscribe

National International State Sports Entertainment