ନୂଆଦିଲ୍ଲୀ, ସେପ୍ଟେମ୍ବର୧୪(ଖବର ଓଡ଼ିଶା):
ବିଶ୍ଵ କ୍ରିକେଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ସର୍ବଦା ରୋମାଞ୍ଚକର ହୋଇଥାଏ। ଏହା କେବଳ କ୍ରିକେଟରେ ସୀମିତ ରହିନଥାଏ ଏଥିରେ ଦୁଇ ଦେଶର ସମ୍ମାନ ମଧ୍ୟ ବାଜିରେ ଲାଗିଯାଏ। ପଡିଆରେ ଏହି ଦୁଇ ଦେଶର ମୁକାବିଲା କୌଣସି ଯୁଦ୍ଧ କ୍ଷେତ୍ରଠୁ କମ ନଥାଏ। ଏସିଆର ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ପୁଣି ଥରେ ସୁପରହିଟ୍ ମୁକାବିଲା ପାଇଁ ମଞ୍ଚ ପ୍ରସ୍ତୁତ ହୋଇ ସାରିଛି। ଡିଫେଡିଂ ଚମ୍ପିଆନ ଭାରତ ଓ ପୂର୍ବତନ ଚମ୍ପିଆନ ପାକିସ୍ତାନ ମଧ୍ୟରେ ମୁକାବିଲା ବୁଧବାର ହେବାକୁ ଯାଉଛି। ଏହି ମୁକାବିଲା ୟୁଏଇରେ ହେବ। ସେହି ଦୃଷ୍ଟିରୁ ଏହି ଷ୍ଟାଡିୟମରେ ପାକିସ୍ତାନ ଦର୍ଶକଙ୍କ ସଂଖ୍ୟା ଅଧିକ ରହିବା ସ୍ଵାଭାବିକ। ଗତ ଅନେକ ବର୍ଷ ହେବ ପାକିସ୍ତାନ କ୍ରିକେଟ୍ ଦଳ ପାଇଁ ୟୁଏଇ ହୋମଗ୍ରାଉଣ୍ଡ ହୋଇ ରହିଛି।
୧୫ ମାସ ପରେ ହେବ ସାମ୍ନା ସାମ୍ନି
ଟୁର୍ଣ୍ଣାମେଣ୍ଟରେ ଛଅଟି ଦଳ ସାମିଲ ହେଉଥିଲେ ମଧ୍ୟ ଭାରତ ଓ ପାକ୍ ମୁକାବିଲାକୁ ଦର୍ଶକ ସବୁଠୁ ଅଧିକ ଅପେକ୍ଷା କରି ରହିଛନ୍ତି। ଦୁଇ ଦଳ ମଧ୍ୟରେ ଶେଷ ମୁକାବିଲା ଗତ ବର୍ଷ ଚମ୍ପିଆନ୍ସ ଟ୍ରଫିର ଫାଇନାଲ ମ୍ୟାଚରେ ହୋଇଥିଲା। ଜୁନ ମାସରେ ଇଂଲଣ୍ଡରେ ହୋଇଥିବା ଫାଇନାଲ ମୁକାବିଲାରେ ଭାରତ ପାକିସ୍ତାନ ହାତରୁ ୧୮୦ ରନରେ ପରାସ୍ତ ହୋଇଥିଲା। ଭାରତୀୟ ଦଳ ପାକିସ୍ତାନଠୁ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ଏମିତିରେ ଏହି ମ୍ୟାଚ୍ ବହୁତ ରୋମାଞ୍ଚକର ହେବାର ପୂରା ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ ଗତ ୧୦ ମୁକାବିଲାରେ ଭାରତ ୬ଟିରେ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ୪ଟିରେ ବିଜୟୀ ହୋଇଛି।
ଏସିଆ କପରେ ଦୁଇ ଦଳର ପ୍ରଦର୍ଶନ
ମ୍ୟାଚ୍- ୧୨ ଭାରତ-୬ ପାକିସ୍ତାନ-୫ ଫଳାଫଳ ଶୂନ୍ୟ-୧
ଦଳ ମ୍ୟାଚ୍ ବିଜୟ ପରାଜୟ ଫଳାଫଳ ଶୂନ୍ୟ ବିଜୟ ପ୍ରତିଶତ
ଭାରତ ୪୩ ୨୬ ୧୬ ୧ ୬୧.୯୦
ପାକିସ୍ତାନ ୪୦ ୨୪ ୧୫ ୧ ୬୧.୫୩
ଗତ ୫ଟି ମ୍ୟାଚରେ ୩ଟିରେ ଜିତିଛି ଭାରତ
ସ୍କୋର ପରିଣାମ ତାରିଖ ଟୂର୍ଣ୍ଣାମେଣ୍ଟ
ଭାରତ(୧୫୮)...ପାକ(୩୩୮/୪) ପରାଜିତ ୧୮/୦୬/୧୭ ଚମ୍ପିଆନ୍ସ ଟ୍ରଫି
ଭାରତ(୩୧୯/୩)...ପାକ(୧୬୪) ବିଜୟ ୦୪/୦୬/୧୭ ଚମ୍ପିଆନ୍ସ ଟ୍ରଫି
ଭାରତ(୩୦୦/୭)...ପାକ(୨୨୪) ବିଜୟ ୧୫/୦୧/୧୫ ବିଶ୍ଵ କପ
ଭାରତ(୨୪୫/୮)...ପାକ(୨୪୯/୯) ପରାଜିତ ୦୨/୦୩/୧୪ ଏସିଆ କପ
ଭାରତ(୧୦୨/୨)...ପାକ(୧୬୫) ବିଜୟ ୧୫/୦୬/୧୩ ଚମ୍ପିଆନ୍ସ ଟ୍ରଫି
ଅଧିନାୟକ କୋହଲିଙ୍କ ପାଇଁ ଚ୍ୟାଲେଞ୍ଜ
ବ୍ୟସ୍ତ କାର୍ୟ୍ୟକ୍ରମ କାରଣରୁ ଭାରତୀୟ ଦଳର ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ଏସିଆ କପରୁ ବିଶ୍ରାମ ଦିଆଯାଇଛି। ତାଙ୍କ ଜାଗାରେ ଦିନିକିଆ ମ୍ୟାଚର ବିଶେଷଜ୍ଞ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ଵ ଦିଆଯାଇଛି। ରୋହିତଙ୍କ ପାଖରେ ସୁଯୋଗ ରହିଛି ଯେ ସେ ଟୁର୍ଣ୍ଣାମେଣ୍ଟରେ ବ୍ୟାଟିଂ ସହିତ ନିଜର ନେତୃତ୍ଵ କ୍ଷମତାରେ ସମସ୍ତଙ୍କୁ ପ୍ରଭାବିତ କରନ୍ତୁ। ତାଙ୍କ ସାହାଯ୍ୟ ପାଇଁ ଦଳରେ ଅନୁଭବୀ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଅଛନ୍ତି। ଆଇପିଏଲରେ ଆହତ କାରଣରୁ ପଡିଆରୁ ବାହାରେ ଥିବା କେଦାର ଯାଦବ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। କାରଣ ଆଗାମୀ ବର୍ଷ ହେବାକୁ ଥିବା ବିଶ୍ଵ କପ ପାଇଁ ସବୁ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତେଣୁ ଖେଳାଳି ନିଜର ପ୍ରଦର୍ଶନ ବଳରେ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାକୁ ଯଥା ସମ୍ଭବ ଚେଷ୍ଟା କରିବେ।
ପୁରୁଣା ଫର୍ମାଟକୁ ପ୍ରତ୍ୟାବର୍ତ୍ତନ
ଗତ ଥର ଟୂର୍ଣ୍ଣାମେଣ୍ଟରେ ଦିନିକିଆ ଜାଗାରେ ଟି-୨୦ ଫର୍ମାଟରେ କରାଯାଇଥିଲା। ମାତ୍ର ଏଥର ପୁଣି ଥରେ ପୁରୁଣା ଫର୍ମାଟରେ ମ୍ୟାଚ୍ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଛଅଟି ଦଳକୁ ଦୁଇଟି ଗ୍ରୁପରେ ବଣ୍ଟା ଯାଇଛି। ଭାରତକୁ ଗ୍ରୁପ ବିରେ ପାକିସ୍ତାନ ସହିତ ହଂକ କଂଗକୁ ରଖାଯାଇଛି। ଗ୍ରୁପ ଏରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଦଳ ଅଛନ୍ତି। ଗ୍ରୁପ ପର୍ୟ୍ୟାୟରେ ୪ଟି ଦଳ ପରବର୍ତ୍ତୀ ପର୍ୟ୍ୟାୟକୁ ଉନ୍ନୀତ ହେବ। ଯାହାକୁ ସୁପର ୪ର ନାମ ଦିଆଯାଇଛି। ଏହି ସୁପର ୪ରୁ ଶୀର୍ଷ ଦୁଇ ଦଳ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ। ଟୂର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲା ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ଭାରତ ହଂକ କଂଗ ବିପକ୍ଷରେ ମ୍ୟାଚ୍ ଖେଳି ନିଜର ଅଭିଯାନ ଆରମ୍ଭ କରିବ।