ଶେଷରେ ଲଢି ହାରିଲା ଭାରତ, ୨-୧ରେ ଟି-୨୦ ସିରିଜ୍ ଜିତିଲା ନ୍ୟୁଜିଲାଣ୍ଡ
Khabar Odisha:Sports-cricket-newzland-beat-india-by-4-runs
ହାମିଲଟନ,ଫେବୃଆରୀ୧୦(ଖବର ଓଡ଼ିଶା):

ଶେଷରେ ଲଢି  ହାରିଲା ଭାରତ। ଦିନେଶ କାର୍ତ୍ତିକ ଓ କୃଣାଲ ପାଣ୍ଡ୍ୟାଙ୍କ ଲଢୁଆ ବ୍ୟାଟିଂ ମଧ୍ୟ ଭାରତକୁ ପରାଜୟରୁ ରକ୍ଷା କରି ପାରିଲା ନାହିଁ।  ଫଳରେ ରୋମାଞ୍ଚକର ମୁକାବିଲାରେ  ବିଜୟଠୁ ୫ ରନ ଦୂରରେ ରହିଗଲା ଭାରତ। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତି ନେଇଛି। ପ୍ରଥମ ଥର ନ୍ୟୁଜିଲାଣ୍ଡ ମାଟିରେ ଟି-୨୦ ସିରିଜ୍ ଜିତିବାର ଭାରତର ଆଶା ଧୂଳିସାତ ହୋଇଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ କୋଲିନ ମୁନରୋଙ୍କ ବିସ୍ଫୋରକ ୭୨ ରନ ବଳରେ ୪ ଓ୍ଵିକେଟ୍ ହରାଇ ୨୧୨ ରନ କରିଥିଲା। ଜବାବରେ ଭାରତବ୍ୟାଟସମ୍ୟାନଙ୍କ ସାମୂହିକ ପ୍ରଦର୍ଶନ ବଳରେ ୬ ଓ୍ଵିକେଟ୍ ହରାଇ  ୨୦୮ ରନ କରିବାକୁ ସକ୍ଷମ ହୋଇଥିଲା। କେବଳ ଏତିକି ନୁହେଁ ବିଦେଶ ଗସ୍ତରେ କ୍ରମାଗତ ଚତୁର୍ଥ ସିରିଜ୍ ଜିତି ଇତିହାସ ରଚିବାରୁ ବଞ୍ଚିତ ହୋଇଛି ଭାରତ। ଭାରତ ପକ୍ଷରୁ ବିଜୟ ଶଙ୍କର ସର୍ବାଧିକ  ୪୩ ରନ କରିଥିଲେ। ଦିନେଶ କାର୍ତ୍ତିକ ୩୩  ଓ କୃଣାଲ ପାଣ୍ଡ୍ୟା ୨୬ ର  ସଂଘର୍ଷପୂର୍ଣ୍ଣ ପାଳି ଖେଳିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ସାଣ୍ଟନର ଓ ଡାର୍ଲି ମିଚେଲ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ୭୨ ରନ କରିଥିବା କଲିନୋ ମୁନରୋ ମ୍ୟାନ ଅଫ ଦ ମ୍ୟାଚ୍  ବିବେଚିତ ହୋଇଛନ୍ତି।

୨୧୩ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତର ଆରମ୍ଭ ସେତେଟା ଭଲ ନଥିଲା। ୬ ରନ ସ୍କୋରରେ ଭାରତ ଧାଓ୍ଵନଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଅଧିନାୟକ ରୋହିତ ଓ ବିଜୟ ଶଙ୍କର ଦ୍ରୁତ ବ୍ୟାଟିଂ କରି ଭାରତର ବିଜୟ  ପାଇଁ ମୂଳଦୁଆ ପକାଇଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟରେ ୭୫ ରନ ଯୋଡି ଦଳର ସ୍କୋରକୁ ୮୧ ରନରେ ପହଞ୍ଚାଇଥିଲେ। ଏହି ସ୍କୋରରେ  ବିଜୟ ଶଙ୍କର ୨୮ ବଲରୁ ୫ ଚୌକା ଓ ୨ ଛକା ବଳରେ ୪୩ ରନର ମହତ୍ଵପୂର୍ଣ୍ଣ ପାଳି ଖେଳିଥିଲେ। 

ଏହା ପରେ ବ୍ୟାଟିଂ କରିବାକୁ କ୍ରିଜକୁ ଓହ୍ଲାଇଥିବା ଋଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୧୨ଟି ବଲରୁ ୧ ଚୌକା ଓ ୩ ଛକା ବଳରେ ୨୮ ରନ କରି ୧୨୧ ରନ ସ୍କୋରରେ ଆଉଟ୍ ହୋଇଥିଲେ।  ଏହା ପରେ ଭାରତ ୧୪୧ ରନରୁ ୧୪୫ ରନ ମଧ୍ୟରେ  ରୋହିତ, ହାର୍ଦ୍ଦିକ ଓ ଧୋନୀଙ୍କ ଓ୍ଵିକେଟ୍ ହରାଇ ବିପଦରେ ପଡ଼ିଥିଲା। ରୋହିତ  ୩୨ ବଲରୁ ୩୮ ରନ କରି ୧୪୧ ରନ ସ୍କୋରରେ  ମିଚେଲଙ୍କ ବଲରେ ଆଉଟ୍ ହୋଇଥିଲେ। ଏହି ପରି  ୧୪୫ ରନ ସ୍କୋରରେ  ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ ହୋଇଥିଲେ। ସେ  ୧୧ଟି ବଲରୁ ବିସ୍ଫୋରକ ବ୍ୟାଟିଂ କରି ୨୧ ରନ କରିଥିଲେ।  ସମାନ ୧୪୫ ରନ ସ୍କୋରରେ ଧୋନୀ ୨ ରନ କରି ବିଦାୟ ନେଇଥିଲେ। 

୧୪୫ ରନରେ ୬ ଓ୍ଵିକେଟ୍ ହରାଇ ଅଡୁଆରେ ପଡ଼ିଥିବା ଭାରତକୁ ଦିନେଶ କାର୍ତ୍ତିକ ଓ କୃଣାଲ ପାଣ୍ଡ୍ୟା ବିଜୟ ଆଶା ଦେଇଥିଲେ। ମାତ୍ର ଶେଷରେ ଉଭୟଙ୍କ ସଂଘର୍ଷପୂର୍ଣ୍ଣ ପାଳି ଭାରତକୁ ପରାଜୟରୁ ରକ୍ଷା କରିପାରିନଥିଲା। ଦୁଇ ବ୍ୟାଟସମ୍ୟାନ ସପ୍ତମ ଓ୍ଵିକେଟରେ ୬୩ ରନ ଯୋଡିଥିଲେ ମଧ୍ୟ ଏହା ଭାରତ ପାଇଁ ପର‌୍ୟ୍ୟାପ୍ତ ନଥିଲା। ଶେଷରେ ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୨୦୮ ରନ କରି ବିଜୟଠୁ ୫ ରନ ଦୂରରେ ରହି ଯାଇଥିଲା। ଶେଷ ଓଭରରେ ଜିତିବା ପାଇଁ ୧୬ ରନ ଥିଲେ ମଧ୍ୟ ଭାରତ ୧୧ ରନ  କରିବାକୁ ସକ୍ଷମ ହୋଇଥିଲା।

ନ୍ୟୁଜିଲାଣ୍ଡ ପକ୍ଷରୁ ସଫଳ ବୋଲର ଭାବେ ମିଚେଲ ସାଣ୍ଟନର ଓ ଡାର୍ଲି ମିଚେଲ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ନ୍ୟୁଜିଲାଣ୍ଡ ପାଳି

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍ ପରି ଆଜିର ନିର୍ଣ୍ଣାୟକ ମୁକାବିଲାରେ ଭାରତ ସମ୍ମୁଖରେ ବିଶାଳ ରନ ସ୍କୋର ଛିଡ଼ା କରିଛି। ଦୁଇ ଓପନର ଟିମ୍ ସେଇଫର୍ଟ ଓ କୋଲିନ ମୁନରୋ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରି ଭାରତ ବୋଲରଙ୍କ ଉପରେ ପ୍ରାଧ୍ୟାନ ବିସ୍ତାର କରିଥିଲେ। ଉଭୟ ବ୍ୟାଟସମ୍ୟାନ ପ୍ରଥମ ଓ୍ଵିକେଟର ୭.୪ ଓଭରରେ ୮୦ ରନ ଯୋଡି ଦଳକୁ ବିଶାଳ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ।  ୮୦ ରନ ସ୍କୋରରେ ଟିମ୍ ସେଇଫର୍ଟଙ୍କୁ ଆଉଟ୍ କରି କୁଲଦୀପ ଏହି ଯୋଡିକୁ ଭାଙ୍ଗିଥିଲେ। ସେଇଫର୍ଟ ୨୫ଟି ବଲରୁ ୩ଟି ଲେଖାଏଁ ଚୌକା ଓ ଛକା ବଳରେ ୪୩ ରନ କରିଥିଲେ। କୁଲଦୀପଙ୍କ ବଲରେ ଧୋନୀ ଚତ୍ମକାର ଷ୍ଟମ୍ପିଂ କରି ସେଇଫର୍ଟଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ। 

ଏହା ପରେ ମୁନରୋ ଓ ଅଧିନାୟକ କେନ ଓ୍ଵିଲୟମସନ ରନ ଗତିକୁ ଜାରି ରଖିଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟରେ ୫୫ ରନ ଯୋଡି ଦଳର ସ୍କୋରକୁ ୧୩.୨ ଓଭରରେ ୧୩୫ରେ ପହଞ୍ଚାଇଥିଲେ। ଏହି ସ୍କୋରରେ ପୁଣି ଥରେ କୁଲଦୀପ  ଭାରତ ବୋଲରଙ୍କୁ ନିର୍ଘାତ ପ୍ରହାର କରୁଥିବା ମୁନରୋଙ୍କୁ ଆଉଟ୍ କରି ଭାରତକୁ ଦ୍ଵିତୀୟ ସଫଳତା ଦେଇଥିଲେ। ମୁନରୋ ୪୦  ବଲରୁ ୫ଟି  ଲେଖାଏଁ ଚୌକା ଓ ଛକା ମାରି ୭୨ ରନର ବିସ୍ଫୋରକ ପାଳି ଖେଳିଥିଲେ। ଟି-୨୦ ଅନ୍ତରାଷ୍ଟ୍ରୀୟରେ ମୁନରୋଙ୍କ ଏହା ହେଉଛି ୯ମ ଅର୍ଦ୍ଧଶତକ।

ଏହା ପରେ ୧୫୦ ରନ ସ୍କୋରରେ ଓ୍ଵିଲିୟମସନ ବ୍ୟକ୍ତିଗତ  ୨୭ ରନ କରି ଖଲିଲ ଅହମ୍ମଦଙ୍କ ବଲରେ ଆଉଟ୍ ହୋଇଥିଲେ। ଶେଷ ଆଡକୁ ଡି ଗ୍ରାଣ୍ଡହୋମ ୧୬ ବଲରୁ ୩ ଚୌକା ଓ  ଏକ ଛକା ବଳରେ ୩୦ ରନ କରିଥିଲେ। ଏହା ପୂର୍ବରୁ ସେ  ଡାର୍ଲି ମିଚେଲଙ୍କ ସହ ଚତୁର୍ଥ ଓ୍ଵିକେଟରେ ୪୩ ରନ ଯୋଡିଥିଲେ।  ଡାର୍ଲି ମିଚେଲ ୧୧ ବଲରୁ ୧୯ ଓ ରସ ଟେଲର ୭ ବଲରୁ ୧୪ ରନ କରି ଅପରାଜିତ ରହିଥିଲେ। ଏହି ପରି ଘରୋଇ ଦଳ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୨୧୨ ରନ କରିଥିଲା।

ଭାରତ ପକ୍ଷରୁ କୁଲଦୀପ ଯାଦବ ୨୬ ରନ ଦେଇ ୨ଟି ସଫଳତା ପାଇଥିଲେ।  ଭୁବନେଶ୍ଵର କୁମାର ଓ ଖଲିଲ ଅହମ୍ମଦ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। 

  • Tags:

Subscribe

National International State Sports Entertainment