ଦୁଇ ବ୍ୟାଟସମ୍ୟାନ ଗୋଟିଏ ଓଭରରେ ମାରିଲେ ୪୩ ରନ, ହେଲା ବିଶ୍ଵ ରେକର୍ଡ
Khabar Odisha:new-zealand-duo-smashes-43-runs-in-an-over-for-list-a-cricket-world-record
ନୂଆଦିଲ୍ଲୀ,ନଭେମ୍ବର୦୭(ଖବର ଓଡ଼ିଶା):

ନ୍ୟୁଜିଲାଣ୍ଡର ଘରୋଇ କ୍ରିକେଟରେ ହୋଇଛି ଏକ ବିରଳ ରେକର୍ଡ। ହାମିଲଟନର ସେଡାନ ପାର୍କରେ ବୁଧବାର ଦ ଫୋର୍ଡ ଟ୍ରଫିରେ ଖେଳାଯାଇଥିବା ୫୦ ଓଭର ବିଶିଷ୍ଟ ଦିନିକିଆ ମ୍ୟାଚରେ ଏକ ଓଭରରେ ୪୩ ରନ ହୋଇଛି। ଏହି ରେକର୍ଡ କରିଛନ୍ତି  ଜୋ କାର୍ଟର ଓ ବ୍ରେଟ ହ୍ୟାମ୍ପଟନଙ୍କ ଯୋଡ଼ି।  ନର୍ଦନ ଡିଷ୍ଟ୍ରିକ୍ସି ପକ୍ଷରୁ ଖେଳି ଜୋ କାର୍ଟର ଅପରାଜିତ ୧୦୨ ଓ ବ୍ରେଟ୍ ହାମ୍ପଟନ ୯୫ ରନ କରିଛନ୍ତି। ଏହି ଦୁଇ ବ୍ୟାଟସମ୍ୟାନ ବିପକ୍ଷ ଦଳ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ସର ଦ୍ରୁତ ବୋଲର ଓ୍ଵିଲେନ ଲୁଡିକଙ୍କ ଗୋଟିଏ ଓଭରରେ ୪୩ ରନ(୪, ୬(ନୋ ବଲ), ୬ (ନୋ ବଲ), ୬, ୧, ୬, ୬, ୬) ମାରିଛନ୍ତି।

ଏହି ବୋଲର ଜଣକ ପୂରା ୧୦ ଓଭରରେ ୮୫ ରନ ଦେଇଛନ୍ତି। ଗୋଟିଏ ଓଭରରେ ୬ଟି ବଲ ଫିଙ୍ଗାଯାଏ ଏବଂ ଏଥିରୁ ସର୍ବାଧିକ ୩୬ ରନ ହୋଇପାରିବ। ମାତ୍ର ଏହି ଓଭରରେ ଦୁଇଟି ବଲ ନୋ ବଲ ରହିଥିଲା, ଏଥିରେ ବ୍ୟାଟସମ୍ୟାନଙ୍କୁ ଦୁଇଟି ଅତିରିକ୍ତ ବଲ ମିଳିଥିଲା।  ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ଏକ ବିଶ୍ଵ ରେକର୍ଡ।

ଏହି ଓଭରରେ ହ୍ୟାମ୍ପଟନ ରନ କରିବା ଆରମ୍ଭ କରିଥିଲେ।  ସେ ପ୍ରଥମ ବଲରେ ଚୌକା ମାରିଥିବା ବେଳେ ଦ୍ଵିତୀୟ ବଲରେ ଛକା ମାରିଥିଲେ। ଛକା ମାରିଥିବା ଦ୍ଵିତୀୟ ବଲ ନୋ ବଲ ହୋଇଥିଲା।  ଏହି ବଲକୁ ସେ ପୁଣି ଥରେ ଛକା ମାରିଥିଲେ। ପୁଣି ଥରେ ଏହା ନୋ ବଲ ରହିଥିଲା। ହ୍ୟାମ୍ପଟନ ପରବର୍ତ୍ତୀ ବଲରେ ଏକ ରନ ନେଇ ସାଥୀ ଖେଳାଳି କାର୍ଟରଙ୍କୁ ଷ୍ଟ୍ରାଇକ ଦେଇଥିଲେ। ଏହା ପରେ ହ୍ୟାମ୍ପଟନ ଓଭରର ବାକି ୩ଟି ବଲରେ ହ୍ୟାଟ୍ରିକ ଛକା ମାରି ମୋଟ୍ ୧୮ ରନ ସଂଗ୍ରହ କରିଥିଲେ। ଏହି ପରି ପୂରା ଓଭରରେ ୪୩ ରନ ହୋଇଥିଲା। 

ଏହା ପୂର୍ବରୁ  ଲିଷ୍ଟ ଏ କ୍ରିକେଟରେ ଗୋଟିଏ ଓଭରରେ ସର୍ବାଧିକ ରନ କରିବାର ରେକର୍ଡ ଜିମ୍ବାଓ୍ଵେର ଏଲଟନ ଚିଗୁମ୍ଵୁରାଙ୍କ ନାମରେ ଥିଲା। ୨୦୧୩ରେ ଢାକା ପ୍ରିମିୟର ଡିଭିଜନ ଟୂର୍ଣ୍ଣାମେଣ୍ଟର ଏକ ମୁକାବିଲାରେ ଶେଖ ଜମାଲ କ୍ଲବ ପକ୍ଷରୁ  ଖେଳି ଚିଗୁମ୍ବୁରା ଆବାହନୀ ଲିମିଟେଡ୍  ବିପକ୍ଷରେ ଗୋଟିଏ ଓଭରରେ ୩୯ ରନ(୪(ନୋବଲ), ଓ୍ଵାଇଡ ୧, ୬, ୪, ୬, ୪, ୬, ଓ୍ଵାଇଡ ୧, ୬) କରିଥିଲେ। 

ଲିଷ୍ଟ ଏ କ୍ରିକେଟରେ  ଗୋଟିଏ ଓଭରରେ ସର୍ବାଧିକ ରନ

ଜୋ କାର୍ଟର/ ବ୍ରେଟ ହ୍ୟାମ୍ପଟନ(ବୋଲର- ଓ୍ଵିଲେନ ଲୁଡିକ)- ୪୩ ରନ, ୨୦୧୮/୧୯

ଏଲଟନ ଚିଗୁମ୍ବୁରା(ବୋଲର- ଆଲ୍ଲାଉଦ୍ଦୀନ  ବାବୁ)- ୩୯ ରନ, ୨୦୧୩/୧୪

ଜେପି ଡ୍ୟୁମିନି(ବୋଲର- ଏଡି ଲି)- ୩୭ ରନ, କେପଟାଉନ, ୨୦୧୭/୧୮

Subscribe

National International State Sports Entertainment