ଆଡ଼ିଲେଡ଼ ଟେଷ୍ଟ: ସମ୍ମାନ ରଖିଲା ପୂଜାରାଙ୍କ ଶତକ, ପ୍ରଥମ ଦିନରେ ଭାରତ ୨୫୦/୯
Khabar Odisha:ind-vs-aus-adelaide-test-day-1-highlights
ଆଡ଼ିଲେଡ଼,ଡିସେମ୍ବର୦୬(ଖବର ଓଡ଼ିଶା):

ଚେତେଶ୍ଵର ପୂଜାରାଙ୍କ ଟେଷ୍ଟ  କ୍ୟାରିୟରର ୧୬ମ ଶତକ ବଳରେ ଭାରତ ଆଡିଲେଡ ଟେଷ୍ଟର ପ୍ରଥମ ଦିନରେ ୯ ଓ୍ଵିକେଟ୍ ହରାଇ ୨୫୦ ରନ କରିଛି। ଦଳ ଇଂଲଣ୍ଡ ଗସ୍ତରେ ଜାରି ରଖିଥିବା ନିରାଶଜନକ ବ୍ୟାଟିଂ ପ୍ରଦର୍ଶନକୁ ପ୍ରଥମ ଟେଷ୍ଟରେ ମଧ୍ୟ ଦୋହରାଇଛି। ଗୋଟିଏ ସମୟ ଭାରତ ୪ ଓ୍ଵିକେଟ୍ ହରାଇ ୪୧ ରନ କରି ସଙ୍କଟରେ ଥିଲା। ମାତ୍ର ପୂଜାରା ନିଜର ଧୈର୍ଯ୍ୟ ଓ ସଂଯମତାର ପରିଚୟ ଦେଇ ଓ୍ଵିକେଟରେ ଜମି ରହିଥିଲେ। ସେ ଦିନର ଅନ୍ତିମ ବ୍ୟାଟସମ୍ୟାନ ରୂପେ ଆଉଟ୍ ହୋଇଥିଲେ। ଏହା ସହିତ ୧୨୩ ରନର ଗୁରୁତ୍ଵପୂର୍ଣ୍ଣ ପାଳି ଖେଳିଥିଲେ।  ସେ ନିମ୍ନ କ୍ରମରେ ବ୍ୟାଟସମ୍ୟାନଙ୍କ ସହିତ ଛୋଟ ଛୋଟ ଭାଗିଦାରୀ କରି ଦଳର ପାଳିକୁ ଆଗକୁ ନେଇଥିଲେ। 

ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ମାତ୍ର ଭାରତୀୟ ଦଳର ଆରମ୍ଭ ଆଦୌ ଭଲ ନଥିଲା। ଦିନର ଦ୍ଵିତୀୟ ଓଭରରେ ହିଁ  ଲୋକେଶ ରାହୁଲ ୨ ରନ କରି ଯୋଶ ହେଜେବୁଡଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ମୁରଲୀ ବିଜୟ ୧୧ ରନ କରି ମିସେଲ ଷ୍ଟାର୍କଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଏହିପରି ୧୧ ରନ ମଧ୍ୟରେ ଭାରତ ଦୁଇ ଓପନରଙ୍କୁ ହରାଇଥିଲା। 

ଏହା ପରେ କ୍ରିଜକୁ ଆସିଥିଲେ ଅଧିନାୟକ ବିରାଟ କୋହଲି। ଭାରତୀୟ ଦଳ ତାଙ୍କଠୁ ବହୁତ ବଡ଼ ଆଶା ରଖିଥିଲେ। ମାତ୍ର ସେ ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ସେ ୩ ରନର ବ୍ୟକ୍ତିଗତ ସ୍କୋରରେ ପାଟ କମିନ୍ସଙ୍କ ପ୍ରଥମ ଓଭରରେ ଆଉଟ୍ ହୋଇଥିଲେ। କୋହଲିଙ୍କ ଆଉଟ୍ ହେବ ଭାରତକୁ ଜୋରଦାର ଝଟକା ଲାଗିଥିଲା। 

ଅନ୍ୟ ପଟେ କ୍ରିଜକୁ ଆସିଥିବା ଆଜିଙ୍କ୍ୟ ରାହାଣେଙ୍କ ଦଳ ଅନେକ ଆଶା ରଖିଥିଲା। କାରଣ ଭାରତରେ ତାଙ୍କର ବ୍ୟାଟିଂ ହାର ୪୧.୦୫  ରହିଥିବା ବେଳେ ବିଦେଶ ମାଟିରେ ତାଙ୍କର ବ୍ୟାଟିଂ ହାର ୪୫.୬୧  ରହିଛି। ପୁଣି ଅଷ୍ଟ୍ରେଲିଆରେ ସେ ୫୧.୫୦ ହାରରେ ରନ କରିଥିଲେ। ମାତ୍ର ସେ ବେପରୁଆ ଭାବେ ସଟ୍ ଖେଳି ପାଭିଲିୟନ ଫେରିଥିଲେ। ଏହି କ୍ରମରେ ଭାରତ ୫୬ ରନରେ ପ୍ରମୁଖ ୪ ବ୍ୟାଟସମ୍ୟାନଙ୍କୁ ହରାଇଥିଲା। 

ହନୁମା ବିହାରୀଙ୍କୁ ବାଦ୍ ଦେଇ ଦଳରେ ସାମିଲ କରାଯାଇଥିବା ରୋହିତ ଶର୍ମା କ୍ରିଜରେ ଜମି ରହି କିଛି ସଟ୍ ଖେଳିଥିଲେ। ରୋହିତ ପୂଜାରାଙ୍କ ସହ ପଞ୍ଚମ ଓ୍ଵିକେଟରେ ୪୫ ରନ ଯୋଡିଥିଲେ। ରୋହିତ ୩୭ ରନ କରି ଲାଥନ ନିୟନଙ୍କ ବଲରେ ଆଉଟ୍ ହୋଇଥିଲେ। ଏହି ପରି ଗୋଟିଏ ପଟେ ଭାରତର ଓ୍ଵିକେଟ୍ ଖସି ଚାଲିଥିବା ବେଳେ ଅନ୍ୟ ପଟେ ଚେତେଶ୍ଵର ପୂଜାରା କ୍ରିଜରେ ଜମି ରହିଥିଲେ। ଦେଖୁ ଦେଖୁ ୮୬ ରନରେ ଦଳ ଅଧା ଓ୍ଵିକେଟ୍ ହରାଇଥିଲା। 

ରୋହିତଙ୍କ ପରେ କ୍ରିଜକୁ ଆସିଥିବା ଋଷଭ ପନ୍ତ। ଚେତେଶ୍ଵର ପୂଜାରା ଓ ପନ୍ତ ଷଷ୍ଠ ଓ୍ଵିକେଟରେ ୪୧ ରନ ଯୋଡ଼ିଥିଲେ। ଏହି କ୍ରମରେ ୧୨୭ ରନ ସ୍କୋରରେ ପନ୍ତ ୨୫ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ମଧ୍ୟ ପୂଜାରା ନିଜର ସଂଘର୍ଷ ଜାରି ରଖିଥିଲେ। 

ସେ ଅଶ୍ଵିନଙ୍କ ସହିତ ୭ମ ଓ୍ଵିକେଟରେ ୬୨ ରନ ଯୋଡି ସ୍କୋରକୁ ୧୮୯ରେ ପହଞ୍ଚାଇଥିଲେ। ଏହା ପରେ ଇଶାନ୍ତଙ୍କୁ ସହିତ ଅଷ୍ଟମ ଓ୍ଵିକେଟରେ ୨୧ ରନ ଯୋଡି ସ୍କୋରକୁ ୨୦୦ ପାର କରାଇଥିଲେ। ୨୧୦ ରନ ସ୍କୋରରେ ଇଶାନ୍ତ ପାଭିଲିୟନ ଫେରିଥିଲେ। ଏହା ମଧ୍ୟରେ ପୂଜାରା  ନିଜର  ଟେଷ୍ଟ କ୍ୟାରିୟରରେ ୫୦୦୦ ରନ ପୂରଣ କରିଥିଲେ। ଏହା ସହିତ ଟେଷ୍ଟ କ୍ୟାରିୟରରେ ୧୬ମ ଶତକ ହାସଲ କରିଥିଲେ। ୨୫୦ ରନ ସ୍କୋରରେ ଦିନର ଶେଷ ବ୍ୟାଟସମ୍ୟାନ ଭାବେ ପୂଜାରା ୧୨୩ ରନ କରି ଆଉଟ୍ ହୋଇଥିଲେ। 

Subscribe

National International State Sports Entertainment