ଫିଫା ବିଶ୍ୱକପ: ଫାଇନାଲରେ ଫ୍ରାନ୍ସ, ଟ୍ରଫି ପାଇଁ ଆଜିର ବିଜେତା ସହ ହେବ ଟକ୍କର
Khabar Odisha:FIFA-France-beat-Belgium-enter-Final

ସେଣ୍ଟପିଟର୍ସବର୍ଗ, ଜୁଲାଇ ୧୧ (ଖବର ଓଡ଼ିଶା): ଫିଫା ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଫ୍ରାନ୍ସ ୧-୦ରେ ବେଲଜିୟମକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ଫ୍ରାନ୍ସ ବୁଧବାର କ୍ରୋଏସିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚର ବିଜେତାକୁ ଫାଇନାଲରେ ଭେଟିବ । ଦୀର୍ଘ ୧୨ ବର୍ଷ ପରେ ଫ୍ରାନ୍ସ ୨୧ତମ ଫୁଟବଲ ମହାକୁମ୍ଭର ଫାଇନାଲରେ ପହଞ୍ଚି ପାରିଛି । ପୂର୍ବରୁ ୧୯୯୮ ଓ ୨୦୦୬ରେ ଫାଇନାଲରେ ସ୍ଥାନ ପାଇଥିଲା । 

ଏହି ମ୍ୟାଚର ଏକମାତ୍ର ଗୋଲ ୫୧ ମିନିଟରେ ଆସିଥିଲା । ସାମୁଏଲ ଉମଟିଟିଙ୍କ ଦ୍ୱାରା ଏହି ଗୋଲ ହୋଇଥିଲା । ଫ୍ରାନ୍ସର ଓଲିଭରଙ୍କୁ ବକ୍ସରେ ବଲ ମିଳିଥିଲା । ଏହାକୁ ଜାଲ ଭିତରେ ପକାଇବାକୁ ସେ ଉଦ୍ୟମ କରିଥିଲେ କିନ୍ତୁ ବେଲଜିୟମ ଡିଫେଣ୍ଡର ବଲକୁ ନେଇ ଯାଇଥିଲେ । ଫ୍ରାନ୍ସକୁ କର୍ଣ୍ଣର ମିଳିଥିଲା, ଯାହାକୁ ଆଣ୍ଟୋନୀ ଗ୍ରୀଜମ୍ୟାନ ନେଇ କିକ କରିଥିଲେ । ଉମଟିଟି ହେଡର ଜରିଆରେ ଗୋଲ ଦେଇ ଫ୍ରାନ୍ସକୁ ୧-୦ରେ ଅଗ୍ରଣୀ କରିଥିଲେ । 

ଫ୍ରାନ୍ସର ବିଜୟରେ ଗୋଲକିପର ହଗ୍ୟୁ ଲୋରିସଙ୍କ ବଡ଼ ଭୂମିକା ରହିଛି, ଯିଏକି ଦୁଇଟି ହାଫରେ ଗୋଲକୁ ବଂଚାଇ ଥିଲେ । ବେଲଜିୟମର ଗୋଲକିପର ତିବାଉତ କୋଟରେଇସ ମଧ୍ୟ ଫ୍ରାନ୍ସର ୨ୟ ଗୋଲକୁ ଅଟକାଇଥିଲେ । ଫ୍ରାନ୍ସର ଡିଫେନ୍ସ ଭଲ କାମ କରିଥିଲେ ଓ ବେଲଜିୟମର ରୋମେଲୁ ଲୁକାକୁ ଓ ଆଡନ ହେଜାର୍ଡ ଗୋଲ କରିବାକୁ ସୁଯୋଗ ଦେଇ ନଥିଲେ । 

ବେଲଜିୟମ ବିରୋଧରେ ବିଶ୍ୱକପର ୩ ମ୍ୟାଚରେ ଫ୍ରାନ୍ସର ଏହା ଥିଲା ୩ୟ ବିଜୟ । ଏହା ପୂର୍ବରୁ ୧୯୩୮ରେ ପ୍ରଥମ ମୁକାବିଲାରେ ୩-୧ରେ ବିଜୟୀ ହେବା ପରେ ୧୯୮୬ରେ ୩ୟ ପ୍ଲେଅଫ ମ୍ୟାଚରେ ୪-୨ରେ ବିଜୟୀ ହୋଇଥିଲା । ଅନ୍ୟପକ୍ଷରେ ବେଲଜିୟମର କ୍ରମାଗତ ୨୪ ଥର ବିଜୟ ରଥ ଅଟକି ଯାଇଛି । ବେଲଜିୟମ ୨୪ଟି ମ୍ୟାଚରେ ୭୮ଟି ଗୋଲ କରିଥିବା ବେଳେ ୨୧ତମ ସଂସ୍କରଣ ଫିଫା ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଗୋଟଏ ବି ଗୋଲ ଦେଇପାରି ନାହିଁ । କିନ୍ତୁ ବେଲଜିୟମ ନିଜର ଉନ୍ନତ ପ୍ରଦର୍ଶନ ଦେଖାଇ ଦର୍ଶକଙ୍କ ଠାରୁ ବିଦାୟ ନେଇଛି । 

 

  • Tags:

Subscribe

National International State Sports Entertainment