ଫିଫା ବିଶ୍ୱକପ: କ୍ରୋଏସିଆକୁ ଫାଇନାଲରେ ପହଂଚାଇ ଯୁଗ ପୁରୁଷ ହେଲେ ମାଣ୍ଡଜୁକିକ
Khabar Odisha:FIFA-Croatia-enter-final-meet-France-on-July-15

ମସ୍କୋ, ଜୁଲାଇ ୧୨ (ଖବର ଓଡ଼ିଶା): ମାରିୟୋ ମାଣ୍ଡଜୁକିକଙ୍କ ଅତିରିକ୍ତ ସମୟରେ ଦିଆଯାଇଥିବା ଗୋଲରେ କ୍ରୋଏସିଆ ଚଳିତ ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି । ଫିଫା ବିଶ୍ୱକପର ୨ୟ ସେମିଫାଇନାଲ ମ୍ୟାଚରେ ବୁଧବାର ରାତି ଇଂଲଣ୍ଡ ବିରୋଧରେ ଆରମ୍ଭରୁ ପଛୁଆ ଥିବା କ୍ରୋଏସିଆ ପରବର୍ତ୍ତୀ ସମୟରେ ଜୋରଦାଲ ଲଢ଼େଇ କରିଥିଲା । କ୍ରୋଏସିଆ ଆଗାମୀ ଜୁଲାଇ ୧୫ରେ ଫାଇନାଲ ମ୍ୟାଚରେ ଫ୍ରାନ୍ସ ସହିତ ମୁକାବିଲା କରିବ ।

ନିର୍ଦ୍ଧାରିତ ସମୟ ପରେ ମ୍ୟାଚ ୧-୧ରେ ସମାନ୍ତର ଥିଲା, ଏହା ପରେ ୩୨ ବର୍ଷିଅ ମାଣ୍ଡଜୁକିକ ଅତିରିକ୍ତ ସମୟର ୨ୟ ହାଫରେ ୧୦୯ ମିନିଟରେ ଗୋଲ ଦେଇ କ୍ରୋଏସିଆକୁ ବିଶ୍ୱକପ ଇତିହାସରେ ପ୍ରଥମ ଥର ଫାଇନାଲରେ ସ୍ଥାନ ଦେଇଛନ୍ତି । କିରେନ ଟ୍ରିପିୟର ୫ ମନିଟରେ ଦମଦାର ଫ୍ରି କିକରେ ଗୋଲକିପର ଡାନିଏଲ ସୁବେସିକଙ୍କୁ ଫେଲ କରି ଇଂଲଣ୍ଡକୁ ୧-୦ରେ ଅଗ୍ରଣୀ କରିଥିଲେ । ଏହାକୁ କ୍ରୋଏସିଆ ୨ୟ ହାଫ(୬୮ ମିନିଟ)ରେ  ସମାନ ସ୍ତରକୁ ଆଣିଥିଲା ।
ମ୍ୟାଚ ହାରିବା ପରେ ଇଂଲଣ୍ଡ ଟିମ ୫ ଦଶନ୍ଧିରୁ ଅଧିକ ସମୟ ପରେ ବି ଫାଇନାଲରେ ସ୍ଥାନ ରଖିବାର ସ୍ୱପ୍ନ ଧୂଳିସାତ ହୋଇଯାଇଛି । ଇଂଲଣ୍ଡ ପ୍ରଥମ ଥର ପାଇଁ ୧୯୬୬ରେ ଫାଇନାଲକୁ ପହଞ୍ଚି ଚମ୍ପିଅନ ହୋଇଥିଲା । ବିଶ୍ୱକପ ସେମିଫାଇନାଲରେ ଏହା ହେଉଛି ୧୮ତମ ଘଟଣା, ଯାହାକି ମଧ୍ୟାନ୍ତର ପର୍ଯ୍ୟନ୍ତ ଯାଇଥିବା ଟିମକୁ ହାରିବାକୁ ପଡ଼ିଛି । ଏହା ପୂର୍ବରୁ ୧୯୯୦ରେ ଇଟାଲିର ଟିମ ଆର୍ଜେଣ୍ଟିନା ବିରୋଧରେ ପେନାଲଟି ସୁଟଆଉଟରେ ହାରିଥିଲେ । କ୍ରୋଏସିଆ ୧୯୯୮ରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚିଥିଲା ।

ପୂର୍ବରୁ ଫିଫା ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଫ୍ରାନ୍ସ ୧-୦ରେ ବେଲଜିୟମକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଦୀର୍ଘ ୧୨ ବର୍ଷ ପରେ ଫ୍ରାନ୍ସ ୨୧ତମ ଫୁଟବଲ ମହାକୁମ୍ଭର ଫାଇନାଲରେ ପହଞ୍ଚି ପାରିଛି । ପୂର୍ବରୁ ୧୯୯୮ ଓ ୨୦୦୬ରେ ଫାଇନାଲରେ ସ୍ଥାନ ପାଇଥିଲା । ଏହି ମ୍ୟାଚର ଏକମାତ୍ର ଗୋଲ ୫୧ ମିନିଟରେ ଆସିଥିଲା । ସାମୁଏଲ ଉମଟିଟିଙ୍କ ଦ୍ୱାରା ଏହି ଗୋଲ ହୋଇଥିଲା । ଫ୍ରାନ୍ସର ଓଲିଭରଙ୍କୁ ବକ୍ସରେ ବଲ ମିଳିଥିଲା । ଏହାକୁ ଜାଲ ଭିତରେ ପକାଇବାକୁ ସେ ଉଦ୍ୟମ କରିଥିଲେ କିନ୍ତୁ ବେଲଜିୟମ ଡିଫେଣ୍ଡର ବଲକୁ ନେଇ ଯାଇଥିଲେ । ଫ୍ରାନ୍ସକୁ କର୍ଣ୍ଣର ମିଳିଥିଲା, ଯାହାକୁ ଆଣ୍ଟୋନୀ ଗ୍ରୀଜମ୍ୟାନ ନେଇ କିକ କରିଥିଲେ । ଉମଟିଟି ହେଡର ଜରିଆରେ ଗୋଲ ଦେଇ ଫ୍ରାନ୍ସକୁ ୧-୦ରେ ଅଗ୍ରଣୀ କରିଥିଲେ ।

  • Tags:

Subscribe

National International State Sports Entertainment