ଏଏଫସି ଏସିଆ କପ: ଆୟୋଜକ ୟୁଏଇ ଠାରୁ ୨-୦ ଗୋଲରେ ହାରିଲା ଭାରତ
Khabar Odisha:AFC-Asian-cup-India-vs-UAE-group-match-report-and-highlights

ଆବୁଧାବି, ଜାନୁଆରୀ ୧୧ (ଖବର ଓଡ଼ିଶା): ଏଏଫସି ଏସିଆ କପ ପ୍ରଥମ ମ୍ୟାଚରେ ଥାଇଲାଣ୍ଡକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ଧମାକାଦାର ଆରମ୍ଭ କରିଥିବା ଭାରତୀୟ ଫୁଟବଲ ଟିମ ଲୟରୁ ବିଚ୍ୟୁତି ହୋଇଛି । ଟୁର୍ଣ୍ଣାମେଣ୍ଟର ଗୃପ-ଏ ମ୍ୟାଚରେ ଆୟୋଜକ ୟୁଏଇ ଠାରୁ ୦-୨ରେ ଗୁରୁବାର ଭାରତ ପରାସ୍ତ ହୋଇଛି । ଏହି ମ୍ୟାଚ କଡ଼ା ମୁକାବିଲା ଥିଲା କିନ୍ତୁ ଆୟୋଜକ ଟିମ ଭାରତକୁ ଗୋଲ କରିବାକୁ ସୁଯୋଗ ଦେଇ ନଥିଲା । ଶେଷରେ ନିଜର ଘରୋଇ ପ୍ରଶଂସକଙ୍କୁ ଉତ୍ସାହ ପାଳନ କରିବାକୁ ସୁଯୋଗ ଦେଇଥିଲା । 

ଆବୁଧାବିର ଜାୟେଦ ସ୍ପୋଟର୍ସ ସିଟିରେ ଖେଳାଯାଇଥିବା ଏହି ମୁକାବିଲାରେ ଭାରତୀୟ ଟିମ ପ୍ରଥମ ହାଫରେ ଗୋଟିଏ ଗୋଲ ପଛରେ ପଡ଼ିଥିଲେ । ଖେଫାନ ମୁବାରକ ୪୨ତମ ମିନିଟରେ ଏକ ଗୋଲ ଦେଇ ଆୟୋଜକ ଟିମ ପାଇଁ ଆଶା ସଂଚାର କରିଥିଲେ । ଏହା ପରେ ପ୍ରଥମ ହାଫ ଶେଷ ସୁଦ୍ଧା ୟୁଏଇ ୧-୦ରେ ଅଗ୍ରଣୀ ରହିଥିଲା । ଦ୍ୱିତୀୟ ହାଫରେ ଆୟୋଜକ ଟିମ ମ୍ୟାଚରେ ନିଜର ପ୍ରଭାବ ଜାରି ରଖିଥିଲା । ଅଲି ମବଖାଉତ ୮୮ତମ ମିନିଟରେ ଭଲ ଗୋଲ ଦେଇ ୟୁଏଇର ସାହାସକୁ ୨ ଗୁଣ କରିଥିଲେ । ଶେଷରେ ୟୁଏଇ ୨-୦ରେ ଭାରତକୁ ପରାସ୍ତ କରିଛି । 

ଭାରତ ପ୍ରଥମ ମ୍ୟାଚରେ ଥାଇଲାଣ୍ଡକୁ ୪-୧ରେ ପରାସ୍ତ କରିଥିବା ବେଳେ ୟୁଏଇ ନିଜର ପ୍ରଥମ ମ୍ୟାଚକୁ ବାହାରିନ ସହିତ ୧-୧ ଡ୍ର ରଖିଥିଲା । ଭାରତକୁ ପରାସ୍ତ କରିବା ପରେ ୟୁଏଇ ଏହି ଗୃପରେ ୪ ପଏଣ୍ଟ ହାସଲ କରି ଶ୍ରେଷ୍ଠ ସ୍ଥାନରେ ପହଂଚିଛି । ଭାରତ ଓ ଥାଇଲାଣ୍ଡକୁ ୩-୩ ପଏଣ୍ଟ ମିଳିଛି । ଥାଇଲାଣ୍ଡ ଗୁରୁବାର ଖେଳା ଯାଇଥିବା ଅନ୍ୟ ଏକ ମୁକାବିଲାରେ ବାହାରିନକୁ ୧-୦ ଗୋଲରେ ପରାସ୍ତ କରିଛି । 

 

  • Tags:

Subscribe

National International State Sports Entertainment