ଫୋକସରେ ଓଡ଼ିଶା: ମୋଦୀଙ୍କ ମାରାଥନ୍‌ ଗସ୍ତ, ଖୋର୍ଦ୍ଧା ଓ ବାରିପଦା ପରେ ପୁଣି ଆସିବେ ପଶ୍ଚିମ ଓଡ଼ିଶା
Khabar Odisha:PM-Modi-tour-western-odisha-on-16-january
ଭୁବନେଶ୍ଵର,ଡିସେମ୍ବର୨୩(ଖବର ଓଡ଼ିଶା):

୨୦୧୯ ସାଧାରଣ ନିର୍ବାଚନକୁ ଆଉ କେଇ ମାସ ବାକି  ରହିଛି। ଏବେଠୁ ରାଜନୈତିକ ପାଗଭିଡ଼ା ଆରମ୍ଭ ହେଲାଣି। ଲୋକସଭା ନିର୍ବାଚନ ସହିତ ଓଡ଼ିଶାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।  ମୋଦୀଙ୍କ ଫୋକସ୍‌ରେ ରହିଛି ଓଡ଼ିଶା । ଦୀର୍ଘ ୧୯ ବର୍ଷ ଧରି ଏକଛତ୍ରବାଦ ଶାସନ ଚଳାଇଥିବା ବିଜେଡ଼ି ସରକାରକୁ ହଟାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରି ଦେଇଛି ବିଜେପି । ସେଥିପାଇଁ ମାରାଥନ୍‌ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଡିସେମ୍ବର ୨୬ ଓ ଜାନୁଆରୀ ୫ ପରେ ଜାନୁଆରୀ ୧୬ରେ ମୋଦୀ ଓଡ଼ିଶା ଆସୁଛନ୍ତି। ଏହାକୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇ ଉଠିଛି। ମୋଦୀଙ୍କ ଆଗାମୀ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ।

ଡିସେମ୍ବର ୨୬ରେ ରାଜ୍ୟରେ ଅନେକ ଜନ କଲ୍ୟାଣକାରୀ ଯୋଜନାର ଉଦଘାଟନ, ଶିଳାନ୍ୟାସ୍ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୫ରେ ବାରିପଦା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବାରିପଦା ଗସ୍ତ ସହିତ ମୋଦୀ ଉତ୍ତର ଓଡ଼ିଶାରେ ବିଜେପିର ଜନାଧାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ଏବେ ମୋଦୀଙ୍କ ଟାର୍ଗେଟରେ ରହିଛି ପଶ୍ଚିମ ଓଡ଼ିଶା। ଏହି ମାରାଥନ ଗସ୍ତରେ ଡିସେମ୍ବର ୨୬ ଓ ଜାନୁଆରୀ ୫ ପରେ ଜାନୁଆରୀ ୧୬ରେ ପିଏମ ମୋଦୀ  ପଶ୍ଚିମ ଓଡ଼ିଶାର ଏକ ସ୍ଥାନ ଗସ୍ତ କରିବେ। ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ସାଧାରଣ ସଭା ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଖୋର୍ଦ୍ଧା ଗୋଶାଳା ପଡ଼ିଆରେ ଅନୁଧ୍ୟାନ କାଳରେ ଅରୁଣ ସିଂହ ଏହାର ସୂଚନା ଦେଇଛନ୍ତି।

ଖୋର୍ଦ୍ଧାରେ ମୋଦୀଙ୍କ ଗସ୍ତ ପୂର୍ବରୁ ଅନୁଧ୍ୟାନ ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବିଜେପିର ଅନ୍ୟାନ୍ୟ ରାଷ୍ଟ୍ରୀୟ ନେତା ମଧ୍ୟ ପର୍ଯ୍ୟାୟକ୍ରମେ ଓଡ଼ିଶା ଗସ୍ତରେ ଅାସିବେ। ଜାନୁଅାରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି କ୍ରମରେ ରାଜନାଥ ସିଂହ, ନୀତିନ ଗଡକରୀ, ଯୋଗୀ ଆଦିତ୍ୟନାଥ ମଧ୍ୟ ରାଜ୍ୟକୁ ଅାସିବେ। ରାଜ୍ୟରେ ପରିବର୍ତ୍ତନର ସ୍ରୋତକୁ ନିର୍ଣ୍ଣାୟକ ମୋଡରେ ପହଞ୍ଚାଇବା ପାଇଁ ଜାତୀୟ ସ୍ତରୀୟ ନେତୃବୃନ୍ଦ ଓଡ଼ିଶା ଆସିବେ।

ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ଗସ୍ତରେ ୧୪ ହଜାର ୫୨୩ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୋଦୀ । ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସର ଲୋକାର୍ପଣ, ବ୍ରହ୍ମପୁରରେ ବିଶ୍ୱସ୍ତରୀୟ ଆଇଜରର ଶିଳାନ୍ୟାସ, ଉର୍ଜ୍ଜା ଗଙ୍ଗା ଯୋଜନାରେ ପାରାଦୀପ-ହାଇଦ୍ରାବାଦ ମଧ୍ୟରେ ପାଇପଲାଇନ କାମର ଶୁଭାରମ୍ଭ, ଭୁବନେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ ଇଏସଆଇ ହସପିଟାଲର ଶିଳାନ୍ୟାସ, ଏନଏଚ-୧୬ ଚଣ୍ଡିଖୋଲ-ଭଦ୍ରକର ୬ ଲେନ୍ ଓ କଟକ-ଅନୁଗୋଳ ୪ ଲେନ୍ ରାସ୍ତାର କାମର ଶୁଭାରମ୍ଭ, ପାଇକବିଦ୍ରୋହ ସ୍ମାରକୀ ମୁଦ୍ରା, ଡାକ ଟିକେଟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଇକ ବିଦ୍ରୋହ ଗବେଷଣା ଚେୟାରର ଶୁଭାରମ୍ଭ ଆଦି ବିଭିନ୍ନ କାର‌୍ୟ୍ୟକ୍ରମ ରହିଛି ।

ସେହିପରି ପୁଣି ଥରେ ଆସନ୍ତା ଜାନୁୟାରୀ ୫ରେ ମୟୁରଭଞ୍ଚ ବାରିପଦାକୁ ଆସିବେ । ସେଠାରେ ମୋଟ ଦୁଇ ଘଣ୍ଟାର କାର୍ଯ୍ୟକ୍ରମ ରହିଛି । ଏହା ପରେ ପରେ ପୁଣି ମୋଦୀ ପଶ୍ଚିମ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ରହିଛି ।

Subscribe

National International State Sports Entertainment