Khabar Odisha

ତାପସ ପାଲ, ସୁଦୀପ ବନ୍ଦୋପାଧ୍ୟାୟଙ୍କ ପରେ ପ୍ରଭାତ ବିଶ୍ୱାଳ । ଜେଲରୁ ବଂଚିବା ପାଇଁ ଅସୁସ୍ଥତା ବାହାନା ?
ପ୍ରଥମେ ତାପସ ପାଲ, ପରେ ସୁଦୀପ ବନ୍ଦୋପାଧ୍ୟାୟ ଆଉ ଏବେ ପ୍ରଭାତ ବିଶ୍ୱାଳ । ଏହି ରାଜନେତା ମାନେ ସିବିଆଇ ଦ୍ୱାରା ଗିରଫ ହେବା ପରେ ଜେଲରେ ରହିନାହାନ୍ତି । ରହିଛନ୍ତି ଡାକ୍ତରଖାନାରେ ଯେବେ ଯାଏଁ ଏମାନଙ୍କୁ କୋର୍ଟରୁ ଜାମିନ ମିଳିନାହିଁ । ଆଉ ଜାମିନ ମିଳିଗଲା ପରେ ଏମାନେ ପୁରା ସୁସ୍ଥ ହୋଇଯାଇଛନ୍ତି । ଏହି ତିନି ଜଣ ଲୋକ ପ୍ରତିନିଧି ସମାନ ୪୨୦ ଦଫାରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ଏବଂ ଗିରଫ ହେବା ପରେ ପରେ ହିଁ ଏମାନଙ୍କର ଦେହ ହଠାତ ଖରାପ ହୋଇଗଲା ଏବଂ ଏତେ ଖରାପ ହୋଇଗଲା ଯେ ତୁରନ୍ତ ଡାକ୍ତରଖାନାରେ ଚିକିସ୍ତ୍ରା ଚାଲିଲା । ଆଉ ଯେବେ ଅଦାଲତ ତାଙ୍କୁ ଜାମିନ ଦେଇଦେଲେ ଡାକ୍ତର ମଧ୍ୟ ତାଙ୍କୁ ତୁରନ୍ତ ଜାମିନ ଦେଇଦେଲେ ଡାକ୍ତରଖାନାରୁ । ଅଦାଲତରୁ ଜାମିନ ମିଳିଗଲା ପରେ ଚିକିସ୍ତ୍ରା ସରିଗଲା ।

ଏହି ସବୁ ଡ୍ରାମା ବାଜି ପରି ଲାଗୁନି କି ?

ତୃଣମୂଳ ସାଂସଦ ତାପସ ପାଲଙ୍କୁ ସିବିଆଇ ରୋଜ ଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ କୋଲକାତାରୁ ଗିରଫ କରିଥିଲା । ଗିରଫ ହେବା କ୍ଷଣି ତାଙ୍କର ମସ୍ତିଷ୍କ ବିନ୍ଧା ହେଉଥିବା କଥା କହିଥିଲେ ସାଂସଦ ତାପସ ପାଲ । କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିସ୍ତ୍ରା କରିବା ପାଇଁ ଅଦାଲତରେ ପାର୍ଥନା କରିଥିଲେ । ପରେ ଅଦାଲତ ଏଥିପାଇଁ ଅନୁମତି ନଦେବାରୁ କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ଚିକିସ୍ତ୍ରା ହେଲେ । ପରେ ସିବିଆଇ ତାଙ୍କୁ ଭୁବନେଶ୍ୱରକୁ ରିମାଣ୍ଡରେ ନେବା ପାଇଁ ଅଦାଲତରେ ପାର୍ଥନା କଲା ଏବଂ ଭୁବନେଶ୍ୱରରେ ଆଣି ପଚରା ଉଚରା କଲା । ରିମାଣ୍ଡ ଯେଉଁ ଦିନ ସରିଲା ଏବଂ ଝାରପଡା ଜେଲକୁ ଯେବେ ତାପସ ପାଲ ଗଲେ ସେହି ଦିନ ରାତିରେ ପୁଣି ତାଙ୍କ ଦେହ ଅସୁସ୍ଥ ହେଇଗଲା । ପରେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ କଟକ ଏସସିବି କୁ ସ୍ଥାନାନ୍ତରଣ ହୋଇଥିଲେ । ଛାତିରେ ଗଭିର ଯନ୍ତ୍ରଣା ହେଉଥିବା କଥା ଦର୍ଶାଇ ତାପସ ପାଲଙ୍କ ଓକିଲ ସାଂସଦଙ୍କୁ ଘରୋଇ ଡାକ୍ତରଖାନାରେ ଚିକିସ୍ତ୍ରା ପାଇଁ ଆବେଦନ କଲେ ଏବଂ ଅଦାଲତ ଏହାର ମଂଜୁର ମଧ୍ୟ କରିଥିଲେ । ଜାନୁଅାରୀ ମାସରୁ ଆଜି ଯାଏଁ ଏକ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିସ୍ତ୍ରିତ ହେଉଛନ୍ତି ତାପସ ପାଲ । ଚାରି ଥର ଜାମିନ ଆବେଦନ ଅଗ୍ରାହ୍ୟ ହୋଇଯାଇଛି ଏବଂ ଯେବେଯାଏଁ ଜାମିନ ନିମିଳିଛି ସେବେ ଯାଏଁ ବୋଧହୁଏ ତାପସ ପାଲ ଏହି ଘରୋଇ ଡାକ୍ତରଖାନାରେ ରହି ଚିକିସ୍ତ୍ରିତ ହେବେ ।

ସେହି ସମାନ ଘଟଣା ଘଟିଛି ତୃଣମୁଳର ଆଉ ଜଣେ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କ କ୍ଷେତ୍ରରେ । ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ଜାନୁଅାରୀ ୪, ୨୦୧୭ରେ ସିବିଆଇ ଦ୍ୱାରା ସୁଦୀପ ଗିରଫ ହେବା ପରେ ରିମାଣ୍ଡରେ ଭୁବନେଶ୍ୱର ଆସିଲେ । ସେବେଠାରୁ ବାରମ୍ବାର ଅସୁସ୍ଥତା ଥିବା କଥା କହି କ୍ୟାପିଟାଲ ହସ୍ପିଟାଲରେ ଚିକିସ୍ତ୍ରିତ ହେଲେ । ଜାନୁଅାରୀ ୨୦ରେ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରଣ କଲେ । ଏହାର କିଛି ଦିନପରେ କଟକରୁ ସୁଦୀପ ଆସି ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ, ଆପୋଲ ହସ୍ପିଟାଲରେ ଚିକିସ୍ତ୍ରିତ ହେଲେ । ମେ ୧୯, ୨୦୧୭ରେ ସୁଦୀପ ବନ୍ଦୋପାଧ୍ୟୟଙ୍କୁ ଓଡିଶା ହାଇକୋର୍ଟରେ ଜାମିନ ମିଳିଗଲା । ଜାନୁୟାରୀ ୪ରୁ ମେ ୧୯ ସମୁଦାୟ 134 ଦିନରୁ ଜେଲରେ ମାତ୍ର 12 ଦିନ ରହିଛନ୍ତି ତୃଣମୁଳ ସାଂସଦ ସୁଦିପ ବନ୍ଦୋପାଧ୍ୟାୟ । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଏହି ଚାରି ମାସରେ ସୁଦୀପ ବନ୍ଦୋପାଧ୍ୟାୟଙ୍କର ଘରୋଇ ଡାକ୍ତରଖାନାରେ ସମୁଦାୟ ବିଲ ୧୪ ଲକ୍ଷ ହୋଇଥିଲା ଯେଉଁଥିରୁ ଡାକ୍ତରଖାନାରେ ରହିବା ପାଇଁ ଥିବା ରୁମଭଡା ଥିଲା ୧୧ ଲକ୍ଷ ଟଙ୍କା । ମାତ୍ର ୩ ଲକ୍ଷ ଟଙ୍କା ତାଙ୍କ ଚିକିସ୍ତ୍ରା ବାବଦରେ ଖର୍ଚ୍ଚ ହୋଇଥିଲା । ଗୁରୁତର ଅସୁସ୍ଥ ବୋଲି କାଗଜ ପତ୍ରରେ ଦେଖାଯାଇଥିବା ବେଳେ ବାସ୍ତବରେ ଗ୍ରାଷ୍ଟଲୋଜିଷ୍ଟ ବିଭାଗର ଜଣେ ମାତ୍ର ଡାକ୍ତର ତାଙ୍କୁ ଚିକିସ୍ତ୍ରା କରୁଥିଲେ ବୋଲି ସିବିଅାଇ ଜାଣିବାକୁ ପାଇଥିଲା ।

ଏବେ ଆସିବା କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ମାମଲାକୁ । ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କଲା ସେପ୍ଟେମ୍ବର ୧୯, ୨୦୧୭ରେ । ଏହାପରେ ସିବିଆଇ ତାଙ୍କୁ ପାଂଚ ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା କଲା । ରିମାଣ୍ଡର ଚାରି ଦିନ ପରେ ଅସୁସ୍ଥ ଥିବା କଥା କହି ପ୍ରଭାତଙ୍କ ବିଶ୍ୱାଳ ଓକିଲ ସିିବିଆଇ କୋର୍ଟରେ ପିଲ କଲେ । ଏହାପରେ ଅଦାଲତ ତାଙ୍କୁ କ୍ୟାପିଟାଲ ଡାକ୍ତରଖାନାରେ ଚିକିସ୍ତ୍ରା କରିବା ପାଇଁ ସିବିଆଇକୁ ଆଦେଶ ଦେଇଥିଲେ । ପରେ କ୍ୟାପିଟାଲ ଡାକ୍ତରଖାନା କର୍ତୃପକ୍ଷ ତାଙ୍କୁ ଗୁରୁତର ଅସୁସ୍ଥ ଥିବା କଥା କହି କଟକ ଡାକ୍ତରଖାନାକୁ ସ୍ଥାନାନ୍ତରଣ ପାଇଁ ସୁପାରିଶ କଲେ । ସେବେଠାରୁ ପ୍ରଭାତ ବିଶ୍ୱାଳ କଟକ ଏସସିବିରେ ଏବେ ଯାଏଁ ଚିକିସ୍ତ୍ରା ହେଉଛନ୍ତି । ଦେଖିବାକୁ ବାକି ରହିଲା ସେ କେବେ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରଣ ହେଉଛନ୍ତି କି ତା ଆଗରୁ ତାଙ୍କୁ ଜାମିନ ମିଳିଯାଉଛି ।

ନବୀନଙ୍କ ସୁପର ବୁଦ୍ଧି, ଆଇଓସିଏଲ ବାହାନାରେ ରାଜନୈତିକ ସନ୍ଦେଶ ଦେବା ପାଇଁ ପ୍ରୟାସ
ଆଜି ଆଇଓସିଏଲ ଟିକସ ପ୍ରସଙ୍ଗରେ  ନବୀନ-ଧର୍ମେନ୍ଦ୍ରଙ୍କର ଆଲୋଚନା ହୋଇଯାଇଛି । ବୈଠକ ପରେ ନବୀନ ଗଣମାଧ୍ୟମଙ୍କୁ ଏହି ଆଲୋଚନା ସକରାତ୍ମକ ହେଲା ବୋଲି କହିଛନ୍ତି ।  ତିନି ତିନି ଥରର ଏମଓୟୁ, ରାଜ୍ୟ ସରକାରଙ୍କର ୬୦ ହଜାର କୋଟି ଟଙ୍କାର ଟିକସ ହାନିର ଅଭିଯୋଗ, ପରେ ଏହି ପ୍ରସଙ୍ଗରେ ରାଜନୈତିକ ବୟାନବାଜି ଭିତର ଦେଇ ଗତି କରିଆସିଥିବା ଏହି ଆଓସିଏଲ ଟିକସ ବିବାଦ ଉପରେ ଆଲୋଚନା କରିବା ପାଇଁ ଉପସ୍ଥିତ ଥିଲେ ସରକାରଙ୍କର ଅନେକ ଅଫିସର, ନିଜେ ମୁଖ୍ୟମନ୍ତ୍ରୀ, ଏବଂ କେନ୍ଦ୍ର ତୈଳ ମନ୍ତ୍ରୀ । ବୈଠକ ଚାଲିଲା  ମାତ୍ର ୨ ମିନିଟ ରୁ ୩ ମିନିଟ୍ । ଆଉ ବୈଠକରୁ ବାହାରି ମୁଖ୍ୟମନ୍ତ୍ରୀ କହିଲେ ଏହି ବୈଠକ ସକରାତ୍ମକ ହେଲା ବୋଲି ।

ଏହି ବୈଠକ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ପ୍ରସ୍ତାବ ଦେଇଥିଲେ । ଏହି ବୈଠକ ପଛରେ ଅସଲି ଉଦ୍ଦେଶ୍ୟ କେବଳ ଅାଓସିଏଲ ବିବାଦ ଭିତରେ ସୀମିତ ନହୋଇ କିଛି ରାଜନୈତିକ ସନ୍ଦେଶ ଦେବାର ପ୍ରୟାସ ମୁଖ୍ୟମନ୍ତ୍ରୀ କରିଥିବା ଭଳି ଲାଗୁଛି ।

ଏବେ ଆସିବା ବିବାଦର ପୃଷ୍ଠଭୁମିକୁ । ୨୦୦୪  ମସିହାରେ ଇଣ୍ଡିଆନ ଅଏଲ ଓ ଓଡିଶା ସରକାର ପାରାଦୀପ ତୈଳ ବିଶୋଧନାଗାର ନେଇ ପରସ୍ପର ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ । ୨୦୧୬ ମସିହାରେ ବ୍ୟବସାୟିକ ଉତ୍ପାଦନ ପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ଆପତ୍ତି ଅଭିଯୋଗ ଆଇଓସିଏଲ ବିରୁଦ୍ଧରେ ଆଣି ନ ଥିଲେ । ବ୍ୟବସାୟିକ ଉତ୍ପାଦନ ପରେ ବିନା ସୁଧରେ ୧୧  ବର୍ଷ ଟିକସ ବିଳମ୍ବ  ( ଟ୍ୟାକ୍ସ ଡିଫରମେଂଟ)  ଓ ଅନ୍ୟାନ୍ୟ ସୁବିଧା ନେଇ ରାଜ୍ୟ ସରକାର ଏବେ ଆପତ୍ତି ଉଠାଇଲେ । ୨୦୧୭ ମସିହାରେ ରାଜ୍ୟ ସରକାର ଅାଇଓସିଏଲ ସହ ଅାଲୋଚନା ନକରି ୨୦୦୪ ମସିହାର ଏହି ବୁଝାମଣା ପତ୍ରକୁ ରଦ୍ଦ କରିବା ପାଇଁ  ନିଷ୍ପତି ନେଲେ ।

ବୁଝାମଣା ବାତିଲ ପାଇଁ ସରକାରଙ୍କ ତରଫରୁ ପ୍ରଥମ ତର୍କ ଥିଲା ପ୍ରକଳ୍ପ ୨୦୦୯ ମସିହାରେ ସରିବା ପାଇଁ ଚୁକ୍ତି ହୋଇଥିଲେ ମଧ୍ୟ ପ୍ରକଳ୍ପ ଛଅ  ବର୍ଷ ବିଳମ୍ବିତ ହେଲା । ଏବଂ ଦ୍ୱିତୀୟ ଅଭିଯୋଗ ଥିଲା ୯ ଏମଏମଟପିିଏ କ୍ଷମତା ପାଇଁ ଚୁକ୍ତି ହୋଇଥିଲେ ମଧ୍ୟ ଏହାର କ୍ଷମତାକୁ  ୧୫କୁ କାହିଁକି ବୃଦ୍ଧି କରାଗଲା ।

ଯେତେବେଳେ ରାଜ୍ୟ ସରକାର ଏହି ଦାବି ଉଠାଇଲେ ସେତେବେଳେ ଏହାର ଜବାବରେ ଏପ୍ରିଲ-୧ ୨୦୧୭ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ରାଜ୍ୟ ସରକାର ଆଲୋଚନା ନକରି ହାଇକୋର୍ଟରେ ଆବେଦନ କଲେ । ଏ ସମ୍ପର୍କରେ ମାନ୍ୟବର ଓଡିଶା ହାଇକୋର୍ଟ ବୁଝାମଣା ବାତିଲ ପାଇଁ ରାଜ୍ୟ ସରକାରଙ୍କର ଦୁଇଟିଯାକ ତର୍କକୁ  ଗ୍ରହଣ କରି ନଥିଲେ । ମାନ୍ୟବର ହାଇକୋର୍ଟ ଦ୍ୱିପାକ୍ଷିକ ଆଲୋଚନା ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲେ ।

ଟିକସ ବାବଦରେ ଆଲୋଚନା ଆଇଓସିଏଲ କମ୍ପାନୀ କର୍ତ୍ତୃପକ୍ଷ୍ୟ ଏବଂ ରାଜ୍ୟ ସରକାରଙ୍କ ସଚିବ ସ୍ତରୀୟ ଆଲୋଚନା ହୋଇ ତୁଟିପାରିଥାନ୍ତା ଏବଂ ଆଜିର ଏହି ବୈଠକପରେ ମଧ୍ୟ ସେହି ଆଇଓସିଏଲ କମ୍ପାନୀ କର୍ତୃପକ୍ଷ୍ୟ ଏବଂ ରାଜ୍ୟ ସରକାରଙ୍କ ସଚିବ ସ୍ତରୀୟ ଆଲୋଚନା ପାଇଁ ନିଷ୍ପତ୍ତି ନିଅାଯାଇଛି । ହେଲେ କାହିଁକି ତା ହେଲେ ଏହି ବୈଠକ ପାଇଁ ନବୀନ ନିଜେ କେନ୍ଦ୍ର ତୈଳ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ?

ରାଜ୍ୟରେ ଏବେର ରାଜନୈତିକ ପରିସ୍ଥିତିରେ ଯେପରି ବିଜେଡି-ବିଜେପି ସମ୍ମୁଖ ଲଢେଇ ହେଉଛି ସେପରି ପରିସ୍ଥିତିରେ ନବୀନ-ଧର୍ମେନ୍ଦ୍ର ଏକାଠି ହେବା ନିହାତି ଭାବେ ସାଧାରଣ କଥା ନୁହେଁ । ଆଗରୁ ଧର୍ମେନ୍ଦ୍ର ପ୍ରଧାନଙ୍କର ସରକାରୀ ବୈଠକମାନକୁ ବିଜେଡିର ବିଧାୟକ ମାନେ ବୟକଟ କରିଆସିଛନ୍ତି । ଆଉ ସେତିକି ବେଳେ ଯେଉଁ ବିବାଦର ସମାଧାନ ଅଫିସର ସ୍ତରୀୟ ଆଲୋଚନା ହୋଇକି ସମାଧାନ ହୋଇପାରିବ ସେଠି ନିଜେ ମୁଖ୍ୟମନ୍ତ୍ରୀ ଯିବା ପଛରେ କିଛି ରାଜନୈତିକ ଉଦ୍ଦେଶ୍ୟ ଥିଲା ଭଳି ଲାଗୁଛି ।

ରାଜ୍ୟରେ ବିଜେପି ଗତ ପଂଚାୟତ ନିର୍ବାଚନରେ ଚମକଦାର ପଦର୍ଶନ କରିଛି । ସେହିପରି ନିକଟରେ ବିଜୁ ଜନତା ଦଳ ଏବଂ କଂଗ୍ରେସ ଛାଡି ଅନେକ ପଂଚାୟତ ବ୍ଲକ ସ୍ତରୀୟ ନେତାମାନେ ବିଜେପିରେ ମିଶୁଛନ୍ତି । ବିଜେପିର ଯାହା ରାଜନୈତିକ କାର୍ଯ୍ୟକ୍ରମ ଏବଂ ଅମିତ ଶାହାଙ୍କର ବାରମ୍ବାର ଗ୍ରସ୍ତରୁ ବୁଝାପଡୁଛିଯେ ବିଜେପି ୨୦୧୯ରେ ଏକାକି ନିର୍ବାଚନ ଲଢିବ । ଦଳର ତୃଣମୁଳ ରାଜନୈତିକ କର୍ମୀ ମାନଙ୍କୁ ମଧ୍ୟ ସେହିଭଳି ଭାବରେ ପ୍ରସ୍ତୁତ କରିବା ପାଇଁ ବିଜେପି ଦଳ ଚେଷ୍ଟା ଚଲାଉଛି । ଆଉ ଏତିକି ବେଳେ ନବୀନଙ୍କ ଏହି ବୈଠକ ବିଜେପି ଦଳର ତୃଣମୂଳ କର୍ମୀମାନଙ୍କୁ ସନ୍ଦେହରେ ପକାଇବାପାଇଁ ହୋଇନାହିଁ ତ ? କାରଣ ଯଦି ବିଜୁ ଜନତା ଦଳ ଏହିଭଳି ଏକ ସନ୍ଦେଶ ଦେବାରେ ସଫଳ ହୁଏ କି ରାଜ୍ୟରେ ୨୦୧୯ରେ ପୁଣି ମେଣ୍ଟ ହୋଇପାରେ ଏବଂ ଉଭୟ ଦଳର ଉଚ୍ଚସ୍ତରୀୟ ରାଜନୈତିକ ନେତୃମଣ୍ଡଳୀ ମଧ୍ୟରେ ଏପରି କରିବାପାଇଁ ସେପରି କିଛି ଅସୁବିଧା ନାହିଁ , ତା ହେଲେ ତଳସ୍ତରର କର୍ମୀମାନଙ୍କ ଉପରେ ଏହାର ପ୍ରଭାବ ନିଶ୍ଚୟ ଭାବରେ ପଡିବ । ଜି-ଜାନ ଲଗେଇ ଲଢିବା ପାଇଁ ପ୍ରସ୍ତୁତ ହେଉଥିବା କର୍ମୀମାନେ ସନ୍ଦେହ ଭିତରେ ପଡିଯିବେ । ଖାଲି ବିଜେପିର କର୍ମୀ ମାନଙ୍କ ଉପରେ ନୁହେଁ ବରଂ ବିଜେଡି ଏବଂ କଂଗ୍ରେସ ଛାଡି ବିଜେପିରେ ମିଶିବାକୁ ଚେଷ୍ଟା କରୁଥିବା ନେତାମାନଙ୍କୁ ମଧ୍ୟ କନଫ୍ୟୁଜନ କରିବା ସମ୍ଭବ ହେବ ।

ଯଦି ସେପରି କିଛି କରିବାରେ ନବୀନ ସକ୍ଷମ ହୁଅନ୍ତି ତାହେଲେ ନବୀନଙ୍କ ସୁପର ବୁଦ୍ଧିକି ମାନିବାପାଇଁ ପଡିବ ।

ଫିଲ୍ମ ସୁଟିଙ୍ଗରେ ଆଗ, ହେଲେ ସଂସଦରେ ଲୋକଙ୍କ କଥା ଉଠାଇବା ପାଇଁ ସମୟ ନାହିଁ
ବ୍ରହ୍ମପୁର ଲୋକସଭା ଆସନରୁ ସାଂସଦ ଭାବେ ଅଭିନେତାରୁ ନେତା ପାଲଟିଥିବା ସିଦ୍ଧାନ୍ତ ମହାପାତ୍ର ଦୁଇ ଦୁଇ ଥର ନିର୍ବାଚିତ ହୋଇସାରିଲେଣି । ୨୦୦୯ ରୁ ଆଜିଯାଏ ୨୦୧୭ ପର୍ଯ୍ୟନ୍ତ ୮ ବର୍ଷ ହେଲାଣି ବ୍ରହ୍ମପୁରରୁ ପ୍ରତିନିଧିତ୍ୱ ରହିଆସିଛି ସିଦ୍ଧାନ୍ତଙ୍କର । ୨୦୧୪ ନିର୍ବାଚନରେ ନିର୍ବାଚିତ ହୋଇ ଦ୍ୱିତିୟ ଥର ପାଇଁ ନିର୍ବାଚିତ ହେବାର ହୋଇଗଲାଣି ୩ ବର୍ଷରୁ ଅଧିକ ସମୟ । ଏହି ସମୟ ଭିତରେ ବସିସାରିଲାଣି ଲୋକସଭାରେ ୧୨ଟିରୁ ଅଧିକ ଅଧିବେସନ । ସେଥିମଧ୍ୟରୁ ତିନୋଟି ବଜେଟ ଅଧିବେସନ ଭଳି ଅତି ଗୁରୁତ୍ୱପୁର୍ଣ୍ଣ ଅଧିବେସନ ମଧ୍ୟ ସରିଛି । ହେଲେ ବାବୁ ସିଦ୍ଧାନ୍ତ ମହାପାତ୍ରଙ୍କର କିନ୍ତୁ ସମୟ ନାହିଁ ସଂସଦରେ ବସିବା ପାଇଁ କି ନିଜ ଅଂଚଳର ସମସ୍ୟା ସମ୍ବଦ୍ଧରେ କିଛି ପ୍ରଶ୍ନ ପଚାରିବା ପାଇଁ ।

୨୦୦୯ ରୁ ୨୦୧୪ ପାଂଚ ବର୍ଷ ଭିତରେ ମାତ୍ର ୪ ଟି ପ୍ରଶ୍ନ ପଚାରିଥିବା ସିଦ୍ଧାନ୍ତ ମହାପାତ୍ର ୨୦୧୪ ରୁ ୨୦୧୭ ଭିତରେ ପଚାରିଛନ୍ତି “ଶୂନ” ପ୍ରଶ୍ନ ।

ଏହି ସମସ୍ତ ତଥ୍ୟ ଲୋକସଭାର ସରକାରୀ ଓେବସାଇଟରୁ ଅାସିଛି ।

ଆଉ ଏହି ୮ ବର୍ଷ ଭିତରେ ସିଦ୍ଧାନ୍ତଙ୍କର ରିଲିଜ ହୋଇସାରିଲାଣି ୨୦ଟି ସିନେମା । ହିରୋ ଠାରୁ ଭିଲିୟାନ,ଷ୍ଟେଜ ସୋ, ସୁନା ଅଳଙ୍କାର ବ୍ରାଣ୍ଡର ବିଜ୍ଞାପନ, ଫାଇନାନ୍ସ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ଏସବୁ କରିବା ପାଇଁ ବ୍ରହ୍ମପୁର ସାଂସଦଙ୍କ ପାଖେ ସମୟ ଅଛି ହେଲେ ନିଜ ନିର୍ବାଚନ ମଣ୍ଡଳିର ସମସ୍ୟା ହେଉ କି ରାଜ୍ୟର ସମସ୍ୟା ହେଉ ଏସବୁ କଥା ଉଠାଇବା ପାଇଁ ତାଙ୍କ ପାଖେ ସମୟ ନାହିଁ ।

ଯାହା ପାଖେ ସମୟ ନାହିଁ ସଂସଦରେ ଆଲୋଚନା କରିବା ପାଇଁ କି କୌଣସି ପ୍ରଶ୍ନ ପଚାରିବା ପାଇଁ ସେ ନିଜ ନିର୍ବାଚନ ମଣ୍ଡଳୀର ଦୁଃଖ କଣ ବୁଝୁଥୀବେ ସେଥିରୁ ଅନୁମାନ କରାଯାଇପାରେ ।

ସିନେମାରେ ଅଭିନୟ କରିବା ପାଇଁ କାହାକୁ ମନା ନାହିଁ କିନ୍ତୁ ଲୋକପ୍ରତିନିଧି ହୋଇ ଯଦି ନିଜ କର୍ତ୍ୟବରେ ଅବହେଳା କଲେ ସମାଲୋଚନା ହେବ ହିଁ ହେବ । ଜଣେ ସାଂସଦ ହେଲାପରେ ଜଣେ ଲୋକପ୍ରତିନିଧି ଭାବରେ ନିଜର ପ୍ରାଥମିକ ଦାୟୀତ୍ୱ ହେବା କଥା ନିଜ ନିର୍ବାଚନ ମଣ୍ଡଳିର ସମସ୍ୟାକୁ ସରକାରଙ୍କ ଆଗରେ ଉପସ୍ଥାପନା କରିବା । ହେଲେ ସିଦ୍ଦାନ୍ତ ମହାପାତ୍ରଙ୍କର ବିଗତ ୮  ବର୍ଷର କାର୍ଯ୍ୟକାଳର ସମୟକୁ ଦେଖିଲେ ଜଣାପଡୁଛି କି ସେ କେବଳ ଫିଲ୍ମରେ ଅଭିନୟ କରିବା ତାଙ୍କ ପ୍ରାଥମିକତା ରହିଛି । ଲୋକଙ୍କ ସମସ୍ୟା ପଛେ ଚୁଲିକି ଯାଉ “ହୁ କେଆରସ” ।

ଭାରତ ସରକାର ଜଣେ ସାଂସଦଙ୍କ ଦରମା ପେନସନ ବାବଦରେ ମାସ ପିଛା ଖର୍ଚ୍ଚ କରନ୍ତି ୨ଲକ୍ଷ ୭୦ ହଜାର ଟଙ୍କା । ଏହା ସହ ମାଗଣା ବିମାନ ଟିକଟ ଏବଂ ଆହୁରି ଅନେକ ସୁବିଧା ମଧ୍ୟ ମିଳେ । ଏହି ସମସ୍ତ ଅର୍ଥ ହେଉଛି ଲୋକଙ୍କ ପଇସା । ଲୋକଙ୍କ ପଇସାରୁ ଦରମା ପାଉଥିବା ଲୋକପ୍ରତିନିଧୀମାନଙ୍କର ପ୍ରଥମ କାମ ହେଉଛି ଲୋକମାନଙ୍କର ସମସ୍ୟା ଅସୁବିଧାକୁ ବୁଝିବା ଏହାର ପ୍ରତିକାର ।

ରାଜ୍ୟରେ ବର୍ତମାନ ମହାନଦୀକୁ ନେଇ ଛତିଶଗଡ ସହ ବିବାଦ ଚାଲିଛି । ସାଂସଦ ସିଦ୍ଧାନ୍ତ ମହାପାତ୍ର କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରଣାଳୟର ଷ୍ଟାଣ୍ଡିଙ୍ଗ କମିଟିର ସଭ୍ୟ ମଧ୍ୟ ଅଛନ୍ତି । ବିଜୁ ଜନତା ଦଳ ଏବଂ ଓଡିଶାର ପ୍ରତିନିଧିତ୍ୱ ଭାବେ ତାଙ୍କୁ ଏହି ଷ୍ଟାଣ୍ଡିଙ୍ଗ କମିଟିର ସଭ୍ୟ ଭାବେ ନିଆଯାଇଛି । ହେଲେ ରାଜ୍ୟର ଏହି ନଦୀବିବାଦକୁ ନେଇ ସଙ୍କଟ ପରିସ୍ଥିତି ବେଳେ ଶ୍ରୀ ମହାପାତ୍ର ଷ୍ଟାଣ୍ଡିଙ୍ଗ କମିଟିର ବସିଥିବା ଅନେକ ବୈଠକରୁ କେଉଁ ଗୋଟିଏବି ବୈଠକରେ ବସି ନାହାନ୍ତି । ନିଜର କାର୍ଯ୍ୟ ବ୍ୟସ୍ତତାର ବାହାନା ଦେଖାଇ ବ୍ରହ୍ମପୁରର ଏହି ଅଭିନେତା ସାଂସଦ ଗୋଟିଏବି ବୈଠକରେ ବସି ନାହାନ୍ତି ।

ଆମେ ଭୋଟରମାନେ ଏ ପ୍ରସଙ୍ଗରେ ସଚେତନ ହେବା ଦରକାର । ଯଦି ଆମ ସଂସଦମାନେ ଆମର ସମସ୍ୟା କଥା ସରକାରଙ୍କ କାନରେ ପକଉ ନାହାନ୍ତି ତା ହେଲେ ଆଉଥରେ ନିର୍ବାଚିତ କରିବା ପୂର୍ବରୁ ଥରେ ଭାବିବା ଦରକାର । ସେହିପରି ଭୋଟ ଦେବା ଆଗରୁ ନେତାଙ୍କୁ ଭଲକରି ଚିହ୍ନିବା ଦରକାର କି ସେ ନେତା ହେବେ ନା ନେତା ହୋଇକି ଅଭିନୟ କରିବେ ।

ରକ୍ଷାବନ୍ଧନ
ସାମାଜିକ ସୁରକ୍ଷା, ସମରସତା ଏବଂ ଐତିହାସିକ ମହତ୍ୱର ପର୍ବ :

ରାକ୍ଷୀପୂର୍ଣ୍ଣିମା ହିନ୍ଦୁମାନଙ୍କର ଶ୍ରେଷ୍ଠ ପର୍ବଗୁଡିକ ମଧ୍ୟରେ ଅନ୍ୟତମ । ଏହାକୁ ଗହ୍ମାପୂର୍ଣ୍ଣିମା ବୋଲି ମଧ୍ୟ କହନ୍ତି । ଶ୍ରାବଣ ପୂର୍ଣ୍ଣିମାର ପବିତ୍ର ଅବସରରେ ଏହି ପର୍ବ ସାରା ଦେଶର ପ୍ରତି କୋଣେ କୋଣେ ଆବହମାନ କାଳରୁ ପାଳିତ ହୋଇ ଆସୁଛି । ବନ୍ୟା, ବାତ୍ୟା ଏବଂ ପ୍ରବଳ ବୃଷ୍ଟିପାତର କରାଳ କବଳରେ କବଳିତ ଧ୍ୱସ୍ତ ବିଧ୍ୱସ୍ତ ତଥା ବିପର୍ୟ୍ୟସ୍ତ ମାଟି ମାର ମୁଖମଣ୍ଡଳରେ ସ୍ମିତହାସ୍ୟର ରେଖାଟିଏ ଟାଣି ଦେଇ ଉପସ୍ଥିତ ହୋଇଯାଏ ରାକ୍ଷୀପୂର୍ଣ୍ଣିମା । ଆନନ୍ଦ ଉଲ୍ଲାସର ଜୁଆର ଖେଳିଯାଏ ଚତୁର୍ଦ୍ଦିଗରେ । ସାରାସଂସାରକୁ ଆପଣେଇ ନେବାର ବଜ୍ର ଶପଥ ନେଇ, ସ୍ନେହମୈତ୍ରୀ ଭାତୃତ୍ୱ ସାମାଜିକ ସୁରକ୍ଷା ଏବଂ ସମରସତାର ସନ୍ଦେଶ ବହନକାରୀ ଏହି ମହାନ ପର୍ବ ପୃଥିବୀପୃଷ୍ଠରେ ଅବତୀର୍ଣ୍ଣ ହୁଏ ।

ଗ୍ରହପୀଡା କବଳରୁ ନିଜର ନିରାପତ୍ତା ଏବଂ ସୁରକ୍ଷା ପାଇଁ ମଣିଷ କି ଉପାୟ କରିବା ଉଚିତ୍‌ ? ଧର୍ମରାଜ ଯୁଧିଷ୍ଠିରଙ୍କର ଏଇ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭଗବାନ କୃଷ୍ଣ ସ୍ୱମୁଖରେ ଯେଉଁ ଅର୍ଥପୂର୍ଣ୍ଣ ଉପଦେଶ ଏବଂ ଶାସ୍ତ୍ରୋକ୍ତ ଉଦାହରଣ ଦେଇଥିଲେ ତାହା ରାକ୍ଷୀପୂର୍ଣ୍ଣିମାର ତାତ୍ପର୍ୟ୍ୟକୁ ପରିପ୍ରକାଶ କରେ । ଶାସ୍ତ୍ର ନିର୍ଦ୍ଦେଶିତ ରୀତିରେ ରାକ୍ଷୀ ପ୍ରସ୍ତୁତ କରାଯାଇ ଏଇ ପବିତ୍ର ଅବସରରେ ଧାରଣ କଲେ ତାହା ମନୁଷ୍ୟର ସକଳ ରିଷ୍ଟାଦି ଖଣ୍ଡନ କରିବାରେ ସମର୍ଥ ହୋଇଥାଏ ।

ଏକଦା ଦେବ ଓ ଦାନବଙ୍କ ମଧ୍ୟରେ ପ୍ରବଳଯୁଦ୍ଧ ହେଲା । ସେଥିରେ ଦେବରାଜ ଇନ୍ଦ୍ର ପରାସ୍ତ ହେଲେ ଏବଂ ସ୍ୱର୍ଗରାଜ୍ୟ ରାକ୍ଷସମାନଙ୍କ ଦ୍ୱାରା ଅଧିକୃତ ହେଲା । ଏଥିରୁ ଉଦ୍ଧାର ପାଇବା ନିମନ୍ତେ ବୃହସ୍ପତିଙ୍କ ପରାମର୍ଶକ୍ରମେ ଇନ୍ଦ୍ରପତ୍ନୀ ରାକ୍ଷୀପୂର୍ଣ୍ଣିମା ଦିନ ରକ୍ଷାସୂତ୍ର ପ୍ରସ୍ତୁତ କରି ତାହା ଦେବଗୁରୁଙ୍କ ଦ୍ୱାରା ବିଧି ଅନୁଯାୟୀ ପୂଜନ, ସ୍ୱସ୍ତିବାଚନ ଓ ମନ୍ତ୍ରପୂଜ କରାଇ ସ୍ୱାମୀଙ୍କ ହାତରେ ବାନ୍ଧି ଦେଲେ । ସେଇ ରକ୍ଷା କବଚର ପ୍ରଭାବରେ ଦାନବମାନଙ୍କର ପରାଜୟ ଘଟିଲା ଏବଂ ଦେବତାମାନେ ବିଜୟ ପ୍ରାପ୍ତ ହୋଇ ସ୍ୱର୍ଗରାଜ୍ୟ ଫେରି ପାଇଥିଲେ । ପୌରାଣିକ ଆଖ୍ୟାନ ଅନୁଯାୟୀ ଗୋଭକ୍ତ ଭଗବାନ ବଳରାମଙ୍କ ଜନ୍ମତିଥି ଏହିଦିନ ପଡୁଥିବାରୁ ଚାଷକାର୍ୟ୍ୟ ବନ୍ଦ ରଖି ଘରେ ଘରେ ନୂତନବସ୍ତ୍ର ପରିଧାନ, ରାକ୍ଷୀବନ୍ଧନ, ପିଠାପଣା ପ୍ରସ୍ତୁତି, ଲଙ୍ଗଳ ଜୁଆଳି ଆଦି କୃଷି ତଥା ବୃତ୍ତିଗତ ଉପକରଣ ସହ ଗୋମାତାର ପୂଜନ କରାଯାଇ ଏହି ପର୍ବକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଏ । ଏହି ଦିବସରେ ବଳରାମ ବଳଦମାନଙ୍କୁ ପୂଜା କରି ଚାଷକାର୍ୟ୍ୟ ଆରମ୍ଭ କରିଥିଲେ । ଏଣୁ ଗାଇଗୋରୁମାନଙ୍କୁ ସ୍ନାନ  କରାଇ ଚନ୍ଦନ ସିନ୍ଦୁର ଲଗାଇ ଦିଆଯାଏ । ତଥା ସେମାନଙ୍କୁ ରାକ୍ଷୀ ବନ୍ଧାଯାଇ ପିଠାପଣା ଖାଇବାକୁ ଦିଆଯାଏ । ବେଦୀ ସଜାଇ ସେଥିରେ ବାଲିମାଟିରେ ତିଆରି ହୋଇଥିବା ଗୋମୂର୍ତ୍ତି ଉପରେ ଅଣ୍ଡିରା ବାଛୁରୀମାନଙ୍କୁ ଡିଆଁଇବା ପ୍ରତିଯୋଗିତା ଗ୍ରାମ୍ୟ ପରିବେଶକୁ ଉଲ୍ଲାସମୁଖର କରି ତୋଳେ । ଏଇ ଡିଆଁଇବା ପରମ୍ପରାକୁ ଗହ୍ମାଡିଆଁ ବୋଲି କହନ୍ତି । ଗୋ ଶବ୍ଦରୁ ଗହ୍ମା ଏବଂ ରକ୍ଷା ଶବ୍ଦରୁ ରାକ୍ଷୀପୂର୍ଣ୍ଣିମା ନାମକରଣ ହୋଇଥିବା ମନେହୁଏ । ଏହି ଦିବସରେ ଝୁଲଣ ଉତ୍ସବ ସର୍ବତ୍ର ପାଳିତ ହୁଏ । ଶ୍ରାବଣ କୃଷ୍ଣ ଦଶମୀ ଠାରୁ ପୂର୍ଣ୍ଣିମା ପର୍ୟ୍ୟନ୍ତି ମନ୍ଦିରମାନଙ୍କରେ ରାଧୁକୃଷ୍ଣଙ୍କ ମୂର୍ତ୍ତିକୁ ଆଡମ୍ବରପୂର୍ଣ୍ର ସାଜସଜ୍ଜା ସହ ଝୁଲଣରେ ଝୁଲାଯାଏ ଏବଂ ଝୁଲଣ ଯାତ୍ରା ଆମର ଏକ ପ୍ରଧାନ ପର୍ବ ଭାବରେ ଆବାଳ ବୃଦ୍ଧ ବନିତାଙ୍କ ଦ୍ୱାରା ମହାସାମରୋହରେ ପାଳିତ ହୁଏ ।

କେତେକକଙ୍କ ମତରେ ପୁତନା ରାକ୍ଷସୀ କବଳରୁ ନନ୍ଦଲାଲା ଶ୍ରୀକୃଷ୍ଣ ରକ୍ଷା ପାଇ ଯାଇଥିବା ଆନନ୍ଦରେ ବିଭୋର ଗୋପାଙ୍ଗନାମାନେ ବାଳକୃଷ୍ଣଙ୍କ ଶୁଭମନାସୀ ତାଙ୍କ ହାତରେ ଏହିଦିନ ରାକ୍ଷୀ ବାନ୍ଧିଥିଲେ ଏବଂ ବ୍ରତ ପାଳନ କରିଥିଲେ । ଏହି ପବିତ୍ର ଅବସରରେ କୌରବମାନଙ୍କ ଷଡଯନ୍ତ୍ରରୁ ପାଣ୍ଡବମାନଙ୍କ ସମ୍ପୂର୍ଣ୍ଣ ସୁରକ୍ଷା ଏବଂ ନିରାପତ୍ତା ଦାୟିତ୍ୱ କୃଷ୍ଣଙ୍କୁ ସମର୍ପଣ କରି ତାଙ୍କ ହାତରେ କୁନ୍ତୀମାତା ରାକ୍ଷୀ ବାନ୍ଧି ଦେଇଥିଲେ ।

ଆଜିକାଲି ବହୁବିଧ ରଙ୍ଗବେରଙ୍ଗ ରାକ୍ଷୀ ବଜାରରେ ଉପଲବ୍ଧ ହେଉଥିଲେ ମଧ୍ୟ  ରାକ୍ଷୀର ହଳଦିଆ ରେଶମୀ ସୁତା ଖଣ୍ଡିକର ମହତ୍ୱ କଳ୍ପନାତୀତ । ଆକୁମାରୀ ହିମାଚଳ ହିନ୍ଦୁମାନେ ରକ୍ଷାବନ୍ଧନକୁ ସ୍ନେହ, ଭାତୃତ୍ୱ, ସାମାଜିକ ସୁରକ୍ଷା, ଏକାତ୍ମତା ଏବଂ ସମରସତାର ମାଙ୍ଗଳିକ ପର୍ବ ଭାବରେ ପାଳନ କରନ୍ତି । ଏହିଦିନ ପ୍ରାତଃସ୍ନାନାଦି ଶେଷ କରି ବୈଦିକ ରୀତିରେ ବ୍ରାହ୍ମଣୀଙ୍କ ଦ୍ୱାରା ଦେବପୂଜ ସମ୍ପ୍ରଦାୟ, ଭାଷାପ୍ରାନ୍ତ ଭେଦାଭେଦ ନିର୍ବିଶେଷରେ  ସମାଜର ବ୍ୟକ୍ତି ବ୍ୟକ୍ତି ପରସ୍ପର ହାତରେ  ରାକ୍ଷୀବାନ୍ଧି ଦେଇ ପରସ୍ପରର ମଙ୍ଗଳକାମନା କରିବା ବିଧି ରହିଛି । ଖାଲି ସେତିକି ନୁହେଁ ଗାଇବଳଦ, ତୁଳସୀ ଅଶ୍ୱତଥ୍‌, ବିଲ୍ୱାଦି ବୃକ୍ଷ ତଥା ଦେବମୂର୍ତ୍ତିମାନଙ୍କୁ ରାକ୍ଷୀ ବାନ୍ଧିବା ପରମ୍ପରା ରହିଛି । ଅର୍ଥାତ ସେମାନଙ୍କର ସୁରକ୍ଷାରେ  ଆମର ଏବଂ ଆମର ସୁରକ୍ଷାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ଆମର ପୂର୍ବୋଜମାନେ ସମଗ୍ର ସୃଷ୍ଟି ସହ  ଏକରୂପ ହୋଇ ଜୀବନ ନିର୍ବାହର ପ୍ରେରଣା ଦେବା ପାଇଁ ଏହି ପବିତ୍ର ପର୍ବ ପାଳନର ଯେ ପରମ୍ପରା ସୃଷ୍ଟି କରିଥିଲେ ଏହା ନିଃସନ୍ଦେହ ।

ଯେନ ବଦ୍ଧୋ ବଳୀରାଜା ଦାନବେନ୍ଦ୍ର ମହାବଳଃ
ତେନ ତ୍ୱା ମନୁ ବଧ୍ନାମି ରକ୍ଷୋ ମାଚଳମାଚଳ

ଏହି ମନ୍ତ୍ର ଉଚାରଣ କରି ଆର୍ଶୀର୍ବଚନ ପୂର୍ବକ ରାକ୍ଷୀ ବାନ୍ଧିବାର ବିଧି ରହିଛି । ରାକ୍ଷୀପୂର୍ଣ୍ଣିମା ଅବସରରେ ଭାଇଭଉଣୀର ପବିତ୍ରବନ୍ଧନର ପରିପ୍ରକାଶ ସ୍ୱରୂପ ଭଉଣୀମାନେ ଭାଇ ମୁଣ୍ଡରେ ତିଳକ ଓ ହାତରେ ରାକ୍ଷୀ  ବାନ୍ଧି ଦେଇ ଭାଇକୁ ମିଠା ଖୁଆଇ ଦିଅନ୍ତି । ସତେ ଯେମିତି ଅଲିଅଳ ଭଉଣୀଟି ନିଜର ଅନାଗତ ଭବିଷ୍ୟତର ସମ୍ପୂର୍ଣ୍ଣ ସୁରକ୍ଷା ଦାୟିତ୍ୱ ଭାଇ ଉପରେ ନ୍ୟସ୍ତ କରି  ଦେଇ ମନହୃଦୟରେ ନିଶ୍ଚିନ୍ତ ହୋଇଯାଏ । ରାଜପୁତ ରମଣୀମାନେ କୌଣସି ପୁରୁଷ ହାତରେ ରାକ୍ଷୀ ବାନ୍ଧି ଦେଲେ ଭାଇଭଉଣୀର ପବିତ୍ର ସମ୍ପର୍କକୁ ଦୃଷ୍ଟିରେ ରଖି  ପୁରୁଷଟି ଆବଶ୍ୟକ କ୍ଷେତ୍ରରେ ନିଜ ଜୀବନର ବାଜି ଲଗାଇ ମଧ୍ୟ ଭଉଣୀର ମର୍ୟ୍ୟାଦା ଓ ସମ୍ମାନ ରକ୍ଷା କରିବାର ପରମ୍ପରା ଅତୀତରୁ ପ୍ରଚଳିତ । ମୋଗଲ ଶାସନ ସମୟରେ ରାଣୀ କର୍ଣ୍ଣାବତୀ ଶକ୍ତିଶାଳୀ ମୋଗଲ ସେନାର ସମ୍ମୁଖୀନ ହୋଇ ନକାରି ବାଦଶାହ ହୁମାୟୁନଙ୍କ ନିକଟକୁ ପଠାଇଥିବା ରାକ୍ଷୀ ତାଙ୍କୁ ସମ୍ଭାବ୍ୟ ଆକ୍ରମଣରୁ କ୍ଷାନ୍ତ କରି ଦେଇଥିଲା ଏବଂ କର୍ଣ୍ଣାବତୀଙ୍କୁ ସବୁମନ୍ତେ ସୁରକ୍ଷାର ପ୍ରତିଶ୍ରୁତି ଦେଇଥିଲ ହୁମାୟୁନ । ଆକବର ନିଜ ରାଜ୍ୟରେ ରକ୍ଷାବନ୍ଧନ ଉତ୍ସବ ପାଳନ କରି ହିନ୍ଦୁମାନଙ୍କର ହୃଦୟକୁ ଜିଣିବାର କୌଶଳ ଅବଲମ୍ବନ କରିଥିଲେ ।

୧୯୦୫ ମସିହାର ପରାଧୀନ ଭାରତରେ ଇଂରେଜ ସରକାରଙ୍କ ବଙ୍ଗଭଙ୍ଗ ଭଳି କୁଚକ୍ରାନ୍ତକାରୀ ନିଷ୍ପତ୍ତି ଦ୍ୱାରା ଦେଶକୁ ଖଣ୍ଡ ଖଣ୍ଡ କରି ଅଧିକ ଦୁର୍ବଳ କରାଇବା ନୀତି ବିରୁଦ୍ଧରେ ଜନ ଆନ୍ଦୋଳନକୁ ପ୍ରଜ୍ୱଳିତ କରିବା ପାଇଁ ରବୀନ୍ଦ୍ରନାଥ ଠାକୁର ଗଙ୍ଗାରେ ସ୍ନାନ କରି ସେଇ ଓଦାଲୁଗା ପିନ୍ଧି ସେଦିନ କଲିକତାର ରାଜରାସ୍ତାରେ ବୁଲିବୁଲି ପ୍ରତ୍ୟେକ ବ୍ୟକ୍ତି ହାତରେ ରାକ୍ଷୀ ବାନ୍ଧିଥିଲେ । ଏହାଦ୍ୱାରା ଦେଶବାସୀଙ୍କ ମନରେ ଏକ ପ୍ରଚଣ୍ଡ ଭାବାତ୍ମକ ଏକତାର ସ୍ଫୁରଣ ଘଟିଥିଲା। ଏଇ ବଙ୍ଗଭଙ୍ଗ ଆନ୍ଦୋଳନ ପରବର୍ତ୍ତୀ ପର୍ୟ୍ୟାୟରେ ସମ୍ପୂର୍ଣ୍ଣ ଦେଶବ୍ୟାପୀ ସ୍ୱାଧୀନତା ସଂଗ୍ରାମରେ ପରିଣତ ହୋଇ ଇଂରେଜ ସାମ୍ରାଜ୍ୟକୁ ଦୋହଲାଇ ଦେବାରେ ସମର୍ଥ ହୋଇଥିଲା । ଏଦୃଷ୍ଟିରୁ ରାକ୍ଷୀର ଐତିହାସିକ ମହତ୍ୱ ମଧ୍ୟ କିଛି କମ ନୁହେଁ । ଆଜି ଯେତେବେଳେ ଜାତି ସମ୍ପ୍ରଦାୟ, ଭାଷାପ୍ରାନ୍ତ ଓ ରାଜନୀତିର ମତ ଭେଦରେ ଭାରତର ସଂଖ୍ୟା ଗରିଷ୍ଠ ହିନ୍ଦୁସମାଜ ବହୁଧା ବିଭକ୍ତ, ଇର୍ଷା,ଦ୍ୱେଷ, ହିଂସା ଦ୍ୱାରା କବଳିତ  ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଘୃଣା ଏବଂ ଶତ୍ରୁତାର ସୀମା ଉଦ୍‌ବେଗଜନକ, ସ୍ୱାର୍ଥପରତା, ଚରିତ୍ର ଶୂନ୍ୟତା, ଭ୍ରଷ୍ଟାଚାରର ଆଦି ସୀମାତିରିକ୍ତ ଠିକ୍‌ ସେଇ ସମୟରେ ରାକ୍ଷୀର ପବିତ୍ରସୂତ୍ର, ଏଇ ମହାନରାଷ୍ଟ୍ରର ଚୈତନ୍ୟଶକ୍ତିକୁ ଜାଗ୍ରତ କରି ଦେଶଧର୍ମ ସଂସ୍କୃତିର ସୁରକ୍ଷା ନିମିତ୍ତ ସମାଜର ପ୍ରତ୍ୟେକ ବ୍ୟକ୍ତିବ୍ୟକ୍ତିକୁ ନିଜର ସ୍ନେହ ମମତା ଡୋରିରେ ଆବଦ୍ଧ କରୁ ଏହାହିଁ କାମନା ।

ବିଜେଡିରେ କ୍ରସ ଭୋଟିଙ୍କ ସ୍ପଷ୍ଟ, ସନ୍ଦେହରେ ୪ ଲୋକସଭା ସାଂସଦ
ଗତକାଲିର ଉପରାଷ୍ଟ୍ରପତି ଉପନିର୍ବାଚନରେ ବିଜେପି ସମର୍ଥିତ ପାର୍ଥୀ ଭେଙ୍କିୟା ନାଇଡୁଙ୍କୁ ତାଙ୍କୁ ସମର୍ଥନ କରୁଥିବା ଦଳମାନଙ୍କର ମୋଟ ଭୋଟ ଠାରୁ ୨୧ ଟି ଅଧିକ ଭୋଟ ପାଇଛନ୍ତି । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିଭିନ୍ନ ଦଳର ଭେଙ୍କିୟାଙ୍କ ପ୍ରତି ସମର୍ଥନ ଆଧାରରେ ହିସାବ ଅନୁସାରେ ଏବଂ ଅନୁପସ୍ଥିତ ରହିଥିବା ସାଂସଦ ମାନଙ୍କ ଭୋଟକୁ ହିସାବକୁ ନେଲେ ସେ ୪୯୫ ଖଣ୍ଡ ଭୋଟ ପାଇବା କଥା । ହେଲେ ସେ ପାଇଛନ୍ତି ୫୧୬ ଖଣ୍ଡ । ଆଉ ୨୧ ଖଣ୍ଡ ଭୋଟ ଯେଉଁ ଅଧିକା ପାଇଛନ୍ତି ତାହା କେଉଁ  କେଉଁ ଦଳରୁ ଆସିଛି ଏହା ଉପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଏବଂ ସମସ୍ତଙ୍କ ସନ୍ଦେହ ଓଡିଶାର ବିଜୁ ଜନତା ଦଳ ଏବଂ ବିହାରର ଜେଡିୟୁ ଉପରେ କେନ୍ଦ୍ରୀଭୁତ ହୋଇଛି ।

ରାଷ୍ଟ୍ରପତି ନିର୍ବାଚନରେ ଉଭୟ ଜେଡିୟୁ ଏବଂ ବିଜେଡି, ବିଜେପିର ରାଷ୍ଟ୍ରପତି ପାର୍ଥୀଙ୍କ ପ୍ରତି ସମର୍ଥନ କରିଥିଲେ । ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ଉଭୟ କଂଗ୍ରେସର ପାର୍ଥୀଙ୍କୁ ସମର୍ଥନ ଘୋଷଣା କରିଥିଲେ । ଉଭୟ ଦଳର ମିଶିକରି ଯେତିକି ଭୋଟ ଗୋପାଳକୃଷ୍ଟ ଗାନ୍ଧୀଙ୍କୁ ମିଳିବା କଥା ତା ଠାରୁ ଅନେକ କମ ଭୋଟ ପାଇଛନ୍ତି ଶ୍ରୀଯୁକ୍ତ ଗାନ୍ଧୀ ।

ଜେଡିୟୁର ରାଜନୈତିକ ପଟ୍ଟ ରାଷ୍ଟ୍ରପତି ନିର୍ବାଚନ ବେଳର ଚିତ୍ର ଠାରୁ ପୁରା ବଦଳିଛି । ଦଳ ମହାମେଣ୍ଟରୁ ବାହାରି ଏବେ ବିଜେପି ସହ ଭାଗିଦାରିତାରେ ବିହାରରେ ସରକାର ଗଢିଛି । ତେଣୁ ସେହି ଆଧାରରେ ଭାବିଲେ ଜେଡିୟୁର କିଛି ସାଂସଦ କ୍ରସ ଭୋଟିଙ୍ଗ କରିଥାଇପାରନ୍ତି ଯାହା ଜେଡିୟୁର ନେତୃତ୍ୱଙ୍କ ପାଇଁ ସେତେଟା ଚିନ୍ତାଜନକ ପ୍ରସଙ୍ଗ ନୁହେଁ । କାରଣ ତାଙ୍କ ଦଳ ଏବେ ଖୋଲାଖୋଲା ଏନଡିଏରେ ସାମିିଲ ହୋଇସାରିଲାଣି ।

ଆଉ ରହିଲା ବିଜେଡି କଥା । ବିଜୁ ଜନତା ଦଳ, ଯାହାର କିଛି ସାଂସଦଙ୍କ ବିରୁଦ୍ଧରେ  ବିଜେପି ସହ ସର୍ମ୍ପକ ଥିବା କଥା ସେହି ଦଳର ଅନ୍ୟ ସାଂସଦ ମାନେ ଖୋଲାରେ ଚର୍ଚ୍ଚା କରିସାରିଛନ୍ତି ଏବଂ ପରେ କ୍ରସ ଭୋଟିଙ୍ଗର ଆଶଙ୍କା ସଂଖ୍ୟାରେ ପ୍ରମାଣିତ ହେବା ନିଶ୍ଚିନ୍ତ ଭାବରେ ଆଗାମି ଦିନରେ ଦଳ ପାଇଁ ଖରାପ ସଙ୍କେତ ଦେଉଛି ।

ବିଶେଷ କରି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଖୋଲାଖୋଲା ମୋଦିଙ୍କ କାମ ପ୍ରତି ସମର୍ଥନ, ଭର୍ତୃହରିଙ୍କ ଖବର କାଗଜ ଲେଖା, ଅର୍ଜୁନ ସେଠୀଙ୍କର ବିଭିନ୍ନ ସମୟରେ ଦଳର ବିଧାୟକ ମାନଙ୍କୁ ସମାଲୋଚନା ଇତ୍ୟାଦିକୁ ଦେଖିଲେ ଲାଗୁଥିଲା ବିଜେଡିର ସାଂସଦ ମାନଙ୍କଭିତରେ ସବୁକିଛି ଠିକ ନାହିଁ । ଲାଗୁଥିଲା ଯେପରି ବିଜେପି ଆଡକୁ ଢଳୁଛନ୍ତି ଏହି ସାଂସଦ ମାନେ । ଆଉ ଏତିକି ବେଳେ ଉପରାଷ୍ଟ୍ରପତି ନିର୍ବଚନ ବେଳେ କ୍ରସ ଭୋଟିଙ୍ଗ ହେବା ନିହାତି ଭାବରେ ବିଜେଡିର ଏହିି ଅସନ୍ତୁଷ୍ଟ ସାଂସଦ ମାନଙ୍କ ଆଡେ ଆଙ୍ଗୁଳି ଉଠୁଛି ।

ରାଷ୍ଟ୍ରପତି ନିର୍ବାଚନ ବେଳେ ବିଜୁ ଜନତା ଦଳ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିଲା । ସେହି ସମୟରେ ବିଜୁ ଜନତା ଦଳର ସାଂସଦ ମାନେ ସମସ୍ତେ ରାମନାଥ କୋବିନ୍ଦଙ୍କୁ ହିଁ ଭୋଟ ଦେଇଥିଲେ ଯାହା ଭୋଟ ଫଳାଫଳରୁ ସ୍ପଷ୍ଟ ହୋଇଥିଲା । ଯଦିଓ ତଥାଗତ ଶତପଥୀ ବିଜେପିର ପାର୍ଥୀଙ୍କ ପ୍ରତି ସମର୍ଥନକୁ ନେଇ ନିଜ ଅସନ୍ତୋଷକୁ ଖବର କାଗଜ ଲେଖା ମାଧ୍ୟମରେ ଦେଖାଇଥିଲେ କିନ୍ତୁ ଭୋଟ ଗଣତି ପରେ ସେମିତି କିଛି ହୋଇନଥିବା କଥା ଜଣାପଡିଥିଲା ।

କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନରେ ନବୀନ ବାବୁଙ୍କ ୟୁପିଏ ପାର୍ଥୀଙ୍କ ପ୍ରତି ସମର୍ଥନ ଘୋଷଣାକୁ ସମସ୍ତ ସାଂସଦମାନେ ନମାନିବା ଦୁଇଟି କଥା ଦର୍ଶାଉଛି । ପ୍ରଥମ ହେଲା ନବୀନ ବାବୁଙ୍କର ଦଳ ଉପରେ ଆଗରୁ ଥିବା ନିୟନ୍ତ୍ରଣ କମିଗଲାଣି ଏବଂ ଦେଶରେ ଓ ରାଜ୍ୟରେ ବିଜେପି ବଢୁଥିବାରୁ ବିଜେଡିର କିଛି ସାଂସଦ ବୋଧହୁଏ ୨୦୧୯ ନିର୍ବାଚନକୁ ବିଜେପିର ଡଙ୍ଗାରେ ବସି ପାର ହେବାକୁ ଭିତରେ ଭିତରେ ଯୋଜନା ବନେଇ ସାରିଲେଣି ।

୨୦୧୯ରେ ବିଜେଡି କଂଗ୍ରେସ ମେଣ୍ଟ ହେବ !
ପଂଚାୟତ ନିର୍ବାଚନ ପରେ ଓଡିଶା ରାଜନୀତିରେ ଏକ ପ୍ରକାରର ପରିବର୍ତନର ସମ୍ଭାବନା ତିଆରି ହେଉଛି । ଗୋଟିଏ ପଟରେ ୧୭ ବର୍ଷ ଧରି ଶାସନରେ ଥିବା ବିଜୁ ଜନତା ଦଳ ପ୍ରତି ଲୋକମାନଙ୍କର ସମର୍ଥନ କମୁଛି ଏବଂ ଅନ୍ୟପଟେ ରାଜ୍ୟରେ ୩ ନମ୍ବର ସ୍ଥାନରେ ଥିବା ବିଜେପି ତାର ଭୋଟ ହାରରେ ଆଶାତୀତ ବୃଦ୍ଧିକରି ଦ୍ୱିତିୟ ସ୍ଥାନକୁ ଛୁଇଁ ପାରିଛି । ବିଶେଷକରି ପଂଚାୟତ ନିର୍ବାଚନ ପରେ ଉଭୟ ଦଳର ରାଜନୈିତିକ କାର୍ଯ୍ୟକ୍ରମରେ ଗୋଟେ ପ୍ରକାରର ବଡ ସ୍ପିରିଟ ଆସିଥିବା ପରି ପରିଲକ୍ଷିତ ହୋଇଛି ।

ବିଜୁ ଜନତା ଦଳ ୨୦୧୯ ରେ ନିଜ ସରକାର ବଜାୟ ରଖିବା ପାଇଁ ଚେଷ୍ଟା ଚଲାଇଥିବା ବେଳେ ଭାଜପା ୨୦୧୯ରେ କ୍ଷମତା ଦଖଲ ପାଇଁ ପୁରା କସରତ ଆରମ୍ଭ କରିଦେଇଛି । ଆଉ ଏହି ଲଢେଇରେ ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସର ପଛରେ ପଡିଯାଇଛି । ଦଳର ରାଜନୈତିକ ଗତିବିଧି କେବଳ ନିଜ ଦଳର ସଭାପତି ପରିବର୍ତନରେ ଅଟକି ଯାଇଛି । ରାସ୍ତାରେ ବିକ୍ଷୋଭ କରିବା ବା ସରକାର ବିରୁଦ୍ଧରେ ଆନ୍ଦୋଳନ ପାଇଁ କଂଗ୍ରେସ ଦଳ ଗଣମାଧ୍ୟମରେ ଯେତିକି ଚର୍ଚ୍ଚାକୁ ଆସୁନାହିଁ ତା ଠାରୁ ଅଧିକ ଚର୍ଚ୍ଚାକୁ ଆସୁଛି ନିଜର ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ହଟାଇବା ପାଇଁ ।

ଆଉ ଦଳର ଏ ପ୍ରକାର ସ୍ଥିିତିରେ କଂଗ୍ରେସ ଦଳର କେନ୍ଦ୍ର ନେତୃତ୍ୱ ମଧ୍ୟ ସେପରି କିଛି ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି ଯେଉଁଥିରେ ଅନୁଭବ କରିହେବନି କି ୨୦୧୯ ରେ ବିଜୁ ଜନତା ଦଳକୁ ଶାସନରୁ ହଟାଇବା ଦିଗରେ କଂଗ୍ରେସ ଦଳ ସିରିୟସ ଭାବରେ କାମ କରୁଛି ।

କଂଗ୍ରେସ ଦଳର କେନ୍ଦ୍ର ନେତୃତ୍ୱଙ୍କର ବିଜୁ ଜନତା ଦଳ ପ୍ରତି ନରମ ମନୋଭାବ ଏବଂ ଦେଶରେ ବଦଳୁଥିବା ରାଜନୈତିକ ପରିସ୍ଥିିତି ହୁଏତ କଂଗ୍ରେସ ଦଳ ଏବଂ ବିଜୁ ଜନତା ଦଳ ଭିତରେ ୨୦୧୯ରେ ମେଣ୍ଟ ହୋଇପାରେ ଏଭଳି ଅନୁମାନକୁ ଏଡାଯାଇନପାରେ ।

କାରଣ କେନ୍ଦ୍ରରେ କଂଗ୍ରେସ ଦଳର ଏକମାତ୍ର ଲକ୍ଷ୍ୟ ହେଉଛି ବିଜେପି କୁ ରୋକିବା ଯାହା ରାହୁଲ ଗାନ୍ଧୀ  ଭଲଭାବରେ ଜାଣିଛନ୍ତିକି ତାଙ୍କ ଦଳ ବତର୍ମାନ ପରିସ୍ଥିତିରେ ଏକା କରିପାରିବେ ନାହିଁ । ତେଣୁ ମହାମେଣ୍ଟର ପରିକଳ୍ପନା କରି ସମସ୍ତ ଅଣଭାଜପା ଦଳ ମାନଙ୍କୁ ଗୋଟିଏ ପ୍ଲାଟଫର୍ମକୁ ଆଣିବାର ଚେଷ୍ଟା କଂଗ୍ରେସ ଦଳ କରି ଆସୁଛି । ଏପରିକି ଅତୀତରେ କଂଗ୍ରେସର ପୁରା ବିରୋଧୀ ଥୀବା ଦଳ ମାନେ ଯେପରିକି ବିଏସପି, ଜେଡିୟୁ, ସପା, ଆରଜେଡି, ତୃଣମୁଳ କଂଗ୍ରେସଙ୍କୁ କଂଗ୍ରେସ ଦଳ ଗୋଟିଏ ମଂଚରେ ଏକାଠି ରଖିବାର ପ୍ରୟାସ କରି ଆସିଛି ।

ଅବଶ୍ୟ ଜେଡିୟୁ କୁ ଛାଡିଦେଲେ ଅନ୍ୟମାନେ ସମସ୍ତେ କଂଗ୍ରେସ ଠାରୁ ଏବେ ସୁଦ୍ଧା ଦୁରେଇ ନାହାଁନ୍ତି । ଏହି ପରିସ୍ଥିତିରେ ଓଡିଶା ଭଳି ରାଜ୍ୟ ଯେଉଁଠି ବିଜେପି ଆଗଉଛି ସେଠି ଶାସନରେ ଥିବା ବିଜୁ ଜନତା ଦଳ ଭଳି ଶକ୍ତିଶାଳି ଅାଂଚଳିକ ଦଳ ସହ ହାତ ମିଳେଇବା କଂଗ୍ରେସ ପାଇଁ ଲାଭ ହୋଇପାରେ ବୋଲି କଂଗ୍ରେସର କେନ୍ଦ୍ର ନେତୃତ୍ୱ ଚିନ୍ତା କରିପାରନ୍ତି । ଏବଂ ଯଦି ଏପରି କିଛି ସମ୍ଭାବନା ତିଆରି ହୁଏ ତା ହେଲେ କଂଗ୍ରେସ ଏଥିରେ ଖୁସି ହିଁ ହେବ ଏଥିରେ କୌଣସି ସନ୍ଦେହ ନାହିଁ ।

ଆଉ ରହିଲା ଓଡିଶା କଂଗ୍ରେସ ଦଳର ରାଜ୍ୟ ସ୍ତରିୟ ନେତା ମାନଙ୍କ କଥା । ଦୀର୍ଘ୍ୟ ଦିନ ଧରି କ୍ଷମତା ଠାରୁ ଦୁରରେ ଥିବା ଏବଂ କ୍ଷମତାକୁ ଆସିଲା ପାଇଁ ଏକେଲା ଲଢେଇ କଲାଭଳି ଶକ୍ତି ନଥିବା ବେଳେ ଯଦି ଶାସନକୁ ଆସିପାରିବା ଭଳି ସୁଯୋଗ ମିଳୁଛି ତା ହେଲେ ନିଶ୍ଚିନ୍ତ ଭାବେ ରାଜ୍ୟ କଂଗ୍ରେସ ନେତା ମାନେ ଏଥିରେ ସମ୍ମତି ପ୍ରକାଶ କରିବେ ।

ସେହିପରି ବିଜୁ ଜନତା ଦଳର ନିଜ ଦଳୀୟ ଆକଳନ ଅନୁସାରେ କଂଗ୍ରେସର ଭୋଟ କମିବା ଫଳରେ ବିଜେପି ପଂଚାୟତ ନିର୍ବାଚନରେ ଭଳ ଫଳ କରିପାରିଲା ଓ ବିଜେଡି ଠାରୁ ୨୦୦ ପାଖାପାଖି ଜିଲ୍ଲା ପରିଷଦ ଆସନ ଛଡାଇନେଇପାରିଲା । ତିନି ଦଳର ଲଢେଇ ଏବଂ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ବିଜେପି ପାଇଁ ବୋନସ ହେଉଛି । ଏହି ସ୍ଥିତିରେ ଯଦି କଂଗ୍ରେସକୁ କିଛି ଆସନ ଦେଇ ମିଶି କରି ଲଢାଯାଏ ତା ହେଲେ ଉଭୟଙ୍କ ଭୋଟ ମିଶିଗଲେ ଭାଜପାକୁ ସେମାନେ ହରାଇପାରିବେ ।

ଗତ ବିହାର ନିର୍ବଚନ ଏବଂ ଉତ୍ତର ପ୍ରଦେଶ ନିର୍ବାଚନର ଫଳାଫଳ ଏବଂ ସମୀକରଣକୁ ଯଦି ନବୀନ ବାବୁ ବିଶ୍ଳେଷଣ କରିଥିବେ ତା ହେଲେ ୨୦୧୯ ରେ କଂଗ୍ରେସ ଏବଂ ବିଜେଡି ମେଣ୍ଟ ହେବା ଦିଗରେ ନିଶ୍ଚୟ କାର୍ଯ୍ୟ କରୁଥିବେ ।

ଓଡିଆରେ ଗୋଟିଏ ଲୋକ କଥା ଅଛି ନଇରେ ପାଣି ବଢିଲେ ବନ୍ଧରେ ରହୁଥିବା ସାପ ଆଉ ନେଉଳ ଏକାଠି ହୋଇ ଜୀବନ ବଂଚାନ୍ତି । ସହଜେ ତ ଏଇ ହେଉଛି ରାଜନୈତିକ ଖେଳ । ଏଠି କିଛିବି ହୋଇପାରେ !

କଣ ଥିଲା ପ୍ୟାରୀବାବୁଙ୍କ ବ୍ରହ୍ମୋସ୍ତ୍ର ? ବିଜେଡି ଆକାଉଣ୍ଟରେ ବେନାମୀ ପଇସା ଜମା କଥା ଜାଣିଥିଲେ କି ପ୍ୟାରୀ ବାବୁ ?
ତାଙ୍କୁ କୁହାଯାଉଥିଲା ବିଜେଡିର ଚାଣକ୍ୟ । ମୁଖ୍ୟମନ୍ତ୍ରୀ ନଥାଇ ବି ମନ୍ତ୍ରୀମଣ୍ଡଳର ଅଧା ସଦସ୍ୟ ତାଙ୍କ ପାଦଧୂଳି ନେବାରେ ନିଜକୁ ଗର୍ବ ଅନୁଭବ କରୁଥିଲେ । ମନ୍ତ୍ରୀମଣ୍ଡଳରେ କିଏ କେଉଁ ବିଭାଗ ପାଇବ, କାହା ଟିକେଟ କଟିବ କାହା ଟିକେଟ ରହିବ, ରାଜ୍ୟ ସଭାକୁ କିଏ ଯିବ, ବିଜେଡିର ଜିଲ୍ଲା ସଭାପତି କିଏ ହେବ ଏ ତମାମ ପ୍ରସଙ୍ଗରେ ନିଷ୍ପତ୍ତି ନେବାରେ ସେ ହିଁ ଥିଲେ ଏକମାତ୍ର ଲୋକ । ଆଜିର ବିଜୁ ଜନତା ଦଳରେ ରହିଥିବା ଅଧୀକାଶଂ ତୁଙ୍ଗ ନେତାଙ୍କୁ ସେ ହିଁ ରାଜନୀତିରେ ଲିଫ୍ଟ ଦେଇଥିଲେ । ସେ ହେଉଛନ୍ତି ଦିଂବଗତ ନେତା ପ୍ୟାରିମୋହନ ମହାପାତ୍ର । ବିଜୁ ଜନତା ଦଳର ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଏକାକୀ ସରକାର ଆସିବାର ପରିକଳ୍ପନା ସେ ହିଁ କରିପାରିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ ।

ଉଭୟ ରାଜନୀତି ଏବଂ ଅମଲାତନ୍ତ୍ରର ଅଭିଜ୍ଞତା ଥିବା ଶ୍ରୀ ମହାପାତ୍ର ଅତି ଚତୁରତାର ସହିତ ଓଡିଶା ରାଜନୀତିରେ ବିଜୁ ଜନତା ଦଳର ଚେରକୁ ମଜବୁତ କରିପାରିଥିଲେ ।

କିନ୍ତୁ ସବୁକିଛି ଓଲଟି ଯାଇଥିଲା ମେ ୨୯, ୨୦୧୨ ପରେ । ପ୍ୟାରିମୋହନ ମହାପାତ୍ରଙ୍କୁ କ୍ଷମତା ଦଖଲ ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ବିଜୁ ଜନତା ଦଳରୁ ବହିଷ୍କାର କରିଲେ । ସେବେଠାରୁ ପ୍ୟାରିମୋହନ ମହାପାତ୍ର ଜୀବନରେ ଶେଷଦିନ ଯାଏ ଆଉ ବିଜୁ ଜନତା ଦଳ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାଲିସ କରି ନଥିଲେ କି ଚେଷ୍ଟା କରିନଥିଲେ । ବଂର ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଅନେକ ବାର ସଙ୍ଗୀନ ଅଭିଯୋଗ ମାନ ଆଣିଥିଲେ ।

ବିଜୁ ଜନତା ଦଳରୁ ବିଦା ହେବା ପରେ ପ୍ୟାରି ବାବୁ ଆରମ୍ଭ କରିଥିଲେ ନୁଆ ଦଳ ଓଡିଶା ଜନ ମୋର୍ଚ୍ଚା । ପ୍ୟାରି ବାବୁ ସେତେବବେଳେ ଦାବି କରୁଥିଲେ ଯେ ତାଙ୍କ ପାଖେ କୁଆଡେ ବିଜେଡି କୁ ଧ୍ୱସଂ କଲାଭଳି ବ୍ରହ୍ମୋସ୍ତ୍ର ଅଛି । ଠିକଣା ସମୟରେ ସେ ଏହାକୁ ଖୁଲାସା କରିବେ ବୋଲି କହିଥ୍ୟିଲେ ।

କଣ ଥିଲା ଏ ବ୍ରହ୍ମୋସ୍ତ୍ର ସେ ପ୍ରସଙ୍ଗରେ ରାଜନୈତିକ ଚର୍ଚ୍ଚା ଜୋର ଧରିଥିଲା ।

ହେଲେ ଏହାର କିଛି ଖୁଲାସା ନା ପ୍ୟାରି ବାବୁ କରିପାରିଥିଲେ ନା ଓଡିଶା ଜନମୋର୍ଚ୍ଚାର ଆଉ କେଉଁ ନେତା । ଏ ତମାମ ଘଟଣା ବେଳେ ଜୀବନର ଅପରାହ୍ନରେ ପହଂଚିଯାଇଥିବା ପ୍ୟାରି ବାବୁ ଏହାପରେ ଶାରିରୀକ ଅଶୁସ୍ଥତା କାରଣରୁ ଚିକିସ୍ତ୍ରାଧୀନ ଅବସ୍ଥାରେ ବହୁତ ଦିନ ରହିଲେ ଏବଂ ଶେଷରେ ଶେଷନିଶ୍ୱାସ ତ୍ୟାଗ କଲେ ।
ଏ ବ୍ରହ୍ମୋସ୍ତ୍ର କଣ ଥିଲା ଏବଂ ଏହା ବିଜୁ ଜନତା ଦଳକୁ କିପରି ଅଡୁଆରେ ପକାଇଥାନ୍ତା ସେ ସମସ୍ତ କଥା ସେହିଦିନଠାରୁ ଅନ୍ଧକାରରେ ରହିଗଲା ।

ହେଲେ ଏବେ ବିଜୁ ଜନତା ଦଳକୁ ବେନାମୀ ଆକାଉଣ୍ଟରୁ ପଇସା ଆସିବା, କିଛି ବିପିଏଲ କାର୍ଡଧାରୀ ଲୋକ ବିଜେଡି ଖାତାରେ କୋଟି କୋଟି ଟଙ୍କା ଜମା କରିବା ଏବଂ ବିଜେଡି ପାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ପ୍ରଦାନ ତଥ୍ୟରେ ତାଳମେଳ ରହିନଥିବା ଭଳି ସଙ୍ଗୀନ ଅଭିଯୋଗମାନ ଆସିଛି । ଯଦିଓ ନିର୍ବାଚନ ଖର୍ଚ୍ଚ ସମ୍ବଦ୍ଧିୟ ସମସ୍ତ ତଥ୍ୟ ୨୦୧୪ ମସିହାର କିନ୍ତୁ ବିଜେଡି ଆକାଉଣ୍ଟରେ ବେନାମୀ ଟଙ୍କା ଜମା ହେବାର ସମୟ ହେଉଛି ୨୦୧୦ ରୁ ୨୦୧୨- ୧୩ ମଧ୍ୟରେ । ଯେଉଁ ସମୟରେ ବିଜେଡିରେ ପ୍ୟାରି ମହାପାତ୍ର ନିଜେ ଦଳରେ ଥିଲେ ।

ତା ହେଲେ ପ୍ୟାରୀ ବାବୁଙ୍କର ବ୍ରହ୍ମୋସ୍ତ୍ର ଉପଖ୍ୟାନଟି ବିଜେଡି ଖାତାରେ ବେନାମୀ ଖାତାରୁ ପଇସା ଆସି ଜମା ହେବା ପ୍ରସଙ୍ଗ ଥିଲା କି ?

ଯଦି ଥିଲା ସେ ପଇସା କିଏ ଦେଲା, ସେ ପଇସାର ଉସ୍ତ୍ର କଣ ଥିଲା ତାର ମଧ୍ୟ ଖୁଲାସା ହେବା ଦରକାର । କାରଣ ରାଜ୍ୟରେ ଚିଟଫଣ୍ଡ ଠକେଇର ବେପାର ସେହି ସମୟରେ ହିଁ ଶିଖରରେ ପହଂଚିଥିଲା । ଆଜି ପ୍ୟାରି ବାବୁ ନାହାନ୍ତି ନହେଲେ ଏ ପ୍ରସଙ୍ଗରେ ଅନେକ ପ୍ରଶ୍ନର ଉତ୍ତର ନିଜେ ଦେଇପାରିଥାନ୍ତେ ।

କୃଷକ ସମସ୍ୟା ଏବଂ ତାହାର ସମାଧାନ
ମଧ୍ୟପ୍ରଦେଶର ମନ୍ଦସୌରଠାରେ କୃଷକମାନଙ୍କ ଦ୍ୱାରା କରାଯାଇଥିବା ଆନ୍ଦୋଳନ ଯେପରି ଭାବରେ ଉଗ୍ରରୂପ ଧାରଣ କରି ପ୍ରାନ୍ତର ବିଭିନ୍ନ ଅଞ୍ଚଳ ତଥା ମହାରାଷ୍ଟ୍ର ଆଦି ଅନ୍ୟାନ୍ୟ ପ୍ରଦେଶକୁ ପରିବ୍ୟାପ୍ତ ହେଲା ତାହା ବାସ୍ତବରେ ସରକାର ଏବଂ ଦେଶବାସୀଙ୍କ ନିମନ୍ତେ ଏକ ଚିନ୍ତାର କାରଣ ଅଟେ । ସେଠାରେ କୃଷକ ଆନ୍ଦୋଳନ ଦ୍ୱାରା ସୃଷ୍ଟ ହିଂସା, ଅରାଜକତା ଏବଂ ଫଳସ୍ୱରୂପ ୬ ଜଣଙ୍କର ପୋଲିସ ଗୁଳିରେ ମୃତ୍ୟୁ ଘଟିବାକୁ ଦୁର୍ଭାଗ୍ୟଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ । କୌଣସି ହିଂସ ଆନ୍ଦୋଳନକୁ ବିନା କ୍ଷୟକ୍ଷତିରେ ନିୟନ୍ତ୍ରଣ କରିବାରେ ଅସଫଳତା ଆମ ଦେଶର ପୋଲିସ ବିଭାଗ ସକାଶେ ଏହା ପ୍ରଥମ ଉଦାହରଣ ନିଶ୍ଚୟ ନୁହେଁ । ଆମ ପୋଲିସର କାର୍ୟ୍ୟପ୍ରଣାଳୀକୁ ନେଇ ଯଦିଓ ବାରମ୍ବାର ବିତର୍କର ସୂତ୍ରପାତ ହୋଇଆସୁଛି, ଏପରିକି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ମଧ୍ୟ ଏକାଧିକ ବାର ନିର୍ଦ୍ଦେଶ ଜାରି କରାଯାଇଛି ତଥାପି ରାଜ୍ୟ ସରକାରମାନଙ୍କର ନିଦ୍ରାଭଗ୍ନ ହେବାର ଅଦ୍ୟାବଧି କୌଣସି ସୂଚନା ଦୃଷ୍ଟିଗୋଚର ହେଉନାହିଁ । ଏ ଦୃଷ୍ଟିରୁ ଏତିକି କହିଲେ ଯଥେଷ୍ଟ ହେବ ଯେ, ଅବିଳମ୍ବେ ପୋଲିସ ବିଭାଗର ସଂସ୍କାର, ଆଧୁନିକୀକରଣ ତଥା ପାରଦର୍ଶୀପୂର୍ଣ୍ଣ ପ୍ରଶିକ୍ଷଣ ଇତ୍ୟାଦି ସମୟର ଆବଶ୍ୟକତା ଅଟେ, ଯାହାକୁ ଦୁର୍ଲକ୍ଷ କରାଯିବା ସର୍ବାଦୌ ଅନୁଚିତ ।

ବିଗତ ଉତ୍ତରପ୍ରଦେଶର ନିର୍ବାଚନୀ ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଇ ପରବର୍ତ୍ତୀ ସମୟରେ ଯୋଗୀ ସରକାରଙ୍କ ଦ୍ୱାରା ସେଠାରେ ଚାଷୀମାନଙ୍କର କରଜକୁ ମାଫ କରାଯିବା ଫଳରେ ବିଜେପି ସରକାର ଥିବା ଅନ୍ୟ ପ୍ରଦେଶମାନଙ୍କରେ ମଧ୍ୟ ଏପରି ଦାବି ଉଠିବା ସ୍ୱଭାବିକ ବୋଲି ମନେ କରାଯାଉଥିଲା । ସେଇକ୍ରମରେ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ କୃଷକ ସଙ୍ଗଠନ ତଥା ବିରୋଧୀ ରାଜନୈତିକ ଦଳମାନଙ୍କ ଦ୍ୱାରା କୃଷକମାନଙ୍କୁ ସଙ୍ଗଠିତ କରାଯାଇ ଋଣ ମାଫ୍‌ ପାଇଁ ଦାବି ଉପସ୍ଥାପିତ କରାଗଲା । ଏହାସହ ତାମିଲନାଡୁ  ଏବଂ ପଞ୍ଜାବରେ ଏପରି ଦାବି ବଢ଼ୁଥିବା ବେଳେ ଝାଡଖଣ୍ଡ ଓ ଓଡିଶାରେ ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରିବା ଅଥବା ଗୁରୁତ୍ୱ ଦେବାକୁ ନାରାଜ । ଏ ମଧ୍ୟରେ ଋଣଛାଡ ସକାଶେ କଟକରେ କୃଷକ ଆନ୍ଦୋଳନ ହୋଇ ପ୍ରାୟ ୫୦ ଜଣ ଗିରଫ ହେବା ଘଟଣା ନିଶ୍ଚୟ ଉଲ୍ଲେଖଯୋଗ୍ୟ । କିନ୍ତୁ ଚାଷୀ ଆତ୍ମହତ୍ୟା ପରେ ଝାଡଖଣ୍ଡ ସରକାରଙ୍କ ଚେତା ପଶିଛି । ଏଣୁ ସେଠାକାର ରାଜ୍ୟ ସରକାର, ଚାଷୀମାନେ ନେଉଥିବା କୃଷି ଋଣ ଉପରେ କର ହ୍ରାସ କରିବା ପାଇଁ ଫଇସଲା କରିଛନ୍ତି । କୃଷକମାନେ ପୂର୍ବରୁ ଏପରି ଋଣ ଉପରେ ୯ ପ୍ରତିଶତ କର ଦେଉଥିବା ବେଳେ ଏବେ ସେମାନଙ୍କୁ ମାତ୍ର ୧ ପ୍ରତିଶତ ସୁଧ ଦେବାକୁ ପଡିବ । କାରଣ କେନ୍ଦ୍ର ସରକାର ଏବେ ସେଥିମଧ୍ୟରୁ ୫ ପ୍ରତିଶତ ରିହାତି ଦେବା ପାଇଁ ନିଷ୍ପତ୍ତି କରିଛନ୍ତି ଏବଂ ଝାଡଖଣ୍ଡ ରାଜ୍ୟ ସରକାର ମଧ୍ୟ ଆଉ ୩ ପ୍ରତିଶତ କର ସେଥିରୁ ଛାଡ କରିଦେବେ । ଫଳରେ ଚାଷୀମାନଙ୍କୁ ମାତ୍ର ୧ ପ୍ରତିଶତ କର ଦେବାକୁ ପଡିବ ।

ଘୋଷଣା ଅନୁଯାୟୀ କେନ୍ଦ୍ର ସରକାର ଅଧିକତମ ତିନିଲକ୍ଷ ପର୍ୟ୍ୟନ୍ତ କୃଷି ଋଣ ଉପରେ ଏହି ରିହାତି ଦେବେ ଯେଉଁଥିପାଇଁ ତାଙ୍କୁ ୧୯୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ । ବିଗତ ବର୍ଷମାନଙ୍କରେ କୃଷି ବାବଦ କରଜ ବ୍ୟାଙ୍କମାନଙ୍କ ସକାଶେ ସମସ୍ୟା ସୃଷ୍ଟି କରିଛି । ୨୦୧୪-୧୫ରେ ଏହି ଋଣ ୮.୪ ଲକ୍ଷ କୋଟି ଥିଲା । ସେଇପରି ୨୦୧୫-୧୬ରେ ତାହା ୯.୧ କୋଟି ଲକ୍ଷ କୋଟି ଥିବା ବେଳେ ୨୦୧୬-୧୭ ବର୍ଷରେ ଏହା ୯.୬ ଲକ୍ଷ କୋଟି ହୋଇଛି । ଏଠାରେ ଏହା ଉଲ୍ଲେଖନୀୟ ଯେ ବ୍ୟାଙ୍କମାନଙ୍କ ଉପରେ ଆର୍ଥିକ ବୋଝ ବଢ଼ିବା ଦ୍ୱାରା ତାହାର ପରିଣାମ ପ୍ରତ୍ୟକ୍ଷ ଭାବରେ ସାଧାରଣ ଜନତାଙ୍କ ଉପରେ ପଡିବା ନିଶ୍ଚିତ । ଏହା ଫଳରେ କୌଣସି ବି ବ୍ୟାଙ୍କ ଋଣ ଉପରେ ସୁଧ ଦରରେ ଅଭିବୃଦ୍ଧି ମଧ୍ୟ ଘଟିବ । କୌଣସି ବି ଋଣ ଉପରେ ସୁଧ ଦରରେ ଅଭିବୃଦ୍ଧି ଘଟିବ । ଏତଦ୍‌ବ୍ୟତୀତ ଏହାର ଅନ୍ୟ ଏକ ପରିଣାମ ହେଉଛି କି ଏହା ମୂଲ୍ୟ ବୃଦ୍ଧିକୁ ମଧ୍ୟ ପ୍ରଶୟ ଦେବ । ଏବେ ସମଗ୍ର ଦେଶରେ ଯଦି କୃଷକମାନେ ଏହି ଋଣ ଛାଡ ପାଇଁ ଦାବି କରନ୍ତି ତେବେ ତାହା ଦେଶର ଅର୍ଥବ୍ୟବସ୍ଥା ଉପରେ ୯ ଲକ୍ଷ କୋଟିର ଅତିରିକ୍ତ ବୋଝ ସୃଷ୍ଟି କରିବା ସୁନିଶ୍ଚିତ । ପୂର୍ବରୁ ଆନ୍ଧ୍ରପ୍ରଦେଶ ସରକାର କୃଷିଜନିତ ପ୍ରାୟ ୪୦ ହଜାର କୋଟି ଋଣ ଛାଡ କରିଥିଲେ । ଉତ୍ତରପ୍ରଦେଶ ସରକାର ୩୬ ହଜାର କୋଟି କରଜ ମାଫ୍‌  କରିବା ପାଇଁ ଘୋଷଣା କରିଛନ୍ତି । ସେହିପରି ମହାରାଷ୍ଟ୍ର ଓ ତେଲେଙ୍ଗାନାରେ ଯଥାକ୍ରମେ ୩୦ ହଜାର ଏବଂ ୧୭ ହଜାର କୋଟି ଋଣ ମାଫ ହେବ । ମଜ୍ଜାର କଥା ହେଉଛି ଏବେ ମଧ୍ୟ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ମହାରାଷ୍ଟ୍ର  ତଥା ପଞ୍ଜାବ ପ୍ରଦେଶରେ ଯଥାକ୍ରମେ ୩.୭୫ ଲକ୍ଷ କୋଟି, ୧.୧୧ ଲକ୍ଷ କୋଟି, ୩.୫ ଲକ୍ଷ କୋଟି ଏବଂ ୧.୨ ଲକ୍ଷ କୋଟି ମୋଟ କୃଷି ଋଣ ଆଦାୟ ନହୋଇ ପଡିରହିଛି ।

ଏହି ପରିପ୍ରେକ୍ଷୀରେ ଗଭୀର ଅନୁଶୀଳନ କଲେ ଏହା ସ୍ପଷ୍ଟ ହେବ ଯେ କୃଷକମାନଙ୍କ ହିତୈଷୀ ବୋଲାଉଥିବା ରାଜନୈତିକ ଦଳ, କୃଷକ ସଙ୍ଗଠନ ଓ ଶସ୍ତା ଲୋକପ୍ରିୟତା ଚାହୁଁଥିବା ରାଜନେତାମାନେ ଏପରି ଏକ ଧାରଣା ସୃଷ୍ଟି କରି ଦେଇଛନ୍ତି ସତରେ  ଯେମିତି ଋଣଛାଡ ବ୍ୟତୀତ କୃଷକମାନଙ୍କର ସମସ୍ୟାର ସମାଧାନର କୌଣସି ଅନ୍ୟମାର୍ଗ ହିଁ ନାହିଁ । ସବୁଠୁଁ ବିଡମ୍ବନାର ବିଷୟ ହେଉଛି ଏହି ଋଣଛାଡ ବ୍ୟବସ୍ଥା  ସହଜ ରାଜନୀତିକ ଲାଭ ପାଇଁ ମାର୍ଗ ପ୍ରଶସ୍ତକାରୀ ହେବା ସଙ୍ଗେ ସଙ୍ଗେ କୃଷକମାନଙ୍କର ଜଟିଳ ରୋଗ ସକାଶେ ଚିରସ୍ଥାୟୀ ନିଦାନ ହେବା ପରିବର୍ତ୍ତେ ବରଂ ଛୋଟ ମୋଟ କିଛି  ଲକ୍ଷଣ ସମୂହର ସ୍ୱଳ୍ପକାଳୀନ ଉପଚାର  ମାତ୍ର ହୋଇ ଛିଡାହେବ । ଏହାସତ୍ୟ ଯେ ଆଲୋଚିତ ଋଣଛାଡ ଯୋଜନା ଦ୍ୱାରା କରଜ ପରିଶୋଧ କରୁନଥିବା କୃଷକମାନଙ୍କୁ ତ ଲାଭ ମିଳିଯାଏ କିନ୍ତୁ ଯେଉଁମାନେ ନିଷ୍ଠାର ସହ ଋଣ ପୂର୍ବରୁ ପରିଶୋଧ କରି ଦେଇଥାନ୍ତି ସେମାନେ ନିଜକୁ ନିଜେ ଠକି ଯାଇଥିବା ଅନୁଭବ କରନ୍ତି ଓ ସେଥିପାଇଁ ଅନୁତପ୍ତ ମଧ୍ୟ ହୁଅନ୍ତି । ଏଣୁ ଏପରି ପଦକ୍ଷେପ ଯେ କୃଷକମାନଙ୍କ ଗମ୍ଭୀର ସମସ୍ୟାର ଅସ୍ଥାୟୀ ଉପଚାର ମାତ୍ର ଏଥିରେ ସନ୍ଦେହର ଅବକାଶ ନାହିଁ ।

ଏଥି ସକାଶେ କୃଷକମାନଙ୍କୁ ଋଣ ଭାରର ଦୁଶ୍ଚକ୍ରରୁ ମୁକ୍ତ କରିବା ନିମିତ୍ତ ନୂତନ ଯୋଜନା ଗ୍ରହଣ କରାଯିବାର ଆବଶ୍ୟକତା ରହିଛି । ପ୍ରକୃତ ତଥ୍ୟ ହେଉଛି କୃଷି ଉପରେ ଯେତିକି ସଂଖ୍ୟକ ଲୋକ ନିର୍ଭର କରିବା କଥା ତାଠୁଁ ଅନେକ ବେଶୀ ନିର୍ଭର କରୁଛନ୍ତି । ଏଣୁ କୃଷି କ୍ଷେତ୍ରକୁ ବାଦ୍‌ ଦେଇ ରୋଜଗାର ପାଇଁ ପର୍ୟ୍ୟାପ୍ତ ଅବସର ସରକାରଙ୍କ ଦ୍ୱାରା ସୃଜିତ ହେବା ଜରୁରୀ । ଦ୍ୱିତୀୟରେ କୃଷି ପାଇଁ ଆବଶ୍ୟକ ହେଉଥିବା ଅର୍ଥ ସାଧାରଣତଃ ବିହନ, ଜଳସେଚନ, ସାର ଓ କୀଟନାଶକ ଆଦି କ୍ରୟ କରିବା ସକାଶେ ବ୍ୟୟିତ ହୋଇଥାଏ । ଏହି ସମସ୍ତ ବ୍ୟବସ୍ଥାର ପ୍ରବନ୍ଧନ ଯଦି ସରକାରଙ୍କ ଦ୍ୱାରା କରାଯାଇପାରେ ତେବେ କୃଷକମାନଙ୍କୁ କୌଣସି ବ୍ୟାଙ୍କ ବା ଗାଉଁଲି ମହାଜନଙ୍କ ଠାରୁ କରଜ କରିବା ଆବଶ୍ୟକ ପଡିବ ନାହିଁ । ତୃତୀୟରେ କୃଷକମାନେ ନିଜ ଉତ୍ପାଦନର ଉଚିତ ମୂଲ୍ୟ ମଧ୍ୟ ପାଇପାରୁ ନାହାନ୍ତି । ସେମାନଙ୍କ ରୋଜଗାରକୁ ମଧ୍ୟସ୍ଥି ବା ବ୍ୟବସାୟୀମାନେ ଆତ୍ମସାତ କରୁଛନ୍ତି କାରଣ ଉତ୍ପାଦନ ଅଧିକ ହେଲେ ମଧ୍ୟ ତାହାକୁ ଶାଗ ମାଛ ଦରରେ କୃଷକମାନେ ମଧ୍ୟସ୍ଥିମାନ୍କ ଜରିଆରେ ବିକ୍ରି କରିବା ପାଇଁ ବାଧ୍ୟ ହୋଇଥାନ୍ତି । ବେଳେବେଳେ କୋଲ୍‌ଡଷ୍ଟୋରେଜ ତଥା ବ୍ୟାପକ ସଂରକ୍ଷଣ ବ୍ୟବସ୍ଥା ଅଭାବରୁ ଉତ୍ପାଦିତ ଶସ୍ୟ ଅଥବା ପନିପରିବା ପଚିସଢ଼ି ନଷ୍ଟ ହେଉଥିବା ଦେଖାଯାଏ । ଅଧିକ ଉତ୍ପାଦନ ଅଧିକ ଲାଭ ଦେବା ପରିବର୍ତ୍ତେ ଏହା କୃଷକମାନଙ୍କ ସକାଶେ ଅଭିଶାପ ସଦୃଶ ହୋଇ ଛିଡାହୁଏ । ସବୁଁଠୁ ବିଡମ୍ବନା ବିଷୟ ହେଉଛି ଏପରି କୃଷି ଉତ୍ପାଦିତ ସାମଗ୍ରୀଗୁଡିକର ସଂରକ୍ଷଣ ବ୍ୟବସ୍ଥା ପାଇଁ ଯେଉଁ ବ୍ୟାପକ ଢ଼ାଞ୍ଚା ଗତ ପ୍ରବନ୍ଧନ ଆବଶ୍ୟକ ତାହା ସ୍ୱାଧୀନତା ପ୍ରାପ୍ତିର ୭୦ ବର୍ଷର ସୁଦୀର୍ଘ ଅବଧି ମଧ୍ୟରେ କୌଣସି ବି ସରକାର ସଫଳତାର ସହ ପୂରଣ କରିପାରି ନାହାନ୍ତି । ମୋଦି ସରକାର ଯଦି ଏହା କରିପାରନ୍ତି ତେବେ ଇତିହାସରେ ତାଙ୍କର ନାମ ନିଶ୍ଚୟ ଲିପିବଦ୍ଧ ହୋଇ ରହିଯିବ । ଏଥିପାଇଁ ବ୍ୟାପକ ନିବେଶ ସକାଶେ  ସରକାର ଅବିଳମ୍ବେ ଧ୍ୟାନ ଦେବା ସମୟର ଆବଶ୍ୟକତା ଅଟେ । ଏତଦ୍‌ବ୍ୟତୀତ ଫସଲବୀମା ଯୋଜନାର ବଳୟକୁ ପରିବର୍ଦ୍ଧିତ କରାଯାଇ ମରୁଡି ବ୍ୟତୀତ କୃଷି ଉପଯୁକ୍ତ ବିପ୍‌ପଣନ ପ୍ରକ୍ୟିା ସମାପ୍ତି ପର୍ୟ୍ୟନ୍ତ ହେଉଥିବା ଯେ କୌଣସି କ୍ଷୟକ୍ଷତିକୁ ବୀମାରାଶି ମଧ୍ୟରେ ଭରଣା କରାଯିବା ଏକାନ୍ତ ଆବଶ୍ୟକ ମନେହୁଏ। ଯାହାଦ୍ୱାରା କୃଷକଋଣ, ଋଣଛାଡ ଆଦିକୁ ଅପେକ୍ଷା ନରଖି ମଧ୍ୟ ଚାଷ ଦ୍ୱାରା ଲାଭାନ୍ୱିତ ହୋଇ ନିଜ ଗୁଜୁରାଣ ମେଣ୍ଟାଇ ପାରିବ । କୃଷକମାନଙ୍କର ଆୟକୁ ୨୦୨୨ ସୁଦ୍ଧା ଦୁଇଗୁଣ କରିବା ନିମିତ୍ତ ମୋଦି ସରକାର ଯେଉଁ ପ୍ରଶଂସୀୟ ଲକ୍ଷ୍ୟ ଧାର୍ୟ୍ୟ କରିଅଛନ୍ତି । ସେଥିପାଇଁ ଉପରୋକ୍ତ ବିନ୍ଦୁଗୁଡିକ ବିଚାରକୁ ନେବା ଯେ ଉପଯୋଗୀ ସିଦ୍ଧ ହେବ ଏଥିରେ ସନ୍ଦେହର ଅବକାଶ ନାହିଁ ।

ଗୁରୁପ୍ରିୟା ସେତୁ ଭାଙ୍ଗିଗଲା ନା ଜାଣିଶୁଣି ଭାଙ୍ଗିଦେଲେ ?
ବହୁ ପ୍ରତିକ୍ଷିତ ଏବଂ ନିହାତି ଗୁରୁତ୍ବପୁର୍ଣ୍ଣ ଗୁରୁପ୍ରିୟା ସେତୁର ନିର୍ମାଣଧୀନ ଅଂଶ ପୁଣି ଭୁଷୁଡିଛି । ରାଜ୍ୟ ସରକାରଙ୍କ ସେତୁ ସରିବାର ଲକ୍ଷ୍ୟଧାର୍ଯ୍ୟ ସମୟ ସୀମାକୁ ତାଳଦେଇ ଥରକୁ ଥରକୁ ଭାଙ୍ଗୁଛି ନିର୍ମାଣଧୀନ ଗୁରୁପ୍ରିୟା ସେତୁ । ନକ୍ସଲ ସମସ୍ୟାର ସମାଧାନ ସହ ବିଛିନ୍ନାଂଚଳ ସହ ଯୋଗାଯୋଗକୁ ସହଜ କରିବାପାଇଁ ନିର୍ମାଣ ହେଉଥିବା ଏହି ସେତୁ ଆଦିିବାସୀ ମାନଙ୍କର ଅର୍ଥନୈତିକ ବିକାଶ ସହ ନକ୍ସଲ ହଟାଇ ଶାନ୍ତି ପ୍ରତିଷ୍ଠାରେ ଅତ୍ୟନ୍ତ ସହାୟକ ହୋଇପାରିବ ।

ହେଲେ ଏହି ସେତୁ କେବେ ସରିବ ତାକୁ ନେଇ ଉଠୁଛି ପ୍ରଶ୍ନ । ବିଧାନସଭାରେ ବିଧାୟକଙ୍କ ଉତ୍ତରଠାରୁ ଆରମ୍ଭକରି ବଜେଟ ଉପସ୍ଥାପନା, ପୂର୍ତ୍ତ ବିଭାଗର କାର୍ଯ୍ୟସମୀକ୍ଷା ସବୁଥିରେ ଗୁରୁପ୍ରିୟା ସେତୁ ସରିବା ନେଇ ନିର୍ଭରଯୋଗ୍ୟ ପ୍ରତିଶୃତି ଦିଆଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ତା ୨୧/୧୨/୧୬ରେ  ଜାରୀକରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଥିଲା ଜୁନ ୨୦୧୭ରେ ଗୁରୁପ୍ରିୟା ସେତୁ ନିର୍ମାଣ ସରିଯିବ । ଏବେ ଜୁଲାଇ ମାସ ଟପିବାକୁ ବସିଲାଣି । ଏତେବେଳକୁ କାମ ସରିଯିବା କଥା । ଠିକ ଏତିକି ବେଳକୁ ନିର୍ମାଣଧୀନ ଅଂଶ ଭାଙ୍ଗିଯିବା କଥାଟା ସାଧାରଣରେ ସନ୍ଦେହ ତିଆରି କରୁଛି । ବିରୋଧୀଙ୍କ ଚାପ ଓ ସମାଲୋଚନାକୁ ଡରି ସରକାର ଆଗୁଆ ଚାଲାକି ଦେଖାଇ ଏପରି କରିନାହାନ୍ତି ତ ?

ଖାଲି ଏବେ ନୁହେଁ , ଚଳିତ ଥରକୁ ମିଶାଇ ୩ ଥର ଭାଙ୍ଗିଲାଣି ଗୁରୁପ୍ରିୟା ସେତୁ । ନିମ୍ନମାନର କାମ ଓ ନଦୀର ଜଳସ୍ତର ବୃଦ୍ଧିପାଇଁ ପ୍ରଥମ ଥର ନିର୍ମାଣବେଳେ ଭାଙ୍ଗିଥିଲା ବୋଲି ସରକାର ସଫେଇ ଦେଇଥିଲେ । ଦ୍ୱିତୀୟ ଥର ପାଇଁ ପୁଣି ସେଇ ସମାନ କାରଣ ପାଇଁ ନିର୍ମାଣଧୀନ ପିଲର ଭାଙ୍ଗିଯାଇଥିଲା । ପରେ ବ୍ରିଜର ଡିଜାଇନ ବଦଳାଗଲା । ଏବେ ପୁର୍ନବାର ପିଲର ଭାଙ୍ଗିବା କେବଳ ଯେ ସରକାରଙ୍କ କାର୍ଯ୍ୟଦକ୍ଷତା ନୁହେଁ ବଂର ସରକାରଙ୍କ ଇଛାଶକ୍ତି ଉପରେ ଏକ ପ୍ରଶ୍ନବାଚି ଠିଆ କରିଛି । ଏଥର ମଧ୍ୟ ଭାଙ୍ଗିବା କାରଣ ସେଇ ସମାନ ହୋଇପାରେ ।

ନିମ୍ନମାନର କାମର ଆଳ ଦେଖାଇ ବାରମ୍ଭାର ବଦଳାଯାଉଛି ଠିକାଦାର ସଂସ୍ଥାକୁ । କେତେବେଳେ ଆର କେ ଇନଫ୍ରା ତ କେତେବେଳେ ଆଉ କିଏ । କିନ୍ତୁ ସେମାନ ପଇସା ନେଉଛନ୍ତି ଆଉ ଖରାପ କାମ ଅଭିଯୋଗରେ ବିଦାବି ହେଉଛନ୍ତି । କିନ୍ତୁ  ସେମାନଙ୍କ ଠାରୁ ପଇସା ଆଦାୟ ହେଉପାରୁନାହିଁ । ବିଭିନ୍ନ ଆଇନଗତ ଆଳରେ ସେମାନେ ପଇସା ଦେଉନାହାନ୍ତି । ଏଠି ଗୋଟିଏ ସନ୍ଦେହ ତିଅାରି ହେଉଛି କି ଶାସକ ଦଳ ସେମାନଙ୍କ ସହ ହାତ ମିଳାଇ ନାହିଁ ତ କୋଟି କୋଟି ଟଙ୍କାକୁ ଚଳୁ କରିବାରେ ?

ବ୍ରିଜ ମହାନଦୀ ଉପରେ ହେଉଛି, ଅନ୍ୟ ନଦୀ ଉପରେ ବି ହେଉଛି । ନିକଟରେ କାଠଯୋଡି ଉପରେ ଓଡିଶାର ସବୁଠାର ବଡ ବ୍ରିଜ ସୁରୁଖୁରରେ ସରିପାରିଲା । ତା ହେଲେ ଖାଲି ଗୁରୁପ୍ରିୟା ସେତୁ ବାରମ୍ବାର କାହିଁକି ନିର୍ମାଣ ଅବସ୍ଥାରେ ଭାଙ୍ଗୁଛି ।

ପ୍ରଥମରୁ ନକ୍ସଲ ଏହାକୁ ବହୁତ ବିରୋଧ କରୁଥିଲେ । ହେଲେ ନକ୍ସଲ ନିଜ ହାତରେ ଭାଙ୍ଗିବା ଆଗରୁ ବ୍ରିଜ ତିଆରି ହେବା ବେଳେ ମନକୁ ମନ ଭାଙ୍ଗିବାରେ ନକ୍ସଲଙ୍କ ସମ୍ମତି ନାହିଁ ତ ?

ଏପରି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଛି ଯାହାର ଉତ୍ତର ମିଳିବା ଏତେ ସହଜ ନୁହେଁ କି ମିଳିବ ବି ନାହିଁ ।

ଗୁରୁପ୍ରିୟା ସେତୁର ନିର୍ମାଣ ପ୍ରସ୍ତାବ ବିଜୁ ଜନତା ଦଳ ଯେବେଠାରୁ ସରକାରକୁ ଆସିଛନ୍ତି ସେବେଠାରୁ ଆରମ୍ଭ ହୋଇଛି । ୨୦୦୦ ମସିହାରୁ ଆରମ୍ଭ କରାଯାଇଥିବା ଏହି ସେତୁ ନିର୍ମାଣ ହେଲେ ଚିତ୍ରାକୋଣ୍ଡାର ୨୫ଟି ପଂଚାୟତର ୩୦୦୦୦ ଆଦିବାସୀ ଉପକୃତ ହେବେ । ୧୭ ବର୍ଷ ଚାଲିଲାଗିଲାଣି ନିର୍ମାଣ ହେବାକୁ ଏହି ସେତୁ । ଆଜିବି ଚିତ୍ରକୋଣ୍ଡା ବାସୀ ଚାହିଁ ରହିଛନ୍ତି କେବେ ତାଙ୍କ ପଛରୁ ବିଛିନ୍ନାଚଂଳ ବାସିନ୍ଦାର ଉପାଧୀଟା ହଟିବ !

ପରିସ୍ଥିତି ବଦଳି ଗଲାଣି, ଜିଲ୍ଲା ପରିଷଦ ଉପନିର୍ବାଚନର ବିଜୟକୁ ବି ବଖାଣିବାକୁ ପଡିଲାଣି ମୁଖ୍ୟମନ୍ତ୍ରୀଙ୍କୁ !
ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡେଇ ଥରେ ଏକ ଖବର କାଗଜକୁ ସାକ୍ଷାତକାରରେ କହିଥିଲେ ନବୀନ ହେଉଛନ୍ତି ଭାରତୀୟ ରାଜନୀତିରେ ଏକ ଆଶ୍ଚର୍ଯ୍ୟ । ସେହି କଥାରେ ବିଜୁ ଜନତା ଦଳ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଥିଲା ପ୍ରଫୁଲ୍ଲ ଘଡେଇଙ୍କ ଉପରେ । ହେଲେ ପ୍ରଫୁଲ୍ଲ ଘଡେଇଙ୍କ କଥା ଆଜିର ଦିନରେ ମନେପକାଇବାର ଆବଶ୍ୟକତା ଏଇଥିପାଇଁ ଅଛି ଯେ ନବୀନଙ୍କ ହାବଭାବ ସତରେ ଏବେ ସାମ୍ବାଦିକମାନଙ୍କ ଠାରୁ ଓଡିଶାର ଭୋଟରମାନଙ୍କୁ ଆଶ୍ଚର୍ଯ୍ୟ କରୁଛି । କିନ୍ତୁ ତାଙ୍କ ଅାଶ୍ଚର୍ଯ୍ୟର କାରଣ ଟିକେ ଅଲଗା ଥିଲା ଅାଉ ଅାଜିର ଅାଶ୍ଚର୍ଯ୍ୟର କାରଣ ଟିକେ ଅଲଗା ଅଛି ।

ଦୀର୍ଘ ୧୭ ବର୍ଷ ଧରି ନବୀନ ପଟ୍ଟନାୟକ ଶାସନରେ ଅଛନ୍ତି । ଆଉ ଏହି ଶାସନର ପୁରା ସମୟକୁ ଯଦି ୨୦୧୭ ପଂଚାୟତ ନିର୍ବାଚନ ପୁର୍ବ ଏବଂ ୨୦୧୭ ପଂଚାୟତ ନିର୍ବାଚନ ପର ସମୟ ଏହିପରି ଦୁଇ ଭାଗରେ ବିଶ୍ଳେଷଣ କରାଯାଏ ତାହେଲେ ନବୀନ ପଟ୍ଟନାୟକ ଯେ ଆଉ ସେ ସମୟର ନବୀନ ପଟ୍ଟନାୟକ ହେଇ ନାହାନ୍ତି ସେଥିରୁ ବୁଝାପଡୁଛି । ପଂଚାୟତ ନିର୍ବାଚନ ପୁର୍ବରୁ ନବୀନ ତାଙ୍କ ଆଡକୁ ଆସୁଥିବା ସମସ୍ତ ବିପଦକୁ ଅତି ସହଜରେ ଟାଳିଦେବାରେ ସକ୍ଷମ ହୋଇଥିଲେ । କିନ୍ତୁ ଏବେ ନବୀନ ନିଜ ଆଡକୁ ଆସୁଥିବା ବିପଦକୁ ଟାଳିବାରେ ସେତେ ସହଜ ହେଇପାରୁନାହାନ୍ତି ।

ଆଗରୁ ଗଣମାଧ୍ୟମରେ ଅନେକ ଖବର ପ୍ରସାରିତ ହୋଇଛି ନବୀନ ଓ ବିଜେଡିର ଚିଟଫଣ୍ଡ ସର୍ମ୍ପକକୁ ନେଇ । ଅନେକ ଖବର ପ୍ରସାରିତ ହୋଇଛି ଖଣି ଦୁର୍ନୀତି ଓ ଅନ୍ୟାନ ଦୁର୍ନୀତିକୁ ନେଇ । ହେଲେ କେବେ ଏପରି ନବୀନ ଆଇନଗତ ଧମକ ଦେଇନାହାନ୍ତି ଯେମିିତି ଏବେ ବିଜେଡିର ଦଳୀୟ ଆର୍ଥୀକ କାରବାରର ଅନୀୟମିତତାକୁ ନେଇ ଖବର ପ୍ରସାରଣ ହେଲାପରେ କହିଛନ୍ତି ।

ଖାଲି ଆଇନଗତ ଧମକ ନୁହେଁ ବଂର ଏହା ବିରୋଧୀମାନଙ୍କର ଚକ୍ରାନ୍ତ ବୋଲି କହିଛନ୍ତି ଯାହା ସାଧାରଣତଃ ନବୀନଙ୍କ ପାଖରେ ଦେଖାଯାଇନଥିଲା ।

ଆଗରୁ ସବୁ ଅଭିଯୋଗ ପରେ ଚୁପ ରହୁଥିବା ନବୀନ ଏବେ ଅତି ପ୍ରତିକ୍ରିୟାଶୀଳ ପଛରେ କାରଣ କଣ ଅଛି ?

ଇଏ ହେଉଛନ୍ତି ସେହି ନବୀନ ପଟ୍ଟନାୟକ ଯିଏ କଳିଙ୍ଗ ଗୁଳିକାଣ୍ଡ ଭଳି ଘଟଣା ପରେ ବି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ଦେଇନଥିଲେ । ଖାଲି କଳିଙ୍ଗ ଗୁଳିକାଣ୍ଡ ନୁହେଁ , ଖଣି ଦୁର୍ନୀତି , ଚିଟଫଣ୍ଡ ଦୁର୍ନୀତି ଏପରି ସରକାରକୁ ଦୋହଲେଇ ଦେବା ଭଳି ଅନେକ ଘଟଣାରେ ବି ନବୀନ ପୁରା ସହଜରେ ଧାଡିକିଆ ଉତରରେ ବିବାଦରୁ ବାହାରି ଆସୁଥିଲେ ।

ହେଲେ ଏବେ ଆଉ ସେପରି ନାହିଁ । ନବୀନ ପୁରା ସାମ୍ବାଦିକଙ୍କ ପ୍ରତିଟି ପ୍ରଶ୍ନକୁ ଶୁଣୁଛନ୍ତି । ଉତର ଦେଉଛନ୍ତି ।

ଇଏ ହେଉଛନ୍ତି ସେହି ନବୀନ ପଟ୍ଟନାୟକ ଯିଏ ନିର୍ବାଚନ ବିଜୟ ପରେ ବିଜୟ ପୁଣି ବିଜୟ ତା ପରେ ବିଜୟ ପରେ ବି କେବଳ ଭୋଟରଙ୍କୁ ପଦୁଟିଏ ଧନ୍ୟବାଦ ଦେବାଛଡା ଆଉ କିଛି କହିନଥୁଲେ । ହେଲେ ଆଜି ନବୀନ ପଟ୍ଟନାୟକଙ୍କୁ ଛାତି ଫୁଲାଇ କହିବାକୁ ପଡୁଛି ଯେ ତାଙ୍କ ଦଳ ନୂଆପଡା ଜିଲ୍ଲାରେ ଜିଲ୍ଲା ପରିିଷଦ ଉପ ନିର୍ବାଚନରେ ବିଜୟ ଲାଭ କରିଛି ।

ଏହା ବୋଧେ ହେଉଛି ସମୟର ପରିବର୍ତନ ଯାହା ଏବେ ନବୀନ ବୁଝିପାରିଛନ୍ତି କି ଆଉ ସେ ଏକାଚାଟିଆ ରାଜନୀତି ଚାଲିବ ନାହିଁ । ଏବେ ବୁଝି ବିଚାରି କାମ କରିବାକୁ ପଡିବ ନହେଲେ ୨୦୧୯ ରେ ସବୁ ଗୋଲ ହେଇଯିବ ।