ମୁଖ୍ୟମନ୍ତ୍ରୀଙ୍କ ନଜର ପଡୁ ! ଚାରି ପିଲାଙ୍କୁ ଧରି ନାରାୟଣ ରାଜରାସ୍ତାରେ, ସରପଂଚ ମାଡିବସିଛନ୍ତି ଜମି ଆଉ ଘର
Khabar Odisha:Pipili-Sarapancha-Threatens-Poor-Family

 ଲୋକପ୍ରତିନିଧୀମାନଙ୍କର ଅରାଜକତା ସୀମାଲଙ୍ଘିଲାଣି । ଭୁଲିଗଲେଣି ନୀତି ନୈତିକତା । ଅନ୍ଧ କରିଛି ଅର୍ଥ ଆଉ ଜମି ଲୋଭ । ସାଥ ଦେଉଛି କ୍ଷମତା ଆଉ ପ୍ରଶାସନ । ଆଉ ସେଇ ଲୋଭରେ ଏତେ ଅନ୍ଧ ଯେ ନିଜର ଭାଇ ପ୍ରତିବି ଅନ୍ୟାୟ ଆଉ ଅବିଚାର । ଆଉ ନିଜର ହକ ପାଇଁ ଲଢି ଲଢି ସବୁଆଡୁ ନିରାଶ ହେଲାପରେ ଶେଷରେ ଲୋୟର ପିଏମଜିରେ ଧାରଣା ଦେଉଛନ୍ତି ନାରାୟଣ ଧଳ । ଘର ପୁରୀ ଜିଲ୍ଲାର ପିପିଲି ବ୍ଲକର କଂଟି ପଂଚାୟତରେ ।

ନାରାୟଣଙ୍କ ଜମି ଆଉ ଘର ମାଡି ବସିଛନ୍ତି କଂଟି ପଂଚାୟତର ସରପଂଚ ପ୍ରକାଶ ଧଳ । ପ୍ରକାଶ ଧଳ ହେଉଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ଖାସ ଅନୁଗତ । ନାରାୟଣ ହେଉଛନ୍ତି ସରପଂଚ ପ୍ରକାଶଙ୍କର ସାହି ଭାଇ । ନାରାୟଣଙ୍କର ବାପା ଥିଲେ ନିରକ୍ଷର ଆଉ ସରଳ । ନିଜ ପିଲା ମାନଙ୍କୁ ବେଶି ପାଠ ପଢାଇ ପାରିଲେନି ନାରାୟଣଙ୍କର ବାପା । ନିଜର ପୈତୃକ ପରିବାରର ଥିବା ୩୫ ଏକର ଚାଷ ଜମିରେ ଅଛି ନାରାୟଣଙ୍କ ପରିବାର ଏବଂ ପ୍ରକାଶଙ୍କ ପରିବାରଙ୍କର ଭାଗ । ହେଲେ ନାରାୟଣଙ୍କୁ ତାଙ୍କ ପ୍ରାପ୍ୟ ଦେଉନାହାନ୍ତି ସରପଂଚ ପ୍ରକାଶ । ଖାଲି ଚାଷ ଜମି ନୁହେଁ ତାଙ୍କର ଘର ଡିହକୁ ବି ମାଡିବସିଛନ୍ତି ପ୍ରକାଶ ଧଳ । ନିଜର ଅଭିଯୋଗ ନାରାୟଣ ପିପିଲି ଥାନାରେ ଲିଖିତ ଜଣାଇଥିଲେ । ହେଲେ ଫଳ ହେଲା ଶୂନ । ମାମଲା କରିବା ଆଉ କେସ ଲଢିବା ପାଇଁ ଆର୍ଥୀକ ସକ୍ଷମ ନଥିବା ନାରାୟଣ ଜିଲ୍ଲା ଏସପି, କଲେକ୍ଟର ସମସ୍ତଙ୍କୁ ଗୁହାରି କଲେ । ହେଲେ ଭାରି ପଡିଲା ପ୍ରକାଶଙ୍କର ଶାସକ ଦଳର ଲିଙ୍କ । ଏସପିଙ୍କ ଠାରୁ କଲେକ୍ଟର ସମସ୍ତେ ନାରାୟଣଙ୍କୁ ପ୍ରଥମେ ଆଶ୍ୱାସନା ଦେଇ କିଛି କରିବେ ବୋଲି କୁହନ୍ତି ହେଲେ କିଛି ଦିନ ପରେ ଆସିଯାଏ ଉପରୁ ଫୋନ । ସେଥିରେ ବଦଳି ଯାଆନ୍ତି ପ୍ରଶାସନିକ ଅଧିକାରୀ ମାନେ । ସବୁଆଡୁ ନିରାଶ ହେବା ପରେ ନାରାୟଣ ବାଛି ନେଇଛନ୍ତି ଲୋୟର ପିଏମଜି । ଆଜକୁ ୧ ବର୍ଷ ହେଲାଣି ବସିଛନ୍ତି ଧାରଣାରେ । କାଳେ କେଉଁ ଦିନ ମୁଖ୍ୟମନ୍ତ୍ରୀଙ୍କର ନଜର ପଡିବ । ତାଙ୍କୁ ତାଙ୍କର ହକ ମିଳିବ ।

ନାରାୟଣ ନିଜର ପତ୍ନୀ ଆଉଚାରୋଟି ଛୁଆଙ୍କୁ ଧରି ଦିନ କାଟୁଛନ୍ତି ଲୋୟର ପିଏମଜି । ପ୍ରଥମ ଏବଂ ଦ୍ୱିତୀୟ ଝିଅର ସ୍କୁଲ ଯିବା ବୟସ ହୋଇସାରିଥିବାବେଳେ ପରିବାରର ଏହି ଅସୁବିଧା ପାଇଁ ସେମାନେ ପାଠ ପଢୁପାରୁନାହାନ୍ତି । ବାପା ମାଙ୍କ ସେମାନେ ବି ଏବେ ରାଜରାସ୍ତାରେ ।

Subscribe

National International State Sports Entertainment