ସୋମନାଥରୁ ବିଶ୍ଵନାଥ, ଏବେ ଜଗନ୍ନାଥ ଧାମରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ମୋଦୀ ?
Khabar Odisha:will-modi-contest-from-puri-to-take-east-focus-further
ଭୁବନେଶ୍ଵର,ଅକ୍ଟୋବର୦୭(ଖବର ଓଡ଼ିଶା):

ଗୁଜରାତର ସୋମନାଥ ମାଟିରୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀ ବିଶ୍ଵନାଥ(ବନାରସ)ରୁ ବିଜୟୀ ହେବା ପରେ କଣ ଜଗନ୍ନାଥଧାମ ପୁରୀରେ ପାଦ ଦେବେ ?  ଯଦି ପିଏମ ମୋଦୀ ଓଡ଼ିଶା ବିଜେପିର ପ୍ରସ୍ତାବକୁ ସ୍ଵୀକାର କରନ୍ତି ତେବେ ସେ ନରସିମାହ ରାଓଙ୍କ ପରେ  ଦ୍ଵିତୀୟ ପ୍ରଧାନମନ୍ତ୍ରୀ ହେବେ  ଯିଏ କି ଭାରତର ଏହି ପୂର୍ବ ରାଜ୍ୟରୁ ନିର୍ବାଚନ ଲଢିବେ।  ପୂର୍ବତନ ପ୍ରଧାନମନ୍ତ୍ରୀ ନରସିମାହ ରାଓ ୧୯୯୬ରେ ପ୍ରଧାନମନ୍ତ୍ରୀ ଥିବା ସମୟରେ ଓଡ଼ିଶାରୁ ନିର୍ବାଚନ ଲଢିଥିଲେ। ରାଓ ଓଡ଼ିଶାର ବ୍ରହ୍ମପୁର ସିଟରୁ ନିର୍ବାଚନ ଲଢି ୬୨.୫ ପ୍ରତିଶତ ଭୋଟ୍ ପାଇ ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲେ। 

ଏହା ବ୍ୟତୀତ ରାଓ ଆନ୍ଧ୍ର ପ୍ରଦେଶର ନନ୍ଦୟାଲ ସିଟରୁ ମଧ୍ୟ ଲୋକସଭା ନିର୍ବାଚନ ଜିତିଥିଲେ। ମାତ୍ର ସେ ବ୍ରହ୍ମପୁର ସିଟକୁ ନିଜ ପାଖରେ ରଖିଥିଲେ। ମାତ୍ର ୧୯୯୬ରେ କୌଣସି ଦଳକୁ ବହୁମତ ନମିଳିବାରୁ ସେ ପୁର୍ନବାର ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ। ପରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵରେ  ବିଜେପି କମ ସମୟ ପାଇଁ କେନ୍ଦ୍ରରେ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା।  ଏହା ମଧ୍ୟ କୁହାଯାଉଛି ଯେ ଯଦି ମୋଦୀ ପୁରୀରୁ ଲୋକସଭା ନିର୍ବାଚନ ଲଢନ୍ତି ତେବେ ପୂର୍ବ ଭାରତରେ ବିଜେପିର ଚାଲିଥିବା ରଣନୀତିକୁ ଏହା ଅଧିକ ମଜବୁତ କରିବ। ଯେବେ ପିଏମ ମୋଦୀ ପୁରୀରୁ ନିର୍ବାଚନ ଲଢିବା ଖବର ସାମ୍ନାକୁ ଆସିଛି ତେବେଠୁ ବିଜେପିଠୁ ନେଇ ତୃଣମୂଳସ୍ତରର କର୍ମୀ ମଧ୍ୟରେ ଉତ୍ସାହ ପରିଲଖିତ ହୋଇଛି। 

ଏମିତି ହେଲେ ଠିକ୍ ସଙ୍କେତ ଦେବେ ମୋଦୀ

ରବିବାର ଓଡ଼ିଶା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି।  ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ମୁତି ଇରାନୀ ମଧ୍ୟ ଉପସ୍ଥିତ ଥିଲେ। ବିଜେପି ସୂତ୍ର ମୁତାବକ ଏହି ବୈଠକରେ ରାଜନୈତିକ ଅବସ୍ଥା ସହିତ ମୋଦୀଙ୍କ ପୁରୀରୁ ନିର୍ବାଚନ ଲଢିବାର ସମ୍ଭାବନା ଉପରେ ଆଲୋଚନା କରାଯାଇଛି। ବିଜେପିର ବିଶେଷଜ୍ଞ ନେତାଙ୍କ କହିବା କଥା ସୋମନାଥ ମାଟିରୁ ଆସି କାଶୀ ବିଶ୍ଵନାଥ ଧରିତ୍ରୀରୁ ପ୍ରତିନିଧିତ୍ଵ କରିଥିବା ମୋଦୀ ଯଦି ଜଗନ୍ନାଥଧାମ ପୁରୀରୁ ନିର୍ବାଚନ ଲଢନ୍ତି ତେବେ ଏହା ଲୋକଙ୍କ ପାଇଁ ଭଲ ସଙ୍କେତ ହେବ। 

ରାଜ୍ୟ ବିଜେପି ଅଧ୍ୟକ୍ଷ ବସନ୍ତ ପଣ୍ଡାଙ୍କ କହିବା କଥା ଏମିତି ହେଲେ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇବ। ବର୍ତ୍ତମାନ ପୁରୀରୁ ବିଜେଡିର ପିନାକୀ ମିଶ୍ର ସାଂସଦ ଅଛନ୍ତି। ମୋଦୀଙ୍କ ପୁରୀରୁ ନିର୍ବାଚନ ଲଢିବାର ଅନ୍ୟ ତର୍କ ହେଉଛି ଯେ ପୂର୍ବ ଭାରତରେ ବିଜେପି ଅଧିକ ଶକ୍ତିଶାଳୀ ହେବାରେ ଏହା ବହୁତ ସହାୟକ ହେବ। ଜଣେ ବିଜେପି ନେତା ଏହା ମଧ୍ୟ କହିଛନ୍ତି ଯେ ପଶ୍ଚିମ ତଟର ରାଜ୍ୟ ଗୁଜରାଟରୁ ଆସିଥିବା ମୋଦୀ ଯଦି ପୂର୍ବ ତଟ ରାଜ୍ୟରେ ନିର୍ବାଚନ ଲଢନ୍ତି ତେବେ ଦେଶରେ ଏହା ଏକ ମଜବୁତ ରାଜନୈତିକ ସଙ୍କେତ ଯିବ। 

ବିଜେଡି ବିରୋଧରେ ସରକାର ବିରୋଧୀ ହାଓ୍ଵାର ଫାଇଦା ଉଠାଇବ ବିଜେପି ? 

ବିଜେପି ନେତାଙ୍କ ମୁତାବକ ମୋଦୀ ଏହା ମଧ୍ୟ କହି ଆସିଛନ୍ତି ଯେ ଏହି ପଦକ୍ଷେପରେ ଏହି ବାର୍ତ୍ତା ଯିବ ଯେ ପଶ୍ଚିମ ଭାରତ ସହିତ ବିକାଶର ମୁଖ୍ୟଧାରାରେ ପୂର୍ବ ଭାରତ ମଧ୍ୟ ସାମିଲ ହୋଇଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଅନେକ ଥର କହି ସାରିଛନ୍ତି ଯେ ପଶ୍ଚିମବଙ୍ଗ ଓ ତେଲଙ୍ଗାନା ସହିତ ଓଡ଼ିଶା ମଧ୍ୟ ପାର୍ଟିର ମୁଖ୍ୟ ନଜରରେ ରହିଛି। ଓଡ଼ିଶାର ବିଧାନସଭା ନିର୍ବାଚନ ଲୋକସଭା ନିର୍ବାଚନ ସହିତ ହେବାକୁ ଯାଉଛି। ବିଜେପିକୁ ଲାଗୁଛି ଯେ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ପଦରେ ଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ବିରୋଧରେ ରାଜ୍ୟରେ ସରକାର ବିରୋଧୀ ଲହର ରହିଛି। ତେଣୁ ବିଜେପି ଏହି ସରକାର ବିରୋଧୀ ଲହରକୁ ଭୋଟରେ ପରିଣତ କରିବାକୁ ଅଣ୍ଟା ଭିଡିଛି।

ଉଲ୍ଲେଖଯୋଗ୍ୟ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିକୁ ଓଡ଼ିଶାର ୨୧ ସିଟ ମଧ୍ୟରୁ ମାତ୍ର ଗୋଟିଏ ସିଟରେ ସଫଳତା ମିଳିଥିଲା। ଏହି ପରି ପଶ୍ଚିମବଙ୍ଗର ୪୨ଟିରୁ ୨, ତେଳଙ୍ଗାନାର ୧୭ଟିରୁ ଏକ ଓ ଆନ୍ଧ୍ର ପ୍ରଦେଶର ୨୫ଟିରୁ ୨ ସିଟରେ ଦଳକୁ ବିଜୟ ମିଳିଥିଲା।  ରାଜନୈତିକ ବିଶ୍ଳେଷକଙ୍କ କହିବା କଥା ଯଦି ମୋଦୀ  ଓଡ଼ିଶାରୁ ନିର୍ବାଚନ ଲଢନ୍ତି  ତେବେ ପୂର୍ବ ଭାରତରେ ବିଜେପିର ସମ୍ଭାବନାକୁ ଏହା ଆହୁରି ଶକ୍ତି ପ୍ରଦାନ କରିବ। ମାତ୍ର ଅନ୍ୟ ପଟେ ରାଜନୈତିକ ରୂପେ ବହୁତ ମହତ୍ଵପୂର୍ଣ୍ଣ ୟୁପି କିମ୍ବା ତାଙ୍କର ଗୃହ ରାଜ୍ୟ ଗୁଜରାତକୁ ଛାଡିବାର କୌଣସି ସଙ୍କେତ ମୋଦୀଙ୍କଠାରୁ ଏ ପର୍ୟ୍ୟଵନ୍ତ ଦେଖିବାକୁ ମିଳିନାହିଁ। 

Subscribe

National International State Sports Entertainment