ଦାମଙ୍କ ବହିଷ୍କାର ପ୍ରସଙ୍ଗକୁ ଲୁଚାଇବା ପାଇଁ ଆକ୍ରୋଶମୂଳକ ଭାବେ ଆମକୁ ଗିରଫ କରାଯାଇଥିଲା
Khabar Odisha:mohammed-mokim-said-for-conspirancy-police-arrested-me-and-worker
କଟକ, ସେପ୍ଟେମ୍ବର୧୩(ଖବର ଓଡ଼ିଶା):

 କଟକ ପୁରୀଘାଟ ଥାନା ଭଙ୍ଗାରୁଜା ଘଟଣାରେ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କୁ ଜାମିନ ମିଳିଛି। କଟକ ଏସଡିଜେଏମ କୋର୍ଟ ତାଙ୍କୁ ୨୦ ହଜାର ଟଙ୍କା ମୁଚଲିକା ଓ ଜଣେ ଜାମିନଦାର ବଦଳରେ ଜାମିନ ପ୍ରଦାନ କରିଛନ୍ତି। ଏଥି ସହିତ ଅନ୍ୟ ୧୭ ଜଣଙ୍କୁ ମଧ୍ୟ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜାମିନ ପାଇବା ପରେ ମହମ୍ମଦ ମୋକିମ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ  ଆକ୍ରୋଶମୂଳକ ଭାବେ ଏହି ଗିରଫଦାରୀ ହୋଇଛି।

ଜାମିନ ପାଇବା ପରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ମୋକିମ କହିଛନ୍ତି ଯେ  ଧର୍ମର ଜୟ ହେଲା, ବିଚାର ବ୍ୟବସ୍ଥା ଉପରେ ତାଙ୍କର  ଭରସା ଥିଲା। କେବଳ ଆକ୍ରୋଶମୂଳକ ଉଦ୍ଦେଶ୍ୟ ରଖି ପୋଲିସ ଆମକୁ ଗିରଫ କରିଥିଲା।  କେବଳ ଦାମ ବାବୁଙ୍କ  ବହିଷ୍କାର ପ୍ରସଙ୍ଗକୁ  ଲୁଚାଇବା ପାଇଁ ଏହି ଗିରଫଦାରୀ ଉଦ୍ଦିଷ୍ଟ ଥିଲା ବୋଲି ମୋକିମ କହିଛନ୍ତି। 

ଏହା ପୂର୍ବରୁ ଆଜି ମୋକିମଙ୍କ ସମେତ ମୋଟ ୨୪ ଜଣଙ୍କୁ ଅଟକ ରଖାଯାଇଥିଲା ବେଳେ ସେଥିମଧ୍ୟରୁ ୧୭ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ସମସ୍ତ କଂଗ୍ରେସ କର୍ମୀଙ୍କ ନାଁରେ ଏକାଧିକ ମାମଲା ରୁଜୁ ହୋଇଥିଲା। ମୋକିମଙ୍କ ନାଁ ୫ଟି ଓ ମହିଳା କର୍ପୋରେଟରଙ୍କ ନାଁରେ ୩ଟି ମାମଲା ରହିଛି। ଆଜି ଏକ ପ୍ରେସମିଟ କରି କଟକ ଡିସିପି ଅଖିଳେଶ୍ୱର ସିଂହ ଏହାର ସୂଚନା ଦେଇଥିଲେ। ଅପରପକ୍ଷରେ ମୋକିମଙ୍କ ଗିରଫ ପ୍ରତିବାଦରେ ଚୌଦ୍ୱାର ଜେଲ୍ ଆଗରେ ଶତାଧିକ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।             

ଉଲ୍ଲେଖନୀୟ ଯେ, କଟକ ଜିଲ୍ଲା କଂଗ୍ରେସର ଦୁଇ ନମ୍ବର ବ୍ଲକ୍‌ ଜୋନ୍‌ର ସଭାପତିଙ୍କୁ ପୋଲିସ ଗିରଫ କରି ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସେପ୍ଟେମ୍ବର ୧୧ ତାରିଖ ଦିନ ମୋକିମ୍‌ ଓ କଟକ ନଗର କଂଗ୍ରେସ କର୍ମୀମାନେ ପୁରୀଘାଟ ଥାନା ଘେରାଉ କରିବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଗତକାଲି ରାତିରେ ସଂପୃକ୍ତ କଂଗ୍ରେସ କର୍ମୀଙ୍କ ଘରେ ଚଢାଉ କରି ପୁରୀଘାଟ ଥାନା ପୋଲିସ ସମସ୍ତଙ୍କୁ ଉଠାଇ ନେଇଥିଲା ବେଳେ ଆଜି ସକାଳୁ ମୋକିମଙ୍କୁ ତାଙ୍କ ବାସଭାବନରୁ ଗିରଫ କରିଥିଲା ।  

  • Tags:

Subscribe

National International State Sports Entertainment