ମେୟରଙ୍କ ପାଇଁ ଅଡ଼ୁଆରେ ସରକାର: ଗୋଲଡେନ୍‌ ବାବାଙ୍କ ସହ ଲିଙ୍କ, ଛାତ୍ର କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ
Khabar Odisha:Politics-Odisha-student-congress-bhubaneswar-meyor-ananta-narayan-jena-link-with-golden-baba
ଭୁବନେଶ୍ୱର, ଜାନୁଆରୀ ୧୧(ଖବର ଓଡିଶା):

ପ୍ରଥମେ ମହାରଥୀଙ୍କ ପାଇଁ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଥିବା ବେଳେ ଏବେ ଆଉ ଏକ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଭୁବନେଶ୍ୱର ମେୟରଙ୍କ ସହିତ ବିବାଦୀୟ ଗୋଲଡେନ୍‌ ବାବାଙ୍କ ଫଟୋ । ଏହାକୁ କେନ୍ଦ୍ର କରି ଆଜି ଛାତ୍ର କଂଗ୍ରେସ ନିବାସ ଘେରାଉ କରିବାକୁ ଉଦ୍ୟମ କରିଛି । ଗୋଲଡେନ୍‌ ବାବା ଓରଫ୍‌ ଜ୍ୟୋତି ରଞ୍ଜନ ବେଉରାଙ୍କ ସହିତ ମେୟର ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ବାଟ ଓଗାଳିବାକୁ କର୍ମୀମାନେ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିବା ସୂଚନା ମିଳିଛି । 

୧୨ କୋଟି ଟଙ୍କା ଚେକ୍‌ ଜାଲିଆତି କରିଥିବା ଗୋଲଡେନ୍‌ ବାବାଙ୍କ ସହିତ ମେୟର ଅନନ୍ତ ନାରାୟଣ ଜେନାଙ୍କ ଫଟୋ ଭାଇରାଲ ହୋଇଛି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବାବାଙ୍କ ସହିତ ମେୟରଙ୍କ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି । ଯାହାକୁ କେନ୍ଦ୍ର କରି ଆଜି ଛାତ୍ର କଂଗ୍ରେସର ସଭାପତି ଇତିଶ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ କର୍ମୀ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି । ଆନ୍ଦୋଳନକାରୀ ଏକ ଶୋଭାଯାତ୍ରାରେ ଯାଉଥିବା ବେଳେ ପୋଲିସ ଶିଶୁ ଭବନ ଛକ ନିକଟରେ ଅଟକାଇଥିଲା । ଫଳରେ ପୋଲିସ ଓ କର୍ମୀଙ୍କ ମଧ୍ୟରେ ମୁହାଁମହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତ୍ୟକ୍ତ କର୍ମୀମାନେ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିବା ସୂଚନା ମିଳିଛି । ପୋଲିସ ୪୦ ଜଣ ଆନ୍ଦୋଳନକାରୀଙ୍କୁ ଅଟକ ରହିଛି । ଏହା ସହିତ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ମୃଦ୍ୟୁ ଲାଠି ଚାର୍ଜ କରିଥିବା ମଧ୍ୟ ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ସୁନା ପିନ୍ଧିବାରେ ସଉକ ଥିବା ଗୋଲଡେନ ବାବା କେନ୍ଦୁଝରର ଜଣେ ବ୍ୟବସାୟୀଙ୍କୁ ୧୧୦ କୋଟି ଟଙ୍କାର ଫାଇନାନ୍ସ କରାଇ ଦେବାକୁ କହି ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କର ଚେକ୍ ପ୍ରଦାନ କରିଥିଲେ । ବଦଳରେ ସଂପୃକ୍ତ ବ୍ୟବସାୟୀ ଗୋଲଡେନ ବାବାଙ୍କୁ ୨୦୩୦ ପର୍ଯ୍ୟନ୍ତ ଉଠାଣ କରି ହେଉଥିବା ୧୧ଟି ଚେକ୍ ପ୍ରଦାନ କରିଥିଲେ । ସେହି ଚେକ୍ ମଧ୍ୟରୁ ଗୋଟିଏ ଚେକ୍‌ ୨୦୨୮ ଏପ୍ରିଲ ପହିଲାର ଥିଲା । କିନ୍ତୁ ଗୋଲଡେନ ବାବା ଏହି ଚେକ୍‌ର ତାରିଖ ବଦଳାଇ ୧ ସେପଟେମ୍ବର ୨୦୧୮ କରି ଜାଲିଆତି କରିଥିଲେ । ଏହା ଜାଲିଆତି ଜଣାପଡ଼ିବା ପରେ ପୋଲିସ ତାଙ୍କୁ ଡିସେମ୍ବର ୩୧ରେ ଗିରଫ କରିଥିଲା । 

Subscribe

National International State Sports Entertainment