ବିଜେଡି ଦ୍ୱାରା ଓଡ଼ିଶାର ବିକାଶ ସମ୍ଭବ ନୁହେଁ - ନିରଞ୍ଜନ
Khabar Odisha:Looks-like-development-of-Odisha-is-none-of-BJDs-business-Said-PCC-President
ଭୁବନେଶ୍ୱର,୧୧ ଜୁଲାଇ (ଖବର ଓଡ଼ିଶା):

 କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଶିଳ୍ପାଂଚଳ ନୀତି ଓ ପ୍ରୋତ୍ସାହନ ବିଭାଗ ଦ୍ୱାରା ପ୍ରକାଶିତ ଇଜ୍ ଅଫ୍ ଡୁଇଂ ବିଜନେସ୍ ତାଲିକାରେ ଓଡିଶା ଚଳିତ ବର୍ଷ ତଳକୁ ଖସି ୧୪ତମ ସ୍ଥାନରେ ରହିଛି । ଯାହାକୁ ନେଇ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ଏହା ନବୀନଙ୍କ ମୁକୁଟରେ ଆଉ ଏକ ମଣି କହି ତାତ୍ସଲ୍ୟ କରିଛନ୍ତି ନିରଞ୍ଜନ। ୧୧ ରୁ ୧୪କୁ ଖସିବା ବିଜେଡି ଦ୍ୱାରା ଓଡ଼ିଶାର ବିକାଶ ସମ୍ଭବନୁହେଁ ବୋଲି ଜଣାପଡ଼ୁଥିବା ସେ କହିଛନ୍ତି। ଶ୍ରୀ ପଟ୍ଟନାୟକ ତାଙ୍କ ଟ୍ୱିଟର ପୃଷ୍ଠାରେ ଏହା କହିଛନ୍ତି। 

ଅପରପକ୍ଷରେ ଏହି ପ୍ରସଙ୍ଗରେ ଓଡିଶା ଖସିବାର କାରଣ ଜାଣିବା ପାଇଁ ସମୀକ୍ଷା କରାଯିବ ବୋଲି ରାଜ୍ୟ ଶିଳ୍ପ ସଚିବ ସଂଜୀବ ଚୋପ୍ରା ପ୍ରକାଶ କରିଛନ୍ତି । ବାହାର ଶିଳ୍ପସଂସ୍ଥାଙ୍କ ଆମ ପ୍ରତି ପିଡ ବ୍ୟାକ ଭଲ ନଥିଲା  । କଣ ପାଇଁ ଭଲ ନଥିଲା ତାହା ତୃଣମୂଳ ସ୍ତରରୁ ସମୀକ୍ଷା କରାଯିବ ଓ ଭଲକାମ କରିବାକୁ ପଡିବ ବୋଲି ସେ କହିଛନ୍ତି। ତେବେ ଶିଳ୍ପବିଭାଗ ପ୍ରିନସପାଲ ସେକ୍ରେଟାରୀଙ୍କ ଏହିଭଳି ମନ୍ତବ୍ୟ ପରୋକ୍ଷରେ ସରକାରଙ୍କ ଦୋଷ ଓ ମୁଖା ପଦାରେ ପକାଇଦେଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି  । 

ସୂଚନାଯୋଗ୍ୟ ଯେ ଗତବର୍ଷ ଓଡିଶା ଏହି ତାଲିକାର ୧୧ ତମ ସ୍ଥାନରେ ରହିଥିବା ବେଳେ ୨ ବର୍ଷ ପୂର୍ବେ ୭ମ ସ୍ଥାନରେ ରହିଥିଲା । ସଦ୍ୟତମ ଇଜ୍ ଅଫ୍ ଡୁଇଂ ବିଜନେସ୍ ତାଲିକାର ପ୍ରଥମ ୧୦ଟି ରାଜ୍ୟ ମଧ୍ୟରେ ଓଡିଶା ନାହିଁ । ଓଡିଶାର ରାଙ୍କ୍ କ୍ରମାଗତ ଭାବେ ଖସିବା ସରକାରଙ୍କ ଶିଳ୍ପ କ୍ଷେତ୍ରରେ ସଂସ୍କାର ଦାବିକୁ ଭୁଲ୍ ପ୍ରମାଣିତ ହୋଇଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଛି । ସରକାରଙ୍କ ତଥା କଥିତ ସଂସ୍କାର ବର୍ଷ ପରେ ବର୍ଷ ପୁଂଜି ନିବେଶକାରୀଙ୍କ ବିଶ୍ୱାସ ଜିତିବାରେ ବିଫଳ ହୋଇଛି ବୋଲି ସେମାନେ କହିଛନ୍ତି । ସରକାର ଶିଳ୍ପ ଉପରେ ଅଗ୍ରାଧିକାର ଦିଆଯାଇ ସବୁ ପ୍ରକାରର ଭିତିଭୂମି ଓ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି ଡିଣ୍ଡିମ ପିଟିବା ହାସ୍ୟାସ୍ପଦ ବୋଲି ବିରୋଧୀ ଦଳ ନେତା ମାନେ କହିଛନ୍ତି ।

  • Tags:

Subscribe

National International State Sports Entertainment