ବିଜେପି ପୁଣି ଥରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କ୍ଷମତାକୁ ଫେରିବ: ସର୍ଭେ
Khabar Odisha:BJP-to-win-MP-Chhattisgarh-Congress-may-bag-Rajasthan-Survey

ନୂଆଦିଲ୍ଲୀ, ଅକ୍ଟୋବର ୦୯ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟି ପୁଣି ଥରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜୟୀ ହେବ । ରାଜସ୍ଥାନରେ କଂଗ୍ରେସ କ୍ଷମତାକୁ ଆସିପାରେ ବୋଲି ଏକ ସର୍ଭେ ହୋଇଛି । ଟାଇମ୍ସ ନାଓ ୱାର ରୁମ ଷ୍ଟ୍ରାଟିଜି ସର୍ଭେ ଅନୁସାରେ ମଧ୍ୟପ୍ରଦେଶରେ ୨୩୦ଟି ଆସନରୁ ବିଜେପି ୧୪୨ଟି ଆସନରେ ବିଜୟୀ ହେବ । ଏହି ରାଜ୍ୟରେ ବିଜେପି ୨୦୧୩ ବିଧାନସଭା ନିର୍ବାଚନରେ ୧୬୫ଟି ଆସନରେ ବିଜୟୀ ହୋଇଥିଲା । ସେହିଭଳି କଂଗ୍ରେସକୁ ମଧ୍ୟପ୍ରଦେଶରେ ୭୭ ଟି ଆସନ ମିଳିବ । ବିଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ୫୭ଟି ଆସନରେ ବିଜୟୀ ହୋଇଥିଲା । ବିଏସପି, ସମାଜବାଦୀ ପାର୍ଟି ଓ ଅନ୍ୟ ଆଞ୍ଚଳିକ ଦଳକୁ ମାତ୍ର ୧୧ଟି ଆସନ ମିଳିବ । ସର୍ଭେରେ ୧୪,୫୬୯ ଲୋକ ଅଂଶଗ୍ରହଣ କରିଥିଲେ । ଗତ ଅଗଷ୍ଟ ୧୬ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଏହି ସର୍ଭେ ହୋଇଥିଲା । 

ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପ୍ରଭାବ ଓ ଲୋକପ୍ରିୟତା ବଢ଼ିଛି । ସେଥିପାଇଁ ସେ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ କରାଯାଇଛି । ବିଗତ ୧୫ ବର୍ଷ ମଧ୍ୟରେ ଛତିଶଗଡ଼ର ଆର୍ଥିକ, ସାମାଜିକ ଓ ଅନ୍ୟାନ୍ୟ ବିକାଶ ଘଟିଛି । ରିପୋର୍ଟ ଅନୁସାରେ ଛତିଶଗଡ଼ରେ ବିଜେପିକୁ ୪୭ଟି ଆସନ ମିଳିବ । ବର୍ଷ ୨୦୧୩ରେ ଅଧିକ ୨ଟି ଆସନ ମିଳିଥିଲା । କଂଗ୍ରେସକୁ ୩୩ ଓ ଅନ୍ୟ ଦଳକୁ ୧୦ଟି ଆସନ ମିଳିବ ବୋଲି ସର୍ଭେ ହୋଇଛି । କଂଗ୍ରେସକୁ ୨୦୧୩ ନିର୍ବାଚନରେ ୩୯ଟି ଆସନ ମିଳିଥିଲା । ଅର୍ଥାତ ସର୍ଭେ ଅନୁସାରେ ଏଥର କଂଗ୍ରେସ ଆହୁରି ୬ଟି ଆସନ ହରାଇବ । 

ଦୀର୍ଘ ୫ ବର୍ଷ ପରେ ରାଜସ୍ଥାନରେ ପୁଣି ଥରେ କଂଗ୍ରେସ କ୍ଷମତାକୁ ଆସିପାରେ । ୨୦୦ ବିଧାନସଭା ଆସନ ଥିବା ରାଜ୍ୟରେ ୨୦୧୩ରେ ବିଜେପିକୁ ୧୬୩ଟି ଆସନ ମିଳିଥିବା ବେଳେ ୨୦୧୮ ନିର୍ବାଚନରେ ୭୫ଟି ମିଳିବ । କଂଗ୍ରେସକୁ ରାଜସ୍ଥାନରେ ୨୦୧୩ରେ ୨୧ଟି ଆସନ ମିଳିଥିବା ବେଳେ ଏଥର ୧୧୫ଟି ଆସନ ମିଳିପାରେ । ଅନ୍ୟଦଳମାନଙ୍କୁ ୧୦ଟି ଆସନ ମିଳିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି । 

ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗ ଶନିବାର ତେଲେଙ୍ଗାନା ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ନଭେମ୍ବର ୧୨ରୁ ଡିସେମ୍ବର ୭ ମଧ୍ୟରେ କରିବାକୁ ଘୋଷଣା କରିଛି। ଏଥିରେ ଅତି କମରେ ୩ଟି ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଓପି ରାଓ୍ଵତ ନିର୍ବାଚନୀ ଘୋଷଣା କରିବା ସମୟରେ କହିଛନ୍ତି, ସମସ୍ତ ରାଜ୍ୟର ମତଗଣନା ଡିସେମ୍ବର ୧୧ରେ ହେବ। ମଧ୍ୟପ୍ରଦେଶ ଓ ମିଜୋରାମରେ ନଭେମ୍ବର ୨୮ରେ, ରାଜସ୍ଥାନ ଓ ତେଲେଙ୍ଗାନାରେ ଡିସେମ୍ବର ୭ରେ ମତଦାନ ହେବ। ଛତିଶଗଡ଼ରେ ନଭେମ୍ବର ୧୨ ଓ ୨୦ରେ ମତଦାନ ହେବ।

 

  • Tags:

Subscribe

National International State Sports Entertainment