ଆଜି ନୀତିଶ କୁମାରଙ୍କୁ ଭେଟିବେ ଶାହା, ୨୦୧୯ ନିର୍ବାଚନ ନେଇ ହେବ ଆଲୋଚନା
Khabar Odisha:BJP-national-chairman-to-meet-Nitish-Kumar-today

ନୂଆଦିଲ୍ଲୀ, ଜୁଲାଇ ୧୨ (ଖବର ଓଡ଼ିଶା): ବିଜେପି ଓ ଜେଡିୟୁ ମଧ୍ୟରେ ସିଟ ଭାଗବଣ୍ଟାକୁ ନେଇ କିଛି ଦିନ ହେବ ବୟାନବାଜି ଜାରି ରହିବା ପରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପାଟନାରେ ଭେଟୁଛନ୍ତି । ଏନେଇ ଉଭୟ ନେତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଓ ନୀତିଶ କୁମାର ଲୋକ ସମ୍ବାଦ ସମୟରେ ଉଭୟ ଦଳ ମଧ୍ୟରେ ଉତ୍ତସଂପର୍କ ନେଇ ଆଲୋଚନା ହେବ ବୋଲି ଅନୁମାନ କରାଯାଉଛି । 

ପାଟନା ଗସ୍ତ କାଳରେ ଶାହା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିବେ ସତ କିନ୍ତୁ ସବୁଠାରୁ ବଡ଼ ନଜର ତାଙ୍କର ଜଳଖିଆ ଓ ରାତ୍ରି ଭୋଜନ ଉପରେ ରହିବ । ସକାଳ ଜଳଖିଆରେ ଅନେକ ନେତା ସାମିଲ ହେଉଛନ୍ତି । ସେହିଭଳି ରାତ୍ରି ଭୋଜନ ସକ୍ୟୁଲାର ରୋଡ଼ସ୍ଥିତ ନୀତିଶ କୁମାରଙ୍କ ବର୍ତ୍ତମାନ ନିବାସ ୭ରେ ହେବ । ବିହାର ବିଜେପିର କିଛି ବଛାବଛା ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । 

ଲୋକସଭା ନିର୍ବାଚନକୁ ୮ମାସ ବାକି ଅଛି କିନ୍ତୁ ଏନଡିଏର ସମସ୍ତ ସହଯୋଗୀ ଦଳ ସିଟ ଆବଣ୍ଟନକୁ ନେଇ ନାଟକ ଆରମ୍ଭ କରି ଦେଇଛନ୍ତି । ନିର୍ବାଚନରେ ସିଟ ଆବଣ୍ଟନ ୨୦୧୪ ଲୋକସଭା ନିର୍ବାଚନ ଭଳି ହେଉ । ବିହାରରେ ବିଜେପିକୁ ୨୨ଟି ସିଟ ମିଳିଥିଲା । ରାମବିଳାସ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି ଓ ଉପେନ୍ଦ୍ର କୁଶବାହ ରାଲେଶସପା ସହିତ ଏକାଠି ହୋଇ ମେଣ୍ଟରେ ବିଜେପି ୩୦ଟି ସିଟରେ ଲଢ଼େଇ କରିଥିଲା । ବିଜେପି ପାଖାପାଖି ୨୨ଟି ସିଟରେ ନିର୍ବାଚନରେ ଲଢ଼ିବାକୁ ଚାହୁଁଥିବା ବେଳେ ଜେଡିୟୁ ଅଧିକ ସିଟରେ ପ୍ରତିଦ୍ୱନ୍ଦୀତା କରିବାକୁ ଆଗ୍ରହ ପ୍ରକାଶ କରିଛି । 

୪୦ ଲୋକସଭା ଆସନ

ବିିହାରରେ ମୋଟ ୪୦ଟି ଲୋକସଭା ଆସନ ରହିଛି । ଗତ ନିର୍ବାଚନରେ ଏନଡିଏକୁ ୩୧ଟି ସିଟରେ ବିଜୟ ମିଳିଥିଲା । ଏଥିରେ ବିଜେପି ୨୨, ଲୋଜପା ୬ ଓ ରାଲୋସପା ୩ଟି ଆସନରେ ବିଜୟୀ ହୋଇଥିଲେ । ସେହି ସମୟରେ ଜେଡିୟୁ ଏକାକୀ ନିର୍ବାଚନକୁ ଓହ୍ଲାଇଥିଲା । ଜେଡିୟୁକୁ ମାତ୍ର ୨ଟି ସିଟରେ ବିଜୟ ମିଳିଥିଲା କିନ୍ତୁ ଜେଡିୟୁକୁ ଖରାପ ସ୍ଥିତିରେ ବି ୧୬ରୁ ୧୭ ପ୍ରତିଶତ ଭୋଟ ମିଳିଥିଲା । 

ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଜେଡିୟୁର ଆଗ୍ରହ ଯେ ଉଭୟ ଦଳ ୧୭-୧୭ ଲୋକସଭାରେ ପ୍ରତିଦ୍ୱନ୍ଦୀତା କରୁ । ଏଥି ସହିତ ଜେଡିୟୁ ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡରେ ୪ଟି ଆସନ ଦାବି କରୁଛି । ବିହାରରେ ରାଜନୀତି ମାହୋଲ ଗରମ ଥିବା ବେଳେ ଜେଡିୟୁର କିଛି ନେତା ଆରଜେଡି ସହିତ କଥାବାର୍ତ୍ତା କରୁଥିବା ଜଣାପଡ଼ିଛି । 

 

  • Tags:

Subscribe

National International State Sports Entertainment