ଏକକ ନିର୍ବାଚନକୁ ୪ ଦଳର ସମର୍ଥନ, ୯ ଅରାଜି, ବିଜେପି କଂଗ୍ରେସ ଚୁପ
Khabar Odisha:9-political-parties-reject-one-time-election-4-support
ନୂଆଦିଲ୍ଲୀ,ଜୁଲାଇ ୦୯(ଖବର ଓଡିଶା):

ଦେଶର ସମସ୍ତ ରାଜ୍ୟର ବିଧାନସଭା ଓ ଲୋକସଭା ନିର୍ବାଚନକୁ ଏକ ସଙ୍ଗେ କରାଯିବା ମାମଲାରେ ବିରୋଧର ସ୍ୱର ଧିରେ ଧିରେ ବଢ଼ିବାରେ ଲାଗିଛି । ତୃଣମୂଳ କଂଗ୍ରେସ(ଟିଏମସି),  ଆମ ଆଦମୀ ପାଟୀ ର୍(ଆପ) ଓ ତେଲୁଗୁ ଦେଶମ ପାର୍ଟୀ ସମେତ ୯ ଟି ଦଳ ଏକକ ନିର୍ବାଚନକୁ ବିରୋଧ କରିଛନ୍ତି । ବହୁ ବିପକ୍ଷୀ ଦଳର ଅସହମତି ମଧ୍ୟରେ ସମାଜବାଦୀ ପାର୍ଟୀ ସମେତ ଚାରୋଟି ରାଜନୈତିକ ଦଳ ଏହାକୁ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଛି । ତେବେ ଦେଶର ପ୍ରମୁଖ ଦୁଇଟି ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ଏହି ମାମଲାରେ ଚୁପ ରହିଥିବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାନୁସାରେ ଲ’ କମିଶନ କିଛି ଦିନ ପୂର୍ବେ ଦେଶର ପ୍ରମୂଖ ରାଜନୈତିକ ଦଳଗୁଡିକୁ ଏକକ ନିର୍ବାଚନ ମାମଲାରେ ନିଜର ରାୟ ମାଗିଥିଲେ । ଦୁଇ ଦିନ ଧରି ଚାଲିଥିବା ପରାମର୍ଶ ପ୍ରକ୍ରିୟାରେ କଂଗ୍ରେସ ଓ ବିଜେପିରେ କୌଣସି ପ୍ରତିନିଧି ଯୋଗ ଦେଇ ନ ଥିବା ଦେଖିବାକୁ ମିଳିଛି । ତେବେ ମମତା ବାନାର୍ଜୀଙ୍କ ଟିଏମସି, ଗୋଆରେ ବିଜେପିର ସହଯୋଗୀ ଗୋଆ ଫରୱର୍ଡ ପାର୍ଟୀ,ଅରବିନ୍ଦ କେଜ୍ରିୱାଲଙ୍କ ଆପ, କରୁଣାନିଧୀଙ୍କ ଡିଏମକେ, ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି, ଫରୱର୍ଡ ବ୍ଲାକ, ଏଚ ଡି ଦେବ ଗୌଡାଙ୍କ ଜେଡିଏସ ଓ ବାମ ଦଳ ଏହାର ବିରୋଧ କରିଥିଲେ । ବିଜେପି ନେତୃତ୍ୱାଧୀନ ଏନଡିଏର ସହଯୋଗୀ ଶିରୋମଣୀ ଅକାଳୀ ଦଳ ସମେତ ଏଆଇଡିଏମକେ , ସମାଜବାଦୀ ପାର୍ଟୀ ଓ ଟିଆରଏଏମ ଏକକ ନିର୍ବାଚନକୁ ସମର୍ଥନ ଜଣାଇଥିଲେ । ଓଡିଶାରେ ଶାସନାଧୀନ ବିଜେଡି ସରକାର ଆସନ୍ତାକାଲି ଏନେଇ ପକ୍ଷ ରଖିବାର ସୂଚନା ମିଳିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକକ ନିର୍ବାଚନର ସୂତ୍ରଧାର ବୋଲି ପୁରୀ ସାଂସଦ ପିନାକୀ ମିଶ୍ର ମତ ପ୍ରକାଶ କରିଥିଲେ ।

  • Tags:

Subscribe

National International State Sports Entertainment