ପୁଣି ଜୋର ଧରିଲା କୃଷି ଋଣ ଛାଡ ପ୍ରସଙ୍ଗ, ବୋନସ ପ୍ରତିଶୃତି କେବେ ପୂରଣ କରିବେ ମୁଖ୍ୟମନ୍ତ୍ରୀ, ବିରୋଧୀଙ୍କ ଟାର୍ଗେଟରେ ସରକାର
Khabar Odisha:
ଭୁବନେଶ୍ୱର, ଜୁଲାଇ ୯ (ଖବର ଓଡ଼ିଶା):

କୃଷି ଋଣ ଛାଡ କରିବେ କି ସରକାର ? ବରଗଡରେ ଚାଷୀମାନଙ୍କୁ କୁଇଣ୍ଟାଲ ପ୍ରତି ୧୦୦ଟଙ୍କାର ବୋନସ ଦେବା ନେଇ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିବେ କି ମୁଖ୍ୟମନ୍ତ୍ରୀ ? ଏପରି ନାନା ପ୍ରଶ୍ନକୁ ନେଇ ବିରୋଧୀଙ୍କ ନିଶାନାରେ ରାଜ୍ୟ ସରକାର । ସେପଟେ କୃଷିଋଣ ଛାଡ ଓ ବୋନସ ପ୍ରସଙ୍ଗ ନେଇ ଗାଁରୁ ଜନଜାଗରଣ କରିବାକୁ ଘୋଷଣା କଲାଣି ବିଜେପି । କଂଗ୍ରେସ ମଧ୍ୟ ଆନ୍ଦୋଳନ ପାଇଁ ସଜବାଜ । ଅନ୍ୟପଟେ ନିଜେ ଯେଉଁ ଜାଲ ବିଛାଇଥିଲେ ଏବେ ସେହି ଜାଲରେ ମୁଖ୍ୟମନ୍ତ୍ରୀ ଫସିଗଲେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି   । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢଗୁଣା କରିବା ନେଇ କେନ୍ଦ୍ରକୁ ଟାର୍ଗେଟ କରି ଆସୁଥିଲା ବିଜେଡି  । ସେପଟେ କେନ୍ଦ୍ର ସରକାର ଏମ୍‌ଏସ୍‌ପି ଦେଢଗୁଣା ଅଧିକ ଘୋଷଣା କରିଥିବା ବେଳେ ପୁଣି ଥରେ ଚାଷୀ ଓ ଚାଷକୁ ନେଇ ରାଜ୍ୟରେ ଆରମ୍ଭ ହୋଇଯାଇଛି ରାଜନୀତି ।

ବିଜେପି ଶାସିତ ରାଜ୍ୟରେ ଚାଷୀମାନଙ୍କର ଋଣ ଛାଡ ହେବା ସହ ବୋନସ ଦିଆଯାଉଥିବା କଥା କହି ନବୀନଙ୍କୁ ଘେରିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ  । ଅନ୍ୟପଟେ ବିଜେପି ସରକାରକୁ ଆସିଲେ କୃଷିଋଣ ଛାଡ କରିବା ନେଇ ଘୋଷଣା ମଧ୍ୟ କଲାଣୀ  । କଂଗ୍ରେସ ମଧ୍ୟ ସମାନ ଢଙ୍ଗରେ ସରକାରଙ୍କୁ ଆକ୍ରମଣ କରୁଛି  । ରାଜ୍ୟ ସରକାରଙ୍କ କୃଷି ମାରଣ ନୀତିକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଖୋଲାଖୋଲି ବିରୋଧ କରିଛନ୍ତି  । ତେଣୁ ଏପରି ସ୍ଥିତିରେ ପୁଣି ରାଜ୍ୟରେ କୃଷିଋଣ ଛାଡକୁ ନେଇ ରାଜନୀତି ଜୋର ଧରିଛି  ।

ବିଜେପି ନିଜ ଶାସିତ ରାଜ୍ୟର କଥାକୁ ଦୋହରାଇ ମୁଖ୍ୟମନ୍ତ୍ରୀଙ୍କୁ କାଠଗଡାକୁ ଟାଣିଥିବା ବେଳେ ବିଜେଡି ଏହାକୁ ତୁଚ୍ଚା ରାଜନୀତି ବୋଲି କହୁଛି  । ଦଳର ମୁଖପାତ୍ର ସଶ୍ମିତ ପାତ୍ର ଏହା କେବଳ କଥାରେ ବୋଲି ଗଣମାଧ୍ୟମରେ କହିଛନ୍ତି  । ତେଣୁ ବିଜେଡି କାମରେ ବିଶ୍ବାସ କରେ ବୋଲି ସେ ପ୍ରକାଶ କରିଛନ୍ତି  ।

ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ପରି ବିଜେପି ଶାସିତ ରାଜ୍ୟ କୃଷିଋଣ ଛାଡ କରିଛନ୍ତି  । ସେପଟେ ଛତିଶଗଡ ସରକାର ଧାନ କୁଇଣ୍ଟାଲ ପ୍ରତି ୩୦୦ ଟଙ୍କାର ବୋନସ ଦେଇଛି  । ଏପଟେ ମୁଖ୍ୟମନ୍ତ୍ରୀ ନିଜେ ୧୦୦ ଟଙ୍କାର ବୋନସ ଦିଆଯିବାର ପ୍ରତିଶୃତି ଦେଇଥିବା ବେଳେ ଏବେ ସରକାର ପାଇଁ ଆହୁରି ଅଡୁଆ ବଢୁଛି ବୋଲି ରାଜନୈତିକ ପର୍ୟ୍ୟବେକ୍ଷକଙ୍କ ମହଲରେ ଆଲୋଚନା ହେଉଛି  ।

  • Tags:

Subscribe

National International State Sports Entertainment