ଯୌତୁକ ନିର୍ଯ୍ୟାତନାରେ ସୁପ୍ରିମକୋର୍ଟଙ୍କ ମହତ୍ୱପୂର୍ଣ୍ଣ ରାୟ, ଅଭିଯୋଗ ଆସିଲେ ତୁରନ୍ତ ବନ୍ଧା ହେବେ ସ୍ୱାମୀ
Khabar Odisha:supreme-court-said-immediate-arrest-for-dowry-harassment
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୪ (ଖବର ଓଡ଼ିଶା):

ଯୌତୁକ ନିର୍ଯ୍ୟାତନାରେ ସ୍ୱାମୀ ଏବଂ ତାଙ୍କ ପରିବାରକୁ ମିଳୁଥିବା ସୁରକ୍ଷାକବଚକୁ କାଢି ନିଆଯାଇଛି । ଏଣିକି ଏଭଳି ସଙ୍ଗୀନ ମାମଲା ଆସିଲେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯୌତୁକ ନିର୍ଯ୍ୟାତନା ଭଳି ଜଘନ୍ୟ ଅପରାଧରେ ଜଡ଼ିତ ଥିବା ସ୍ୱାମୀ କିମ୍ବା ତା’ର ପରିବାର ଲୋକଙ୍କୁ ଗିରଫ କରିବ ପୋଲିସ । ଶୁକ୍ରବାର ଆଇସିପି ଧାରା ୪୯୮-ଏର ଶୁଣାଣୀ କରି ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷିତ ରାୟ ଆଜି ପ୍ରକାଶ ପାଇଛି । 

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ତିନି ଜଣିଆ ଖଣ୍ଡପୀଠ ଆଇପିସି ଧାରା ୪୯୮-ଏ ତଥା ଯୌତୁକ ନିର୍ଯ୍ୟାତନା ମାମଲାରେ ଗିରଫଦାରୀକୁ ନେଇ ଶୁଣାଣୀ କରିଛନ୍ତି । ଖଣ୍ଡପୀଠ ପୂର୍ବ ବେଞ୍ଚର ନିଷ୍ପତ୍ତିକୁ ଖାରଜ କରି କହିଛନ୍ତି କି ପିଡ଼ୀତାଙ୍କ ସୁରକ୍ଷା ପାଇଁ ଅଭିଯୁକ୍ତଙ୍କ ଗିରଫ ଜରୁରୀ ଅଟେ । ଏଥିପାଇଁ କୌଣସି ପରିବାର କଲ୍ୟାଣ କମିଟିର ଆବଶ୍ୟକତା ନାହିଁ । ତେବେ ଅଭିଯୁକ୍ତଙ୍କ ପାଇଁ ଆଗୁଆ ଜାମିନ ଭଳି ବିକଳ୍ପ ବ୍ୟବସ୍ଥା ରହିଛି ବୋଲି କୋର୍ଟ କହିଛନ୍ତି । ତୁରନ୍ତ ଗିରଫଦାରୀ ଉପରେ ରୋକକୁ ବିରୋଧ କରି ଆବେଦନ କରାଯାଇଥିବା ଯାଚିକା ଉପରେ ଏପ୍ରିଲ ୨୩ରେ ଶୁଣାଣୀ କରି ରାୟକୁ ସଂରକ୍ଷିତ ରଖିଥିଲେ । 

ଏଠାରେ ଉଲ୍ଲେଖ ଯୋଗ୍ୟ, ଜୁଲାଇ ୨୭, ୨୦୧୭ରେ ସୁପ୍ରିମକୋର୍ଟର ଦୁଇ ବିଚାରପତିଙ୍କ ଖଣ୍ଡପୀଠ ଆଇପିସି ଧାରା ୪୯୮-ଏ ଯୌତୁକ ନିର୍ଯ୍ୟାତନା ମାମଲାରେ ତୁରନ୍ତ ଗିରଫଦାରୀ ଉପରେ ରୋକ ଲଗାଇଥିଲେ ଏବଂ ପ୍ରତି ଜିଲ୍ଲାରେ ପରିବାର କଲ୍ୟାଣ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କମିଟି ପ୍ରଥମେ ମାମଲା ଉପରେ ଯାଞ୍ଚ କରିବେ ଏବଂ ପରେ ସଂପୃକ୍ତ ସ୍ୱାମୀ କିମ୍ବା ପରିବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଖଣ୍ଡପୀଠ କହିଥିଲେ ଯେ ପ୍ରଥମେ ଯାଞ୍ଚ କରାଯିବା ପରେ ଗିରଫ କରିବା ଉଚିତ । ଏ ନେଇ ଏକ ଗାଇଡ଼ଲାଇନ ମଧ୍ୟ ଜାରୀ କରିଥିଲେ । 

ଗତବର୍ଷ ଅକ୍ଟୋବର ୧୩ରେ ଏହି ମାମଲାର ଶୁଣାଣୀ କରି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କହିଥିଲେ ଯେ ପୂର୍ବ ବେଞ୍ଚ ଜାରି କରିଥିବା ଗାଇଡ଼୍‌ଲାଇନ୍‌ରେ ସେ ଏକମତ ନୁହଁନ୍ତି । ଏହା ଉପରେ ପୁନର୍ବାର ଶୁଣାଣୀ କରିବାକୁ ନିଷ୍ପତ୍ତି ନେଇଥିଲେ । ଖଣ୍ଡପୀଠ ଶୁଣାଣୀରେ କହିଥିଲେ ଯେ ଆମେ ନିୟମ ତିଆରି କରି ପାରିବା ନାହିଁ ବରଂ ଏହାର ବ୍ୟାଖ୍ୟା କରିପାରିବା । ଯଦି ଧାରା ୪୯୮-ଏର ଧାରାକୁ ଆମେ କୋହଳ କରିବା ତାହା ହେଲେ ମହିଳାଙ୍କ ଅଧିକାର ବିରୋଧରେ ଯିବା । 

  • Tags:

Subscribe

National International State Sports Entertainment