କାଶ୍ମୀର: ସେନା ଗୁଳିରେ ଟଳିଲା ମନ୍ନାନ ଓ୍ଵାନି, ଏଏମୟୁରୁ ପିଏଚଡି ଛାଡ଼ି ହୋଇଥିଲା ଆତଙ୍କୀ
Khabar Odisha:amu-formers-student-and-hizbul-mujahideen-militant-manan-wani-gunned-down-by-security-force
ଶ୍ରୀନଗର, ଅକ୍ଟୋବର୧୧(ଖବର ଓଡ଼ିଶା):

ଜାମ୍ମୁ ଓ କାଶ୍ମୀରର କୁପଓ୍ଵାଡା ଜିଲ୍ଲାରେ ଗୁରୁବାର ସୁରକ୍ଷାବଳଙ୍କ ବଡ଼ ଧରଣର ଅପରେସନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।  ଏହି ଦୁଇ ଆତଙ୍କବାଦୀଙ୍କ ମଧ୍ୟ ଚିହ୍ନଟ ହୋଇଛି। ଜଣେ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦୀନର କମାଣ୍ଡର ମନ୍ନାନ ଓ୍ଵାନି।  ମନ୍ନାନ ଓ୍ଵାନି ଅଲିଗଡ଼ ମୁସଲିମ ୟୁନିଭର୍ସିଟି(ଏଏମୟୁ)ର ପୂର୍ବତନ ଛାତ୍ର। ଓ୍ଵାନି ଚଳିତ ବର୍ଷ ଏଏମୟୁରୁ ନିଖୋଜ ଥିଲା।  ପରେ ଜଣା ପଡିଥିଲା ଯେ ସେ  ଆତଙ୍କୀ ସଂଗଠନ ମୁଜାହିଦ୍ଦୀନରେ ସାମିଲ ହୋଇଯାଇଛି। ଏହା ପରେ ଏଏମୟୁ ମନ୍ନାନ ଓ୍ଵାନୀଙ୍କୁ ବହିଷ୍କାର କରିଥିଲା।

ସୂତ୍ର ମୁତାବକ, ହନ୍ଦଓ୍ଵାଡାର ସାଟଗୁଣ୍ଡ ଇଲାକାରେ ସେନାର ରାଷ୍ଟ୍ରୀୟ ରାଇଫଲ୍ସ, ପୋଲିସ ଓ ସିଆରପିଏଫର ମିଳିତ ଅପରେସନରେ ହିଜବୁଲ ମୁଜାହିଦ୍ଦୀନର ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ହିଜବୁଲ ମୁଜାହିଦ୍ଦୀନ ମୁନ୍ନାନ ଓ୍ଵାନୀ ପାଇଁ ଟେଲିଗ୍ରାମ ଚ୍ୟାନେଲରେ ଏକ ସନ୍ଦେଶ ଜାରି କରି କହିଛି ଯେ ଡାକ୍ତର ଓ୍ଵାନୀ ସହିଦ ହୋଇଛନ୍ତି। ଆହ୍ଲା ତାଙ୍କୁ ସ୍ଵର୍ଗରେ ଜାଗା ଦିଅନ୍ତୁ।

ସେନାର ଓ୍ଵାଣ୍ଟେଡ୍ ତାଲିକାରେ ସାମିଲ ଥିଲା ଓ୍ଵାନି

ମନ୍ନାନ ଓ୍ଵାନି ଚଳିତ ବର୍ଷ ପ୍ରାରମ୍ଭରେ ଅଲିଗଢ ମୁସଲିମ ବିଶ୍ଵ ବିଦ୍ୟାଳୟରୁ ପିଏଚଡି ପାଠ୍ୟକ୍ରମ ଛାଡି ହିଜବୁଲ ମୁଜାହିଦ୍ଦୀନ ସହ ହାତ ମିଳାଇଥିଲା। ହିଜବୁଲ ଓ୍ଵାନିକୁ କୁପଓ୍ଵାଡାର କମାଣ୍ଡର କରିଥିଲା। ମନ୍ନାନ ହିଜବୁଲରେ ଯୋଗ ଦେବା ପରଠୁ ସେନା ତାରି ସନ୍ଧାନରେ ଜୁଟିଥିଲେ। ଅନ୍ୟ ପଟେ ଗତ ଦିନରେ ସେନା ପକ୍ଷରୁ ଜାରି ମୋଷ୍ଟ ଓ୍ଵାଣ୍ଟେଡ୍ ତାଲିକାରେ  ମନ୍ନାନର ନାମ ମଧ୍ୟ ସାମିଲ ଥିଲା। 

ଗୁରୁବାର ସକାଳେ ହନ୍ଦଓ୍ଵାଡ଼ାରେ ହିଜବୁଲ କମାଣ୍ଡର ଛପି ରହିଥିବାର ସୂଚନା ମିଳିବା ପରେ ସେନା ଅପରେସନ ଆରମ୍ଭ କରିଥିଲେ। ଏହା ପରେ ପ୍ରାୟ ୯ଟାରେ ରାଷ୍ଟ୍ରୀୟ ରାଇଫଲ୍ସ, ପାରା ସ୍ପେଶାଲ ଫୋର୍ସ, ଏସଓଜି ଓ ସିଆରପିଏଫ ମିଳିତ ଭାବେ ଅପରେସନ ଚଳାଇ ସାଟୁଗଣ୍ଡ ଇଲାକାକୁ ଘେରି ଯାଇଥିଲେ। ଲାଉଡସ୍ପିକର ଜରିଆରେ ଛପି ରହିଥିବା ଆତଙ୍କବାଦୀଙ୍କୁ ଆତ୍ମ ସମର୍ପଣ କରିବାକୁ କୁହାଯାଇଥିଲା।  ମାତ୍ର ଆତଙ୍କୀ ସୁରକ୍ଷାବଳଙ୍କ ଘେରାବନ୍ଦୀ ମଧ୍ୟରେ ଫାୟରିଂ କରି ଖସି ପଳାଇବାକୁ ଚେଷ୍ଟା କରିଥିଲେ। 

ସେନା ମୋର୍ଚ୍ଚା ସମ୍ଭାଳି ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦେଇଥିଲେ। ଏହି ଏନକାଉଣ୍ଡର ପରେ ସ୍ଥାନୀୟ ଇଲାକାରେ ମାହୋଲ ଅଶାନ୍ତ ହେବାରୁ କୁପଓ୍ଵାଡାର ସମସ୍ତ ସ୍କୁଲ-କଲେଜ ବନ୍ଦ କରାଯିବା ସହିତ ଇଣ୍ଟରନେଟ୍ ସେବା ଉପରେ ରୋକ୍ ଲଗାଇବାକୁ ଆଦେଶ ଦିଆଯାଇଛି। 

Subscribe

National International State Sports Entertainment