କେରଳରେ ଭୟଙ୍କର ବନ୍ୟା: ୨୯ ଜଣଙ୍କ ମୃତ୍ୟୁ, ୫୪୦୦୦ ଲୋକ ବେଘର
Khabar Odisha:kerala-people-trapped-in-a-resort-in-munnar
ତିରୁବନନ୍ତପୁରମ, ଅଗଷ୍ଟ୧୦(ଖବର ଓଡ଼ିଶା):

 କେରଳରେ କ୍ରମାଗତ ଜାରି ମୂଷଳଧାରା ବର୍ଷା ପରେ ବନ୍ୟା ପରିସ୍ଥିତି ଅଧିକ ଗମ୍ଭୀର ହୋଇ ପଡିଛି। ଗତ ୪୮ ଘଣ୍ଟା ଧରି ହେଉଥିବା ପ୍ରବଳ ବର୍ଷା ସବୁ ବନ୍ଧକୁ ଭାଙ୍ଗି ଦେଇଛି। ଅବସ୍ଥା ଏମିତି ବିଗିଡ଼ିଛି ଯେ କେରଳର ଭିନ୍ନ ଭିନ୍ନ ଅଞ୍ଚଳରେ ଅତି କମରେ ୨୪ଟି ବନ୍ଧର ଗେଟ୍ ଖୋଲିବାକୁ ପଡିଛି। ୪୦ ବର୍ଷ ପରେ ପ୍ରଥମ ଥର ଇଡୁକ୍କୀ ଡ୍ୟାମର ୫ଟି ସଟର ଖୋଲି ଦିଆଯାଇଛି। 

ମିଳିଥିବା ସୂଚନା ମୁତାବକ ଏର୍ଣ୍ଣାକୁଲ ଓ ତ୍ରିଶୂରରେ ହାଇଆଲର୍ଟ ଜାରି କରାଯିବା ସହିତ ଭୟାନଡ ଜିଲ୍ଲାରେ ଅଗଷ୍ଟ ୧୪ ପର୍ୟ୍ୟନ୍ତ ରେଡ ଆଲର୍ଟ ଜାରି କରାଯାଇଛି। ରିପୋର୍ଟ ମୁତାବକ ଏ ପର୍ୟ୍ୟନ୍ତ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି। ପ୍ରାୟ ୫୪,୦୦୦  ଲୋକ ବେଘର ହୋଇସାରିଛନ୍ତି। 

ରିଲିଫ ଓ ଉଦ୍ଧାରକାର୍ୟ୍ୟ ପାଇଁ ଆର୍ମିର ମୋଟ୍ ୮ଟି ଦଳକୁ ନିୟୋଜିତ କରାଯାଇଛି। ନେଭି ଦ୍ଵାରା ଚଲାଯାଇଥିବା ‘ଅପରେସନ ମଦଦ’ ଜରିଆରେ କେରଳର ପାହାରଡି ଇଲାକାରୁ ଏ ପର୍ୟ୍ୟନ୍ତ ୫୫ ଜଣ ଲୋକଙ୍କୁ ବଞ୍ଚାଯାଇଛି।  ଭୟାନଡ ଜିଲ୍ଲାର ୧୯୬୪ ପରିବାରର ୧୦,୪୦୦ ଲୋକଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ସରକାରୀ ସୂତ୍ର ମୁତାବକ ଏ ପର୍ୟ୍ୟନ୍ତ ବନ୍ୟାରେ ରାଜ୍ୟର ୨୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫୪,୦୦୦ ଲୋକ ବେଘର ହୋଇଛନ୍ତି। 

ସାହାଯ୍ୟ ପାଇଁ ଆଗକୁ ଆସିଲେ କର୍ଣ୍ଣାଟକ ଓ ତାମିଲନାଡୁ ସରକାର

କେରଳରେ ବନ୍ୟାର ଭୟାବହ ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଜନତାଙ୍କୁ ଏବଂ ସଂସ୍ଥାଗୁଡିକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରେ ଦାନ କରିବାକୁ ଅପିଲ କରିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୧୦ କୋଟି ଟଙ୍କା ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କା କେରଳ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ଦେବାକୁ ଘୋଷଣା କରିଛନ୍ତି। 

କେରଳର ଇଡୁକ୍କୀ  ଜିଲ୍ଲାରେ ବର୍ଷାର ଓ ବନ୍ୟାର ଭୟାବହ ସ୍ଥିତି ଅଧିକ ରହିଛି। ୫୦ ବର୍ଷ ପରେ ପ୍ରଥମ ଥର ରାଜ୍ୟରେ ଏମିତି ଭୟଙ୍କର ବନ୍ୟା ପରିସ୍ଥିତି ଉତ୍ପନ ହୋଇଛି। ଅବସ୍ଥା ଏମିତି ଯେ ଚାରି ଆଡେ ଖାଲି ପାଣି ହିଁ ପାଣି। 

ସୂଚନା ମୁତାବକ ଇଡକ୍କୀ ଡ୍ୟାମର କ୍ଷମତା ୨୪୦୩ ଫୁଟ୍ ଏବଂ ଶୁକ୍ରବାରଳ ସକାଳ ୧୦ଟା ସୁଦ୍ଧା ଡ୍ୟାମରେ ୨୪୦୧.୩୪ ଫୁଟ୍ ପର୍ୟ୍ୟନ୍ତ ପାଣି ପ୍ରବେଶ କରି ସାରିଛି। ଇଡକ୍କୀ ଜିଲ୍ଲା ପ୍ରଶାସନ ପର୍ୟ୍ୟଟକଙ୍କୁ ପାହାଡି ଇଲାକାକୁ ଯିବା ଏବଂ ଭାରୀ ସାମଗ୍ରୀ ପରିବହନ କରୁଥିବା ବାହାନର ଯାତାୟାତ ଉପରେ ରୋକ୍ ଲଗାଇଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ୪୦ ବର୍ଷରେ ପ୍ରଥମ ଥର ଇଡକ୍କୀ ଡ୍ୟାମର ୫ଟି ଗେଟ୍ ଖୋଲା ଯାଇଛି। ଯଦ୍ଵାରା ରାଜ୍ୟରେ ବନ୍ୟା ସ୍ଥିତି ଭୟାବହ ହୋଇଛି।

ବନ୍ୟାରେ ଏର୍ଣ୍ଣାକୁଲମରେ ୬,୫୦୦ ଓ ଇଡକ୍କୀର ୭୫୦୦ ପରିବାର ପ୍ରଭାବିତ ହେବାର ଆଶଙ୍କା ରହିଛି।  ମୁନ୍ନାର ରିସର୍ଟରେ ପ୍ରାୟ ୬୦ ପର୍ୟ୍ୟଟକ  ଫସି ରହିଛନ୍ତି।  ଆଶଙ୍କା କରାଯାଉଛି ଯେ ଏଥିରୁ ଅନେକ ବିଦେଶୀ ମଧ୍ୟ ଅଛନ୍ତି। କୁହାଯାଉଛି ଯେ ରିସର୍ଟକୁ ସଂଯୋଗ କରୁଥିବା ରାସ୍ତା ଭୂସ୍ଖଳନରେ ଧସି ଯିବାରୁ ଯାତାୟାତ ସଂପୂର୍ଣ୍ଣ ଠପ୍ ରହିଛି। ପର୍ୟ୍ୟଟକଙ୍କ ବାହାର କରିବା ପାଁ ସେନାର ସାହାଯ୍ୟ ନିଆଯାଉଛି। ଉଲ୍ଲେଖଯୋଗ୍ୟ ସ୍ଥିତିକୁ ଦେଖି ଆମେରିକା ପୂର୍ବରୁ ମଧ୍ୟ ନିଜର ପର୍ୟ୍ୟଟକଙ୍କୁ କେରଳ ନଯିବାକୁ  ପରାମର୍ଶ ଦେଇସାରିଛି। ତଳ ଇଲାକାରେ ରହୁଥିବା ଅତି କମରେ ୪୦୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ରାଜ୍ୟର ପ୍ରଭାବିତ ଇଲାକାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି। 

ଅପର ପକ୍ଷେ ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ପ୍ରବଳ ବର୍ଷାରେ ପ୍ରଭାବିତ କେରଳକୁ କେନ୍ଦ୍ର ପକ୍ଷରୁ ଯଥା ସମ୍ଭବ ସହଯାଗ ଯୋଗାଇ ଦିଆଯିବ। 

  • Tags:

Subscribe

National International State Sports Entertainment