ନୂଆଦିଲ୍ଲୀ, ଅଗଷ୍ଟ ୧୦, (ଖବର ଓଡିଶା)
କେନ୍ଦ୍ର ସରକାର ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାର ସାତ ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ମନା କରିଦେଇଛନ୍ତି । ସୁପ୍ରିମ କୋର୍ଟରେ ଏହି ମାମଲା ଉପରେ ଆଜି ଶୁଣାଣି କରି ସରକାର କହିଛନ୍ତି କି, ଏହି କେସ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହିତ ଜଡିତ ଅଛି, ଏଥି ପାଇଁ ଦୋଷୀମାନଙ୍କୁ ମୁକ୍ତ କରାଯାଇ ପାରିବ ନାହିଁ ।
ସୂଚନାଯୋଗ୍ୟ କି, ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ସମସ୍ତ ଦୋଷୀ ବର୍ତମାନ ତାମିଲନାଡୁର ଜେଲରେ ବନ୍ଦ ଅଛନ୍ତି । ସେମାନେ ଗତ ୨୭ ବର୍ଷ ଧରି ଜେଲରେ ଦଣ୍ଡ ଭୋଗୁଛନ୍ତି । ଏହା ପୂର୍ବରୁ ତାମିଲନାଡୁ ସରକାର ୨୦୧୬ ମାର୍ଚ୍ଚ ୨ ରେ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି କହିଛନ୍ତି କି, ସେ ସାତ ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ନିର୍ଣ୍ଣୟ ନେଇଛନ୍ତି । ୨୦୧୫ରେ ସୁପ୍ରିମକୋର୍ଟର ଏକ ଆଦେଶ ଅନୁସାରେ ଏହି ଦୋଷୀମାନଙ୍କୁ ମୁକ୍ତ କରାଯିବା ପୂର୍ବରୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଅନୁମତି ନେବାର ଆବଶ୍ୟକ ଅଟେ । ଏଥି ପାଇଁ ଏହି ମାମଲା ସୁପ୍ରିମକୋର୍ଟରେ ଚାଲୁଅଛି ।
କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଛନ୍ତି କି, ଏହି ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ଏଜେନ୍ସୀ (ସିବିଆଇ) ମଧ୍ୟ ଏହି ସାତ ଦୋଷୀମାନଙ୍କୁ ମୁକ୍ତ କରିବାକୁ ବିରୋଧ କରିଛନ୍ତି । ସରକାର କହିଛନ୍ତି କି, ତାମିଲନାଡୁ ସରକାରଙ୍କୁ ଏହି ନିଷ୍ପତି ବିଷୟରେ ଏପ୍ରିଲ ୧୮ ରେ ସୂଚିତ କରାଯାଇଥିଲା ।
ସୂଚନା ଅନୁଯାୟୀ, ଏହା ପୂର୍ବରୁ ସୁପ୍ରିମକୋର୍ଟ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାର ସାତ ଦୋଷୀଙ୍କୁ ମୁକ୍ତ କରିବା ସମ୍ବନ୍ଧରେ ତାମିଲନାଡୁ ସରାକରଙ୍କ ପତ୍ର ଉପରେ କେନ୍ଦ୍ର ସରକାରଙ୍କୁ ତିନି ମାସ ଭିତରେ ନିର୍ଣ୍ଣୟ ନେବାକୁ କହିଛନ୍ତି ।