ଜାମ୍ମୁ ଓ କାଶ୍ମୀରରେ ମେଣ୍ଟ ସରକାରଠୁ ଅଲଗା ହେଲା ବିଜେପି, ପିଡିପି ପାଖରେ କଣ ରହିଛି ବିକଳ୍ପ ? ଜାଣନ୍ତୁ
Khabar Odisha:bjp-pulls-out-of-alliance-with-pdp-in-jammu-kashmir-now-what-next

ନୂଆଦିଲ୍ଲୀ,ଜୁନ୧୯(ଖବର ଓଡ଼ିଶା): ଜାମ୍ମୁ ଓ କାଶ୍ମୀରରେ ପିଡିପି ସହିତ ସରକାର ଚଳାଉଥିବା ମେଣ୍ଟ ସରକାରରୁ ବିଜେପି ଓହରି ଯାଇଛି। ବିଜେପିର ବରିଷ୍ଠ ନେତା ରାମ ମାଧବ ମଙ୍ଗଳବାର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଦିଆଯାଇଛି, ମାତ୍ର ରାଜ୍ୟ ସରକାର ସ୍ଥିତି ସମ୍ଭାଳିବାରେ  ବିଫଳ ହୋଇଛନ୍ତି। କାଶ୍ମୀର ଘାଟିରେ ପରିସ୍ଥିତି ଅଧିକ ବିଗିଡିବାରେ ଲାଗିଛି, ଏବେ ରାଷ୍ଟ୍ରୀୟ ସୁରକ୍ଷା ଓ ଏକତାକୁ ଧ୍ୟାନରେ ରଖି ମେଣ୍ଟ ସରକାରଠୁ ଅଲଗା ହେବା  ପାଇଁ ନିଷ୍ପତ୍ତି ନିଆଯାଇଥିବା ରାମ ମାଧବ କହିଛନ୍ତି। ଆସନ୍ତୁ ଜାଣିବା ମେହବୁବା ସରକାରଙ୍କ ପାଇଁ ଆଗକୁ କଣ ରହିଛି ବିକଳ୍ପ। 

ବିଜେପି ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ କରିବାକୁ ଅନୁରୋଧ କରିଛି। ଅନ୍ୟ ପଟେ ବିଜେପିର ସମର୍ଥନ ପ୍ରତ୍ୟାହାର ପରେ ଜାମ୍ମୁ ଓ କାଶ୍ମୀରରେ ମେହବୁବା ସରକାର ପାଇଁ ସଂକଟ ସୃଷ୍ଟି ହୋଇଛି। ଗତ ବିଧାନସଭା ନିର୍ବାଚନ ଉପରେ ନଜର ପକାଇଲେ ରାଜ୍ୟର ମୋଟ୍ ୮୭ ବିଧାନସଭା ସିଟ୍ ମଧ୍ୟରୁ ପିଡିପିକୁ ୨୫, ବିଜେପିକୁ ୨୫, ନ୍ୟାସନାଲ କନଫରେନ୍ସକୁ ୧୫ ଓ କଂଗ୍ରେସକୁ ୧୨ଟି ସିଟ୍ ମିଳିଛି। ଏହା ବ୍ୟତୀତ ଅନ୍ୟ ଦଳର ଖାତାକୁ ଯାଇଛି ୭ଟି ସିଟ୍। 

ପ୍ରଥମ ସମୀକରଣ

ନିର୍ବାଚନ ପାଇଁ ଏବେ ପାଖାପାଖି ୩ ବର୍ଷ ବାକି ରହିଛି।  ଏମିତିରେ ଯଦି ମେଣ୍ଟ ସରକାର ଗଠନ କରିବାକୁ ଚେଷ୍ଟା କରାଯାଏ ତେବେ ପିଡିପିକୁ କଂଗ୍ରେସ ବ୍ୟତୀତ ଅନ୍ୟ ଦଳର ସମର୍ଥନ ମଧ୍ୟ ଆବଶ୍ୟକ। ଜାମ୍ମୁ ଓ କାଶ୍ମୀରେ  ବହୁମତ ପାଇଁ ଆବଶ୍ୟକ ୪୪ଟି ସିଟ୍। ଏମିତିରେ ପିଡିପିର ୨୮, କଂଗ୍ରେସ ୧୨ ଓ ଅନ୍ୟ ଦଳର ୭ ବିଧାୟକଙ୍କୁ ମିଶାଇଲେ ସମୀକରଣ ୪୭ ହେଉଛି। ମାତ୍ର କଂଗ୍ରେସ ପିଡିପି ସହିତ ମେଣ୍ଟ କରିବା ସମ୍ଭାବନାକୁ ମନା କରି ଦେଇଛି। 

ଦ୍ଵିତୀୟ ସମୀକରଣ

ଯଦି ପିଡିପି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ନହୁଏ ତେବେ ମେହବୁବା ମୁଫତିଙ୍କ ପାଖରେ ଦ୍ଵିତୀୟ ବିକଳ୍ପ ରହିଛି। ଆଉ ଏହି ବିକଳ୍ପ ହେଉଛି ରାଜ୍ୟର ମୁଖ ବିରୋଧୀ ପାର୍ଟି ନ୍ୟାସନାଲ କନଫରେନ୍ସ ସହ ହାତ ମିଳାଇବା। ଏମିତି ସ୍ଥିତିରେ  ବହୁମତ ପାଇଁ ୨୮+୧୫+୭=୫୦ ହେବ।   ଉପରୋକ୍ତ ଦୁଇଟି ସ୍ଥିତିରେ ଅନ୍ୟ ୭ ସିଟ୍ ପାଇଁ ପିଡିପିକୁ ଅନ୍ୟ ସହଯୋଗୀ ଦଳଙ୍କର ସମର୍ଥନ ଜରୁରୀ ରହିଛି। ଏହା ମଧ୍ୟରେ ନ୍ୟାସନାଲ କନଫରେନ୍ସର ନେତା ଉମର ଅବଦ୍ଦୁଲା ରାଜ୍ୟପାଳଙ୍କୁ ଭେଟ୍ କରିବାର କାର୍ୟ୍ୟକ୍ରମ ରହିଛି। ନ୍ୟାସନାଲ କନଫରେନ୍ସ ମଧ୍ୟ ମହତ୍ଵପୂର୍ଣ୍ଣ ବୈଠକ ଡକାଇଛି। 

ତୃତୀୟ ସମୀକରଣ

ଯଦି ଏହି ସମୀକରଣ ଉପରେ ସହମତି ନହୁଏ ତେବେ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହେବ। ଏହା ପରେ ନିର୍ବାଚନ କରାଇବାର ବିକଳ୍ପ ଖୋଲା ରହିବ। ରାଜ୍ୟର ଉପମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତା ମଧ୍ୟ ଘୋଷଣା କରିଛନ୍ତି ଯେ ଆମର ମନ୍ତ୍ରୀ ନିଜର ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପଠାଇ ଦେଇଛନ୍ତି।   ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ମଧ୍ୟ ଏହାର ସୂଚନା ଦିଆଯାଇଛି। 

  • Tags:

Subscribe

National International State Sports Entertainment