ଜୁମ୍ବା ଟ୍ରେନିଂକୁ କରିବାକୁ ଚାହାନ୍ତି କ୍ୟାରିୟର …. ଜାଣନ୍ତୁ କେମିତି
Khabar Odisha:Known-How-to-career-in-Zumba-Training
ଭୁବନେଶ୍ୱର, ୦୩ ଅଗଷ୍ଟ (ଖବର ଓଡିଶା):

 ଦିନକୁ ଦିନ ବଦଳୁଥିବା ଜୀବନଶୈଳୀରେ ନିଜ ପ୍ରତି ଧ୍ୟାନ ଦେଇପାରୁନଥିବାରୁ ଲୋକଙ୍କ ମଧ୍ୟରେ ଅବସାଦ, ଉଚ୍ଚ ରକ୍ତଚାପ, ମଧୁମେହ, ମେଦ ବହୁଳତା ଓ ନିଦ୍ରାହୀନତା ପରି ସମସ୍ୟା ବଢିବାରେ ଲାଗିଛି।ଏଥିରୁ ମୁକ୍ତି ପାଇବା ପାଇଁ ଜୁମ୍ବା ଏକ ଭଲ ଉପାୟ । ସାଧାରଣ ଭାବେ ଏକ୍ସରସାଇଜ୍ କଲେ ୨୦୦ରୁ ୩୦୦ କ୍ୟାଲୋରୀ ଖର୍ଚ୍ଚ ହେଉଥିବା ବେଳେ ମାତ୍ର ଏକ ଘଂଟାର ଜୁମ୍ବାରେ ୫୦୦ରୁ ୭୦୦ କ୍ୟାଲୋରୀ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ଏହାଦ୍ୱାରା ଶୀଘ୍ର ଓଜନ ହ୍ରାସ ହୁଏ , ଅବସାଦ ଦୂର ହୁଏ ଏବଂ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇପାରେ । ଏହା ବ୍ୟତୀତ ଶରୀରରେ ଶକ୍ତି ଓ ନମନୀୟତା ବୃଦ୍ଧି ପାଏ । ଏହାକୁ କ୍ୟାରିୟର ବାଛିବା ମଧ୍ୟ ଏକ ଭଲ ଅପସନ୍  । ଏହାଦ୍ୱାରା ଜଣେ ସ୍ୱାବଲମ୍ବୀ ହେବା ସହ ଭଲ ଆୟ ମଧ୍ୟ କରିପାରିବେ । ତେବେ ଆସନ୍ତୁ ଜାଣିବା ଆପଣ କେମିତି ହେବେ ଜୁମ୍ବା ପ୍ରଶିକ୍ଷକ ....

କେମିତି ନେବେ ପ୍ରଶିକ୍ଷଣ 

ଜୁମ୍ବା ପ୍ରଶିକ୍ଷକ ହେବା ପାଇଁ ବିଧିବଦ୍ଧ ତାଲିମ ନେବାକୁ ହୁଏ । ତାଲିମ ନେବା ଲାଗି କୌଣସି ଶିକ୍ଷାଗତ ଯୋଗ୍ୟତାର  ଆବଶ୍ୟକତା ନଥାଏ । ୧୮ ବର୍ଷରୁ ଉର୍ଦ୍ଧ୍ୱ ଯେ କେହିବି ଏହି ତାଲିମ୍ ନେଇ ପାରିବେ । ତାଲିମ୍ ସମ୍ବନ୍ଧିତ ସମସ୍ତ ତଥ୍ୟ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଜୁମ୍ବା ଡଟ୍ କମ୍ ସାଇଟ୍ ରେ ଉପଲବ୍ଧ ରହିଛି । ଉକ୍ତ ସାଇଟ୍ ରେ ଟ୍ରେନିଂ ସ୍ଥାନ, ସମୟ ଓ ଫି ଇତ୍ୟାଦି ସମସ୍ତ ତଥ୍ୟ ମିଳି ପାରିବ। ପ୍ରଶିକ୍ଷଣର ବିଭିନ୍ନ ସ୍ତର ରହିଛି । ଏହା ମଧ୍ୟରେ ବି୧, ବି୨, ଜୁମ୍ବା ହୋଲ୍ଡ , ଆକ୍ୱା ଜୁମ୍ବା ଓ ଜୁମ୍ବା ପ୍ରୋ ସ୍କିଲସ୍ ଇତ୍ୟାଦି ରହିଛି । ଏଥିପାଇଁ ୨୨୫ରୁ ୩୦୦ ୟୁଏଏସ୍ ଡଲାର ଫି ଦାଖଲ କରିବାକୁ ପଡେ , ଯାହାର ଭାରତୀୟ ମୁଦ୍ରାରେ ମୂଲ୍ୟ ୧୫ରୁ ୧୮ ହଜାର। ଟ୍ରେନିଂ ସମୟରେ, ରିଦିମ୍, କାର୍ଡିଓ, ବିଭିନ୍ନ ଆନ୍ତର୍ଜାତୀୟ ନୃତ୍ୟ ଶୈଳୀ ସମ୍ପର୍କରେ ତାଲିମ୍ ଦିଆଯାଏ। ଏହା ମଧ୍ୟରେ ମାରେଙ୍ଗେ , ସାଲସା ,ସାମ୍ବା, ବେଲି , ଟାଙ୍ଗୋ, ଫ୍ଲେମିଂକୋ , ରେଗେତୋଂ , କୁମ୍ବିଆ, ସୋକା ଇତ୍ୟାଦି ଅନ୍ତର୍ଭୁକ୍ତ। ଏହାସହ ମାନୁଆଲ ଓ ସାର୍ଟିଫିକେଟ୍ ମଧ୍ୟ ଦିଆଯାଏ। 

କେଉଁଠି ରହିଛି ସୁଯୋଗ

ଜୁମ୍ବା ଟ୍ରେନର ଭାବେ ଲାଇସେନ୍ସ ପାଇବା ପରେ ବିଭିନ୍ନ ଜିମ୍, ହେଲଥ କ୍ଲବ୍, ଫିଟନେସ୍ ସେଂଟର,  ସ୍କୁଲ, କଲେଜ, କର୍ପୋରେଟ୍ ସଂସ୍ଥା ସହ ପର୍ସନାଲ ଟ୍ରେନର ହୋଇପାରିବେ। ଜଣେ ତାଲିମ୍ ପ୍ରାପ୍ତ ଜୁମ୍ବା ଟ୍ରେନର ଗୋଟିଏ ଘଂଟାର ସେସନ୍ ପାଇଁ ୧ ହଜାରରୁ ୧୫୦୦ ପର୍ଯ୍ୟନ୍ତ ଆୟ କରିପାରିବେ । ଏହିପରି ଭାବେ ଜଣେ ଟେନର ମାସିକ ପ୍ରାୟ ୩୦ ହଜାରରୁ ୪୦ ହଜାର ପର୍ଯ୍ୟନ୍ତ ଆୟ କରିପାରିବେ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏହାର ଲୋକପ୍ରିୟତା ଅଧିକ ରହିଥିବା ବେଳେ ଓଡିଶାରେ ମଧ୍ୟ ଧିରେ ଧିରେ ଏହାର ଚାହିଦା ବଢିବାରେ ଲାଗିଛି । ତେଣୁ ସଂଗୀତ ଓ ନୃତ୍ୟ ପ୍ରତି ରୁଚି ରଖୁଥିବା ଯୁବପୀଢୀ ନିଜ କ୍ୟାରିୟରକୁ ନେଇ ସନ୍ଦିହାନ ହେବା ବଦଳରେ ସହଜରେ ଜୁମ୍ବାକୁ କ୍ୟାରିୟର କରିପାରିବେ ବୋଲି କଳିଙ୍ଗ ଫିଟନେସ୍ ର ଜୁମ୍ବା ଟ୍ରେନର ବିନୋଦ ନାୟକ କହିଛନ୍ତି । ସେହିପରି ଓଡିଶାରେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ କମ୍ପାନୀ ବଢୁଥିବାରୁ କର୍ପୋରେଟ୍ ସଂସ୍ଥାରେ ସୁଯୋଗ ମିଳିବା ସହଜ ହୋଇପାରିଛି ବୋଲି ଦି କର୍ଭ ଜିମ୍ ର ଟ୍ରେନର ଅମିତ୍ ଦୁବେ କହିଛନ୍ତି  । ଭୁବନେଶ୍ୱର ବ୍ୟତୀତ କଟକ , ରାଉରକେଲା ଓ ସମ୍ବଲପୁର ଭଳି ସହର ମାନଙ୍କରେ ମଧ୍ୟ ଏଥିପାଇଁ ସୁଯୋଗ ରହିଛି  । ଓଡିଶା ବାହାରେ ମଧ୍ୟ ଏଥିପାଇଁ ଭଲ ପ୍ଲାଟଫର୍ମ ରହିଛି ବୋଲି କଟକର ଏକ ଜିମ୍ ରେ ଜୁମ୍ବା ଟ୍ରେନର ଥିବା ଗାର୍ଗୀ ନାୟକ କହିଛନ୍ତି  । 

ଜୁମ୍ବା କଣ ?

୧୯୯୦ ମସିହାରେ କଲୋମ୍ବୋର ଆଲବେଟୋ ବେଟୋ ନାମକ ଜଣେ ନୃତ୍ୟଶିଳ୍ପୀ ଫିଟନେସ୍ ପ୍ରୋଗ୍ରାମ୍ ଭାବେ ଜୁମ୍ବାର ଆରମ୍ଭ କରିଥିଲେ । ଜୁମ୍ବା ଶବ୍ଦର କୌଣସି ନିର୍ଦ୍ଦିଷ୍ଟ ଅର୍ଥ ନଥିଲେ ହେଁ ରୁମ୍ବା ରିଦିମରୁ ଏହାର ସୃଷ୍ଟି ବୋଲି କୁହାଯାଏ । ଜୁମ୍ବା ଅଣଇସଲାମିକ୍ ହୋଇଥିବାରୁ ଇରାନରେ ଏହାକୁ ବ୍ୟାନ୍ କରାଯାଇଛି । ପ୍ରତିବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଆନୁଆଲ ଜିନକନ୍ ର ଆୟୋଜନ କରାଯାଏ ଯେଉଁଥିରେ ବିଶ୍ୱର ଅଧିକାଂଶ ଜୁମ୍ବା ଟ୍ରେନର ଭାଗ ନେଇଥାନ୍ତି ।  

   

  • Tags:

Subscribe

National International State Sports Entertainment