ଭାସୁଛି ଗଞ୍ଜାମ: ଯୁବକଙ୍କ ସଲିଳ ସମାଧି, ଆସିକା ବିଛିନ୍ନ
Khabar Odisha:titli-effect-asika-disconnected
ଗଂଜାମ, ଅକ୍ଟୋବର ୧୨(ଖବର ଓଡିଶା) :

ତିତଲି ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ବର୍ଷାପାଣିରେ ଗଂଜାମ ଜିଲ୍ଲା ଉବୁଟୁବୁ ଅବସ୍ଥାରେ ରହିଛି । କିଛି ସ୍ଥାନରେ ସ୍ଥିତି ଗମ୍ଭୀର ହେବ।ରେ ଲାଗିଛି । ଜିଲ୍ଲାର ଆସିକା ସହର ସଂପୂର୍ଣ୍ଣ ଭାବରେ ବୁଡି ଯାଇଛି । ଆସିକା -ଭଂଜନଗର  ଓ ଆସିକା –ସୋରଡା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଜଣାପଡିଛି। 

ଆଜି ସକାଳେ ଆସିକାର ବିଭିନ୍ନ ମୁଖ୍ୟ ରାସ୍ତାରେ ୭ରୁ ୮ ଫୁଟ ଉଚ୍ଚରେ ପାଣି ଚାଲୁଥିବା ଦେଖାଯାଇଛି । ପ୍ରାୟ ଏକ ହଜାର ସହରବାସୀ ଛାତ ଉପରେ ଆଶ୍ରୟ ନେଇଛନ୍ତି ।

ସେହିପରି ଆସିକା ଜେଲର ମୁଖ୍ୟ ଫାଟକ ପାଣି ଦ୍ୱାରା ଭାଂଗି ଯିବାରୁ ଜେଲରେ ଥିବା ପ୍ରାୟ ୧୯୩ କଏଦୀଙ୍କୁ ସ୍ଥାନାନ୍ତର କରାଯାଇଛି । ପୁରୁଷ କଏଦୀମାନଙ୍କୁ ପ୍ରଥମ ମହଲାରେ ରଖାଯାଇଥିବାବେଳେ ମହିଳା କଏଦୀମାନଙ୍କୁ ରୋଷେଇ ଘରେ ଆଶ୍ରୟ ଦିଆଯାଇଛି ।

ଯୁବକଙ୍କ ସଲିଳ ସମାଧି 

ଭଂଜନଗରରେ ଅନବରତ ବର୍ଷା ଲାଗି ରହିଥିବାବେଳେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆଡାଙ୍ଗୀ ନଦୀରେ ଆସିଥିବା ବନ୍ୟା ଜଳରେ ଜଣେ ଯୁବକଙ୍କର ସଲିଳ ସମାଧି ହୋଇଯାଇଛି । ମୃତ ଯୁବକ ଜଣକ ଗାଜଲବାଡିର ପ୍ରଫୁଲ୍ଲ ମଲ୍ଲିକ ।

ସୂଚନାଯୋଗ୍ୟ କି, ଗତକାଲି ଏହି ନଦୀରେ  ୬ ଜଣ ଯୁବକ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଫୁଲ୍ଲଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ ୫ ଜଣ ବର୍ତମାନ ମଧ୍ୟ ନିଖୋଜ ରହିଛନ୍ତି ।ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି ।

  • Tags:

Subscribe

National International State Sports Entertainment