#Me Too: ଆକ୍ସନ ମୋଡ଼ରେ ମୋଦୀ ସରକାର, ଯାଞ୍ଚ କମିଟି ଗଠନ କରିବାକୁ ଘୋଷଣା
Khabar Odisha:maneka-gandhi-to-propose-4-member-panel-to-look-into-metoo-cases
ନୂଆଦିଲ୍ଲୀ, ଅକ୍ଟୋବର୧୨(ଖବର ଓଡ଼ିଶା):

ସାରା ଦେଶରେ #Me Too ଅଭିଯାନରେ ଏବେ ଆସୁଥିବା  ଯୌନ ଶୋଷଣ ଅଭିଯୋଗ ମଧ୍ୟରେ ମୋଦୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।  ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ #Me Too ଆଧାରରେ ଆସିଥିବା ମାମଲାର ଯାଞ୍ଚ କରିବା ପାଇଁ ଏକ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି। ବରିଷ୍ଠ ବିଚାରପତି ଓ କାନୁନ ପ୍ରକ୍ରିୟା ସହିତ ଜଡ଼ିତ ୪ ବ୍ୟକ୍ତି ଏହି କମିଟିର ସଦସ୍ୟ ରହିବେ ଏବଂ ଏହି ମାମଲାର ଯାଞ୍ଚ କରିବେ।

ଉଲ୍ଲେଖଯୋଗ୍ୟ ଗତ କିଛି ଦିନରେ #Me Too ଅଭିଯାନରେ କେନ୍ଦ୍ର ମନ୍ତ୍ରୀ ଏମଜେ ଆକବର ଓ ସିନେ ଜଗତର ଅନେକ ବଡ଼ ହସ୍ତୀଙ୍କ ବିରୋଧରେ ଆସିଛି ଯୌନ ଶୋଷଣ ଅଭିଯୋଗ। ଏହି ମାମଲା ଏବେ ଅଧିକ ଗମ୍ଭୀର ହେଉଥିବା ଦେଖି କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ ଆସିଥିବା ଅଭିଯୋଗର ଯାଞ୍ଚ ପାଇଁ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି। ମେନକା ଗାନ୍ଧୀ #Me Too ଅଭିଯାନର ସମର୍ଥନ କରି ଟ୍ଵିଟ୍ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି ଯେ, ମୁଁ ପ୍ରତ୍ୟେକ ଅଭିଯୋଗ ପଛରେ ଛପି ରହିଥିବା ଯନ୍ତ୍ରଣା ଓ ବେଦନାକୁ ଅନୁଭବ କରି ପାରୁଛି ଏବଂ କାର୍ୟ୍ୟ ସ୍ଥଳରେ ଯୌନ ଶୋଷଣ କେମିତି ବନ୍ଦ ଦେବ ସେ ଦିଗ ପ୍ରତି କାର୍ୟ୍ୟା ନୁଷ୍ଠାନ ଗ୍ରହଣ କରାଯିବ। 

ମେନକା ଗାନ୍ଧୀ କହିଛନ୍ତି ଯେ, ଏହି କମିଟି କାର୍ଯ୍ୟସ୍ଥଳରୁ ଆସୁଥିବା ଯୌନ ଉତ୍ପୀଡ଼ନ ଅଭିଯୋଗର ସମାଧାନ ପାଇଁ ବର୍ତ୍ତମାନ ଥିବା ନିୟମ ଏବଂ ଫ୍ରେମଓ୍ଵାର୍କର ଅଧ୍ୟୟନ କରିବ ଏବଂ  ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟକୁ ପରାମର୍ଶ ଦେବ ଯେ ବର୍ତ୍ତମାନର ନିୟମକୁ କେମିତି ଅଧିକ ମଜବୁତ କରାଯାଇ ପାରିବ। ମେନକା ଏହା ମଧ୍ୟ କହିଛନ୍ତି ଯେ, କାର୍ଯ୍ୟସ୍ଥଳରେ ମହିଳାଙ୍କ ଉପରେ ହେଉଥିବା ଯୌନ ଶୋଷଣ ଓ ଉତ୍ପୀଡନକୁ ବରଦାସ୍ତ କରାଯାଇ ପାରିବ ନାହିଁ। ଏବେ କମିଟି ସାମ୍ନାରେ ମହିଳା ନିଜର ଅଭିଯୋଗ ଦାୟର କରି ପାରିବେ। 

ଅନ୍ୟ ପଟେ କ୍ଷମତାଧାରୀ ବିଜେପିରେ ମଧ୍ୟ ମିଠୁ ଅଭିଯାନ ପାଇଁ ସମର୍ଥନ ବଢିବାରେ ଲାଗିଛି। ମେନକା ଗାନ୍ଧୀଙ୍କ ପରେ ନିଜର  ବୟାନକୁ ନେଇ ସର୍ବଦା  ବିବାଦରେ ରହୁଥିବା ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ଵାମୀ  ଏହି ଅଭିଯାନ ପ୍ରତି ନିଜର ସମର୍ଥନ ଦେଇଛନ୍ତି। ମନ୍ତ୍ରୀ ଏମଜେ ଅକବରଙ୍କ ବିରୋଧରେ ଲାଗିଥିବା ଯୌନ ଶୋଷଣ ଉପରେ ସ୍ଵାମୀ କହିଛନ୍ତି ଯେ, ତାଙ୍କ ଉପରେ କେବଳ ଜଣେ ମହିଳା ଅଭିଯୋଗ କରି ନାହାନ୍ତି ବରଂ ଅନେକ ମହିଳା ଅଭିଯୋଗ କରିଛନ୍ତି। ମୋତେ ଲାଗୁଛି ଯେ ଯଦି ମହିଳା ଲମ୍ବା ସମୟ ପରେ ଏହାକୁ ନେଇ ସାମ୍ନାକୁ ଅାସୁଛନ୍ତି ତେବେ ଏଥିରେ କିଛି ଖରାପ କଥା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ମଧ୍ୟ ଏହି ପ୍ରସଙ୍ଗରେ ନିଜର ଅାଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍ ବୋଲି ସ୍ଵାମୀ କହିଛନ୍ତି। 

Subscribe

National International State Sports Entertainment