ଜମ୍ମୁ-କାଶ୍ମୀର: ସେନା ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି, ଯବାନ ସହିଦ୍
Khabar Odisha:jammu-kashmir-army-commando-killed-kupwara-encounter-hiding-militant
ଶ୍ରୀନଗର, ଜୁଲାଇ ୧୧(ଖବର ଓଡିଶା):

ଜମ୍ମୁ-କାଶ୍ମୀରେ ଆଜି ଦ୍ୱିପ୍ରହରରୁ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । କୁପୱାଡା ଜଙ୍ଗଲରେ ଲୁଚିଥିବା ଆତଙ୍କୀଙ୍କ ସନ୍ଧାନ ପାଇଁ ସେନା ତରଫରୁ ଅପରେସନ୍ କରାଯାଇଥିଲା । ସେହି ସମୟରେ ପ୍ରଥମେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଫଳରେ ସେନାର ଜଣେ କମାଣ୍ଡୋ ସହିଦ୍ ହୋଇଛନ୍ତି । ଏହାସହ ଅନେକ ଯବାନ ଆହତ ହୋଇଥିବା ସୂଚନା ମିଳିଛି । 

ଉତର କାଶ୍ମୀରର କୁପୱାଡା ଜିଲ୍ଲାର କାଣ୍ଡୀ ଜଙ୍ଗଲରେ ଏହି ଏନକାଉଂଟର ଜାରି ରହିଛି । ସେନାର ଜଣେ ଅଧିକାରୀଙ୍କ ଅନୁସାରେ, ଆଜି ଦ୍ୱିପ୍ରହର ସମୟରେ କମାଣ୍ଡୋମାନେ ଜଙ୍ଗଲରେ କମ୍ବିଂ ଅପରେସନ୍ କରିବା ପାଇଁ ପ୍ରବେଶ କରିଥିଲେ । ସେହି ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ଏହି ଗୁଳି ବିନିମୟରେ ମୁକୁଲ ମୀନା ନାମକ ଜଣେ ଯବାନଙ୍କ ଦେହରେ ଗୁଳି ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆଉ ଜଣେ ଯବାନଙ୍କ ଦେହରେ ଗୁଳି ଲାଗିଥିବା ସତ୍ୱେ ସେ ବିପଦ ମୁକ୍ତ ଅଛନ୍ତି । 

ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଏନକାଉଂଟରରେ ଅନେକ ଆତଙ୍କବାଦୀ ସୁଯୋଗ ଦେଖି ଖସି ପଳାଇବାରେ ସକ୍ଷମ ହୋଇଥିଲେ । କିନ୍ତୁ ଆଉ କିଛି ଆତଙ୍କୀ ଜଙ୍ଗଲରେ ଲୁଚି ରହିଥିବା ଖବର ମିଳିଥିଲା । ତାଙ୍କୁ ଧରିବା ପାଇଁ ସେନା ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇଥିଲା ।  

  • Tags:

Subscribe

National International State Sports Entertainment