ହାଇଦ୍ରାବାଦ ଟେଷ୍ଟ: ଚେଜଙ୍କ ସଂଘର୍ଷ ଜାରି, ଓ୍ଵେଷ୍ଟଇଣ୍ଡିଜ ୨୯୫/୭
Khabar Odisha:india-vs-west-indies-hyderabad-test-day-1-live-updates-and-score
ହାଇଦ୍ରାବାଦ, ଅକ୍ଟୋବର୧୨(ଖବର ଓଡ଼ିଶା):

ଭ୍ରମଣକାରୀ ଓ୍ଵେଷ୍ଟଇଣ୍ଡିଜ ଦଳ ଭାରତ ବିପକ୍ଷରେ ହାଇଦ୍ରାବାଦରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟରେ ନିଜର ସ୍ଥିତି କିଛି ମାତ୍ରାରେ ସମ୍ଭାଳି ନେଇଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦଳ ୭ ଓ୍ଵିକେଟ୍ ବିନିମୟରେ ୨୯୫ ରନ କରିଛି। ରୋଷ୍ଟନ ଚେଜ(୯୮) ଓ ଦେବେନ୍ଦ୍ର ବିଶୁ(୨) ଅପରାଜିତ ଅଛନ୍ତି। ଯେଉଁ ଭଳି ଭାରତୀୟ ବୋଲର ଦିନର ଆରମ୍ଭ କରିଥିଲେ, ତାକୁ ଦେଖି ଲାଗୁଥିଲା ଯେ ପ୍ରଥମ ଦିନରେ ଓ୍ଵେଷ୍ଟଇଣ୍ଡିଜ ଅଲଆଉଟ୍ ହୋଇଯିବ। ମାତ୍ର ଚେଜ(୯୮ ରନ, ୧୭୪ ବଲ, ୭ ଚୌକା ଓ ୧ ଛକା) ଓ ଅଧିନାୟକ ହୋଲ୍ଡର(୫୭ ରନ, ୯୨ବଲ, ୬ ଚୌକା)ଙ୍କ ୧୦୪ ରନ ଶତକୀୟ ଭାଗିଦାରୀ ବଳରେ ଓ୍ଵେଷ୍ଟଇଣ୍ଡିଜ ବ୍ୟାଟିଂ ବିପର୍ଯ୍ୟୟକୁ ଏଡ଼ାଇବା ସହିତ ନିଜର ସ୍ଥିତିକୁ ମଜବୁତ କରିବାରେ ସଫଳ ହୋଇଛି।  ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ଉମେଶ ଯାଦବ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଥିବା ବେଳେ ଅଶ୍ଵିନଙ୍କ ଖାତାକୁ ଯାଇଛି ଗୋଟିଏ ଓ୍ଵିକେଟ୍।

ଭଲ ଆରମ୍ଭ ପରେ  ବ୍ୟାଟିଂ ବିପର୍ଯ୍ୟୟ

ଏହା ପୂର୍ବରୁ ଓ୍ଵେଷ୍ଟଇଣ୍ଡିଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।  ମାତ୍ର ଦଳର ଆରମ୍ଭ ସେତେଟା ଭଲନଥିଲା ଏବଂ ଦଳ ୧୧୩ ରନରେ ଅଧା ଓ୍ଵିକେଟ୍ ହରାଇ ସାରିଥିଲା। ଭ୍ରମଣକାରୀ ଦଳ ୧୧ ଓଭରରେ ବିନା ଓ୍ଵିକେଟରେ ୩୨ ରନ ଯୋଡିଥିଲା। ମାତ୍ର  କିରନ ପାଓ୍ଵେଲ(୨୨)ଙ୍କୁ  ଆଉଟ୍ କରି ଅଶ୍ଵିନ ଦଳକୁ ପ୍ରଥମ ସଫଳତା ଦେଇଥିଲେ। 

ଏହା ପରେ ଇନିଂସର ୨୩ ତମ ଓଭରରେ କୁଲଦୀପ ଯାଦବ ଦ୍ଵିତୀୟ  ଓପନର କ୍ରେଗ୍ ବ୍ରେଥଓ୍ଵେଟ(୧୪)ଙ୍କୁ ଏଲବିଡବ୍ଲ୍ୟୁ କରି ପାଭିଲିୟନ ପଠାଇଥିଲେ। ପରେ ମଧ୍ୟାହ୍ନ ଭୋଜନର କିଛି ମିନିଟ୍ ପୂର୍ବରୁ ଉମେଶ ଯାଦବ ସାଇ  ହୋପଙ୍କୁ ମଧ୍ୟ  ପାଭିଲିୟନ ପଠାଇ ଦଳକୁ ତୃତୀୟ ସଫଳତା ଦେଇଥିଲେ।

ଦ୍ଵିତୀୟ ସେସନରେ ଖସିଲା ୩ ଓ୍ଵିକେଟ୍

ମଧ୍ୟାହ୍ନ ଭୋଜନ ବିରତି ପରେ ଓ୍ଵେଷ୍ଟଇଣ୍ଡିଜ ଦଳ କିଛି ଖାସ୍ ପ୍ରଦର୍ଶନ କରି ପାରିନଥିଲା। ଏହି ସେସନରେ  ରୋଷ୍ଟନ ଚେଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦ୍ଵିତୀୟ ସେସନରେ କୁଲଦୀପ ଯାଦବ ୨ଟି ଓ୍ଵିକେଟ୍ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ମୋଟ୍ ୩ ଟି ସଫଳତା ପାଇଛନ୍ତି। ସେ  ହେଟମେୟର(୧୨) ଓ ଅମ୍ବ୍ରିସ(୧୮)ଙ୍କୁ ପାଭିଲିୟନ ପଠାଇଥିଲେ।

ଚେଜ୍ ଓ ଅଧିନାୟକ ହୋଲ୍ଡର ଯୋଡିଲେ ୧୦୪ ରନ

ଏହା ମଧ୍ୟରେ ଚେଜ୍ ସିରିଜରେ ଦ୍ଵିତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି କ୍ରମରେ ଉମେଶ ସେନ ଡାଓ୍ଵରିଚ(30)ଙ୍କୁ ଅାଉଟ୍ କରି ଦଳକୁ ଷଷ୍ଠ ସଫଳତା ଦେଇଥିଲେ। ଏହା ପରେ ଚେଜ ଓ ଅଧିନାୟକ ଜାସନ  ହୋଲ୍ଡର ପାଳିକୁ ସମ୍ଭାଳିଥିଲେ। ଉଭୟ ବ୍ୟାଟସମ୍ୟାନ ସପ୍ତମ ଓ୍ଵିକେଟରେ ୧୦୪ ରନ ଯୋଡି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ମାତ୍ର ଇନିଂସର ୮୭ ତମତ ଓଭରରେ ଉମେଶ  ଅଧିନାୟକ ହୋଲ୍ଡର(୫୨)ଙ୍କୁ ଆଉଟ୍ କରି ଓ୍ଵେଷ୍ଟଇଣ୍ଡିକୁ ସପ୍ତମ ଝଟକା ଦେଇଥିଲେ। ଏହି ପରି ଦିନ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ୭ ଓ୍ଵିକେଟ୍ ହରାଇ ୨୯୫ ରନ କରିଛି। 

ଆହତ ହେଲେ ଶାର୍ଦ୍ଦୁଳ

ମ୍ୟାଚର ଆରମ୍ଭରେ ଭାରତ ପକ୍ଷରୁ ଗୋଟିଏ ପଟୁ ଉମେଶ ଯାଦବ ଏବଂ ଅନ୍ୟ ପଟୁ ଟେଷ୍ଟ ପଦାର୍ପଣ କରିଥିବା ଶାର୍ଦ୍ଦୁଳ ଠାକୁର ବୋଲିଂ ଭାର ସମ୍ଭାଳିଥିଲେ। ମାତ୍ର ନିଜର ତୃତୀୟ ଓଭରରେ ଶାର୍ଦ୍ଦୁଳ ଠାକୁରଙ୍କ ମାଂସପେଶୀ ଟାଣି ଧରିବାରୁ ତାଙ୍କୁ ପଡିଆ ଛାଡିବାକୁ ପଡ଼ିଥିଲା। ଶାର୍ଦ୍ଦୁଳଙ୍କ ସ୍ଥାନରେ ରବି ଚନ୍ଦ୍ରନ ଅଶ୍ଵିନ ବୋଲିଂ ଦାୟିତ୍ଵ ସମ୍ଭାଳିଥିଲେ। ଏହି ପରି ଆଜି ଭାରତ ଗୋଟିଏ କମ ବୋଲର ସହିତ ବୋଲିଂ କରିଥିଲା। 

Subscribe

National International State Sports Entertainment