ଦୁଇ ଦଶନ୍ଧି ପରେ ଫୁଟବଲ ମଇଦାନରେ ମୁହାଁମୁହିଁ ହେବେ ଭାରତ ଓ ଚୀନ
Khabar Odisha:india-and-china-will-face-each-other-on-football-field-after-two-decades
ସୁଜୋଉ(ଚୀନ), ଅକ୍ଟୋବର୧୨(ଖବର ଓଡ଼ିଶା):

ଭାରତୀୟ ଫୁଟବଲ ଦଳ ୨୧ ବର୍ଷ ପରେ ଶନିବାର ଚୀନ ବିପକ୍ଷରେ ଅନ୍ତରାଷ୍ଟ୍ରୀୟ ମୈତ୍ରୀ ମ୍ୟାଚ୍ ଖେଳିବ। ଖରାପ ଫର୍ମ ସତ୍ଵେ ବି ଏହି ମ୍ୟାଚରେ ଘରୋଇ ଚୀନର ପଲ୍ଲା ଭାରି ରହିଥିବା କୁହାଯାଉଛି। ଅପର ପକ୍ଷେ ଭାରତ ପ୍ରଥମ ଥର  ଚୀନରେ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିବ। ମାତ୍ର ଉଭୟ ଦଳ ଗତ ଦିନରେ ପରସ୍ପର ମଧ୍ୟରେ ୧୭ ମୁକାବିଲା ଖେଳି ସାରିଛନ୍ତି। ଏଥିରୁ ଚୀନ ୭ ଥର   ଭାରତରେ ମ୍ୟାଚ୍ ଖେଳିଛି। ଏହି ସବୁ ମ୍ୟାଚ୍ ଆମନ୍ତ୍ରଣ ଟୁର୍ଣ୍ଣାମେଣ୍ଟ ନେହେରୁ କପ ସମୟରେ ଖେଳାଯାଇଥିଲା।

ଭାରତ ଏହି ୧୭ଟି ମୁକାବିଲା ମଧ୍ୟରୁ ଗୋଟିଏ ହେଲେ ମ୍ୟାଚ୍ ଜିତି ନାହିଁ।  ଚୀନ ୧୨ଟି ମ୍ୟାଚ୍ ଜିତିଥିବା ବେଳେ ବାକି ୫ଟି ମୁକାବିଲା ଡ୍ର ରହିଛି। ଭାରତ ଓ ଚୀନର ସିନିୟର ଦଳ ଶେଷ ଥର ୧୯୯୭ ନେହେରୁ କପରେ କୋଚିରେ ପରସ୍ପର ମଧ୍ୟରେ ମୁକାବିଲା କରିଥିଲେ।  ଏହି ମ୍ୟାଚରେ ଚୀନ ଭାରତକୁ ୨-୧ ଗୋଲରେ ପରାସ୍ତ କରିଥିଲା। ଅନ୍ୟ ପଟେ ଭାରତୀୟ ଦଳ  ଏ ପର‌୍ୟ୍ୟନ୍ତ ଫିଫା ବିଶ୍ଵ କପ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହିଁ। ମାତ୍ର ଚୀନ ୨୦୦୨ରେ ବିଶ୍ଵ କପ ମ୍ୟାଚ୍ ଖେଳିଥିଲା। ଏହି ବିଶ୍ଵ କପରେ ଚୀନ ସମସ୍ତ ୩ଟି ମ୍ୟାଚ୍ ହାରି  ଗ୍ରୁପ ପର‌୍ୟ୍ୟାୟରୁ ବାଦ୍ ପଡ଼ିଥିଲା।

ବିଶ୍ଵ ଫୁଟବଲରେ ଚୀନ ଦୁର୍ବଳ ଦଳ ହୋଇଥିଲେ ମଧ୍ୟ ଏସିଆ ମାଟିରେ ଏକ ମଜବୁତ  ଫୁଟବଲ ଦେଶ ରୂପେ ପରିଚିତ। ଏସିଆରେ ଦଳ କ୍ରମାଗତ ଶୀର୍ଷ-୧୦ରେ ଓ ବିଶ୍ଵ ମାନ୍ୟତାରେ ଶୀର୍ଷ-୧୦୦ରେ ସାମିଲ ରହି ଆସିଛି। ଏବେ ଚୀନ ଫିଫା ମାନ୍ୟତାରେ ୭୬ ତମ ସ୍ଥାନରେ ଏବଂ ଏସିଆରେ ସପ୍ତମ ସ୍ଥାନରେ ରହିଛି। ଚୀନ ଏସିଆ କପରେ ୧୧ ଥର ଖେଳି ସାରିଛି। ଏଥିରୁ ଦଳ ଦୁଇ ଥର ଚମ୍ପିଆନ ହୋଇଥିବା ବେଳେ ଅନେକ ଥର ତୃତୀୟ ସ୍ଥାନରେ ରହିଛି। 

ଅପର ପକ୍ଷେ ଭାରତ ଏସିଆ କପରେ ତିନି ଥର(୧୯୬୪ରେ ଉପବିଜେତା, ୧୯୮୪ ଓ ୨୦୧୧) ଖେଳିଛି। ଦଳ ଦୀର୍ଘ ସମୟ ପରେ ଫିଫା ମାନ୍ୟତାର ଶୀର୍ଷ ୧୦୦ରେ ସ୍ଥାନ ପାଇଛି। ଭାରତୀୟ ଦଳ ଏବେ ଫିଫା ମାନ୍ୟତାର ୯୭ ତମ ଏବଂ ଏସିଆରେ ୧୫ ତମ ସ୍ଥାନରେ ରହିଛି। ଏସିଆ କପ  କିମ୍ବା ବିଶ୍ଵ କପ ଯୋଗ୍ୟତା ପର‌୍ୟ୍ୟାୟ ମ୍ୟାଚ୍ ବାଦ୍ ଦେଲେ ଦଳ  ନିକଟରେ ଏସିଆ ମହାଦେଶର ଶୀର୍ଷ ଦେଶ ବିରୋଧରେ ମ୍ୟାଚ୍ ଖେଳି ନାହିଁ। 

Subscribe

National International State Sports Entertainment