ପ୍ରଦୂଷଣ: ଭାରତର ୧୦୨ ସହରର ବାୟୁ ସଫା ପାଇଁ ସାହାଯ୍ୟ କରିବେ ୪ ଅନ୍ତରାଷ୍ଟ୍ରୀୟ ଏଜେନ୍ସି
Khabar Odisha:four-international-agencies-to-help-india-tackle-toxic-air-in-102-cities
ନୂଆଦିଲ୍ଲୀ,ନଭେମ୍ବର୦୯(ଖବର ଓଡ଼ିଶା):

 ଦିଲ୍ଲୀର ବିଷାକ୍ତ ବାୟୁ ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ବାୟୁ ପ୍ରଦୂଷଣରେ ଦିଲ୍ଲୀବାସୀଙ୍କ ସ୍ଵାଭାବିକ  ଜୀବନରେ ପଡ଼ିଛି ପ୍ରତିକୂଳ ପ୍ରଭାବ। ଦେଶ କି ଦୁନିଆ ସବୁଠି  ଏବେ ଘାରିଛି ପ୍ରଦୂଷଣର ଚିନ୍ତା। ପ୍ରଦୂଷଣ ସମସ୍ୟାର ତ୍ଵରିତ ସମାଧାନର ଆବଶ୍ୟକତାକୁ ବୁଝି ଭାରତ ୪ ଗ୍ଲୋବାଲ ଏଜେନ୍ସିର ସାହାଯ୍ୟ ନେବାକୁ ନିଷ୍ପତ୍ତି ନେଇଛି। ଏଥିରେ ଓ୍ଵାର୍ଲ୍ଡ ବ୍ୟାଙ୍କ ଓ ଜର୍ମାନ ଡେଭଲପମେଣ୍ଟ ଏଜେନ୍ସି(ଜିଆଇଜେଡ)ସାମିଲ। ଏହି ୪ ଏଜେନ୍ସି ଭାରତର ୧୦୨ ସହରରେ ପ୍ରଦୂଷଣ କେମିତି ହ୍ରାସ ପାଇବ ଏବଂ ଏହାର ମୁକାବିଲା କେମିତି କରା ଯାଇ ପାରିବ ସେହି ଦିଗରେ କାର୍ଯ୍ୟ କରିବେ।

ଅନ୍ୟ ଦୁଇ ଏଜେନ୍ସି ହେଉଛନ୍ତି ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ଓ ବ୍ଲୁମର୍ଗ ଫିଲେନଥ୍ରପିଜ। ଏଜେନ୍ସି ଦେଶର ଭିନ୍ନ ଭିନ୍ନ ଭୌଗୋଳିକ ଅଞ୍ଚଳରେ ପ୍ରଦୂଷଣର ମୁକାବିଲା ପାଇଁ ସରକାରଙ୍କୁ ସାହାଯ୍ୟ କରିବେ। କେନ୍ଦ୍ର ପର୍ଯ୍ୟାବରଣ ସଚିବ ସିକେ ମିଶ୍ର କହିଛନ୍ତି ଯେ ଏହି ଚାରି ଏଜେନ୍ସି ସହିତ ଚୁକ୍ତି ହୋଇ ସାରିଛି। ଏମାନେ ଆଧୁନିକ ଜ୍ଞାନ କୌଶଳ ଯୋଗାଇବା ସହିତ ରାଜ୍ୟ ସରକାରଙ୍କୁ ସେମାନଙ୍କର ସହରରେ ପ୍ରଦୂଷଣମାତ୍ରା ହ୍ରାସ ଦିଗରେ ସାହାଯ୍ୟ କରିବେ। ପ୍ରତ୍ୟେକ ଏଜେନ୍ସିଙ୍କୁ ଭୌଗୋଳିକ ମୁତାବକ ସ୍ଥିର ହୋଇଥିବା ସହରରେ କାମ କରିବାକୁ ପଡ଼ିବ। 

ଏହି ସହର ପାଇଁ ନୂତନ ଭାବେ ନ୍ୟାସନାଲ କ୍ଲିନ ଏୟାର ପ୍ରୋଗ୍ରାମ(ଏନସିଏପି)ର ଘୋଷଣା ଶୀଘ୍ର କରି ଦିଆଯିବ। ଏଥିରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇଁ ତୃଣମୂଳରୁ ବ୍ୟାପକ ରୂପେ କାମ କରାଯିବ। ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଏକ ଲମ୍ବା ସମୟର ନୂତନ ରଣନୀତି ପ୍ରସ୍ତୁତ କରାଯିବ। ବିଭିନ୍ନ ପ୍ରକ୍ରିୟାରେ ପ୍ରଦୂଷଣ ନିୟନ୍ତ୍ରଣ,  ମାନୁଆଲ ଏୟାର କ୍ଵାଲିଟି ମନିଟରିଙ୍ଗ ସେଣ୍ଟର ସଂଖ୍ୟା ବଢାଇବା, ବାୟୁର ଗୁଣବତ୍ତା ଉପରେ ନଜର ରଖୁଥିବା ମନିରିଙ୍ଗ ସିଷ୍ଟମର ବିସ୍ତାର ଓ ଜିଓଗ୍ରାଫିକ ଇନଫର୍ମେସ ସିଷ୍ଟମ(ଜିଆଇଏସ)ର ବ୍ୟବସ୍ଥା କରାଯିବ।

ବାୟୁ ପ୍ରଦୂଷଣକୁ ନେଇ ଲୋକଙ୍କ ପକ୍ଷରୁ ଆସୁଥିବା ଅଭିଯୋଗର ସମାଧାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ଏଥିପାଇଁ ଏକ ଜନ ଅଭିଯୋଗ ନିବାରଣ ପୋର୍ଟାଲ ବି ପ୍ରସ୍ତୁତ କରାଯିବ। ଏହା ଜରିଆରେ ବାୟୁ ପ୍ରଦୂଷଣ ସମ୍ବନ୍ଧିତ ଅଭିଯୋଗର ସମାଧାନ କରାଯିବ। 

Subscribe

National International State Sports Entertainment