କାଲି ବସିବ ମହାନଦୀ ଟ୍ରିବ୍ୟୁନାଲର ପ୍ରଥମ ବୈଠକ, ଅନ୍ତରୀଣ ଆବେଦନ କରିଛନ୍ତି ରାଜ୍ୟ ସରକାର
Khabar Odisha:Water-Disputes-Tribunal-to-be-held-tomorrow
ନୂଆଦିଲ୍ଲୀ, ଅକ୍ଟୋବର ୧୨(ଖବର ଓଡ଼ିଶା):

 ମହାନଦୀ ଜଳ ବିବାଦକୁ ନେଇ ଗଠିତ ହୋଇଥିବା ମହାନଦୀ ଟ୍ରିବ୍ୟୁନାଲର ପ୍ରଥମ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ। ଶନିବାର ହେବାକୁ ଥିବା ଏହି ବୈଠକରେ ରାଜ୍ୟ ସରକାର ନିଜ ବଳିଷ୍ଠ ତଥ୍ୟ ଓ ପ୍ରମାଣ ରଖିବେ। ଏ ନେଇ ଜଳ ସମ୍ପଦ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ପୂର୍ବରୁ ରାଜ୍ୟ ସରକାର ଟ୍ରିବ୍ୟୁନାଲରେ ମୂଳ ଆବେଦନ ସହ ଅନ୍ତରୀଣ ଆବେଦନ ଦାଖଲ କରିଛନ୍ତି।    

ଗତ ୧୦ ତାରିଖରେ ଏହି ମାମଲାରେ ତତ୍ପରତା ପ୍ରକାଶ କରି ରାଜ୍ୟ ସରକାରଙ୍କ ପକ୍ଷରୁ ୫୭୦ ପୃଷ୍ଠା ସମ୍ବଳିତ ୨ଟି ଭଲ୍ୟୁମ୍‌ରେ ଏକ ଅନ୍ତରୀଣ ଆବେଦନ ଟ୍ରିବ୍ୟୁନାଲ୍‌ରେ ଦାଖଲ ହୋଇଥିଲା। ଅନ୍ତରୀଣ ଆବେଦନରେ ମହାନଦୀ ଜଳଭଣ୍ଡାରର ଜଳକୁ କେତେ ପରିମାଣରେ ବ୍ୟବହାର କରିବେ ସେନେଇ ଅନ୍ତରୀଣ ଆଦେଶ ଜାରି କରିବାପାଇଁ କୁହାଯାଇଥିଲା। ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ସମୁଦାୟ ୧୦.୮୩ ଏମ୍‌ଏଏଫ୍‌ରୁ ଅଧିକ ଜଳ ବ୍ୟବହାର କରିପାରିବେ ନାହିଁ, ସେନେଇ ଅନ୍ତରୀଣ ଆଦେଶ ଜାରି କରିବାପାଇଁ ରାଜ୍ୟ ସରକାର ଅନୁରୋଧ କରିଥିଲେ। ସେହିପରି ଆବେଦନରେ ଛତିଶଗଡ଼ ଭବିଷ୍ୟତରେ ମହାନଦୀ ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ ଉପରେ ରୋକ୍‌ ଲଗାଇବା ନେଇ ନିର୍ଦ୍ଦେଶ ଜାରି କରିବାପାଇଁ ମଧ୍ୟ ସରକାର ଗୁରୁତ୍ୱାରୋପ କରିଥିଲେ। 

ଅନ୍ୟପକ୍ଷେ ଏହି ଅନ୍ତରୀଣ ଆବେଦନରେ ଛତିଶଗଡରେ ନିର୍ମାଣାଧୀନ ବ୍ୟାରେଜ ବନ୍ଦ କରିବା ପାଇଁ ପ୍ରାର୍ଥନା କରାଯାଇଥିଲା। ଏହାସହ ବ୍ୟାରେଜ୍‌ ଗେଟ୍‌ ଗୁଡ଼ିକୁ କଲମା, ସାରାଡିହି, ମିରୋନି, ବସନ୍ତପୁର, ସିଅରିନାରାୟଣ ସୋମାଧା ଦ୍ୱାରା ମହାନଦୀକୁ ସ୍ୱାଭାବିକ ଜଳ ପ୍ରବାହରେ ଯେଭଳି ବ୍ୟାହତ ନହୁଏ ସେନେଇ ଆଦେଶ ଜାରି କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। ସେହିପରି ନିକଟରେ ଛତିଶଗଡ଼ ଦ୍ୱାରା ବ୍ୟାରେଜ୍ ଗୁଡ଼ିକର ଗେଟ୍‌ ବନ୍ଦ ରଖାଯିବା ମାମଲା ସମ୍ପର୍କରେ ରାଜ୍ୟ ସରକାର ଅବଗତ ହେବାପରେ ମହାନଦୀ ଜଳକୁ ସ୍ୱାଭାବିକ ରୂପେ ପରିଚାଳନା କରିବାପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିଲେ।

ଉଲ୍ଲେଖନୀୟ ଯେ, ମହାନଦୀ ଜଳ ଆବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ  କେନ୍ଦ୍ର ସରକାର ଗତ ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବୁନାଲ ଗଠନ କରିଥିଲେ । ଅନ୍ତଃରାଜ୍ୟ ନଦୀଜଳ ବିବାଦ ଆଇନ ୧୯୫୬ର ନିୟମ ୪ ଅନୁସାରେ ଗଠିତ ହୋଇଛି ଟ୍ରିବ୍ୟୁନାଲ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଖାନଓ୍ଵିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟ୍ରିବୁନାଲରେ ପାଟନା ହାଇକୋର୍ଟ ଜଜ୍‌ ଜଷ୍ଟିସ ଡଃ ରବି ରଂଜନ ଓ ଦିଲ୍ଲୀ ହାଇକୋର୍ଟ ଜଜ୍‌ ଜଷ୍ଟିସ ଇନ୍ଦରମିତ କୌର କୋଚାର ସଦସ୍ୟ ଅଛନ୍ତି । ଏହି ଟ୍ରିବୁନାଲର ମୁଖ୍ୟାଳୟ ନୂଆଦିଲ୍ଲୀଠାରେ ରହିଛି । ଆସନ୍ତାକାଲି ହେବାକୁ ଥିବା ବୈଠକରେ ଓଡ଼ିଶା ସମେତ ସମେତ ସବୁ ପକ୍ଷ ଯଥା ଛତିଶଗଡ଼, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ସରକାରଙ୍କୁ ମହାନଦୀ ଟ୍ରିବୁନାଲ ପକ୍ଷରୁ ନୋଟିସ ଜାରି ହୋଇଥିଲା। ଏହି ନୋଟିସ ପରେ ଓଡିଶା ସରକାରଙ୍କ ପକ୍ଷରୁ ଉପରୋକ୍ତ ଅନ୍ତରୀଣ ଆବେଦନ ଦାଖଲ କରାଯାଇ ଆ‌ଦଶ ଜାରି କରିବା ନିମନ୍ତେ ଅନୁରୋଧ କରାଯାଇଥିଲା।  

Subscribe

National International State Sports Entertainment