ବର୍ଷା ନେଲା ଜୀବନ: କାନ୍ଥ ପଡି ଶିଶୁ କନ୍ୟାର ମୃତ୍ୟୁ, ମାଆ ଗୁରୁତର
Khabar Odisha:Wall-Collapsed--Child-deadMother-Injured-in-Keonjhar
କେନ୍ଦୁଝର, ୧୨ ଅକ୍ଟୋବର (ଖବର ଓଡ଼ିଶା):

ବାତ୍ୟା ତିତଲି ପ୍ରଭାବରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ଅନେକ ସ୍ଥାନ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଥିବା ସହ ଅନେକ କ୍ଷୟକ୍ଷତିର ଚିତ୍ର ଦେଖିବାକୁ ମିଳିଛି । ଲଗାଣ ବର୍ଷା ଓ ପବନରେ ଭଗାମୁଣ୍ଡା ଗ୍ରାମପଂଚାୟତ ନିକଟସ୍ଥ ମାଣିଆବିନ୍ଧା ଗ୍ରାମରେ କାନ୍ଥ ପଡି ଗୋଟିଏ ୩ବର୍ଷୀୟ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ତାଙ୍କ ମାଆ ଗୁରୁତର ହୋଇ ଚିକିତ୍ସାଧିନ ଥିବା ଜଣାପଡିଛି ।  

ତିତଲି ପ୍ରଭାବରେ ଶୁକ୍ରବାର ଦିନ ହରିଚନ୍ଦନପୁରର ବିଭିନ୍ନ ଅଂଚଳରେ ପ୍ରବଳ ମାତ୍ରାରେ ବର୍ଷା ହୋଇଛି । ଏହି ବର୍ଷାରେ ମାଣିଆବିନ୍ଧା ଗ୍ରାମର କମଳାକାନ୍ତ ମହାନ୍ତଙ୍କ ଘରର ମାଟି କାନ୍ଥ ଭୁଶୁଡି ପଡିବାରେ ତାଙ୍କ କୁନି ଝିଅ ଶୁଭଲକ୍ଷ୍ମୀ ମହାନ୍ତର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୯ଟା ସମୟରେ ଶୁଭଲକ୍ଷ୍ମୀ ତାଙ୍କ ମାଆ ସାଙ୍ଗରେ ପୋଖରୀରୁ ଦାନ୍ତ ଘଷି ଘରକୁ ଫେରିବା ସମୟରେ ଘରର ପ୍ରବେଶ ଦ୍ୱାର ନିକଟରେ ଥିବା ଗୁହାଳ ଘର କାନ୍ଥ ଅଚାନକ ପଡିଯାଇଥିଲା । ଫଳରେ ମାଆ ଓ ଝିଅ କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ । ସଙ୍ଗେ ସଙ୍ଗେ ଗ୍ରାମବାସୀ ଓ ପରିବାର ଲୋକମାନେ ଉଭୟଙ୍କୁ ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ଥିବାରୁ ମାଆ ଓ ଶିଶୁକନ୍ୟାକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିବା ସମୟରେ ଅଧା ରାସ୍ତାରେ ଶୁଭଲକ୍ଷ୍ମୀ ପ୍ରାଣ ହରାଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଶୁଭଲକ୍ଷ୍ମୀଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ପ୍ରକାଶ ଥାଉକି, ଗଜପତି ଜିଲାରେ କାନ୍ଥ ପଡି ୩ ଜଣଙ୍କ ମୃତ୍ୟୁ ହୋଇଛି। ଗୋଷାଣୀ ବ୍ଲକ ଲାବଣ୍ୟଗଡ଼ରେ କାନ୍ଥ ପଡ଼ି ୨ ଶ୍ରମିକ ମୃତ୍ୟୁ ହୋଇଛି । ମୃତକମାନେ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି । ସେହିପରି କାଶୀନଗର ଧିଡ଼ିଙ୍ଗିଗୁଡ଼ା ଗାଁରେ କାନ୍ଥ ପଡି ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି।    

Subscribe

National International State Sports Entertainment