ଓଆର୍‌ଏଚ୍‌ଡିସି ଦୁର୍ନିତୀ ମାମଲା, ଆଇଏସ୍‌ ବିନୋଦ କୁମାରଙ୍କୁ ଜେଲ
Khabar Odisha:Vigilance-court-sent-IAS-binod-kumar-to-jail
ଭୁବନେଶ୍ୱର, ଅଗଷ୍ଟ ୧୦(ଖବର ଓଡ଼ିଶା):

ବହୁ ଚର୍ଚ୍ଚିତ ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ୍‌ ଡେଭଲପମେଣ୍ଟ କର୍ପୋରେସନ୍‌ (ଓଆର୍‌ଏଚ୍‌ଡିସି)ରେ ଦୁର୍ନୀତି ମାମଲାରେ ଆଇଏସ୍‌ ବିନୋଦ କୁମାର ଓ ତାଙ୍କ ସହଯୋଗୀ ପୂର୍ଣ୍ଣଚନ୍ଦ୍ର ଦାଶଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଖୋର୍ଦ୍ଧ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଆଜି ଶୁଣାଣି କରି ଏହି ଦଣ୍ଡାଦେଶ ଦେଇଛନ୍ତି । ଏହା ସହିତ ଦୁଇ ଜଣଙ୍କୁ ୭୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି ।  

ଓଆର୍‌ଏଚ୍‌ଡିସିର ୫୫ ଲକ୍ଷ ଟଙ୍କାର ଅର୍ଥ ହେରଫେର ମାମଲାରେ ବିନୋଦ କୁମାରଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ । ଆଜି ବିନୋଦ କୁମାର ଭିଜିଲାନ୍ସ ନିକଟରେ ଆତ୍ମସମର୍ପଣ କରିଥିଲେ । ଏହା ପରେ ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଏହା ସହିତ ତାଙ୍କର ଅନ୍ୟତମ ସହଯୋଗୀ ପୂର୍ଣ୍ଣଚନ୍ଦ୍ର ଦାଶ ମଧ୍ୟ କୋର୍ଟରେ ହାଜର ହୋଇଥିଲେ । କୋର୍ଟ ମାମଲାର ଶୁଣାଣି କରି ଉଭୟଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହିତ ୭୫ ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି । ସେହିପରି ବିନୋଦଙ୍କ ଜାମିନ ଆବେଦନଙ୍କୁ କୋର୍ଟ ଖାରଜ କରିଛନ୍ତି । ଯେଉଁଦିନ ଶୁଣାଣୀ ହେବାର ଥିଲା ସେହିଦିନ ସେ ହାଜର ହୋଇ ନ ଥିବାରୁ ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି । ତେବେ ଜାମିନ ପାଇଁ ବିନୋଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । 

ଏଠାରେ ଉଲ୍ଲେଖ ଯୋଗ୍ୟ, ୧୯୯୯ ମସିହା ମହାବାତ୍ୟା ଓଆରଏଚଡିସି ପକ୍ଷରୁ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣରେ ୫୫ ଲକ୍ଷ ଟଙ୍କା ଅର୍ଥ ହେରଫେର ମାମଲାରେ ମୁଖ୍ୟଅଭିଯୁକ୍ତ ବିନୋଦ କୁମାରଙ୍କ ସମେତ ୬ ଜଣଙ୍କୁ ଭିଜିଲାନ୍ସ ଦୋଷୀ ସାବ୍ୟସ୍ତ କରିଥିଲେ । ଜୁଲାଇ ୪ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ କେବଳ ସଂଜୟ ମହାନ୍ତି କୋର୍ଟରେ ହାଜର ହୋଇଥିଲେ । ସଂଜୟଙ୍କୁ ମଧ୍ୟ ୩ ବର୍ଷ କାରାଦଣ୍ଡ ସହିତ ଜୋରିମାନା କରାଯାଇଥିଲା । ତେବେ ଅନ୍ୟମାନଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଥିଲା । ଏହା ପରେ ଚଳିତ ମାସ ୮ ତାରିଖରେ ଓଆର୍‌ଏଚ୍‌ଡିସି ଆକାଉଣ୍ଟ ଅଫିସର ପ୍ରଦୀପ ରାଉତ ଓ ଆକାଉଣ୍ଟାଟ୍‌ ଚିତ୍ତରଂଜନ ମଲ୍ଲିକ ଆତ୍ମସମର୍ପଣ କରିବା ପରେ ତାଙ୍କୁ ସମାନ ଦଣ୍ଡରେ ଦଣ୍ଡିତ କରିଥିଲେ କୋର୍ଟ । 

ତେବେ ବିନୋଦ କୁମାର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ ନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ୧୦ ତାରିଖ ସୁଦ୍ଧା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

  • Tags:

Subscribe

National International State Sports Entertainment