କାଳିଆ କୃପାରୁ ପୁରୀରେ ତିତଲି ପ୍ରକୋପ କମିଲା
Khabar Odisha:
ପୁରୀ,୧୧ ଅକ୍ଟୋବର(ଖବର ଓଡ଼ିଶା):

ପୁରୀ ସହରରେ ସେବାୟତ ଓ ଜଗନ୍ନାଥପ୍ରେମୀ କହିଛନ୍ତି ଜଗନ୍ନାଥଙ୍କ କୃପା ହେବାରୁ ତିତଲି ବାତ୍ୟା ପୁରୀ ଆସିଲା ନାହିଁ । ଫାଇଲିନ ବେଳେ ମଧ୍ୟ ପୁରୀ ସହରକୁ ପ୍ରଭାବିତ କରିନଥିଲା । ସବୁ କାଳିଆର ଇଚ୍ଛା । ପୁରୀ ସହରରେ କ୍ଷୟକ୍ଷତି ହୋଇ ନଥିବାରୁ ସମସ୍ତେ ଜଗନ୍ନାଥଙ୍କ ନିକଟରେ ଆଭାର।  

ସୂଚନାକ୍ରମେ, ସାମୁଦ୍ରିକ ବାତ୍ୟା ତିତଲିର ପ୍ରଭାବ ପୁରୀ ଉପରେ ପଡ଼ିନଥିଲା ବେଳେ ସକାଳୁ ଝିପି ଝିପି ବର୍ଷା କୋହଲା ପାଗ ଓ ଆକାଶ ମେଘାଚ୍ଛନ ରହିଥିଲା। ପବନର ଗତି ୬୦ କି.ମି. ରହିଥିଲା । ପବନ ପ୍ରଭାବରେ ସମୁଦ୍ର ଢ଼େଉ ସମୁଦ୍ର କୂଳକୁ ଥିବା ପାହାଚକୁ ସ୍ପର୍ଶ କରିବା ସହ ଉଚ୍ଚ ଉଚ୍ଚ ଢ଼େଉ ଆସୁଥିଲା। ଉଚ୍ଚ ଢ଼େଉ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଲାଗିରହିଥିଲା ଗହଳି । ସେହିପରି ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ଉଚ୍ଚ ଜୁଆର ଯୋଗୁଁ ବିଚର ଅନେକ ସ୍ଥାନରେ ବାଲି ଖାଇଯାଇଛି । ରେଣୁକା ଗଳି ସମ୍ମୁଖରେ ନଳାପାଣି ଯାଇ ସମୁଦ୍ର ପାଣି ସହ ମିଶୁଥିବା ବେଳେ ସେଠାରେ ଏକ କୃତ୍ରିମ ମୁହାଣ ସୃଷ୍ଟି ହୋଇଛି । ସମୁଦ୍ର ଜୁଆର ସେହି ନଳା ଦେଇ ପାହାଚ ପାଖରେ ମାଡ଼ ହେଉଛି । ପେଣ୍ଠକଟା ବସ୍ତିର ଲୋକମାନେ ଆଇଟିଆଇ କଲେଜରେ ଆଶ୍ରୟ  ନେଇଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି । 

ଉଠାଦୋକାନୀଙ୍କ ଖଟ ଭାସିଲା : ସ୍ୱର୍ଗ ଦ୍ୱାରଠାରେ ଗଢ଼ି ଉଠିଥିବା ଶହ ଶହ ଉଠାଦୋକାନୀ ସେମାନଙ୍କର ଉଠାଦୋକାନରୁ ଜିନିଷପତ୍ର ନେଇଯାଇଥିବା ବେଳେ ଓଜନଦାର ଖଟ ଗୁଡ଼ିକ ପଡ଼ି ରହିଥିଲା । ସମୁଦ୍ରର ଉଚ୍ଚ ଢ଼େଉରେ କେତେକ ଖଟ ଭାସିଯାଇଥିବା ଦେଖିବାକୁ ମିଳିଥିଲା ।

ପର୍ଯ୍ୟଟକ ଫେରିଲେ : ପୁରୀକୁ ଛୁଟି ଦିନ ବିତେଇବାକୁ ଆସିଥିବା କିଛି ପର୍ଯ୍ୟଟନ ହଠାତ ଏଠାରେ ବାତ୍ୟା ଖବର ପାଇଁ ହୋଟେଲ ଭିତରେ ରହିଥିଲେ । ରାତି ୧୦ଟାରୁ ଟ୍ରେନ ବାତିଲ ଯୋଗୁଁ ପର୍ଯ୍ୟଟକମାନେ ଯାଇ ପାରିନଥିଲେ । ଆଜି ବାତ୍ୟା ନ ଆସିବାରୁ ଓ ଟ୍ରେନ୍ ଚାଲିବାରୁ ପର୍ଯ୍ୟଟକମାନେ ଷ୍ଟେସନରେ ବୁକିଂ କରି ଯାଉଥିବା ଦେଖିବାକୁ ମିଳୁଛି ।

ଲାଇଫ ଗାର୍ଡ଼ ସଜାଗ : ସମୁଦ୍ର ସ୍ନାନ ନ କରିବା ପାଇଁ ଶତାଧିକ ଲାଇଫଗାର୍ଡ଼ ସମୁଦ୍ରକୂଳେ ରହି ସଚେତନ କରିବା ସହ ରାତିରେ ମଧ୍ୟ ସଜାଗ ରହି ପର୍ଯ୍ୟଟକମାନଙ୍କୁ ସ୍ନାନ ନ କରିବାକୁ କହିଥିଲେ । ଏ ସମ୍ପର୍କରେ ଲାଇଫଗାର୍ଡ଼ ହରି ରାଓ କୁହନ୍ତି ହାଇଟାଇଡ଼ ଜୁଆର ଯୋଗୁଁ ଢ଼େଉ କୂଳ ପାଖକୁ ଯାଉଛି । ସମୁଦ୍ର ଏବେ ଅଶାନ୍ତ ଅଛି । ସମୁଦ୍ର ଶାନ୍ତ ହେବାକୁ ସାତଦିନ ଲାଗିବ । ସାତଦିନ ପରେ ମତ୍ସ୍ୟଜୀବି ସମୁଦ୍ରକୁ ଯିବେ ।

୨୧ ହଜାର ଲୋକ ସ୍ଥାନାନ୍ତର : ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ପେଣ୍ଠକଟା, ଅରଖକୁଦା, ଚନ୍ଦ୍ରଭାଗା, ନୋଳିଆ ସାହି, ଅସ୍ତରଙ୍ଗ ଓ ଖାଲୁଆ ଅଂଚଳରୁ ପ୍ରାୟ ୨୧ ହଜାର ଲୋକକୁ ଉଚ୍ଚ ସ୍ଥାନ ଓ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ, କଲେଜରେ ରଖାଯାଇଛି । ସେମାନଙ୍କ ପାଇଁ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇଛି । ଜିଲ୍ଲାପ୍ରଶାସନ ସତର୍କତା ଅବଲମ୍ବନ କରି ଉକ୍ତ ଲୋକମାନଙ୍କୁ ନିରାପଦ ସ୍ଥାନକୁ ନେଇଥିଲେ ।

ଅସ୍ତରଙ୍ଗ, କାଟକପୁରରେ ବ୍ୟାପକ ବ୍ୟବସ୍ଥା : ତିତଲି ବାତ୍ୟାକୁ ମୁକାବିଲା କରିବା ପାଇଁ ଅସ୍ତରଙ୍ଗ ଓ କାକଟପୁରରେ ସ୍ଥାନାନ୍ତରିତ ଲୋକମାନେ ରହିବା ବ୍ୟବସ୍ଥା କରାଯାଇଥିଲା । ପିଡ଼ିଡିଆରଡିଏ ଡ. ଉଦ୍ଧବ ଚନ୍ଦ୍ର ମାଝି, ଏପିଡ଼ଇ ପ୍ରସନ୍ନ କୁମାର ଦାଶ ଆଶ୍ରୟସ୍ଥଳ ବୁଲି ଦେଖିବା ସହ ସେମାନଙ୍କର ସୁବିଧା ଅସୁବିଧା ବୁଝିଥିଲେ । ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

ବାତ୍ୟା ତିତଲି ଭୟ ଦୂର ହୋଇଥିଲେ ମଧ୍ୟ କୋହଲା ପବନ ତୁହାକୁ ତୁହା ବୋହୁଛି । ପାଗ ମେଘୁଆ ରହିବା ସହ ମଝିରେ ମଝିରେ ଝିପିଝିପି ବର୍ଷା ହେଉଛି । ତେବେ ଜନ ସମାଗମ ଚାଲିଛି । ଏବେ ବି ଲୋକମାନଙ୍କ ମନରୁ ବାତ୍ୟା ଭୟ ଛାଡ଼ି ନାହିଁ । କୋହଲା ପାଗ ଓ ବର୍ଷା ଥିବାରୁ କାଳେ ବାତ୍ୟା ପୁଣି ଫେରିବ ସେହି ଭୟରେ ଲୋକମାନେ ସଜାଗ ହୋଇଛନ୍ତି । ୧୯୯୯ ମହାବାତ୍ୟା ଏବେ ବି ଲୋକଙ୍କ ମନରୁ ଯାଇନି ।

ପୁରୀ ଜିଲ୍ଲାରେ ୩୮ଟି କଚ୍ଚାଘର ଭାଙ୍ଗି ଯାଇଛି । ୧୫ ହଜାର ୭୫୮ ଲୋକଙ୍କୁ ଆଶ୍ରୟସ୍ଥଳରେ ରଖାଯାଇଛି । ୬୨ଟି ରିଲିଫ କ୍ୟାମ୍ପ ହୋଇଛି । ସେହିପରି ରେନଫଲ ମଧ୍ୟରେ ଗୋପରେ ସର୍ବାଧିକ ୯୯.୨ ରେନ୍ ଫଲ ହୋଇଥିବା ବେଳେ କୃଷ୍ଣପ୍ରସାଦ ୭୩.୨, ପିପିଲି ୭୭.୦, କଣାସ ୪୬, ଅସ୍ତରଙ୍ଗ ୭୭.୦, ବ୍ରହ୍ମଗିରି ୪୫, ଡେଲାଙ୍ଗ ୮୬, ନିମାପଡ଼ା ୭୦, କାକଟପୁର ୮୨.୦ ଓ ପୁରୀ ସଦର ୭୨.୦ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି ।

Subscribe

National International State Sports Entertainment