ବିରାଟଙ୍କଠୁ ଭିନ୍ନ ମତ ଦେଲେ ରୋହିତ, କହିଲେ ଚତୁର୍ଥ କ୍ରମରେ ବ୍ୟାଟିଂ ପାଇଁ ଧୋନୀ ହେଉଛନ୍ତି ଆଦର୍ଶ ଖେଳାଳି
Khabar Odisha:Sports-cricket-odisha-sydney-Rohit-sharma-support-Mahenda-Singh-dhoni
ସିଡ଼ନୀ,ଜାନୁଆରୀ୧୨(ଖବର ଓଡ଼ିଶା):

ଐତିହାସିକ ଟେଷ୍ଟ ସିରିଜ୍ ଜିତିବା ପରେ ଉତ୍ସାହିତ ଥିବା ଭାରତୀୟ ଦଳକୁ ସିଡନୀରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ପରାଜୟ ମିଳିଛି। ଏହି ପରାଜୟ ପାଇଁ ବିରାଟ କୋହଲି ବ୍ୟାଟସମ୍ୟାନଙ୍କୁ ଦାୟୀ କରିଛନ୍ତି। ମାତ୍ର ଅଧିନାୟକ କୋହଲିଙ୍କ ଭିନ୍ନ ମତପୋଷଣ କରିଛନ୍ତି ଉପଅଧିନାୟକ ତଥା ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମା। ସେ ଶନିବାର କହିଛନ୍ତି ଯେ ଚତୁର୍ଥ କ୍ରମରେ ବ୍ୟାଟିଂ କରିବା ପାଇଁ ମହେନ୍ଦ୍ର ସିଂହ ଧୋନୀ ହେଉଛନ୍ତି  ସବୁଠୁ ଯୋଗ୍ୟ ଖେଳାଳି। ତେଣୁ ଦଳ ବିଶ୍ଵ କପ ପୂର୍ବରୁ ଏହି କ୍ରମରେ ଧୋନୀଙ୍କୁ ସୁଯୋଗ ଦେବା ଉଚିତ୍ ବୋଲି ରୋହିତ କହିଛନ୍ତି।

ରୋହିତ କହିଛନ୍ତି ଯେ ଏହା ମୋର ବ୍ୟକ୍ତିଗତ ମତ ଏବଂ ଏଥିରେ ଅଧିନାୟକ ଓ କୋଚ୍ ହିଁ  ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରିବେ। ଧୋନୀ ପ୍ରଥମ ଦିନିକିଆରେ ଧିମା ବ୍ୟାଟିଂ କରି ୯୬ଟି ବଲରୁ ୫୧ ରନ ଖେଳିଥିଲେ। ଏହି ମ୍ୟାଚରେ ଭାରତ  ୩୪ ରନରେ ଘରୋଇ ଅଷ୍ଟ୍ରେଲିଆ ହାତରୁ ପରାଜିତ ହୋଇଛି। ଧୋନୀଙ୍କ ଏହି ଏହି ଧିମା ବ୍ୟାଟିଂ ନେଇ ବିତର୍କ ଆରମ୍ଭ ହୋଇ ଯାଇଛି। 

ରୋହିତ କହିଛନ୍ତି ଯେ ମୁଁ ଅନୁଭବ କରୁଛି ଯେ ଚତୁର୍ଥ କ୍ରମରେ ବ୍ୟାଟିଂ କରିବା ପାଇଁ ଧୋନୀ ହେଉଛନ୍ତି ଆଦର୍ଶ ଖେଳାଳି। କିନ୍ତୁ ଦଳକୁ ଅମ୍ବତି ରାୟୁଡୁଙ୍କ ନାମରେ ଏକ ଯୋଗ୍ୟ ବ୍ୟାଟସମ୍ୟାନ ପାଇଛି ଯିଏ ଚତୁର୍ଥ କ୍ରମରେ ବ୍ୟାଟିଂ ପାଇଁ ମଧ୍ୟ ଫିଟ୍। ମାତ୍ର ଏହା ଦଳର ଅଧିନାୟକ ଓ କୋଚଙ୍କ ଉପରେ ନିର୍ଭର କରେ ଯେ କାହାକୁ ଚତୁର୍ଥ କ୍ରମରେ ବ୍ୟାଟିଂ କରିବାକୁ ସୁଯୋଗ ଦେବା ଉଚିତ୍। ଏହି ମ୍ୟାଚରେ ରୋହିତ ୧୨୯ ବଲରୁ  ୧୩୩ ରନର ମାରାଥନ ପାଳି ଖେଳିଥିଲେ। 

୨୮୯ ରନର ବିଜୟ ଲକ୍ଷ୍ୟକୁ ପିଛା  କରୁଥିବା ଭାରତ ୪ ରନରେ ୩ ଜଣ ବ୍ୟାଟସମ୍ୟାନଙ୍କୁ ହରାଇଥିଲା।  ଏହି ମ୍ୟାଚରେ ରୋହିତ ଦିନିକିଆରେ ୨୨ ତମ ଶତକ ଅର୍ଜନ କରିଥିଲେ। ସେ ଧୋନୀଙ୍କ ସହ ଚତୁର୍ଥ ଓ୍ଵିକେଟରେ ୧୪୧ ରନ ଯୋଡିଥିଲେ ମଧ୍ୟ ଭାରତ ବିଜୟଠୁ ବହୁ ଦୂରରେ ରହି ଯାଇଥିଲା।

ରୋହିତ କହିଛନ୍ତି ଯେ  ଧୋନୀଙ୍କ ଦିନିକିଆ କ୍ୟାରିୟରର ପୂରା ବ୍ୟାଟିଂକୁ ଦେଖିଲେ ତାଙ୍କର  ଷ୍ଟ୍ରାଇକରେଟ୍ ହେଉଛି ୯୦। ମାତ୍ର ଆଜି ଦିନର ପରିଦୃଶ୍ୟ, ପରିସ୍ଥିତି ବହୁତ ଭିନ୍ନ ଥିଲା। ଯେତେବେଳେ ଉଭୟ କ୍ରିଜରେ ଥିଲୁ  ଦଳ ଶୀଘ୍ର ତିନୋଟି ଓ୍ଵିକେଟ୍ ହରାଇ ସାରିଥିଲା। ଘରୋଇ ଦଳ ଶାଣିତ ବୋଲିଂ ଜାରି ରଖିଥିଲା। ତେଣୁ ଆମକୁ କ୍ରିଜରେ ସେଟ୍ ହେବା ପାଇଁ କିଛି ସମୟ ନେବାକୁ ପଡ଼ିଲା। ପରେ ଯାଇ ଶତକୀୟ ଭାଗିଦାରୀ କରିପାରିଲୁ। କିନ୍ତୁ ଫଳ ଆମର ଆଶା ମୁତାବକ ଆସିନଥିବା ରୋହିତ କହିଛନ୍ତି। 

Subscribe

National International State Sports Entertainment