ତିତଲି ନେଇ ରାଷ୍ଟ୍ରପତିଙ୍କ ଟ୍ୱିଟ୍: ସମଗ୍ର ଦେଶ ଓଡିଶା ଓ ଆନ୍ଧ୍ରବାସୀଙ୍କ ସହିତ ଅଛି
Khabar Odisha:
ଭୁବନେଶ୍ୱର, ଅକ୍ଟୋବର ୧୧(ଖବର ଓଡ଼ିଶା):

ସାମୁଦ୍ରିକ ଘୂର୍ଣ୍ଣିଝଡ ତିତଲିରେ ପ୍ରଭାବିତ ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ଟ୍ୱିଟରରେ ଦର୍ଶାଯାଇଛି। ଏଭଳି ସମୟରେ ସମଗ୍ର ଦେଶ ଓଡିଶା ଓ ଆନ୍ଧ୍ରପ୍ରଦେଶବାସୀଙ୍କ ସହିତ ଅଛି ବୋଲି ରାଷ୍ଟ୍ରପତି କହିଛନ୍ତି। 

ଶ୍ରୀ କୋବିନ୍ଦ ନିଜ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ “ତିତ୍‌ଲି ବାତ୍ୟା ଯୋଗୁଁ ଓଡିଶା ଓ ଆନ୍ଧ୍ର ପ୍ରଦେଶର ପ୍ରଭାବିତ ପରିବାର ବିଶେଷକରି ପିଲାମାନଙ୍କ ପ୍ରତି ମୁଁ ସମବେଦନା ଜ୍ଞାପନ କରୁଛି । ମୋର ଦୃଢ ବିଶ୍ୱାସ ଯେ ସ୍ଥାନୀୟ ପ୍ରଶାସନ ଓ ରିଲିଫ୍ ସଂସ୍ଥା ଗୁଡିକ ତତ୍ପରତା ସହିତ ଲୋକମାନଙ୍କୁ ସାହାଯ୍ୟ କରିବେ । ସମଗ୍ର ଦେଶ ଆପଣଙ୍କ ସହିତ ଅଛି”।

ସୂଚନାଯୋଗ୍ୟ, ସାମୁଦ୍ରିକ ଝଡ ତିତଲି ଗୁରୁବାର ସକାଳେ ସାଢେ ୪ରୁ ସାଢେ ୫ଟା ମଧ୍ୟରେ ଆନ୍ଧ୍ରପ୍ରଦେଶର ପଲାସା ଓ ଶ୍ରୀକାକୁଲମର ମଧ୍ୟସ୍ଥଳରେ ସ୍ଥଳଭାଗ ଅତିକ୍ରମ କରିଥିଲା। ଏହାର ପ୍ରଭାବରେ ସେ ସମୟରେ ପବନର ବେଗ ଘଂଟା ପ୍ରତି ୧୫୦ କିମି ରହିଥିବା ବେଳେ ଗୋପାଳପୁର ଠାରେ ୧୨୬ କିମି ରହିଥିଲା । ତିତଲି ଯୋଗୁଁ ଗଜପତି ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗଂଜାମ ଜିଲ୍ଲାରେ ଆଶା ଠାରୁ କମ୍ କ୍ଷତିଗ୍ରସ୍ତ ହୋଇଛି । ଅନ୍ୟପଟେ ସର୍ବଶେଷ ରିପୋର୍ଟ ଅନୁଯାୟୀ, ତିତଲି ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ବିଜୟନଗରମ ଓ ଶ୍ରୀକାକୁଲମ ଜିଲ୍ଲାର ବୋଲି ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି। 

Subscribe

National International State Sports Entertainment